ଦୀର୍ଘ ସାମୁଦ୍ରିକ ବେଳାଭୂମିର ଫାଇଦା ଉଠାଇପାରୁନି ଓଡ଼ିଶା, ନଡ଼ିଆ ଚାଷୀଙ୍କ ଅଣ୍ଟା ମୋଡ଼ି ଦେଉଛି ପ୍ରତିବର୍ଷ ବାତ୍ୟା
କଟକ, ୩୦/୧୧ (ଜଗନ୍ନାଥ ରାଉତ) : ୪୮୦ କିମି ଦୀର୍ଘ ସାମୁଦ୍ରିକ ବେଳାଭୂମି । ୮ଟି ଜିଲ୍ଲାକୁ ଲାଗି ରହିଛି ସମୁଦ୍ର । ନଡ଼ିଆ ଚାଷ ପାଇଁ ସବୁଠୁ ଉତ୍କୃଷ୍ଟ ପରିବେଶ । ଅନୁକୂଳ ପରିବେଶ ପାଇଁ ହିଁ ଦିନେ ଓଡ଼ିଶା ନଡ଼ିଆ ତଥା ପଇଡ଼ରେ ବଳକା ରାଜ୍ୟ ଥିଲା । ଅନ୍ୟ ରାଜ୍ୟକୁ ଓଡ଼ିଶାରୁ ନଡ଼ିଆ ରତ୍ପାନୀ ହେଉଥିଲା । କିନ୍ତୁ ଏବେ ସ୍ଥିତି ଓଲଟା । ଓଡ଼ିଶା ଏବେ ନଡ଼ିଆ, ପଇଡ଼ ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ । ବିଶେଷ କରି କିଛି ବର୍ଷ ହେଲା ଓଡ଼ିଶାର ପଇଡ଼ ବଜାର ଆନ୍ଧ୍ରପ୍ରଦେଶର ଉତ୍ପାଦନ ଉପରେ ସିଧାସଳଖ ନିର୍ଭର କରୁଛି । ଅଣ୍ଡା, କୁକୁଡ଼ା, ମାଛ ପରେ ଏବେ ଆନ୍ଧ୍ରର ପଇଡ଼ ଓଡ଼ିଶା ବଜାରରେ ହାଉଯାଉ ହେଉଛି । ଗୋଟେ ପଟେ ପ୍ରତି ବର୍ଷ, ଦୁଇବର୍ଷ ଅନ୍ତରରେ ଆସୁଥିବା ବାତ୍ୟା ଓଡ଼ିଶାର ନଡ଼ିଆ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଉଛି, ଅନ୍ୟପଟେ ସରକାରୀ ପ୍ରୋତ୍ସାହନର ଅଭାବ କାରଣରୁ ନଡ଼ିଆ ଚାଷ ପ୍ରତି ଲୋକଙ୍କ ଆଗ୍ରହ କମୁଛି । ଫଳରେ ନଡ଼ିଆ ଚାଷରେ ଆଗୁଆ ଥିବା ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ, ବାଲେଶ୍ୱର ଆଦି ଜିଲ୍ଲାରେ କେବଳ ନଡ଼ିଆ ନୁହେଁ ପଇଡ଼ ବି ଅଭାବ ହେଲାଣି ।
ଓଡ଼ିଶାରେ ବର୍ଷକୁ ପ୍ରାୟ ୪୬ କୋଟି ନଡ଼ିଆର ଆବଶ୍ୟକତା ରହିଛି । କିନ୍ତୁ ଓଡ଼ିଶାରେ ବର୍ତ୍ତମାନ ବର୍ଷକୁ ପ୍ରାୟ ୩୯ କୋଟି ନଡ଼ିଆ ଉତ୍ପାଦନ ହେଉଛି । ଫଳରେ ଆହୁରି ପ୍ରାୟ ୭ କୋଟି ନଡ଼ିଆର ଅଭାବ ପଡ଼ୁଛି । ଏବେ ପଇଡ଼ର ଚାହିଦା ବହୁତ ବଢ଼ିଯାଇଛି । ତେଣୁ ନଡ଼ିଆ ହେବା ପୂର୍ବରୁ ଲୋକେ ପଇଡ଼ କାଟି ବିକି ଦେଉଛନ୍ତି । ଏହା ସତ୍ତ୍ଵେ ପଇଡ଼ ଚାହିଦା ପୂରଣ ହୋଇପାରୁନାହିଁ । ଏଣେ ପଇଡ଼ ତୋଳା ହୋଇଯାଉଥିବାରୁ ନଡ଼ିଆ ବି ମିଳୁନାହିଁ । ୧୯୯୯ ମହାବାତ୍ୟା ପରେ ଉପକୂଳ ଜିଲ୍ଲାରେ ହଜାର ହଜାର ସଂଖ୍ୟାରେ ନଡ଼ିଆ ଗଛ ଭାଙ୍ଗି ଯାଇଥିଲା । ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ନଡ଼ିଆର ଅଭାବ ଦେଖାଦେଇଥିଲା । ତେବେ ଏହି ଅଭାବ ଗଞ୍ଜାମ, ପୁରୀ ଆଦି ଜିଲ୍ଲାରୁ ପୂରଣ ହୋଇ ପାରୁଥିଲା । କିନ୍ତୁ ଗଞ୍ଜାମ ଜିଲ୍ଲାକୁ ବାତ୍ୟା ତିତିଲି ଏବଂ କଟକ, ପୁରୀ, ଖୋର୍ଦ୍ଧା ଆଦି ଜିଲ୍ଲାକୁ ବାତ୍ୟା ଫନି ମାଡ଼ ହେବା ପରେ ନଡ଼ିଆ ଚାଷକୁ ବିପୁଳ ମାତ୍ରାରେ କ୍ଷତିଗ୍ରସ୍ତ କରିଥିଲା । ସେବେଠାରୁ ଧୀରେଧୀରେ ନଡ଼ିଆ ଉତ୍ପାଦନ କମିକମି ଚାଲିଛି । ତେଣୁ ନଡ଼ିଆ ଓ ପଇଡ଼ ଅଭାବ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି ।
ସେହିପରି ନଡ଼ିଆ ଓ ନଡ଼ିଆଜାତ ଦ୍ରବ୍ୟଜନିତ ଶିଳ୍ପ ପାଇଁ ସରକାରୀ ପ୍ରୋତ୍ସାହନ ବିଶେଷ ନଥିବାରୁ ନଡ଼ିଆ ଚାଷ ପ୍ରତି ଲୋକଙ୍କ ଆଗ୍ରହ ରହୁନାହିଁ । ଓୟୁଏଟି ନଡ଼ିଆ ଗବେଷଣା କେନ୍ଦ୍ରର ସହକାରୀ ପ୍ରଫେସର ଅଜିତ୍ କୁମାର ସାହୁ କହନ୍ତି, ରାଜ୍ୟରେ ଏବେ ବାର୍ଷିକ ୬ରୁ ୮କୋଟି ପର୍ଯ୍ୟନ୍ତ ପଇଡ଼ର ଆବଶ୍ୟକତା ରହିଛି । ସାଧାରଣ ଲୋକେ ଏବେ ସ୍ୱାସ୍ଥ୍ୟପ୍ରତି ଅଧିକ ସଚେତନ ହେବା ଫଳରେ ପଇଡ଼ର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏତେ ଚାହିଦାକୁ ଓଡ଼ିଶା ପୂରଣ କରିବାକୁ ସକ୍ଷମ ହେଉନାହିଁ । ଫଳରେ ଓଡ଼ିଶା ବଜାରକୁ ଆନ୍ଧ୍ରର ଶ୍ରୀକାକୁଲ୍ଲମ୍ ଜିଲ୍ଲାରୁ ଅଧିକ ସଂଖ୍ୟକ ପଇଡ଼ ଆସୁଛି । ସେଠାରୁ ବ୍ୟବସାୟୀମାନେ ପଇଡ଼ ଗୋଟାକ ୧୫/୨୦ଟଙ୍କାରେ ଆଣୁଛନ୍ତି । ପଇଡ଼ ଉପରେ ରାସ୍ତାରେ କୌଣସି ଟୋଲ୍ଗେଟ୍ରେ ମଧ୍ୟ ଟିକସ୍ ଲାଗୁ ହୋଇନଥାଏ । ପରିବହନ ଖର୍ଚ୍ଚ ବାବଦକୁ ଗୋଟେ ପଇଡ଼ରେ ଅଧିକ ୫ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ଏଠାକାର ପଇଡ଼ ବ୍ୟବସାୟୀମାନେ ଭଲ ଦି’ ପଇସା ପାଉଛନ୍ତି । ତେବେ ଓଡ଼ିଶାରେ ନଡ଼ିଆ ଚାଷ ବ୍ୟବସାୟ ଦୃଷ୍ଟିକୋଣରୁ କରାଯାଉନଥିବାରୁ ଉତ୍ପାଦନ ପ୍ରଭାବିତ ହେଉଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ଓଡ଼ିଶାରେ ଯେଉଁସବୁ ନଡ଼ିଆ ଗଛ ଅଛି ତାହା ପ୍ରାୟ ୪୦ରୁ ୫୦ବର୍ଷ ପୁରୁଣା। ତେଣୁ ଏଭଳି ଗଛରେ ଉତ୍ପାଦନ ମଧ୍ୟ ଯଥେଷ୍ଟ ପରିମାଣରେ ହେଉନାହିଁ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ଅନେକ ଗୁଡ଼ିଏ ଭଲ ଉତ୍ପାଦନକାରୀ ନଡ଼ିଆ ଚାରା ସୃଷ୍ଟି କରାଯାଇଛି । ଓଡ଼ିଶାର ଚାଷୀମାନେ ଯଦି ବ୍ୟବସାୟିକ ଦୃଷ୍ଟିକୋଣରୁ ନଡ଼ିଆ ଚାଷ କରନ୍ତେ ତାହେଲେ ସ୍ଥିତି ବଦଳିପାରନ୍ତା ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ରାଜ୍ୟ ନଡ଼ିଆ ଉନ୍ନୟନ ବୋର୍ଡର ଉପନିର୍ଦ୍ଦେଶକ ରବି ଦାସ କହିଛନ୍ତି ଯେ, ନଡ଼ିଆ ତଥା ପଇଡ଼ କ୍ଷେତ୍ରରେ ଓଡ଼ିଶାକୁ ସ୍ୱାବଲମ୍ବୀ ହେବାକୁ କିଛି ବର୍ଷ ଲାଗିବ। ବାତ୍ୟା ପରେ ଯେଉଁସବୁ ଅଞ୍ଚଳରେ ନଡ଼ିଆ ଗଛ ଭାଙ୍ଗି ଯାଇଥିଲା ସେହିସବୁ ଅଞ୍ଚଳରେ ନଡ଼ିଆ ଗଛ ଲଗାଇବା ପାଇଁ ରାଜ୍ୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି । ଚାଷୀଙ୍କୁ ନଡ଼ିଆ ଚାରା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରାଯାଉଛି। କିନ୍ତୁ ଗୋଟେ ନଡ଼ିଆ ଗଛ ଲଗାଯିବାଠାରୁ ଫଳ ଉତ୍ପାଦନ ପର୍ଯ୍ୟନ୍ତ ୨୦ ବର୍ଷ ଲାଗିଥାଏ । ତେଣୁ ଅଧିକ ନଡ଼ିଆ ଉତ୍ପାଦନ ପାଇଁ ଆଉ କିଛିବର୍ଷ ସମୟ ଲାଗିବ।
ସୌଜନ୍ୟ-ପ୍ରମେୟ



