Breaking News

ଥଣ୍ଡା ପବନ ଯୋଗୁଁ ଆର୍ଦ୍ରତା କମୁଛି, ଚମ ଶୁଖିବାରୁ ଦେହ ଫାଟୁଛି

ଭୁବନେଶ୍ୱର ୦୨/୧୨: ଆରମ୍ଭ ହେଲାଣି ଶୀତ । ଦିନ ସାରା ଥଣ୍ଡା ପବନରେ ଦେହ ହାତ ଥରିଯାଉଛି । ରାତି ହେଲେ ତାପମାତ୍ରା ୧୫ରୁ ୧୬ ଡିଗ୍ରୀ ରହୁଛି । ଶୀତ ଓ ଥଣ୍ଡା ପବନ କାରଣରୁ ବାୟୁମଣ୍ଡଳରେ ଆର୍ଦ୍ରତା କମୁଛି । ଫଳରେ ଚର୍ମ ଶୁଷ୍କ ହେବା ସହ ଲୋକଙ୍କ ଦେହ ଫାଟିବା ଆରମ୍ଭ ହେଲାଣି । ଏମିତି କି ରୁପି ସମସ୍ୟା ମଧ୍ୟ ଦେଖାଯାଉଛି ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ସରୋଜ ସାହୁ କହନ୍ତି, ଚଳିତ ବର୍ଷ ଶରୀର ଶୁଷ୍କ ହେବା କିମ୍ବା ଚର୍ମ ଫାଟିବାର କାରଣ ହେଉଛି ବାୟୁମଣ୍ଡଳରେ ଜଳୀୟବାଷ୍ଫ ମାତ୍ରା କମିଯିବା । ଆଣ୍ଡାମାନ ଓ ତାମିଲନାଡୁ ଉପକୂଳରେ ବହୁ ପରିମାଣରେ ଲଘୁଚାପ ଘନୀଭୂତ ହେଉଛି । ସେଥିପାଇଁ ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରୁ ପବନର ମାତ୍ରା ଅଧିକ ହେଉଛି । ଏଥିପାଇଁ ଶରୀରରୁ ଜଳୀୟ ଅଂଶ ବାଷ୍ଫ ହୋଇଯାଉଛି । ଏହାଦ୍ୱରା ଚର୍ମ ଶୁଷ୍କ ଲାଗୁଛି । ପୂର୍ବ ବର୍ଷଗୁଡିକରେ ପବନର ମାତ୍ରା ପ୍ରାୟ ଅଧିକ ରହୁନଥିଲା ଏବଂ ଲଘୁଚାପ ଅଧିକ ନ ଥିଲା । ଫଳରେ ଏହି ସମସ୍ୟା ଦେଖାଯାଉନଥିଲା । ଏବେ ବାୟୁମଣ୍ଡଳର ଆର୍ଦ୍ରତା ଦିନ ବେଳା ୨୦ରୁ ୩୦ ପ୍ରତିଶତ ରହୁଛି । ଏହା ୪୦ରୁ ଅଧିକ ରହିଲେ ଶରୀର ଶୁଷ୍କ ହୋଇନଥାଏ ।ଶୀତ ଦିନରେ ସମୁଦ୍ର ପଟୁ ପବନ ଆସୁନାହିଁ । ସ୍ଥଳ ଭାଗରୁ ପବନ ଆସୁଛି । ଏହି ପବନ ଜଳୀୟବାଷ୍ଫ ଟାଣି ନେଇଯାଉଛି । ଦିନ ୧୧ଟା ପରେ ୨୫ରୁ ୩୦ ପ୍ରତିଶତ ଆର୍ଦ୍ରତା ରହୁଛି । ଏହା ହାତଗୋଡ଼ ଶୁଷ୍କ ହେବାର ମୁଖ୍ୟ କାରଣ । ଏ ବିଷୟରେ ପ୍ଲାଷ୍ଟିକ୍‌ ଆଣ୍ଡ୍‌ କସ୍‌ମେଟିକ୍‌ ସର୍ଜନ ଜୟନ୍ତ ଦାସ କହନ୍ତି, ଜଳୀୟବାଷ୍ଫ କମୁଥିବାରୁ ଶରୀର ଶୁଷ୍କ ହେଉଛି । ଶୁଷ୍କତା କିମ୍ବା ରୁକ୍ଷତାରୁ ଶରୀରକୁ ରକ୍ଷା କରିବା ଲାଗି ଭଲ ମଇଶ୍ଚରାଇଜର୍‌ ଲଗାଇବା ଜରୁରି । ନଡ଼ିଆ ତେଲ ମଧ୍ୟ ଏକ ଉତ୍ତମ ମଇଶ୍ଚରାଇଜର । ଥଣ୍ଡା ଯୋଗୁଁ ବାରମ୍ବାର ଉଷୁମ ପାଣିରେ ଗାଧୋଇବା ଉଚିତ ନୁହେଁ । ଯଥେଷ୍ଟ ପାଣି ପିଇବା ସହ ପାଣି ଜାତୀୟ ଫଳ ଖାଇବା ଜରୁରି । ସେହିପରି ଦିନକୁ ଅତି କମ୍‌ରେ ଦୁଇ ଲିଟର୍‌ ପାଣି ପିଇବା ଆବଶ୍ୟକ ବୋଲି ଡାକ୍ତର ଦାସ କହିଛନ୍ତି ।
ସୌଜନ୍ୟ-ପ୍ରମେୟ

Comments are closed.