Breaking News

ଦକ୍ଷିଣ କୋରିଆରେ ସାମରିକ ଆଇନ ଲାଗୁ: ନିଷ୍ପତ୍ତି ବିରୋଧରେ ସଂସଦରେ ଭୋଟ୍

ଦକ୍ଷିଣ କୋରିଆରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସାମରିକ ଆଇନ ଲାଗୁ ହୋଇଛି। ଦକ୍ଷିଣ କୋରିଆର ସୁରକ୍ଷା ପ୍ରସଙ୍ଗ ଏବଂ ଉତ୍ତର କୋରିଆର କେତେକ ନୀତିକୁ ବିରୋଧୀ ଦଳଙ୍କ ସମର୍ଥନ ନେଇ ସରକାର ଓ ବିରୋଧୀ...

ସିଓଲ: ଦକ୍ଷିଣ କୋରିଆରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ସାମରିକ ଆଇନ ଲାଗୁ ହୋଇଛି। ଦକ୍ଷିଣ କୋରିଆର ସୁରକ୍ଷା ପ୍ରସଙ୍ଗ ଏବଂ ଉତ୍ତର କୋରିଆର କେତେକ ନୀତିକୁ ବିରୋଧୀ ଦଳଙ୍କ ସମର୍ଥନ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ମତଭେଦ ସୃଷ୍ଟି ହୋଇଛି। ସଂସଦରେ ଶାସକ ଓ ବିରୋଧୀ ଦଳ ଆଜି ମୁହାଁମୁହିଁ ସ୍ଥିତିରେ ଥିବା ସମୟରେ ହଠାତ୍‌ ମାର୍ଶଲ ଲ’ ଲାଗୁହେବା ଘୋଷଣା କରାଯିବାରୁ ଏହାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଛି। ଏହି ନିଷ୍ପତ୍ତି ବିରୋଧରେ ସଂସଦରେ ଭୋଟ୍ ଗ୍ରହଣ କରାଯାଇଛି। ଅନେକ ବିରୋଧୀ ସାଂସଦଙ୍କୁ ସେନା ଅଟକ ରଖିଛି। ଦକ୍ଷିଣ କୋରିଆ ସଂସଦରେ ଏକାଠି ହୋଇଥିବା ୧୯୦ ଜଣ ସାଂସଦ ସରକାରଙ୍କ ସାମରିକ ଆଇନ ଲାଗୁ ବିରୋଧରେ ଭୋଟ୍ ଦେଇ ଏହାକୁ ବେଆଇନ ଘୋଷଣା କରିଛନ୍ତି। ତେବେ ସରକାର ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇ ବିରୋଧୀ ଦଳଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିରୋଧୀ ଦଳ ନେତା ଲି ଜେ-ମୟୁଙ୍ଗ କହିଛନ୍ତି, ରାଷ୍ଟ୍ରପତି ନିଜର ସ୍ବାର୍ଥ ପାଇଁ ସାମରିକ ଆଇନ କରିବା ସମ୍ପୂର୍ଣ୍ଣ ବେଆଇନ ଏବଂ ଆମେ ଏହାକୁ କୌଣସି ମୂଲ୍ୟରେ ଗ୍ରହଣ କରିବୁ ନାହିଁ।

ଆଜି ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୁଲ୍‌ଙ୍କ ସରକାର ଏକ ବଡ଼ ପଦକ୍ଷେପ ନେଇ ସମଗ୍ର ଦେଶରେ ଜରୁରୀକାଳୀନ ସାମରିକ ଆଇନ ଲାଗୁ କରିବା ପରେ ବିରୋଧୀ ଦଳ ନେତାମାନେ ସେମାନଙ୍କ ସମର୍ଥକଙ୍କ ସହ ରାସ୍ତାକୁ ଓହ୍ଲାଇଥିଲେ। ବଜେଟ୍ ବିଲ୍‌କୁ ନେଇ ସଂସଦରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର କଥା କଟାକଟି ଚାଲିଥିବା ବେଳେ ଦେଶରେ ସାମରିକ ଆଇନ ଲାଗୁ କରାଯାଇଥିବାରୁ ଏହା ପଛରେ ସରକାରୀ କଳର ବଡ଼ ଷଡ୍‌ଯନ୍ତ୍ର ରହିଛି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। ଏହି ନିଷ୍ପତ୍ତିକୁ ନେଇ ରାଜଧାନୀ ସିଓଲରେ ହଇଚଇ ସୃଷ୍ଟି ହୋଇଛି। ରାଜରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ଚାଲିଛି ଏବଂ ବିଭିନ୍ନ ସ୍ଥାନରେ ସେନା ମୁତୟନ ହୋଇଛନ୍ତି। ପୁଲିସ ଓ ବିକ୍ଷୋଭକାରୀଙ୍କ ସଂଘର୍ଷ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ସଂସଦର ସୁରକ୍ଷା ଦାୟିତ୍ବ ମଧ୍ୟ ସେନାକୁ ନ୍ୟସ୍ତ କରାଯାଇଛି। ସଂସଦ ଭବନ ଉପରେ ସେନାର ହେଲିକପ୍ଟର ମୁତୟନ କରାଯିବା ସହ ବିରୋଧୀ ସାଂସଦଙ୍କୁ ଉକ୍ତ ଅଂଚଳରୁ ଘଉଡ଼ାଇ ଦିଆଯାଇଛି। ସାଂସଦଙ୍କ ଗିରଫଦାରୀ ନେଇ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ଏବଂ ବିଭିନ୍ନ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବା ରିପୋର୍ଟ ମିଳିଛି।

ନିଷ୍ପତ୍ତି ବିରୋଧରେ ସଂସଦରେ ଭୋଟ୍
ଅନେକ ବିରୋଧୀ ସାଂସଦଙ୍କୁ ଜେଲ୍‌
ସେନା ନିୟନ୍ତ୍ରଣରେ ସଂସଦ ଭବନ
ପୁଲିସ-ବିକ୍ଷୋଭକାରୀ ସଂଘର୍ଷ
୧ ହଜାରରୁ ଅଧିକ ଅଟକ

ୟୁନ୍ ସୁକ୍ ୟୁଲ୍ ଦେଶକୁ ସମ୍ବୋଧିତ କରି କହିଛନ୍ତି ଯେ ବିରୋଧୀ ଦଳ ସାଂସଦମାନେ ଉତ୍ତର କୋରିଆର ଇସାରାରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ଏବଂ ଏହାକୁ ନେଇ ଦେଶରେ ଅରାଜକତାର ବାତାବରଣ ସୃଷ୍ଟି ହୋଇଛି । ବିରୋଧୀ ସାଂସଦମାନେ ଜାଣିଶୁଣି ଦେଶର ବିକାଶମୂଳକ ପ୍ରକଳ୍ପ ପାଇଁ ବଜେଟ୍ କାଟୁଛନ୍ତି ଏବଂ ଦେଶକୁ ପଛକୁ ଠେଲି ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବଜେଟ୍ ବିଲ୍‌କୁ ନେଇ ଶାସକ ପିପୁଲ୍ସ ପାୱାର ପାର୍ଟି ଓ ବିରୋଧୀ ଡେମୋକ୍ରାଟିକ୍ ପାର୍ଟି ପରସ୍ପର ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଶେଷ ଥର ପାଇଁ ୧୯୭୯ ମସିହାରେ ତତ୍କାଳୀନ ଏକଛତ୍ରବାଦୀ ଶାସକ ପାର୍କ ଚୁଙ୍ଗ ହିଙ୍କ ହତ୍ୟା ପରେ ସାମରିକ ଆଇନ ଲାଗୁ ହୋଇଥିଲା।

ଆଜି ରାତି ୧୧ଟା ସୁଦ୍ଧା ପୁଲିସ ପ୍ରାୟ ୧ ହଜାର ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ଅନେକ ବିରୋଧୀ ସାଂସଦଙ୍କୁ ସ୍ବତନ୍ତ୍ର ଶିବିରରେ ରଖାଯାଇଥିବା ବେଳେ ଅନେକ ସାଂସଦ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି। ସଂସଦ ଭବନ ବାହାରେ ଉତ୍ତ୍ୟକ୍ତ ଲୋକଙ୍କ ସମାବେଶ ବଢ଼ୁଥିବାରୁ ସେମାନଙ୍କୁ ଘଉଡ଼ାଇବା ପାଇଁ ସେନା ବିଶେଷ ପଦକ୍ଷେପ ଗ୍ରହଣ କରିଛି। ଦକ୍ଷିଣ କୋରିଆର ଏଭଳି ଜଟିଳ ରାଜନୈତିକ ସଙ୍କଟ ଉପରେ ଆମେରିକା ସତର୍କ ନଜର ରଖିଛି। ଏଭଳି ସ୍ଥିତିର ଫାଇଦା ଉଠାଇ ଉତ୍ତର କୋରିଆ କୌଣସି ଅନର୍ଥକାରୀ ପଦକ୍ଷେପ ଗ୍ରହଣ କରିବା ଆଶଙ୍କା ଥିବାରୁ ଦକ୍ଷିଣ କୋରିଆ ସେନା ସର୍ବାଧିକ ସତର୍କତା ଅବଲମ୍ବନ କରିଛି। ଏହି ପ୍ରସଙ୍ଗରେ ଆମେରିକାର ଉପବୈଦେଶିକ ସଚିବ ସି କ୍ୟାମ୍ପବେଲ କହିଛନ୍ତି ଯେ ଦକ୍ଷିଣ କୋରିଆ ସହ ଆମେରିକାର ମେଣ୍ଟ ଅତୁଟ ଏବଂ ସମସ୍ତ ଆଭ୍ୟନ୍ତରୀଣ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ନେଇ ଆମେ ଆଶାବାଦୀ।
ସୌଜନ୍ୟ-ସମ୍ୱାଦ

Comments are closed.