Breaking News

ଦିଲ୍ଲୀ ଜନମତ

ଏକ ନିର୍ବାଚନ କାଳରେ ରାତ୍ରିରେ ଶୟନରତ ମଦନଲାଲ ଖୁରାନା ବଡ଼ ପାଟିରେ ବାଉଳି ଚାଉଳିି ହେବାରୁ ପତ୍ନୀଙ୍କ ନିଦ ଭାଙ୍ଗିଯାଏ। ସେ ଉଠିପଡ଼ି ଦେଖନ୍ତି ତ ନିଦରେ ଶୋଇ ଖୁରାନା ମହାଶୟ ଭୋଟ ଭିକ୍ଷା କରୁଛନ୍ତି।

ଏକ ନିର୍ବାଚନ କାଳରେ ରାତ୍ରିରେ ଶୟନରତ ମଦନଲାଲ ଖୁରାନା ବଡ଼ ପାଟିରେ ବାଉଳି ଚାଉଳିି ହେବାରୁ ପତ୍ନୀଙ୍କ ନିଦ ଭାଙ୍ଗିଯାଏ। ସେ ଉଠିପଡ଼ି ଦେଖନ୍ତି ତ ନିଦରେ ଶୋଇ ଖୁରାନା ମହାଶୟ ଭୋଟ ଭିକ୍ଷା କରୁଛନ୍ତି। ଏହା ହିଁ ହେଉଛି ବିଜେପିର ସଫଳତାର ମଞ୍ଜି। ନିର୍ବାଚନୀ ବିଜୟ ଲାଗି ରାତିର ସୁଖ ନିଦ୍ରା ମଧ୍ୟ ସ୍ବପ୍ନ ଦ୍ବାରା ବ୍ୟାହତ ହୋଇପାରେ! କିନ୍ତୁ, କଂଗ୍ରେସକୁ ଦେଖିଲେ ମନେ ହୁଏ ସତେ ଯେମିତି ତାହା ଏକ ସ୍ବପ୍ନହୀନ ଗହନ ତନ୍ଦ୍ରାରେ ଆଚ୍ଛନ୍ନ!

ଦିଲ୍ଲୀ ଏକ ପୂର୍ଣ୍ଣ ରାଜ୍ୟ ହୋଇ ନ ଥିଲେ ହେଁ ଏବଂ ଏହି ରାଜ୍ୟ ସରକାରଙ୍କ କ୍ଷମତା ତୁଳନାତ୍ମକ ଭାବେ ଅନେକ ସୀମିତ ହୋଇଥିଲେ ସୁଦ୍ଧା ଗଲା ଶନିବାର ଦିନ ପ୍ରକାଶିତ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସମଗ୍ର ରାଷ୍ଟ୍ରକୁ ଉତ୍କଣ୍ଠା ଜର୍ଜର କରି ରଖିଥିଲା; କାରଣ ଏହି ଫଳାଫଳରୁ ଏଭଳି କିଛି ସଂକେତ ମିଳିବାର ଆଶା ଥିଲା, ଯହିଁରୁ ଆମ ଦେଶର ଭବିଷ୍ୟତ୍‌ ରାଜନୀତିର ଗତିପଥ ଅନେକ ଦୂର ପର୍ଯ୍ୟନ୍ତ ଦିଶିପାରେ! ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହି ଫଳାଫଳରୁ ତତ୍‌କ୍ଷଣାତ୍‌ ଯାହା ଦୃଷ୍ଟିଗୋଚର ହୋଇଥାଏ, ତାହା ହେଲା ଏକ ରାଜ୍ୟ ରୂପେ ୧୯୯୨ ମସିହାରେ ଆତ୍ମପ୍ରକାଶ କଲା ପରେ ଦିଲ୍ଲୀକୁ ବିଜେପିର ଏକ ଦୁର୍ଗ ଭାବେ ଗ୍ରହଣ କରି ନିଆଯାଇଥିଲେ ମଧ୍ୟ ଦୀର୍ଘ ୨୭ ବର୍ଷ ଧରି ଏହା କ୍ଷମତାଚ୍ୟୁତ ‌େହାଇ ରହିଥିଲା, ଯେଉଁ ଦୁର୍ଭାଗ୍ୟର ଅବସାନ ଏବେ ଘଟିଲା। ଦଳ ୪୮ଟି ଆସନରେ ଜିଣି ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି। ତେବେ, ପରବର୍ତ୍ତୀ ନିର୍ବାଚନଟିଏ (ବିହାର ବିଧାନସଭା) ଲାଗି ଆହୁରି ନଅ ମାସ ଅବଶିଷ୍ଟ ଥିବା ବେଳେ ଏହି ଫଳାଫଳ ଉପ‌େର ଏକ ଗଭୀର ଦୃଷ୍ଟିପାତ ଓ ନିରାସକ୍ତ ତର୍ଜମାର ମଧ୍ୟ ଆବଶ୍ୟକତା ରହିଛି, ଯାହା ରାଜନୈତିକ ଦଳଗୁଡ଼ିକ ସକାଶେ ମାର୍ଗ ପ୍ରଦର୍ଶକ ହୋଇପାରେ।
ଉ‌େଲ୍ଲଖଯୋଗ୍ୟ ଯେ ‘ବିଜେପି’ ମୁଖ୍ୟତଃ ଚାରିଟି ଲକ୍ଷ୍ୟ ଭେଦ କରିବାର ଉଦ୍ଦେଶ୍ୟ ନେଇ ନିର୍ବାଚନ ଲଢ଼ିଥିଲା, ଯହିଁରେ ତାକୁ ଚମତ୍କାର ସଫଳତା ପ୍ରାପ୍ତ ହୋଇଛି। ପ୍ରଥମଟି ହେଲା ‘ଆପ୍‌’ର ସର୍ବମୟ ନେତା ଅରବିନ୍ଦ କେଜ୍ରିୱାଲ ଯେ ଜଣେ ନିର୍ମଳ ଭାବମୂର୍ତ୍ତିସଂପନ୍ନ ନେତା; ଏଭଳି ଧାରଣାକୁ ଭ୍ରାନ୍ତ ସାବ୍ୟସ୍ତ କରିବା ସହ ଜନମାନସରେ ବିଶ୍ବାସ ଜନ୍ମାଇବା। ବିଦେଶୀ ଗଣମାଧ୍ୟକୁ ‘ଆପ୍‌’ ସରକାରଙ୍କ ଦ୍ବାରା ପ୍ରଦତ୍ତ ବ୍ୟୟବହୁଳ ଆତ୍ମ-ପ୍ରଶସ୍ତିମୂଳକ ବିଜ୍ଞାପନର ଔଚିତ୍ୟ ଓ ତହିଁରେ ଅନ୍ତର୍ନିହିତ ଦୁର୍ନୀତିର ଅଭିଯୋଗରୁ ଆରମ୍ଭ କରି ରାଜ୍ୟ ରାଜକୋଷରୁ ବିପୁଳ ବ୍ୟୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସରକାରୀ ବାସଭବନକୁ ବିଳାସପୂର୍ଣ୍ଣ ‘ସୀସ ମହଲ’ରେ ପରିଣତ କରାଯିବା ଅଥବା ମଦ ଦୁର୍ନୀତି ଓ ‘ମନି ଲଣ୍ଡରିଂ’ ଭଳି ମାମଲାରେ କେଜ୍ରିୱାଲ ଏବଂ ତାଙ୍କ ଘନିଷ୍ଠ ଓ ବରିଷ୍ଠ ରାଜ‌େନୖତିକ ସହଯୋଗୀମାନଙ୍କ ସନ୍ଦିଗ୍‌ଧ ସଂପୃକ୍ତି ଇତ୍ୟାଦି ପର୍ଯ୍ୟନ୍ତ ବିଷୟକୁ ନେଇ ‘ବିଜେପି’ ଦ୍ବାରା ସୃଷ୍ଟ ବିବାଦର ତୁମୂଳ ଝଡ଼ରେ କେଜ୍ରିୱାଲଙ୍କ ସଚ୍ଚୋଟତା ସନ୍ଦେହାସ୍ପଦ ହୋଇ ପଡ଼ିଥିଲା। ଅନେକ ପର୍ଯ୍ୟବେକ୍ଷକଙ୍କ ମତ‌େର ଏହି ସନ୍ଦେହକୁ ଅଧିକ ଘନୀଭୂତ କରିବା ଲାଗି କେନ୍ଦ୍ରର ବିଜେପି ସରକାରଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ (ମନ୍ତ୍ରୀ ତଥା ତୁଙ୍ଗ ‘ଆପ୍‌’ ନେତା ମନୀଷ ଶିଶୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ)ଙ୍କୁ ଗିରଫ କରାଯାଇ ଜେଲରେ ପୂରାଇ ଦିଆଯାଇଥିଲା, ଯଦିଓ ଏଥିରେ ବିଜେପି ଜନସମର୍ଥନ ହରାଇବାର ଆଶଙ୍କା ମଧ୍ୟ ଥିଲା। କହିବାର ତାତ୍ପର୍ଯ୍ୟ ହେଲା କେଜ୍ରିୱାଲଙ୍କ ଭାବମୂର୍ତ୍ତିରେ ଛିଦ୍ର ସୃଷ୍ଟି କରିବା ଲାଗି ବିଜେପି ପକ୍ଷରୁ ଯତ୍‌ପନୋରାସ୍ତି ଉଦ୍ୟମ କରାଯାଇଥିଲା, ଯହିଁରେ ଆପାତତଃ ସଫଳତା ମିଳିଛି। ଦ୍ବିତୀୟରେ ଏହି ନିର୍ବାଚନରେ ବିଜେପି ‘ହିନ୍ଦୁତ୍ବ’ ପ୍ରସଙ୍ଗର ଆଶ୍ରୟ ନ ନେଇ କେଜ୍ରିୱାଲଙ୍କ ‘ମାଗଣା ବଣ୍ଟନ’ ରଣନୀତିକୁ ହିଁ ବ୍ୟବହାର କରିଥିଲା; ଏବଂ ତା’ ସହିତ ତହିଁରେ ଥିବା ଦୁର୍ବଳତାକୁ ଦୂର କରି ଅଧିକ ପ୍ରଦାନର ପ୍ରତିଶ୍ରୁତିକୁ ମଧ୍ୟ ଦଳ ବିଶ୍ବାସାସ୍ପଦ କରି ପାରିଥିଲା। ବିେଜପି ପକ୍ଷରୁ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଚେହେରାର ଅନୁପସ୍ଥିତି ସତ୍ତ୍ବେ ଏଭଳି ବିପୁଳ ବିଜୟ ସାବ୍ୟସ୍ତ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଆସ୍ଥା ଭାଜନୀୟ ହୋଇ ରହିଛି। ତୃତୀୟରେ କ୍ରମାନ୍ବୟେ ୧୨ ବର୍ଷର ‘ଆପ୍‌’ ନେତୃତ୍ବାଧୀନ ଶାସନରେ ସୃଷ୍ଟ ସ୍ଥାଣୁତା, ଚର୍ବିତଚର୍ବଣତା ଓ ଅନ୍ତଃସାରଶୂନ୍ୟ ପ୍ରତିଶ୍ରୁତିଗୁଡ଼ିକୁ ସଫଳତାର ସହିତ ଉଜାଗର କରିବାରେ ବିଜେପି ସଫଳ ହୋଇଥିଲା, ଯହିଁରେ ବାୟୁ ପ୍ରଦୂଷଣ, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଭଙ୍ଗାରୁଜା ସଡ଼କ, ମୋହଲ୍ଲା କ୍ଲିନିକ୍‌ରେ ଅବ୍ୟବସ୍ଥା ଓ ଯମୁନାକୁ ପ୍ରଦୂଷଣମୁକ୍ତ କରିବାର ନିଷ୍ଫଳ ପ୍ରତିଜ୍ଞା ଇତ୍ୟାଦି ସ୍ଥାନ ପାଇଲା। ଚତୁର୍ଥରେ ଯେଉଁ ମଧ୍ୟବିତ୍ତ ବର୍ଗର ଭୋଟର ୨୦୧୩ ମସିହାରେ ଅରବିନ୍ଦ କେଜ୍ରିୱାଲ ନାମକ ଏକ ଅଭିନବ ରାଜନୈତିକ ସଫଳତାକୁ ଜନ୍ମ ଦେଇଥିଲେ, ସେହି ବର୍ଗ ଏଥର ତାଙ୍କୁ କ୍ଷମତାଚ୍ୟୁତ କଲା; ଦିଲ୍ଲୀକୁ ଏକ ବିଶ୍ବ ସ୍ତରୀୟ ସୁବର୍ଣ୍ଣ ନଗରୀରେ ପରିଣତ କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ତଥା ସଦ୍ୟ ଉପସ୍ଥାପିତ ବଜେଟ୍‌ରେ ମଦ୍ୟବିତ୍ତ ଅନୁକୂଳ ଆଭିମୁଖ୍ୟ ସେହି ବିଶାଳ ବର୍ଗର ହୃଦୟ ଜିଣିନେଲା ବୋଲି ଅନେକ ପର୍ଯ୍ୟବେକ୍ଷକ କହନ୍ତି। ପ୍ରକାଶ ଥାଉ କି ଦିଲ୍ଲୀ ଜନସଂଖ୍ୟାର ପ୍ରାୟ ୬୭% ହେଉଛନ୍ତି ମଧ୍ୟବିତ୍ତୀୟ ବର୍ଗ।
ଏହା ସୁବିଦିତ ଯେ ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଦ୍ବାରା ଆହୂତ ‘ଦୁର୍ନୀତି ବିରୋଧୀ’ ମହା-ଆନ୍ଦୋଳନରୁ ଉଦୟ ହୋଇଥିଲେ ଅରବିନ୍ଦ କେଜ୍ରିୱାଲ, ରାଜନୀତିରେ ଯାହାଙ୍କ ପ୍ରବେଶକୁ ନିର୍ମଳ ଓ ବିକଳ୍ପ ରାଜନୀତିର ଯୁଗାରମ୍ଭ ବୋଲି ଆଖ୍ୟାୟିତ କରାଯାଇଥିଲା, ଯହିଁରେ ସେ ଦିଲ୍ଲୀର ମଧ୍ୟବିିତ୍ତୀୟ ବର୍ଗର ନାୟକ ରୂପେ ଆବିର୍ଭୂତ ହୋଇଥିଲେ, ଯେଉଁ ବର୍ଗ କଂଗ୍ରେସ (ୟୁପିଏ ସରକାର)କୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରି ତ୍ୟାଜ୍ୟ କରିଦେବାକୁ ବସିଥିଲେ। କିନ୍ତୁ, ପରବର୍ତ୍ତୀ କାଳରେ କେଜ୍ରିୱାଲଙ୍କ କେତେକ କାର୍ଯ୍ୟକଳାପ ହେତୁ ତାଙ୍କ ଭାବମୂର୍ତ୍ତିର ସ୍ବଚ୍ଛତା ପ୍ରଶ୍ନାକୁଳ ହୋଇ ଉଠିଥିଲା। ଅବଶ୍ୟ, ଭାରତୀୟ ରାଜନୀତିର ଏହା ଏକ ବୈଚିତ୍ର୍ୟ ଯେ ରାଜନେତା ମାତ୍ରକେ ଦୁର୍ନୀତିଗ୍ରସ୍ତ ବୋଲି ଧାରଣା ବଦ୍ଧମୂଳ ଥାଏ, ଅଥଚ ନାଗରିକ ଓ ରାଜନେତା; ଉଭୟେ ସେଥି ପ୍ରତି ନିର୍ବିକାର ଥାଆନ୍ତି ଏବଂ ନିର୍ବାଚନ‌ର ଫଳାଫଳ ଉପରେ ଏହାର ପ୍ରଭାବ ନ ଥାଏ। କିନ୍ତୁ ଅରବିନ୍ଦ କେଜ୍ରିୱାଲଙ୍କ କ୍ଷେତ୍ରରେ ସେଭଳି ଘଟି ନ ଥିଲା, କାରଣ ସେ ହିଁ ସଚ୍ଚୋଟ ରାଜନୀତିର ସ୍ବପ୍ନ ସଂଚାରକ ଥିଲେ। ତାଙ୍କ ପରିପ୍ରେକ୍ଷୀରେ ‘ସୀସ ମହଲ’ ଏକ ‘ଅଶ୍ଳୀଳ ବାସ୍ତବତା’ ଭଳି ବିରାଜମାନ କରୁଥିଲା ବେଳେ ଜେଲରୁ ମୁକ୍ତ କେଜ୍ରିୱାଲଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରିବା ଓ ନିର୍ବାଚନରେ ନ ଜିଣିଲା ପର୍ଯ୍ୟନ୍ତ ତାକୁ ଗ୍ରହଣ ନ କରିବାର ନିଷ୍ପତ୍ତି ଓ ଉଚ୍ଚାଟ ଅନେକ ଦିଲ୍ଲୀବାସୀଙ୍କୁ ତୁଚ୍ଛା ଛଳନା ଓ ଅଯଥା ନାଟକ ସୁଲଭ ଲାଗିଥିବ, ଯାହା ହୁଏତ ଭୋଟରମାନଙ୍କୁ କ୍ଷୁଣ୍ଣ କଲା। ପ୍ରକାଶ ଥାଉ କି ଦୁର୍ନୀତି ଅଭିଯୁକ୍ତ ଜେଲ ଫେରନ୍ତା ରାଜନେତାମାନଙ୍କୁ (ଜୟଲଳିତା ବା ଲାଲୁ ପ୍ରସାଦ ଯାଦବ) ଭାରତୀୟ ଭୋଟରମାନେ ନିରାଶ କରି ନାହାନ୍ତି। ଏବଂ ଏହି ନେତାମାନେ ମଧ୍ୟ ନିଜ ସଚ୍ଚୋଟତାକୁ ପ୍ରମାଣିତ କରିବାର ଉଦ୍ୟମ କରି ନାହାନ୍ତି। କେବଳ ସେତିକି ନୁହେଁ, ଦୀର୍ଘ କାଳ କ୍ଷମତାରୂଢ଼ ହୋଇ ରହିବା କାରଣରୁ ଦଳ ଓ ନେତୃତ୍ବ ବିରୋଧରେ ସୃଷ୍ଟ ସତ୍ତା ବିରୋଧୀ ଭାବନାକୁ ପ୍ରଶମିତ କରିବା ଲାଗି କେଜ୍ରିୱାଲ କୌଣସି ନୂତନ ଚମକପ୍ରଦ ‌େଯାଜନା ବା ବୁଦ୍ଧି ନେଇ ଆସି ନ ଥିଲେ। ‘ମାଗଣା ବଣ୍ଟନ’ ଯୋଜନା ଲୋଭନୀୟ ହୋଇଥିଲେ ହେଁ ଚର୍ବିତଚର୍ବଣତା ହେତୁ ରୋମାଞ୍ଚ ହରାଏ, ତାହା ସମ୍ଭବତଃ ସେ ବୁଝି ପାରି ନ ଥିଲେ। ଏକ ଆଦର୍ଶବାନ ଦଳ ରୂପେ ‘ଆପ୍‌’ର ପରିଚୟ ନିଷ୍ପ୍ରଭ ହୋଇଥିବା ସତ୍ତ୍ବେ ଦଳର କୌଣସି ଏକ ମଞ୍ଜ ରାଜନୈତିକ ମତାଦର୍ଶ ନ ରହିବା ମଧ୍ୟ ହେଉଛି ଏକ ବଡ଼ ଦୁର୍ବଳତା। ‘ବିଜେପି’କୁ ପରାହତ କରିବା‌ କ୍ରମରେ ଏହା ବିଜେପିର ମାର୍ଗକୁ ଅନୁକରଣ କରୁଥିଲା ଭଳି ମନେ ହୋଇଥାଏ, ଯେମିତି କି ‘ବିଜେପି’ର ‘ଶ୍ରୀରାମ’ଙ୍କ ପ୍ରଭାବକୁ ପ୍ରତିହତ କରିବା ଲାଗି ‘ଶ୍ରୀହନୁମାନ’ଙ୍କ ବ୍ୟବହାର। ଅନେକ ସ୍ପର୍ଶକାତର ସାଂପ୍ରଦାୟକ ପ୍ରସଙ୍ଗରେ ‘ଆପ୍‌’ର ନିରବତା ଅନେକ ‘ବିଜେପି’ ବିରୋଧୀ ଭୋଟରଙ୍କୁ ଦଳ ଠାରୁ ଦୂରେଇ ନେଇଥିଲା। କିନ୍ତୁ ବିଡ଼ମ୍ବିତ ସତ୍ୟଟି ହେଲା ‘ବିଜେପି’ର କ୍ରୀଡ଼ାରେ ‘ବିଜେପି’ର ନିୟମାରେ ଖେଳି ତାକୁ ପରାସ୍ତ କରିବା ଯେ ଦୁରୂହ ବ୍ୟାପାର ତାହା ‘ଆପ୍‌’ ସକାଶେ ଏକ ବଡ଼ ଶିକ୍ଷା।
ଏକାଦିକ୍ରମେ ୧୫ ବର୍ଷ ଧରି ଶୀଲା ଦୀକ୍ଷିତଙ୍କ ନେତୃତ୍ବରେ କ୍ଷମତାସୀନ ଥିବା କଂଗ୍ରେସ ୨୦୧୩ ମସିହାରେ ଅପସାରିତ ହେବା ପରଠାରୁ ଏ ପର୍ଯ୍ୟନ୍ତ ହୋଇଥିବା ତିନିଟିଯାକ ନିର୍ବାଚନରେ ସଂପୂର୍ଣ୍ଣ ଶୂନ୍ୟପ୍ରସୂ ହେବାର ଭାଗ୍ୟ ଭୋଗିବାରେ ଲାଗିଛି। କେବଳ ସେତିକି ନୁହେଁ, ଏହି ନିର୍ବାଚନରେ କଂଗ୍ରେସର ଆଭିମୁଖ୍ୟ କାରଣରୁ ‘ଇଣ୍ଡି’ ମେଣ୍ଟ ଭଳି ମିଳିତ ବିରୋଧୀ ସାମ୍ମୁଖ୍ୟର ସମ୍ଭାବନା ମଧ୍ୟ ବିପନ୍ନ ହୋଇଛି। ବିଜୟୀ ପ୍ରାର୍ଥୀମାନଙ୍କ ଭୋଟ ବ୍ୟବଧାନ ଓ କଂଗ୍ରେସ ପାଇଥିବା ଭୋଟ ସଂଖ୍ୟାକୁ ହିସାବ କରି ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ କଂଗ୍ରେସ ଏବଂ ‘ଆପ୍‌’ ଏକ ମେଣ୍ଟ ଭଳି ଲଢ଼ିଥିଲେ ଅନ୍ତତଃ ଆଉ ୧୪ଟି ଆସନରେ ବିଜୟୀ ହୋଇଥାଆନ୍ତେ। ଏହାକୁ ମିଶାଇ ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ କ୍ରମାଗତ ୧୭ଟି ନିର୍ବାଚନୀ ପରାଭବ ଭୋଗିଲା। ଏବେ ସମୟ ଉପନୀତ, କଂଗ୍ରେସ ତା’ର ରଣନୀତି, ରାଜନୈତିକ କୌଶଳ ଓ ବ୍ୟାଖ୍ୟାନ ଇତ୍ୟାଦି ବଦଳାଉ। ଏ ସଂଦର୍ଭରେ ଦିଲ୍ଲୀର ପ୍ରଥମ ମୁଖ୍ୟମନ୍ତ୍ରୀ ‘ବିଜେପି’ର ମଦନଲାଲ ଖୁରାନାଙ୍କ ମୁଖ ନିସୃତ କଥାଟିଏ ସ୍ମରଣକୁ ଆସେ। ଏକ ନିର୍ବାଚନ କାଳରେ ରାତ୍ରିରେ ଶୟନରତ ମଦନଲାଲ ଖୁରାନା ବଡ଼ ପାଟିରେ ବାଉଳି ଚାଉଳିି ହେବାରୁ ପତ୍ନୀଙ୍କ ନିଦ ଭାଙ୍ଗିଯାଏ। ସେ ଉଠିପଡ଼ି ଦେଖନ୍ତି ତ ନିଦରେ ଶୋଇ ଖୁରାନା ମହାଶୟ ଭୋଟ ଭିକ୍ଷା କରୁଛନ୍ତି। ଏହା ହିଁ ହେଉଛି ବିଜେପିର ସଫଳତାର ମଞ୍ଜି। ନିର୍ବାଚନୀ ବିଜୟ ଲାଗି ରାତିର ସୁଖ ନିଦ୍ରା ମଧ୍ୟ ସ୍ବପ୍ନ ଦ୍ବାରା ବ୍ୟାହତ ହୋଇପାରେ! କିନ୍ତୁ, କଂଗ୍ରେସକୁ ଦେଖିଲେ ମନେ ହୁଏ ସତେ ଯେମିତି ତାହା ଏକ ସ୍ବପ୍ନହୀନ ଗହନ ତନ୍ଦ୍ରାରେ ଆଚ୍ଛନ୍ନ!

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.