Breaking News

ଦିଲ୍ଲୀରେ ଆପ୍‌କୁ ଟିଏମ୍‌ସି, ସପାର ସମର୍ଥନ: କଂଗ୍ରେସକୁ କୋଣଠେସା କରୁଛନ୍ତି ଇଣ୍ଡି ମେଣ୍ଟ ସହଯୋଗୀ

ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟ ଫାଟ ବଢ଼ିବାରେ ଲାଗିଛି। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଟାର୍ଗେଟ କରୁଥିବା ବେଳେ ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀମାନେ ଏବେ ଆପ୍‌କୁ ସମର୍ଥନ...

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟ ଫାଟ ବଢ଼ିବାରେ ଲାଗିଛି। କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ପରସ୍ପରକୁ ଟାର୍ଗେଟ କରୁଥିବା ବେଳେ ଇଣ୍ଡି ମେଣ୍ଟର ପ୍ରମୁଖ ସହଯୋଗୀମାନେ ଏବେ ଆପ୍‌କୁ ସମର୍ଥନ ଘୋଷଣା କରି କଂଗ୍ରେସର ଚିନ୍ତା ବଢ଼ାଇଛନ୍ତି। କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ‘ଶୀଶ ମହଲ’ ସମେତ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗ ଉଠାଇ ଘେରିବାରେ ଲାଗିଥିବା ବେଳେ ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ଦିଲ୍ଲୀରେ ଆପ୍‌କୁ ହରାଇବା ପାଇଁ କଂଗ୍ରେସ ଓ ବିଜେପି ଏକାଠି କାମ କରୁଛନ୍ତି। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକାଠି ଲଢ଼ିଥିଲେ ଏବଂ ଉଭୟ ଏବେ ବି ବିରୋଧୀ ଇଣ୍ଡି ମେଣ୍ଟର ଅଂଶ ବିଶେଷ। ଏବେ ଦିଲ୍ଲୀରେ କଂଗ୍ରେସ ବିରୋଧରେ ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଶିବସେନା(ଉଦ୍ଧବ ଗୋଷ୍ଠୀ) ଏକଜୁଟ ହୋଇଛନ୍ତି ଏବଂ ଏହି ଦଳମାନେ ଆପ୍‌କୁ ସମର୍ଥନ ଘୋଷଣା କରିଛନ୍ତି। ମେଣ୍ଟ ସହଯୋଗୀମାନେ ଦିଲ୍ଲୀରେ କଂଗ୍ରେସକୁ ଏଭଳି କୋଣଠେସା କରିବାରୁ ଏବେ ମେଣ୍ଟର ଭବିଷ୍ୟତ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ଦିଲ୍ଲୀ ନିର୍ବାଚନ ପରେ ଅସ୍ତିତ୍ବ ସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି କୁହାଯାଉଛି।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପ୍‌ ସୁପ୍ରିମୋ କେଜ୍ରିୱାଲଙ୍କ ସହ ହାତ ମିଳାଇଛନ୍ତି। କେଜ୍ରିୱାଲ କହିଛନ୍ତି, ‘ମୁଁ ବ୍ୟକ୍ତିଗତ ଭାବେ ମମତା ଦିଦିଙ୍କ ନିକଟରେ କୃତଜ୍ଞ। ଆମର ଭଲ ଓ ଖରାପ ସମୟରେ ଆପଣ ସବୁବେଳେ ଆମକୁ ସମର୍ଥନ ଏବଂ ଆଶୀର୍ବାଦ ଦେଇଛନ୍ତି।’ ଏହାବ୍ୟତୀତ ନିକଟରେ ଅଖିଳେଶ ଯାଦବ ମଧ୍ୟ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଥିଲେ ଏବଂ ଦିଲ୍ଲୀରେ କେଜ୍ରିୱାଲଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କ ସମର୍ଥନ ମିଳିବା ପରେ ଉଭୟ ଦଳର ଆଦର୍ଶରେ ବିଶ୍ୱାସ କରୁଥିବା ଭୋଟର୍‌ ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ସେମାନଙ୍କ ସମର୍ଥନ ଦେଇପାରନ୍ତି। ଜାତୀୟ ରାଜଧାନୀରେ ଯାଦବ ଭୋଟ୍ ବ୍ୟାଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି ଏବଂ କେଜ୍ରିୱାଲ୍ ଏଥିରୁ ଉପକୃତ ହେବା ସମ୍ଭାବନା ରହିଛି।

ଗତବର୍ଷ ହରିୟାଣା ବିଧାନସଭା ନିର୍ବାଚନରେ ଅଖିଳେଶ ଯାଦବ ଖୋଲାଖୋଲି ଭାବେ କଂଗ୍ରେସକୁ ସମର୍ଥନ ଜଣାଇଥିଲେ। ସେହି ସମୟରେ ଆମ୍ ଆଦମୀ ପାର୍ଟି ସେଠାରେ ନିର୍ବାଚନ ଲଢ଼ୁଥିଲେ ମଧ୍ୟ କଂଗ୍ରେସର ବିଜୟ ସମ୍ଭାବନା ଦେଖି ସପା ସମର୍ଥନ ଘୋଷଣା କରିଥିଲା। ଫଳାଫଳ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ତୃତୀୟ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ କରି କଂଗ୍ରେସକୁ ବଡ଼ ଝଟକା ଦେଇଥିଲା। ଏବେ ଦିଲ୍ଲୀ ନିର୍ବାଚନକୁ ନେଇ ଇଣ୍ଡି ମେଣ୍ଟର ସହଯୋଗୀଙ୍କ ରଣନୀତିରେ ଅନେକ ପରିବର୍ତ୍ତନ ଆସିଛି। କଂଗ୍ରେସ କଂଗ୍ରେସ ମଧ୍ୟ ନୂଆ ରଣନୀତିରେ କାମ କରିବାକୁ ପ୍ରସ୍ତୁତ ହେଉଛି।

 

 

 

 

 

 

ସୌଜନ୍ୟ – ସମ୍ୱାଦ

Comments are closed.