Breaking News

ଦାବି ହାସଲ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଗର୍ଜିଲେ: ବିଧାନସଭା ଘେରିଲା ୱାର୍ଡମେମ୍ବର ମହାସଂଘ

୫ ଦଫା ଦାବିରେ ଓଡ଼ିଶା ରାଜ୍ୟ ୱାର୍ଡମେମ୍ବର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ଦାବିଗୁଡ଼ିକ ହେଲା ପାରିତୋଷିକ ହିସାବରେ ମାସିକ ୬୦୦୦ ଟଙ୍କା ଓ ମାସିକ ୩୦୦୦ ଟଙ୍କା ପେନସନ୍‌ ଦିଆଯିବାର ବ୍ୟବସ୍ଥା କରିବା।

ଭୁବନେଶ୍ବର: ୫ ଦଫା ଦାବିରେ ଓଡ଼ିଶା ରାଜ୍ୟ ୱାର୍ଡମେମ୍ବର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ଦାବିଗୁଡ଼ିକ ହେଲା ପାରିତୋଷିକ ହିସାବରେ ମାସିକ ୬୦୦୦ ଟଙ୍କା ଓ ମାସିକ ୩୦୦୦ ଟଙ୍କା ପେନସନ୍‌ ଦିଆଯିବାର ବ୍ୟବସ୍ଥା କରିବା। ସେହିଭଳି କାର୍ଯ୍ୟକାଳ ସରିବା ପୂର୍ବରୁ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସେମାନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଏବଂ ସ୍ବାଭାବିକ ମୃତ୍ୟୁ ହେଲେ ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ରାଶି ପ୍ରଦାନ କରିବାକୁ ଦାବି କରାଯାଇଛି। ନିଜ ୱାର୍ଡରେ ବିଭିନ୍ନ ସରକାରୀ ଯୋଜନାର ଯୋଗ୍ୟ ହିତାଧିକାରୀ ଚୟନ କ୍ଷମତା ସେମାନଙ୍କୁ ଦିଆଯାଉ ବୋଲି ସଂଘ କହିଛି। ରାଜ୍ୟ ସଭାପତି ଗୌତମ ବେହେରାଙ୍କ ନେତୃତ୍ବରେ କଂଗ୍ରେସ ଭବନଠାରୁ ଏକ ବିଶାଳ ରାଲି ବାହାରି ଲୋୟର୍‌ ପିଏମ୍‌ଜିଠାରେ ପହଞ୍ଚି ଗଣଧାରଣା ଦେଇଥିଲା। ରାଜ୍ୟ ସାଧାରଣ ସମ୍ପାଦକ ଦିଗାମ୍ବର ବେମାଲ, କୋଷାଧ୍ୟକ୍ଷ ସୁନୀଲ କୁମାର ବଳିଆରସିଂ, ବିଷ୍ଣୁପ୍ରିୟା ସାହୁ, ସୁଦୀପ୍ତ ରାଉତରାୟ ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇଥିଲେ।

ସ୍ଥାୟୀ ନିଯୁକ୍ତି ଦାବିରେ ମଧ୍ୟାହ୍ନ ଭୋଜନ ପାଚକ ପାଚିକାଙ୍କ ବିକ୍ଷୋଭ
ଭୁବନେଶ୍ବର: ୧୧ ଦଫା ଦାବି ନେଇ ଆଜି ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପ‌ାଚକ ପାଚିକା ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ କହିଛି ‌ଯେ ୨୭ ବର୍ଷ ଧରି ସେମାନେ ଯେଉଁ ପ୍ରାପ୍ୟ ପାଉଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ଦୈନିକ ୬୬.୬୬ ପଇସାରେ ସେମାନେ କାମ କରୁଛନ୍ତି। ତାହା ମଧ୍ୟ ଠିକ୍‌ ଭାବେ ମିଳେ ନାହିଁ। ତେଣୁ ପାଚକ ପାଚିକାଙ୍କୁ ଏକକ ନିଯୁକ୍ତିପତ୍ର ସହ ସରକାରୀ ମାନ୍ୟତା ପ୍ରଦାନ କରିବା, ଘୋଷିତ ସର୍ବନିମ୍ନ ମଜୁରି ୪୫୦ ଟଙ୍କା ପ୍ରଦାନ କରିବାକୁ ମହାସଂଘ ଦାବି କରିଛି। ୨୦୧୮ ଜାନୁଆରିରୁ ପ୍ରତ୍ୟେକ ରୋଷେୟାଙ୍କୁ ୩୬,୦୦୦ ଟଙ୍କା ତୁରନ୍ତ ପ୍ରଦାନ କରାଯିବା ସହ ସେମାନଙ୍କୁ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀର ମାନ୍ୟତା ମଧ୍ୟ ଅନ୍ୟତମ ଦାବି ବୋଲି ମହାସଂଘ ଦାବି କରିଛି। ଆଜିର ଆନ୍ଦୋଳନରେ ମହାସଂଘର ରାଜ୍ୟ ସଭାନେତ୍ରୀ ସରୋଜିନି କୁମୁରା, କାର୍ତ୍ତିକ ସା, ହରେକୃଷ୍ଣ ମେହେର, ଶାନ୍ତ ଲୋହାର, ସୁରେନ୍ଦ୍ର ଧୁରୁଆ ପ୍ରମୁଖ ଉପସ୍ଥିତ ଥିଲେ।

ଲୋୟର୍‌ ପିଏମ୍‌ଜିରେ ଉଜ୍ଜ୍ବଳା ଦିଦି ସଂଘ

ଭୁବନେଶ୍ବର: ସ୍ଥାୟୀ ନିଯୁକ୍ତି ସହିତ ୯ ଦଫା ଦାବି ନେଇ ଆଜି ଓଡ଼ିଶା ଉଜ୍ଜ୍ବଳା ଦିଦି ସଂଘ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ତରଫରୁ କରାଯାଇଥିବା ଅନ୍ୟ ଦାବିଗୁଡ଼ିକ ହେଲା ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ, ପ୍ରତି ପଞ୍ଚାୟତ/ ମୁନିସିପାଲିଟି ଵାର୍ଡରେ ଥ‌ିବା ଉଜ୍ଜଳା ଦିଦିଙ୍କ ଦ୍ବାରା ଉପଭୋକ୍ତାଙ୍କ ସିଲିଣ୍ଡର ଯାଞ୍ଚ କରାଇବା, ସେମାନଙ୍କ ଦ୍ବାରା ଏଲ୍‌ପିଜି ଡିଷ୍ଟ୍ରିବ୍ୟୁସନ୍ ପଏଣ୍ଟ ଖୋଲିବା, ସାମାଜିକ ସୁରକ୍ଷା ‌ଯୋଗାଇବା। ଆଜିର ଆନ୍ଦୋଳନରେ କାଦମ୍ବିନୀ ସ୍ବାଇଁ ଓ ଅପରାଜିତା ରାଉତ ନେତୃତ୍ବ ନେଇଥି‌ଲେ।

ସୌଜନ୍ୟ-ସମ୍ୱାଦ

Comments are closed.