Breaking News

ଦୁବାଇରେ ହେବ ‘ଟ୍ରାଇବାଲ୍ କୁଇନ୍ ୟୁନିଭର୍ସ’: ଆଦିବାସୀ ସଶକ୍ତୀକରଣର ବିଶ୍ବ ମଞ୍ଚ

କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ। ସାରା ବିଶ୍ବର ଆଦିବାସୀ ମହିଳାଙ୍କ ସଶକ୍ତୀକରଣ ଲାଗି ଅଣ୍ଟା ଭିଡିଛି ‘ଆଦି ଟ୍ରାଇବାଲ୍ ଫାଉଣ୍ଡେସନ’। ନିକଟରେ ଶେଷ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ଫାଉଣ୍ଡେସନ ପକ୍ଷରୁ...

ଭୁବନେଶ୍ବର: କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ। ସାରା ବିଶ୍ବର ଆଦିବାସୀ ମହିଳାଙ୍କ ସଶକ୍ତୀକରଣ ଲାଗି ଅଣ୍ଟା ଭିଡିଛି ‘ଆଦି ଟ୍ରାଇବାଲ୍ ଫାଉଣ୍ଡେସନ’। ନିକଟରେ ଶେଷ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ଫାଉଣ୍ଡେସନ ପକ୍ଷରୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆୟୋଜନ କରାଯାଇଥିଲା ଟ୍ରାଇବାଲ୍ ଗ୍ଲୋବାଲ୍ ଫେଷ୍ଟ୍‌ ଯାହା ବିଶ୍ବର ବିଭିନ୍ନ ପ୍ରାନ୍ତର ଆଦିବାସୀ ଯୁବତୀଙ୍କୁ ଆକୃଷ୍ଟ କରିଥିଲା। ତାହା ଆଦିବାସୀ ମହିଳା ସଶକ୍ତୀକରଣ ଏକ ବିଶ୍ବମଞ୍ଚରେ ତାହା ପରିଣତ ହୋଇଥିଲା।

ଆଦିବାସୀ ସଶକ୍ତୀକରଣର ବିଶ୍ବ ମଞ୍ଚ
ୟୁଏଇ ସହ ବୁଝାମଣାପତ୍ର ସ୍ବାକ୍ଷରିତ

ଫାଉଣ୍ଡେସନର ଏହି ଅଭିଯାନ ପଛର ଆଭିମୁଖ୍ୟ ସମ୍ପର୍କରେ ଏହାର ପ୍ରତିଷ୍ଠାତା ତଥା ମହାସଚିବ ଚିଦତ୍ମିକା ଖଟୁଆ କହିଛନ୍ତି ଯେ ଆଦିବାସୀ ମହିଳାଙ୍କ ସଶକ୍ତୀକରଣ, ସେମାନଙ୍କୁ ବିଶ୍ବ ଦରବାରରେ ପହଞ୍ଚାଇ ମୁ‌ଖ୍ୟସ୍ରୋତରେ ସାମିଲ କରିବା, ଆଦିବାସୀମାନଙ୍କ ପ୍ରତିଭା, ପର୍ଯ୍ୟଟନ, ଚାଲିଚଳନ, ଖାଦ୍ୟପେୟ, ପୋଷାକ, ସଂସ୍କୃତିର ପ୍ରଚାରପ୍ରସାର କରିବାର ଏକ ମାଧ୍ୟମ ହେଉଛି ଟ୍ରାଇବାଲ୍ କୁଇନ୍ କାର୍ଯ୍ୟକ୍ରମ। ୨୦୧୮ରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ତୃତୀୟ ସଂସ୍କରଣକୁ ଏଥର ଛତିଶଗଡ଼ର କଳିଙ୍ଗ ବିଶ୍ବବିଦ୍ୟାଳୟ ଓ ଜେଏସ୍‌ଏଲ୍‌ ସହଯୋଗରେ ଭୁବନେଶ୍ବରରେ ଆୟୋଜନ କରାଯାଇଥିଲା। ପ୍ରଥମ ଦିନରେ ଟ୍ରାଇବାଲ୍ କୁଇନ୍ ଓଡ଼ିଶା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୪୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତାହାର ବିଜୟିନୀମାନେ ଟ୍ରାଇବାଲ୍ କୁଇନ୍ ଇଣ୍ଡିଆ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ଯେଉଁଥିରେ ୨୦ଟି ରାଜ୍ୟର ପ୍ରତିନିଧି ଭାଗ ନେଇଥିଲେ। ଶେଷରେ ଟ୍ରାଇବାଲ୍ କୁଇନ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେଥିରେ ଆଫ୍ରିକା ସମେତ ସମଗ୍ର ବିଶ୍ବର ୧୪ ପ୍ରକାର ଆଦିବାସୀ ସମୁଦାୟର ଯୁବତୀ ଭାଗ ନେଇଥିଲେ। ସେଥିରେ ଟ୍ରାଇବାଲ୍ କୁଇନ୍ ୟୁନିଭର୍ସ, ଟ୍ରାଇବାଲ୍ କୁଇନ୍ ୱାର୍ଲଡ୍‌, ଟ୍ରାଇବାଲ୍‌ କୁଇନ୍ ଆର୍ଥ ଓ ଟ୍ରାଇବାଲ୍ କୁଇନ୍ ଏସିଆ ସହିତ ଅନ୍ୟ ୧୦ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୧ ଜଣଙ୍କୁ ଜନଜାତି ଗୌରବ ସମ୍ମାନ ଦିଆଯାଇଥିଲା। ଏହି ଅଭିଯାନକୁ ଭାରତ ଭିତରେ ସୀମିତ ନ ରଖି ଏକ ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ କରିବାର ଭିତ୍ତି ପଡ଼ିଛି। ୨୦୨୬ରେ ଦୁବାଇରେ ଟ୍ରାଇବାଲ୍ କୁଇନ୍ ୟୁନିଭର୍ସ ଆୟୋଜନ କରିବା ଲାଗି ୟୁଏଇ ସହିତ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଆସନ୍ତା ଫେବ୍ରୁଆରିରେ ଛତିଶଗଡ଼ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ଚିଦତ୍ମିକା କହିଛନ୍ତି।

ଚଳିତ ବର୍ଷର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଏମ୍ଏସ୍‌ଏମ୍ଇ ବିଭାଗ ସହଯୋଗରେ ୬୦ଟି ଷ୍ଟଲ୍‌ ସ୍ଥାପନ କରାଯାଇଥିଲା ଯେଉଁଥିରେ ଆଦିବାସୀମାନଙ୍କ ଦ୍ବାରା ପ୍ରସ୍ତୁତ ମୂଲ୍ୟଯୁକ୍ତ ଉତ୍ପାଦଗୁଡ଼ିକୁ ପ୍ରଦର୍ଶିତ କରାଯାଇଥିଲା। ଛତିଶଗଡ଼ ସରକାର ନିଜର ଏକ ଗବେଷଣା ଟିମ୍ ମଧ୍ୟ ପଠାଇଥିଲେ। କାର୍ଯ୍ୟକ୍ରମରେ ଆଦି ଟ୍ରାଇବାଲ୍‌ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ଡ. କଳ୍ପନା ଦାସ, ସଭାପତି ଡ. ଦିଲ୍ଲୀପ ମହାନ୍ତି, ଉପସଭାପତି ଡ. ପୱନ ଗୁପ୍ତା, ଉପସଭାପତି କେ ତମନ୍ନା, କୋଷାଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ୟୁଥ୍‌ ଫର ନେସନ୍‌ର ଡ. ମହେଶ ଶର୍ମା, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର କୁଳପତି ଚଣ୍ଡି ଚରଣ ରଥ ଓ ଓପିଏସ୍‌ସିର ସଦସ୍ୟ ଡ. ସରିତା ସୁପକାରଙ୍କ ସହଯୋଗ ରହିଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.