Breaking News

ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ: ଛାତ୍ରାବାସ ଛାଡ଼ିଲେ ୧୫ ଛାତ୍ର, ୬ କିମି ଚାଲିଚାଲି ଗଲେ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ପାଟବିଲ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟ (ଏସ୍‌ଏସ୍‌ଡି) କେନ୍ଦୁମୁଣ୍ଡିଠାରେ ଥିବା ଛାତ୍ରବାସରେ ଛାତ୍ର ଅଶାନ୍ତି। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ ହେବାରୁ ଅଷ୍ଟମ ଶ୍ରେଣୀର ୧୫ ଜଣ ଛାତ୍ର ଗତକାଲି ବିଳମ୍ବିତ ରାତିରେ ଛାତ୍ରାବାସ ଛାଡ଼ି ଚାଲିଯାଇଥିଲେ।

ସିଙ୍ଗଡ଼ା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ ଅନ୍ତର୍ଗତ ପାଟବିଲ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟ (ଏସ୍‌ଏସ୍‌ଡି) କେନ୍ଦୁମୁଣ୍ଡିଠାରେ ଥିବା ଛାତ୍ରବାସରେ ଛାତ୍ର ଅଶାନ୍ତି। ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ ହେବାରୁ ଅଷ୍ଟମ ଶ୍ରେଣୀର ୧୫ ଜଣ ଛାତ୍ର ଗତକାଲି ବିଳମ୍ବିତ ରାତିରେ ଛାତ୍ରାବାସ ଛାଡ଼ି ଚାଲିଯାଇଥିଲେ। ୬ କିମି ଚାଲିଚାଲି ଯିବାପରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଛାତ୍ରଙ୍କୁ ଛାତ୍ରାବାସରୁ ବହିଷ୍କାର କରାଯାଇଛି।

ସୂଚନା ଅନୁସାରେ, ଗତକାଲି ରାତିରେ ବିଦ୍ୟାଳୟ ଛାତ୍ରାବାସରେ ପିଲାମାନେ ଖାଇସାରିବା ପରେ ଶୋଇବା ଘରକୁ ଚାଲି ଯାଇଥିଲେ। ପରେ କୌଣସି କାରଣରୁ ପିଲାମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଦଶମ ଶ୍ରେଣୀ ଛାତ୍ରମାନେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ମାରପିଟ କରିଥିଲେ। ଭୟରେ ୧୫ ଜଣ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରାବାସ ଛାଡ଼ି ଲୁଚି ପଳାଇଥିଲେ। ରାତିରେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ କଳାକାଦ ଛକଠାରେ ଲୋକମାନେ ସେମାନଙ୍କୁ ଅଟକାଇଥିଲେ। ଏ ନେଇ ପାଟବିଲ ସରପଞ୍ଚ ସୌଦାମିନୀ ନାଏକ ଓ ସମିତିସଭ୍ୟ ବୀରକିଶୋର ନାଏକଙ୍କୁ ଖବର ଦେଇଥିଲେ। ଖବର ପାଇ ଉଭୟ ସେଠାରେ ପହଞ୍ଚିଥିଲେ। ମାତ୍ର, ପିଲାମାନେ ସ୍କୁଲଠାରୁ ୬କିମି ପର୍ଯ୍ୟନ୍ତ ଚାଲି ଆସିଥିବାରୁ ରାତିରେ ସ୍କୁଲକୁ ପଠାଇବା ସମ୍ଭବପର ହୋଇନଥିଲା। ପ୍ରଧାନଶିକ୍ଷକଙ୍କୁ ଏ ସଂପର୍କରେ ଜଣାଇ ପିଲାମାନଙ୍କୁ ନିଜଘରେ ରଖି ଖାଇବାକୁ ଦେବା ବ୍ୟବସ୍ଥା କରିଥିଲେ। ସକାଳେ ସମସ୍ତ ପିଲାମାନଙ୍କୁ ନେଇ ସରପଞ୍ଚ ଓ ସମିତିସଭ୍ୟ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।

ଛାତ୍ରାବାସ ଛାଡ଼ିଲେ ୧୫ ଛାତ୍ର
୬ କିମି ଚାଲିଚାଲି ଗଲେ
ଛାତ୍ରାବାସରୁ ୪ ଛାତ୍ର ବହିଷ୍କୃତ

ଏଥିସହିତ, ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ଆଲୋକ ମାଝୀ ଓ ଦେବେନ୍ଦ୍ର ସାମଲ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷକ, ଅଭିଭାବକ, ଛାତ୍ର ତଥା ଅନ୍ୟାନ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାରେ ସମ୍ପୃକ୍ତ ୪ ଜଣ ଛାତ୍ରଙ୍କୁ ଛାତ୍ରାବାସରୁ ବହିଷ୍କାର କରାଯାଇଛି। ପ୍ରଧାନଶିକ୍ଷକ ରବିକାନ୍ତ ମିଶ୍ରଙ୍କ ମତାମତ ନେବାରୁ ସେ କହିଛନ୍ତି, ଛାତ୍ରଙ୍କ ମଧ୍ୟରେ କାହିଁକି ମାରପିଟ ହୋଇଥିଲା; ସେ ସମ୍ପର୍କରେ ତର୍ଜମା ଚାଲିଛି। ପାଚେରି ଭଙ୍ଗାଥିବାରୁ ପିଲାମାନେ ସେହି ବାଟଦେଇ ଲୁଚି ପଳାଇଥିବା ପ୍ରଧାନଶିକ୍ଷକ କହିଛନ୍ତି।  ପ୍ରଶ୍ନ ଉଠୁଛି, ଏହି ଘଟଣା ସମୟରେ ଛାତ୍ରାବାସ ମାଟ୍ରନ୍‌, ଅନ୍ୟ କର୍ମଚାରୀ ଓ ସୁପରିନ୍‌ଟେଣ୍ଡେଣ୍ଟ କେଉଁଠି ଥିଲେ? କାହିଁକି ଏହି ଅଭାବନୀୟ ଘଟଣା ଘଟିଲା?  ୪ ଜଣ ଛାତ୍ରଙ୍କୁ ବହିଷ୍କାର କରି ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲାପ୍ରଶାସନ କି ବାର୍ତ୍ତା ଦେବାକୁ ଚାହୁଛନ୍ତି? ନିଜ ଦୋଷକୁ ଘୋଡ଼ାଉ ନାହାନ୍ତି କି? ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.