‘ଦିଲ୍ଲୀରେ ଆପ୍ ଜିତିଲେ ବି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ’
ଦିଲ୍ଲୀରେ ଇଣ୍ଡି ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ କଂଗ୍ରେସ ଓ ଆପ୍ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ପୁଣିଥରେ କ୍ଷମତା ଦଖଲ ପାଇଁ ଆପ୍ ପୂରା ଶକ୍ତି ଲଗାଇ ଦେଇଛି। ଦଳର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ...
ନୂଆଦିଲ୍ଲୀ: ଦିଲ୍ଲୀରେ ଇଣ୍ଡି ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ କଂଗ୍ରେସ ଓ ଆପ୍ ଏବେ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ପୁଣିଥରେ କ୍ଷମତା ଦଖଲ ପାଇଁ ଆପ୍ ପୂରା ଶକ୍ତି ଲଗାଇ ଦେଇଛି। ଦଳର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ ସ୍ପଷ୍ଟ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି ପୁଣି ଥରେ କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ହେବେ। ଏହି ନିର୍ବାଚନରେ ଆପ୍ ତାଙ୍କରି ନେତୃତ୍ବରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପୁଅ ତଥା କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ସୁପ୍ରିମ୍କୋର୍ଟଙ୍କ ରାୟକୁ ଉଦାହରଣ ଦେଇ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁନ୍ତି। ଯଦି ଦିଲ୍ଲୀରେ ଆପ୍ ଜିତେ ତେବେ ଅନ୍ୟ କାହାକୁ ମୁଖ୍ୟମନ୍ତ୍ରୀ କରିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ହେବ। ସୁପ୍ରିମ୍କୋର୍ଟଙ୍କ ଜାମିନ ସର୍ତ୍ତକୁ ସ୍ମରଣ କରାଇ ଦୀକ୍ଷିତ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ କେଜ୍ରିୱାଲ ଜେଲରୁ ବାହାରିପାରିବେ କିନ୍ତୁ ମୁଖ୍ୟମନ୍ତ୍ରୀ ଭାବରେ ସେ କୌଣସି ଫାଇଲ୍ରେ ଦସ୍ତଖତ କରିପାରିବେ ନାହିଁ। ଅର୍ଥାତ୍ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି। ହୋଇପଡ଼ିଛି। ଯଦି କେଜ୍ରିୱାଲ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୁଅନ୍ତି ଏବଂ ଏକ ଦସ୍ତାବିଜରେ ଦସ୍ତଖତ କରନ୍ତି, ତେବେ ଏହା ଜାମିନ ସର୍ତ୍ତର ଉଲ୍ଲଂଘନ ହେବ ଏବଂ ତାଙ୍କୁ ପୁଣି ଜେଲ୍ ଯିବାକୁ ପଡ଼ିବ ବୋଲି ଦୀକ୍ଷିତ କହିଛନ୍ତି।
ସୁପ୍ରିମ୍କୋର୍ଟଙ୍କ ସର୍ତ୍ତ ଉଲ୍ଲେଖ କଲା କଂଗ୍ରେସ
ସୂଚନାଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପ୍ରଥମେ ଇଡି ଏବଂ ପରେ ସିବିଆଇ ଗିରଫ କରିଥିଲା। ଅନେକ ମାସ ତିହାର ଜେଲରେ ରହିବା ପରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ, କିନ୍ତୁ ସର୍ତ୍ତ ରହିଥିଲା ଯେ ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କିମ୍ବା ସଚିବାଳୟ ଯାଇପାରିବେ ନାହିଁ। ମୁଖ୍ୟମନ୍ତ୍ରୀ ଭାବେ ଫାଇଲରେ ଦସ୍ତଖତ କରିବା ନେଇ ମଧ୍ୟ ସୁପ୍ରିମ୍କୋର୍ଟ କେତେକ ସର୍ତ୍ତ ରଖିଥିଲେ। ଗତକାଲି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଅବକାରୀ ଦୁର୍ନୀତି ନେଇ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମୋଦନ ଦେଇଥିଲେ। ଡିସେମ୍ବର ୫ ତାରିଖରେ ଇଡି କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ମାଗିଥିଲା, ଯାହାକୁ ଉପରାଜ୍ୟପାଳ ଗ୍ରହଣ କରିଥିଲେ। ତେବେ ଆମ୍ ଆଦମୀ ପାର୍ଟି ଏହି ଦାବିକୁ ଖଣ୍ଡନ କରିଛି। ଆପ୍ର ବରିଷ୍ଠ ନେତା ମନୀଷ ସିସୋଦିଆ କହିଛନ୍ତି, କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଇଡିକୁ ଅନୁମତି ମିଳିଥିବା ଖବର ମିଥ୍ୟା।
ସୌଜନ୍ୟ-ସମ୍ୱାଦ
Comments are closed.