Breaking News

ତ୍ରିଭାଷୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଷ୍ଟାଲିନ୍‌ଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ: ହିନ୍ଦୀକୁ ଲଦି ଦିଆଯାଉ ନାହିଁ

ଜାତୀୟ ଶିକ୍ଷାନୀତିରେ ତ୍ରିଭାଷୀ ଫର୍ମୁଲାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏମ୍‌କେ ଷ୍ଟାଲିନଙ୍କୁ ଟାର୍ଗେଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀଭାଷା ଲଦିବାକୁ ନେଇ ମିଥ୍ୟା କାହାଣୀ ସୃଷ୍ଟି କରୁଛନ୍ତି...

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତିରେ ତ୍ରିଭାଷୀ ଫର୍ମୁଲାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏମ୍‌କେ ଷ୍ଟାଲିନଙ୍କୁ ଟାର୍ଗେଟ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀଭାଷା ଲଦିବାକୁ ନେଇ ମିଥ୍ୟା କାହାଣୀ ସୃଷ୍ଟି କରୁଛନ୍ତି, ଯାହା ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ। ତାମିଲନାଡ଼ୁ ପୂର୍ବରୁ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବାକୁ ରାଜି ହୋଇଥିଲେ ମଧ୍ୟ ରାଜନୈତିକ କାରଣରୁ ଏହି ପ୍ରସଙ୍ଗରେ ୟୁ-ଟର୍ଣ୍ଣ ନେଇଥିଲା। ଆଜି ପ୍ରଧାନ କହିଛନ୍ତି ଯେ ଷ୍ଟାଲିନ ଓ ଡିଏମ୍‌କେ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଗତ ପ୍ରଗତିରୁ ବଞ୍ଚିତ କରୁଛନ୍ତି।

ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ର ତ୍ରିଭାଷୀ ଫର୍ମୁଲା ଅନୁଯାୟୀ ପ୍ରତ୍ୟେକ ସ୍କୁଲ ଛାତ୍ରଙ୍କୁ ଅତି କମ୍‌ରେ ତିନୋଟି ଭାଷା ପଢିବାକୁ ପଡିବ। ପୂର୍ବ ଶିକ୍ଷାନୀତିରେ ଭାରତୀୟ ଭାଷାରେ ଶିକ୍ଷାଦାନକୁ ଅବହେଳା କରାଯିବା ଫଳରେ ବିଦେଶୀ ଭାଷା ଉପରେ ଅତ୍ୟଧିକ ନିର୍ଭରଶୀଳତା ସୃଷ୍ଟି ହୋଇଥିଲା। ତାମିଲ ଭଳି ଭାଷାକୁ ଶିକ୍ଷାକ୍ଷେତ୍ରରେ ଉପଯୁକ୍ତ ସ୍ଥାନକୁ ଫେରାଇ ଆଣିବା ଲକ୍ଷ୍ୟ ରଖାଯାଇଥିବାରୁ ଏହି ଧାରା ଜରୁରୀ ବୋଲି କେନ୍ଦ୍ର କହିଛି। ଷ୍ଟାଲିନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ ତାମିଲନାଡ଼ୁ ଏନ୍‌ଇପି କାର୍ଯ୍ୟକାରୀ ନ କଲେ କେନ୍ଦ୍ରୀୟ ପ୍ରାୟୋଜିତ ସମଗ୍ର ଶିକ୍ଷା ଅଭିଯାନ ପାଇଁ ପାଣ୍ଠି ବନ୍ଦ ରହିବ ବୋଲି ପ୍ରଧାନ ଧମକ ଦେଇଛନ୍ତି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ପ୍ରଧାନ ଷ୍ଟାଲିନଙ୍କୁ ଏକ ଚିଠି ଲେଖିଥିଲେ। ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ପ୍ରଧାନ କହିଥିଲେ, ତ୍ରିଭାଷୀ ଫର୍ମୁଲା ଦେଶର ଏକ ଢାଞ୍ଚା। ପ୍ରାୟ ସବୁ ରାଜ୍ୟ ୧୯୬୦ ଦଶକର ମଧ୍ୟଭାଗରୁ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ମୁଁ ତାମିଲନାଡୁର ସ୍ଥିତି ଜାଣିଛି।

ମୁଁ ଜାଣେ କିଛି ସମସ୍ୟା ଅଛି, ସେମାନେ ଦୁଇ ଭାଷା ଫର୍ମୁଲା ଆପଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପରିକଳ୍ପନା କରିଥିବା ଏନ୍‌ଇପିରେ ତ୍ରିଭାଷୀ ଫର୍ମୁଲା ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନେ ତାମିଲନାଡୁରେ ହିନ୍ଦୀଭାଷାକୁ ଲଦିବା କଥା କହୁଛନ୍ତି। ଏନ୍‌ଇପିରେ କୌଣସି ସ୍ଥାନରେ ଆମେ ପ୍ରସ୍ତାବ ଦେଇନାହୁଁ ଯେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ଭାଷା ଲାଗୁ କରାଯିବ। ଏ ନେଇ ମୁଁ ତାମିଲନାଡୁର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ତାମିଲନାଡୁ ତାମିଲ ଓ ଇଂରାଜିରେ ପାଠ ପଢ଼ାଇବା ଠିକ୍, କିନ୍ତୁ ରାଜ୍ୟର ସୀମାନ୍ତ ଅଞ୍ଚଳରେ ରହୁଥିବା ଯେଉଁ ଛାତ୍ରଛାତ୍ରୀମାନେ ରୋଜଗାର ଉଦ୍ଦେଶ୍ୟରେ କନ୍ନଡ଼, ତେଲୁଗୁ, ମାଲାୟାଲମ୍, ମରାଠୀ କିମ୍ବା ଓଡ଼ିଆ ଶିଖିବାକୁ ଚାହୁଛନ୍ତି, ସେମାନଙ୍କର କ’ଣ ହେବ ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି।  ସମଗ୍ର ଶିକ୍ଷା ଅଭିଯାନ ପାଇଁ ତାମିଲନାଡୁକୁ ୨୦୦୦ କୋଟିରୁ ଅଧିକ ଟଙ୍କା ଅଟକାଇ ଦିଆଯାଇଛି ଏବଂ ସେମାନଙ୍କୁ ବ୍ଲାକମେଲ୍ ଓ ଜୋରଜବରଦସ୍ତ କରାଯାଉଛି ବୋଲି ଷ୍ଟାଲିନ୍ କରିଥିବା ଦାବି ଉପରେ ପ୍ରଧାନ କହିଛନ୍ତି ଯେ, ଏହା ନିନ୍ଦନୀୟ ଓ ଅପମାନଜନକ ଭାଷା। ଷ୍ଟାଲିନ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ଭାଷା କହୁଛନ୍ତି। କେନ୍ଦ୍ର ସରକାର ହିନ୍ଦୀ ଲାଗୁ କରିବାକୁ ଯାଉଛନ୍ତି ବୋଲି କହି ସେମାନେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି  ବୋଲି ପ୍ରଧାନ ସ୍ପଷ୍ଟ କରିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.