Breaking News

ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ୨୪ରୁ: ଲଗାତାର ୪ ଦିନ ବନ୍ଦ ରହିବ

ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୨୪ରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ କରାଯିବ। ଏଥିରେ ରାଜ୍ୟରେ ଥିବା ୬୦୦୦ ଶାଖାର ୩୭ହଜାର କର୍ମଚାରୀ ସାମିଲ ହେବେ।

ଭୁବନେଶ୍ବର: ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୨୪ରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ କରାଯିବ। ଏଥିରେ ରାଜ୍ୟରେ ଥିବା ୬୦୦୦ ଶାଖାର ୩୭ହଜାର କର୍ମଚାରୀ ସାମିଲ ହେବେ। ଏକ ସାମ୍ବାଦିକ ସମ୍ମିଳନୀରେ ୟୁଏଫ୍‌ବିୟୁ ଓଡ଼ିଶା ଶାଖାର ଆବାହକ ଅରୁଣ କୁମାର ବିଷୋୟୀ ଏହି ସୂଚନା ଦେଇଛନ୍ତି। ଏହି ଧର୍ମଘଟ ପ୍ରଭାବରେ ଲଗାତାର ଚାରିଦିନ ବ୍ୟାଙ୍କ ବନ୍ଦ ରହିବ। କାରଣ ଚଳିତ ମାସ ୨୪ ତାରିଖର ପୂର୍ବ ଦୁଇଦିନ ହେଉଛି ସପ୍ତାହର ଚତୁର୍ଥ ଶନିବାର ଓ ରବିବାର। ତେଣୁ ସ୍ବାଭାବିକ ଭାବେ ସେହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ। ତା’ର ପରବର୍ତ୍ତୀ ଦୁଇଦିନ ଧର୍ମଘଟ। ତେବେ ଏହି ଧର୍ମଘଟ ପ୍ରଭାବରେ ସାରା ରାଜ୍ୟରେ ବ୍ୟାଙ୍କ ସେବା ପ୍ରଭାବିତ ହେବ। ପ୍ରତ୍ୟକ୍ଷ ଶାଖାରେ କାରବାର ସମ୍ଭବ ହେବନାହିଁ। ଡିଜିଟାଲ୍ ମାଧ୍ୟମ ଓ ଏଟିଏମ୍‌ଗୁଡ଼ିକରେ କାରବାର କରାଯାଇପାରିବ। କିନ୍ତୁ ଯେହେତୁ ଚାରିଦିନ ଭଳି ଏକ ଲମ୍ବା ଅବଧି ପାଇଁ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଏଟିଏମ୍ କାରବାର ପ୍ରଭାବିତ ହେବାର ମଧ୍ୟ ଆଶଙ୍କା ରହିଛି। ଆର୍ଥିକ କାରବାର ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ମାର୍ଚ୍ଚ ମାସରେ ଏହି ଧର୍ମଘଟ ଅନେକ ଅସୁବିଧା ସୃଷ୍ଟି କରିବାର ଆଶଙ୍କା ରହିଛି।

ବିଭିନ୍ନ ଦଫା ଦାବି ନେଇ ବ୍ୟାଙ୍କ ସଂଘ ଏହି ଧର୍ମଘଟ କରିବ। ସମସ୍ତ କ୍ୟାଡର୍‌ରେ ବ୍ୟାପକ ନିଯୁକ୍ତି ଓ ଅସ୍ଥାୟୀ କର୍ମଚାରୀଙ୍କୁ ନିୟମିତ କରିବା, ବ୍ୟାଙ୍କ ଶିଳ୍ପରେ ୫ଦିନିଆ କାର୍ଯ୍ୟ ସପ୍ତାହ ଲାଗୁ, ପ୍ରଦର୍ଶନ ସମୀକ୍ଷା ଓ ପିଏଲ୍‌ଆଇ ଉପରେ ସାମ୍ପ୍ରତିକ ଡିଏଫ୍‌ଏସ୍‌ ନିର୍ଦ୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର ଏବଂ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଦୁର୍ବ୍ୟବହାର ବିରୋଧରେ ସୁରକ୍ଷା ପ୍ରଦାନ କରିବା ଲାଗି ୟୁଏଫ୍‌ବିୟୁ ଦାବି କରିଛି। ଏଥିସହିତ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କର୍ମଚାରୀ/ଅଧିକାରୀ ନିର୍ଦ୍ଦେଶକ ପଦବି ପୂରଣ, ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପାଖରେ ବିଚାରାଧୀନ ଥିବା ଅବଶି‌ଷ୍ଟ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା, ଗ୍ରାଚୁଇଟି ଆଇନ ସଂଶୋଧନ କରି ସର୍ବାଧିକ ସୀମା ୨୫ ଲକ୍ଷ ଟଙ୍କା କରିବା, କର୍ମଚାରୀ କଲ୍ୟାଣ ସୁବିଧା ଉପରେ ଆୟକର ଛାଡ଼ ଏବଂ ଆଇଡିବିଆଇ ବ୍ୟାଙ୍କରେ ସରକାରୀ ଅଂଶଧନକୁ ସର୍ବନିମ୍ନ ୫୧ ପ୍ରତିଶତ ରଖିବାକୁ ମଧ୍ୟ ସଂଘ ଦାବି କରିଛି।

ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି ଯେ ସେବା ସର୍ତ୍ତାବଳୀ ସମ୍ପର୍କିତ ନୀତି ଉପରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗ ଦ୍ବାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଅତ୍ୟଧିକ ସୂକ୍ଷ୍ମ ପରିଚାଳନା ଦ୍ବିପାକ୍ଷିକତାକୁ ଦୁର୍ବଳ କରୁଛି। ସ୍ଥାୟୀ ବ୍ୟାଙ୍କିଂ ଚାକିରିଗୁଡ଼ିକର ଆଉଟ୍‌ସୋର୍ସିଂ କରାଯାଉଥିବାରୁ ଚାକିରି ସୁରକ୍ଷା ପ୍ରତି ବିପଦ ସ‌ୃଷ୍ଟି ହୋଇଛି। ବ୍ୟାଙ୍କ ଶିଳ୍ପରେ ଅନୁଚିତ ଶ୍ରମ ଅଭ୍ୟାସ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରୁଥିବା ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି। ଏହି ଅବସରରେ ୟୁଏଫ୍‌ବିୟୁ ଓଡ଼ିଶାର କର୍ମକର୍ତ୍ତା ସଞ୍ଜୀବ ପତି, ଅମିତାଭ ଦାସ, ତୁଷାରକାନ୍ତ ଦାସ, ପ୍ରକାଶ ରାୟ ଓ ଆର୍‌ ଏନ୍ ଦାସ ଉପସ୍ଥିତ ଥିଲେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.