Breaking News

ଦାଦାବଟି ୫କୋଟି: ନିର୍ମାଣସ୍ଥଳରେ ଆତଙ୍କରାଜ, ଜେସିବିରେ ଭାଙ୍ଗିଲେ, ପାଇପ୍‌ରେ ପିଟିଲେ

ଠାତ୍‌ ଦଳବଳ ହୋଇ ୧୫ରୁ ୨୦ ଯୁବକ ପହଞ୍ଚିଲେ। କେହି କଛି ବୁଝିବା ପୂର୍ବରୁ ଜେସିବି ଲଗାଇ ପାଚେରି ଭାଙ୍ଗିଲେ। ଗୋଡ଼ାଇ ଗୋଡ଼ାଇ କର୍ମଚାରୀଙ୍କୁ ଆକ୍ରମଣ କଲେ। ୫କୋଟି ଟଙ୍କା ଦାଦାବଟି ପାଇଁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ।

ଭୁବନେଶ୍ବର: ହଠାତ୍‌ ଦଳବଳ ହୋଇ ୧୫ରୁ ୨୦ ଯୁବକ ପହଞ୍ଚିଲେ। କେହି କଛି ବୁଝିବା ପୂର୍ବରୁ ଜେସିବି ଲଗାଇ ପାଚେରି ଭାଙ୍ଗିଲେ। ଗୋଡ଼ାଇ ଗୋଡ଼ାଇ କର୍ମଚାରୀଙ୍କୁ ଆକ୍ରମଣ କଲେ। ୫କୋଟି ଟଙ୍କା ଦାଦାବଟି ପାଇଁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଅନ୍ୟପଟେ କିଛି ଦିନ ବ୍ୟବଧାନ ପରେ ରାଜଧାନୀରେ ପୁଣି ଜମି ଦଲାଲ ମାଫିଆ ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାରୁ କମିସନରେଟ୍‌ ପୁଲିସ ପାଇଁ ଅଡ଼ୁଆ ସୃ‌ଷ୍ଟି କରିଛି। ସୂଚନା ମୁତାବକ, ଶୁକ୍ରବାର ଦିନ ପାଖାପାଖି ୧୧ଟା ହେବ। ଏକ ବିଲ୍ଡର ସଂସ୍ଥାର ନିର୍ମାଣ କାମ ଚାଲିଥାଏ। ଏହି ସମୟରେ ଜେସିବି ଧରି କିଛି ଯୁବକ ନିର୍ମାଣାଧୀନ ପ୍ରୋଜେକ୍ଟ ଭିତରକୁ ପଶିଥିଲେ। କର୍ମଚାରୀଙ୍କୁ ଗାଳିଗୁଲଜ କରି ୫କୋଟି ଟଙ୍କା ବଟି ଦେବାକୁ କହିଥିଲେ। ସେମାନେ ପ୍ରତିବାଦ କରିବାରୁ ଉତ୍ତ୍ୟକ୍ତ ଯୁବକମାନେ ଜେସିବିରେ ସଂସ୍ଥାର ପାଚେରିକୁ ଭାଙ୍ଗିବା ସହ କର୍ମଚାରୀଙ୍କୁ ଠେଙ୍ଗା, ବାଡ଼ି, ଲୁହା ରଡ୍‌ରେ ଆକ୍ରମଣ କରିଥିଲେ।

ପ୍ରୋଜେକ୍ଟରୁ ଏହି ଗଣ୍ଡଗୋଳ ରାଜରାସ୍ତାକୁ ଆସିଥିଲା। ଜଣେ ଯୁବକ ରାସ୍ତାରେ ପୋତାହୋଇଥିବା ଏକ ବାଉଁଶ ଓପାଡ଼ି ସିକ୍ୟୁରିଟି ଗାର୍ଡଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ନନ୍ଦନକାନନ ରୋଡ୍‌ ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। କିଛି ସମୟ ପାଇଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଆକ୍ରମଣ ଯୋଗୁ ୫ରୁ ଊର୍ଦ୍ଧ୍ବ କର୍ମଚାରୀ ଆହତ ‌ହୋଇଥିଲେ। ଘଣ୍ଟାଏ କାଳ ଧରି ଗୁଣ୍ଡାମାନେ ସେଠାରେ ତାଣ୍ଡବ ରଚିଥିଲେ। ଖବର ପାଇ ପିସିଆର୍‌ ଭ୍ୟାନ୍‌ ପହଞ୍ଚିବାରୁ ଯୁବକମାନେ ସେଠାରୁ ଚାଲିଯାଇଥିଲେ। ପୂର୍ବରୁ ମଧ୍ୟ ଏହି ଯୁବକମାନେ ଏକାଧିକ ଥର ଧମକଚମକ ଦେବା ସହ ପ୍ରୋଜେକ୍ଟ ଭିତରେ ପଶି ଭଙ୍ଗାରୁଜା କରିଥିଲେ। ଗତ ୪ ତାରିଖରେ ଏହି ଯୁବକମାନେ ସ୍ଥାନୀୟ ଗୁଣ୍ଡା ପରିଚୟ ଦେଇ ଧମକାଇଥିଲେ। ଫେବ୍ରୁଆରି ମାସରେ ସଂସ୍ଥାକୁ ଧମକାଇ ୨୪ଲକ୍ଷ ଟଙ୍କା ନେଇଥିଲେ। ଆଜି ପୁଣି ଏହି କାଣ୍ଡ ଭିଆଇଛନ୍ତି। ୫କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ସିସିଟିଭି ଫୁଟେଜ୍‌ରେ ଆକ୍ରମଣ ଦୃଶ୍ୟ ରହିଥିବା ବେଳେ ପୁଲିସ ସେଥିରୁ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

ସୌଜନ୍ୟ-ସମ୍ୱାଦ

Comments are closed.