Breaking News

ଦୁଇ ଗାଁର ଭରସା ଗୋଟିଏ ନଳକୂପ: ଧାଡ଼ିରେ ରହୁଛି ଗରା,ବାଲ୍‌ଟି; ପାଳି ପଡ଼ିଲେ ମିଳୁଛି ପାଣି

ଦୁଇଟି ଗାଁରେ ଅଛନ୍ତି ୫୦୦ ଲୋକ। ସେମାନଙ୍କ ପାଇଁ ଅଛି ଗୋଟିଏ ନଳକୂପ। ଡହଡହ ଖରା ହେଉ କି’ ମୂଷଳଧାରାରେ ବର୍ଷା; ମହିଳାମାନେ କାଦୁଅ ରାସ୍ତାରେ ଚାଲନ୍ତି। ବିପଦସଂକୁଳ ଅବସ୍ଥାର କେନାଲ ପାର୍‌ ହୋଇ ପହଞ୍ଚନ୍ତି ନଳକୂପ ନିକଟରେ।

ରାଜନଗର: ଦୁଇଟି ଗାଁରେ ଅଛନ୍ତି ୫୦୦ ଲୋକ। ସେମାନଙ୍କ ପାଇଁ ଅଛି ଗୋଟିଏ ନଳକୂପ। ଡହଡହ ଖରା ହେଉ କି’ ମୂଷଳଧାରାରେ ବର୍ଷା; ମହିଳାମାନେ କାଦୁଅ ରାସ୍ତାରେ ଚାଲନ୍ତି। ବିପଦସଂକୁଳ ଅବସ୍ଥାର କେନାଲ ପାର୍‌ ହୋଇ ପହଞ୍ଚନ୍ତି ନଳକୂପ ନିକଟରେ। ଗୋଟିଏ କିଲୋମିଟରରୁ ଅଧିକ ବାଟ ଚାଲି ନଳକୂପ ପାଖରେ ପହଞ୍ଚିବା ପରେ ବି’ କମେ ନାହିଁ ଯନ୍ତ୍ରଣା। ଗରା, ବାଲ୍‌ଟିର ଲମ୍ବା ଧାଡ଼ି ଲାଗେ; ଆଉ ପାଳି ପଡ଼ିଲେ ମିଳେ ପାଣି।  ପ୍ରତିଦିନ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳେ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଅନ୍ତର୍ଗତ ତାଳଚୁଆ ପଞ୍ଚାୟତରେ।

ତାଳଚୁଆ ପଞ୍ଚାୟତ ଅଧୀନ ରାଜପାଟଣା ଗାଁରେ ବସବାସ କରନ୍ତି ୩୦ ପରିବାରର ୨୦୦ ଲୋକ। ଏହି ଗାଁର ଲୋକଙ୍କ ପାଇଁ ପିଇବା ପାଣି ଟୋପାଏର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଗାଁ ଲୋକ ପାଣି ପାଇଁ ୧ କିମି ଦୂର ଜ୍ୟୋତିପ୍ରସାଦ ଗାଁରେ ଥିବା ଏକମାତ୍ର ନଳକୂପ ଉପରେ ନିର୍ଭର କରନ୍ତି। ଜ୍ୟୋତିପ୍ରସାଦ ଗାଁରେ ରହୁଛନ୍ତି ୪୦ ପରିବାରର ୩୦୦ ଲୋକ। ଦୁଇ ଗାଁର ୫୦୦ ଲୋକ ପାଣି ପାଇଁ ସେହି ନଳକୂପ ଉପରେ ନିର୍ଭରଶୀଳ। ଫଳରେ ମହିଳାମାନଙ୍କୁ ପ୍ରତିଦିନ ପାଣି ନେବା ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼େ। ମହିଳାମାନେ ଗରା, ବାଲ୍‌ଟି ଧାଡ଼ିକରି ରଖନ୍ତି। ପାଳି ପଡ଼ିଲେ ପାଣି ନେଇ ଘରକୁ ଯା’ନ୍ତି। ଗୋଟିଏ ଗରାରେ ପାଣି ନେବା ପାଇଁ ୨ରୁ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼େ। ଏଭଳି ସ୍ଥିତିରେ ଜ୍ୟୋତିପ୍ରସାଦ ଗାଁର ଲୋକ ନଳକୂପରୁ ପ୍ରଥମେ ପାଣି ନେବାକୁ ଦାବି କରିବାରୁ ଅଧିକାଂଶ ସମୟରେ ବଚସା ଆରମ୍ଭ ହୋଇଯାଏ। ଅନ୍ୟପଟେ, ରାଜପାଟଣା ଗାଁର ଲୋକମାନେ ଗରାଏ ପାଣି ପାଇଁ କେନାଲ ଉପରେ ବାଉଁଶରେ ତିଆରି ବିପଦସଂକୁଳ ଚାର ଓ କାଦୁଅ ରାସ୍ତା ଦେଇ ଦୁଇ କିଲୋମିଟର ଚାଲିବା ପରେ ଘରେ ପହଞ୍ଚନ୍ତି।

ସାମାନ୍ୟ ବର୍ଷା ହେଲେ କାଦୁଅପୂର୍ଣ୍ଣ ରାସ୍ତାରେ ସୁରକ୍ଷିତ ଭାବେ ଘରକୁ ଫେରିବା କଷ୍ଟସାଧ୍ୟ ହୋଇପଡ଼େ। ସ୍ବାଧୀନତାର ୭୬ ବର୍ଷ ପରେ ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେବା ଘଟଣା ଅଞ୍ଚଳର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରୁଛି। ଗାଁର ଆରସୁନ୍‌ ବିବି, ଜୁମେରା ବିବି, କ୍ଷୀରୋଜା ବିବି, ହସିନା ବିବି, ବୁଲ୍‌ବୁଲ୍‌ ବିବି, ରେବିନା ବିବି, ଜାନେରା ବିବି କୁହନ୍ତି, ୧୫ ବର୍ଷ ଧରି ନଳକୂପ ପାଇଁ ନେହୁରା ହେଉଛୁ। କେହି ଶୁଣୁନାହାନ୍ତି। ଜ୍ୟୋତିପ୍ରସାଦ ଗାଁରୁ ଗରାଏ ପାଣି ନେଇ ଘରେ ପହଞ୍ଚିବା ବେଳକୁ ୩ ଘଣ୍ଟା ବିତିଯାଉଛି। ଗାଁରେ ନଳକୂପଟିଏ ବସୁ ନ ଥିବାରୁ ଗ୍ରାମବାସୀ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଏ ସମ୍ପର୍କରେ ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ରାଜପାଟଣା ଗାଁରେ ଅଗ୍ରାଧିକାର ଭିତ୍ତିରେ ନଳକୂପ ବସାଯିବ ବୋଲି ସେ କହିଛନ୍ତି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.