Breaking News

ଦିନିକିଆରୁ ଷ୍ଟିଭ୍ ସ୍ମିଥ୍‌ଙ୍କ ଅବସର

ଭାରତ ନିକଟରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍ ପରାଜୟ ପରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିବା ଷ୍ଟିଭେନ୍ ସ୍ମିଥ୍ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି।

ଦୁବାଇ: ଭାରତ ନିକଟରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ୍ ପରାଜୟ ପରେ ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିବା ଷ୍ଟିଭେନ୍ ସ୍ମିଥ୍ ଦିନିକିଆ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷ ମ୍ୟାଚ୍‌ ତାଙ୍କ ଖେଳ ଜୀବନର ଶେଷ ଦିନିକିଆ ଅନ୍ତର୍ଜାତୀୟ ହୋଇ ରହିବ। ସ୍ମିଥ୍‌ ମଙ୍ଗଳବାର ଭାରତ ବିପକ୍ଷରେ ଦଳ ପାଇଁ ସର୍ବାଧିକ ୭୩ ରନ୍ କରିଥିଲେ। ତାଙ୍କ ଅବସର ବିଷୟରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ବୁଧବାର ସୂଚନା ଦେଇଛି। ୩୫ ବର୍ଷୀୟ ସ୍ମିଥ୍ କିନ୍ତୁ ଟେଷ୍ଟ୍ କ୍ରିକେଟ୍ ଓ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଜାରି ରଖିବେ। ଅଷ୍ଟ୍ରେଲିଆ ୨୦୨୭ ବିଶ୍ବକପ୍‌ ପାଇଁ ଦଳ ଗଠନ ପ୍ରକ୍ରିୟାରେ ଥିବାରୁ ସ୍ମିଥ୍ ଠିକଣା ସମୟରେ ଅବସର ଘୋଷଣା କରିଥିବା କୁହାଯାଉଛି। ‘‘ଏହା ଏକ ବିରାଟ ଯାତ୍ରା ଥିଲା, ପ୍ରତିଟି ମିନିଟ୍‌କୁ ମୁଁ ଉପଭୋଗ କରିଛି। ଦଳ ସହିତ ଅନେକ ଭଲ ସମୟ ବିତିଛି, ବହୁ ସୁନ୍ଦର ସ୍ମୃତି ବି ରହିଛି। ଦୁଇଟି ବିଶ୍ବକପ୍‌ ଜିତିବା ସହ ବହୁ ଚମତ୍କାର ସାଥୀ ଖେଳାଳିଙ୍କ ସହ ଏହି ଯାତ୍ରା ବିତାଇବା ସ୍ମରଣୀୟ ରହିଛି’’ ବୋଲି ସ୍ମିଥ୍ କହିଛନ୍ତି।

ଅଷ୍ଟ୍ରେଲିଆର ୨୦୧୫ ଏବଂ ୨୦୨୩ ଦିନିକିଆ ବିଶ୍ବକପ୍‌ ବିଜୟରେ ସ୍ମିଥ୍‌ଙ୍କ ଅବଦାନ ରହିଥିଲା। ୨୦୧୫ ଓ ୨୦୨୧ରେ ସେ ଅଷ୍ଟ୍ରେଲିଆର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଥିଲେ ଏବଂ ୨୦୧୫ ମସିହା ପାଇଁ ଆଇସିସିର ଶ୍ରେଷ୍ଠ ଦିନିକିଆ ଦଳର ସଦସ୍ୟ ରହିଥିଲେ। ୨୦୧୫ରେ ଦିନିକିଆ ଦଳର ନେତୃତ୍ବ ନେଇଥିବା ସ୍ମିଥ୍ ସେହିବର୍ଷ ଦିନିକିଆ ବିଶ୍ବକପ୍‌ ଜିତିଥିଲେ। ଅଷ୍ଟ୍ରେଲିଆ ପାଇଁ ୧୭୦ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିବା ସ୍ମିଥ୍‌ କହିଛନ୍ତି, ଟେଷ୍ଟ୍ କ୍ରିକେଟ୍ ଏବେ ବି ମୋ ଅଗ୍ରାଧିକାର ତାଲିକାରେ ରହିଛି। ୨୦୧୦ରେ ଜଣେ ଲେଗ୍‌ସ୍ପିନ୍ ଅଲ୍‌ରାଉଣ୍ଡର୍ ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଦାର୍ପଣ କରିଥିବା ସ୍ମିଥ୍ ୧୫ ବର୍ଷର ଯାତ୍ରାରେ ୪୩.୨୮ ହାରରେ ୫,୮୦୦ ରନ୍ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧୨ ଶତକ ଏବଂ ୩୫ ଅର୍ଦ୍ଧଶତକ ସାମିଲ ରହିଛି। ୩୪.୬୭ ହାରରେ ସେ ମଧ୍ୟ ୨୮ ୱିକେଟ୍ ଅକ୍ତିଆର କରିଛନ୍ତି।

କ୍ରିକେଟ୍ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମିଥ୍‌ଙ୍କୁ କ୍ରିକେଟ୍ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଟଡ୍‌ ଗ୍ରିନ୍‌ବର୍ଗ ଏବଂ ଚୟନ ସମିତି ଅଧ୍ୟକ୍ଷ ଜର୍ଜ ବେଲି କୃତଜ୍ଞତା ଜଣାଇଛନ୍ତି। ୫୦ ଓଭର ଫର୍ମାଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟରେ ପ୍ରଭାବ ଛାଡ଼ିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ଉଭୟ। ଆମେ ଭାଗ୍ୟବାନ ଯେ ସ୍ମିଥ୍ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଖେଳିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ମିଥ୍ ଏ ପର୍ଯ୍ୟନ୍ତ ୧୧୬ ଟେଷ୍ଟ୍‌ରୁ ୧୦,୨୭୧ ରନ୍ ଏବଂ ୬୭ ଟ୍ବେଣ୍ଟି-୨୦ରୁ ୧୦୯୪ ରନ୍‌ ସଂଗ୍ରହ କରିଛନ୍ତି। ସ୍ମିଥ୍‌ଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ ଅନ୍ୟତମ ମହାନ ଦିନିକିଆ ଖେଳାଳି ଭାବେ ଅଭିହିତ କରିଛି। ଅଧିନାୟକ ଭାବେ ସ୍ମିଥ୍‌ ୪୦ ମ୍ୟାଚ୍‌ର ନେତୃତ୍ବ ନେଇ ୫୭.୫୦ ପ୍ରତିଶତ ବିଜୟ ପାଇଛନ୍ତି। ଷ୍ଟିଭ୍ ୱ (୭୧.୯୨%), ରିକି ପଣ୍ଟିଂ (୬୨.୩୩%) ତାଙ୍କଠାରୁ ଆଗରେ ରହିଥିଲେ। ଅଷ୍ଟ୍ରେଲିଆର ଅଗ୍ରଣୀ ଦିନିକିଆ ଅଧିନାୟକ ତାଲିକାରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ଅଧିନାୟକତ୍ବ ସମୟରେ ରନ୍‌ ସଂଗ୍ରହରେ ସେ ପଞ୍ଚମ ଅଗ୍ରଣୀ ଅଷ୍ଟ୍ରେଲୀୟ ଅଛନ୍ତି। ୪୩.୬୫ ହାରରେ ସେ ୨,୨୭୦ ରନ୍ ସଂଗ୍ରହ କରିଥିଲେ। ରିକି ପଣ୍ଟିଂ (୨୨୯ ମ୍ୟାଚ୍, ୮୩୮୨ ରନ୍), ଆଲାନ୍ ବର୍ଡର (୧୭୮ ମ୍ୟାଚ, ୪,୪୩୯ ରନ୍), ମାଇକେଲ୍ କ୍ଲାର୍କ (୭୪ ମ୍ୟାଚ୍‌, ୨୭୪୫ ରନ୍), ଷ୍ଟିଭ୍ ସ୍ମିଥ୍‌ (୧୦୬ ମ୍ୟାଚ୍‌, ୨୫୮୫ ରନ୍) ପ୍ରଥମ ୪ ସ୍ଥାନରେ ରହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.