Breaking News

ଥମୁନି ଲସ୍ଏଞ୍ଜେଲସ୍ ନିଆଁ, ପ୍ରଳୟଙ୍କରୀ ସ୍ଥିତି: ୧୨ ହଜାର ଘର ଭସ୍ମ, ମୃତ୍ୟୁସଂଖ୍ୟା ୧୬ ଛୁଇଁଲା

ଆମେରିକାର ଲସ୍ ଏଞ୍ଜେଲସରେ ଗତ ୬ ଦିନ ଧରି ଲାଗି ରହିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି। ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସଂଭ୍ରାନ୍ତ ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଛି।

ୱାସିଂଟନ:  ଆମେରିକାର ଲସ୍ ଏଞ୍ଜେଲସରେ ଗତ ୬ ଦିନ ଧରି ଲାଗି ରହିଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ଉପୁଜିଛି। ଜଙ୍ଗଲରୁ ବ୍ୟାପିଥିବା ନିଆଁ ଆବାସିକ ସଂଭ୍ରାନ୍ତ ଅଞ୍ଚଳକୁ ପୋଡ଼ି ପାଉଁଶ କରିଦେଇଛି।  ଆଗକୁ ସ୍ଥିତି ଆହୁରି ଖରାପ ହେବା  ଆଶଙ୍କା ରହିଛି ବୋଲି ଲସ୍ ଆଞ୍ଜେଲସ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ଗତ ସପ୍ତାହରୁ ଆରମ୍ଭ ହୋଇଥିବା ନିଆଁରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାରରୁ ଅଧିକ ଘର  ସଂପୂର୍ଣ୍ଣ ଜଳିଯାଇଛି। ଇଟନ୍ ଓ ପାଲିସାଡେସ୍ ଅଗ୍ନିକାଣ୍ଡ ସମେତ ୨୦ଟି ସ୍ଥାନରେ ଅଗ୍ନି ବ୍ୟାପିବାରେ ଲାଗିଛି ଏବଂ ବ୍ୟାପକ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପାଲିସାଡେସ୍ ଅଗ୍ନିକାଣ୍ଡରେ ୨୨,୬୦୦ ଏକର ଜମିର ଜଙ୍ଗଲ ଜଳିଯାଇଥିବା ବେଳେ  ସେଠାରେ ଏବେ ବି ନିଆଁ ଆୟତ୍ତ ହୋଇଥିବା ଜଣାପଡ଼ିଛି। ଇଟନ୍ ଅଗ୍ନିକାଣ୍ଡ ଅଲଟାଡେନା ଅଞ୍ଚଳକୁ ପ୍ରଭାବିତ କରିଥିବା ବେଳେ ୧୪,୦୦୦ ଏକର  ଅଂଚଳରେ ଥିବା ହଜାର ହଜାର ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଅନ୍ୟ ଭିତ୍ତିଭୂମି ଜଳି ଯାଇଛି।

୧୨ ହଜାର ଘର ଭସ୍ମ, ମୃତ୍ୟୁସଂଖ୍ୟା ୧୬ ଛୁଇଁଲା
ଆମେରିକା ଇତିହାସରେ ସବୁଠାରୁ ଭୟାବହ ଅଗ୍ନିକାଣ୍ଡ

ଆଗାମୀ ଦିନରେ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ରାତିରେ  ଏବଂ ସୋମବାରରୁ ବୁଧବାର ପର୍ଯ୍ୟନ୍ତ ପବନର ବେଗ ବଢ଼ିବା ଅନୁମାନ କରାଯାଇଥିବାରୁ ସ୍ଥିତି ଆହୁରି ଭୟାନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହି ଅଗ୍ନିକାଣ୍ଡଜନିତ ଧ୍ୱଂସକୁ ଯୁଦ୍ଧଦୃଶ୍ୟ ଭଳି ବୋଲି ବର୍ଣ୍ଣନା କରିଛନ୍ତି। ଏଭଳି ଭିଷଣ ବିପର୍ଯ୍ୟୟ ସମୟରେ ଅପରାଧୀମାନେ ବି ସକ୍ରିୟ ହୋଇଉଠିଛନ୍ତି ଏବଂ ଶତାଧିକ ସ୍ଥାନରେ ଲୁଟ୍‌ପାଟ ଚାଲିଛି। ଲୁଟ୍ ରୋକିବା ପାଇଁ କେତେକ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିଛି ଏବଂ ୨୦ରୁ ଅଧିକ ଗିରଫ ହୋଇଛନ୍ତି। ଅଗ୍ନିବିଧ୍ବସ୍ତ ଅଂଚଳର ୬୦ ପ୍ରତିଶତ ସ୍ଥାନରେ ଅଗ୍ନିଶମ ବିଭାଗ ପହଞ୍ଚି ପାରିନଥିବାରୁ ମୃତକଙ୍କ ସଂଖ୍ୟା ଅଗକୁ ଯଥେଷ୍ଟ ବଢ଼ିବ ବୋଲି କୁହାଯାଉଛି।  ସର୍ଚ୍ଚ ଟିମ୍ ଧ୍ବଂସ୍ତସ୍ତୂପ ଭିତରୁ ମୃତକଙ୍କ ସନ୍ଧାନ କରୁଛନ୍ତି ଏବଂ ପ୍ରତିକୂଳ ସ୍ଥିତି ଯୋଗୁଁ ଏଥିରେ ସମସ୍ୟା ଉପୁଜିଛି। ସବୁଠି ବିଷାକ୍ତ ଧୂଆଁ ବାହାରୁଥିବାରୁ ଲସ୍ ଏଞ୍ଜେଲସ କାଉଣ୍ଟି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ବାସିନ୍ଦାଙ୍କୁ ବାହ୍ୟ ଚଳପ୍ରଚଳ ସୀମିତ କରିବାକୁ   ପରାମର୍ଶ ଦିଆଯାଇଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି। ପ୍ରାକୃତିକ କାରଣରୁ ଅନେକ ସମୟରେ ଏଭଳି ଅଗ୍ନିକାଣ୍ଡ ଘଟୁଥିବା ବେଳେ ମାନବୀୟ କାର୍ଯ୍ୟକଳାପକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ଅଧିକାରୀମାନେ କହିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଜଙ୍ଗଲ ନିଆଁର ଏଭଳି ତୀବ୍ରତା ଦେଖିବାକୁ ମିଳିଛି। ବୃଦ୍ଧି ପାଉଥିବା ତାପମାତ୍ରା, ଦୀର୍ଘ ଦିନ ଧରି ମରୁଡ଼ି ଏବଂ ଶୁଖିଲା ଗଛଗୁଡ଼ିକ ନିଆଁ ବ୍ୟାପିବାକୁ ସୁହାଉଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.