ନୂଆଦିଲ୍ଲୀ: ଅଭାବ ଅନଟନରେ ଜୀବନଯାପନ କରୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ଦେଶରେ ସେଭଳି ଲୋକ ଆଉ ବେଶି ନାହାନ୍ତି। ଭାରତୀୟ ‌ଷ୍ଟେଟ୍‌ ବ୍ୟାଙ୍କ ଜାରି କରିଥିବା ରିପୋର୍ଟକୁ ଅନୁଶୀଳନ କରିବା ପରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସୁଛି। ଦେଶରେ ଦାରିଦ୍ର୍ୟ ହାର ୫ ପ୍ରତିଶତ ତଳକୁ ହ୍ରାସ ପାଇଥିବା ସହ ଉତ୍କଟ ଦାରିଦ୍ର୍ୟ ନଗଣ୍ୟ ସ୍ତରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ କହିଛି। ଷ୍ଟେଟ୍‌ ବ୍ୟାଙ୍କ ଏହାର ରିପୋର୍ଟରେ ଜଣାଇଛି ଯେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦାରିଦ୍ର୍ୟ କମ୍ ହୋଇଛି। ନିକଟରେ କେନ୍ଦ୍ର ସରକାର ଜାରି କରିଥିବା ଉପଯୋଗିତା ବ୍ୟୟ ସର୍ବେକ୍ଷଣ ତଥ୍ୟକୁ ଆଧାର କରି ଷ୍ଟେଟ୍‌ ବ୍ୟାଙ୍କ ଏହି ନିର୍ଯାସରେ ପହଞ୍ଚିଛି। ୨୦୧୧-୧୨ରେ ଦେଶର ଗ୍ରାମୀଣ ଦାରିଦ୍ର୍ୟ ହାର ୨୫.୭ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ୨୦୨୨-୨୩ରେ ତାହା ୭.୨ ପ୍ରତିଶତ ଏବଂ ୨୦୨୩-୨୪ରେ ୪.୮୬ ପ୍ରତିଶତକୁ ଖସିଆସିଛି।

ଗ୍ରାମାଞ୍ଚଳରେ ଅର୍ଥନୈତିକ ଦୃଷ୍ଟିରୁ ସବାତଳେ ଥିବା ୫ ପ୍ରତିଶତ ଲୋକଙ୍କ ଉପଯୋଗିତା ବଢ଼ିବାରୁ ସେମାନଙ୍କ ସ୍ଥିତିରେ ଉନ୍ନତି ଘଟିଛି। ସହରାଞ୍ଚଳରେ ଦାରିଦ୍ର୍ୟ ହାର ୨୦୧୧-୧୨ରେ ୧୩.୭ ପ୍ରତିଶତ ଥିଲା ଯାହା ୨୦୨୩-୨୪ରେ ୪.୦୯ ପ୍ରତିଶତକୁ ଖସିଆସିଥିବା ଷ୍ଟେଟ୍‌ ବ୍ୟାଙ୍କ ଜଣାଇଛି। ରିପୋର୍ଟରେ କୁହାଯାଇଛି ଯେ ଭିତ୍ତିଭୂମିରେ ଉନ୍ନତି ହେବା ଫଳରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଥିବା ଅନ୍ତର ଦୂର ହୋଇଛି। ଆୟ ଅସମାନତା ମଧ୍ୟ ହ୍ରାସ ପାଇଛି। ସରକାର ବିଭିନ୍ନ ଯୋଜନାକୁ ଡିବିଟି(ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଜରିଆରେ କାର୍ଯ୍ୟକାରୀ ମଧ୍ୟ ଦାରିଦ୍ର୍ୟ ହ୍ରାସର ଅନ୍ୟତମ କାରଣ କୁହାଯାଉଛି। ପ୍ରଫେସର ସୁରେଶ ତେନ୍ଦୁଲକରଙ୍କ ନେତୃତ୍ବାଧୀନ କମିଟି ଧାର୍ଯ୍ୟ କରିଥିବା ଫର୍ମୁଲା ଅନୁସାରେ ଗ୍ରାମାଞ୍ଚଳରେ ନୂଆ ଦାରିଦ୍ର୍ୟ ସୀମା ରେଖା ୧୬୩୨ ଟଙ୍କା ଏବଂ ସହରାଞ୍ଚଳରେ ୧୯୪୪ ଟଙ୍କା ଥିବା ଷ୍ଟେଟ୍‌ ବ୍ୟାଙ୍କ ଆକଳନ କରିଛି। ୨୦୧୧-୧୨ରେ ଦାରିଦ୍ର୍ୟ ସୀମା ରେଖା ଗ୍ରାମାଞ୍ଚଳରେ ୮୧୬ ଟଙ୍କା ଓ ସହରାଞ୍ଚଳରେ ୧୦୦୦ ଟଙ୍କା ଥିଲା।