Breaking News

ଦୁବାଇ ଆମ ଘରୋଇ ଗ୍ରାଉଣ୍ଡ୍ ନୁହେଁ: ରୋହିତ

ପାକିସ୍ତାନ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ନିଜର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳାଯିବାକୁ ସ୍ଥିର ରହିଛି। ଉଭୟ ଦେଶ ମଧ୍ୟରେ ତିକ୍ତତା ଓ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ଭାରତ ମନାକରିବାରୁ ଏହି ୮ ଦେଶୀୟ ପ୍ରତିଯୋଗିତା ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯାଉଛି।

ଦୁବାଇ: ପାକିସ୍ତାନ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଭାରତ ନିଜର ସମସ୍ତ ମ୍ୟାଚ୍‌ ଦୁବାଇରେ ଖେଳାଯିବାକୁ ସ୍ଥିର ରହିଛି। ଉଭୟ ଦେଶ ମଧ୍ୟରେ ତିକ୍ତତା ଓ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଯିବାକୁ ଭାରତ ମନାକରିବାରୁ ଏହି ୮ ଦେଶୀୟ ପ୍ରତିଯୋଗିତା ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯାଉଛି। ଏବେ ଲିଗ୍‌ ପର୍ଯ୍ୟାୟ ଶେ‌ଷ ହୋଇଛି। ମଙ୍ଗଳବାରଠୁ ଆରମ୍ଭ ହେବାକୁଥିବା ସେମିଫାଇନାଲ୍‌ରେ ଭାରତ-ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବେ। ଦୁବାଇରେ ଭାରତ ୩ଟି ଯାକ ମ୍ୟାଚ୍‌ ସହଜରେ ଜିତି ନେଇଛି। ଏହି ବିଜୟ ପରେ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡର କିଛି ପୂର୍ବତନ ଖେଳାଳି ଭାରତ ଉପରେ ବର୍ଷିଛନ୍ତି। ଦୁବାଇରେ ରହୁଥିବାରୁ ଭାରତୀୟ ଦଳକୁ ଅନ୍ୟଦଳ ଅପେକ୍ଷା ଚାମ୍ପିଅନ୍ସ ଟ୍ରଫିରେ ଫାଇଦା ମିଳୁଛି ବୋଲି ଆଲୋଚନା କରୁଛନ୍ତି।

ସେମିଫାଇନାଲ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଏହା ଉପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ‌ଯେ ‘‘ପ୍ରତ୍ୟେକ ଥର ପିଚ୍‌ ଅଲଗା ଅଲଗା ଆହ୍ବାନ ଆଣୁଛି। ଆମେ ଏଠାରେ ୩ଟି ମ୍ୟାଚ୍‌ ଖେଳିଛୁ, ପିଚ୍‌ ମଧ୍ୟ ଭିନ୍ନଭିନ୍ନ ବ୍ୟବହାର କରୁଛି। ଏହା ଆମର ଘରୋଇ ପଡ଼ିଆ ନୁ‌ହେଁ, ଏହା ଦୁବାଇ। ଏଠାରେ ୪-୫ଟି ପିଚ୍‌ ରହିଛି। ସେମିଫାଇନାଲ୍‌ ମ୍ୟାଚ୍‌ କେଉଁ ପିଚ୍‌ରେ ଖେଳାଯିବ ମୁଁ ଜାଣିନି। ଯାହା ବି ଘଟୁ ଆମକୁ ଭଲ ‌ଖେଳିବାକୁ ପଡ଼ିବ। ଶେଷ ଲିଗ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବୋଲର ବୋଲିଂ କରୁଥିଲା ବେଳେ ସୁଇଙ୍ଗ ହେଉଥିଲା। ଏହା ପୂର୍ବ ଦୁଇ ମ୍ୟାଚ୍‌ରେ ଆମ ବୋଲର ବୋଲିଂ କରୁଥିବା ବେଳେ ସୁଇଙ୍ଗ ଦେଖିବାକୁ ମିଳୁ ନଥିଲା। ଗତ ମ୍ୟାଚ୍‌‌ରେ ମଧ୍ୟ ଆମେ ଅଧିକ ସ୍ପିନ୍‌ ଦେଖିବାକୁ ପାଇଲୁ ନାହିଁ। ପିଚ୍‌ କ’ଣ କରୁଛି ଆମେ ତାହାକୁ ଦେଖୁନୁ। ଆମେ ଭଲ ଖେଳିବା ଉପରେ ହିଁ ଧ୍ୟାନ ଦେଉ। ଆମେ ପ୍ରତିଯୋଗିତା ଆରମ୍ଭର ମାତ୍ର ୬ ଦିନ ପୂର୍ବରୁ ଆସିଥିଲୁ ଏବଂ ଶୀଘ୍ର ଏଠାକାର ପାଣିପାଗ ସହ ଖାପଖୁଆଇ ପାରିଛୁ। ଆମର ଅଭ୍ୟାସ ଏକାଡେମି ପଡ଼ିଆରେ ହୋଇଥିଲା, ଯାହା ଏହା ସହ ପ୍ରାୟ ସମାନ’’।

ଭାରତ ସମ୍ଭାବ୍ୟ ୧୧: ରୋହିତ ଶର୍ମା, ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ୍‌, କେଏଲ୍ ରାହୁଲ୍‌, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, କୁଲଦୀପ ୟାଦବ, ମହମ୍ମଦ ସାମି, ବରୁଣ ଚକ୍ରବର୍ତ୍ତୀ।

ଅଷ୍ଟ୍ରେଲିଆ ସମ୍ଭାବ୍ୟ ୧୧: ଟ୍ରାଭିସ୍ ହେଡ୍‌, ଜେକ୍ ଫ୍ରେଜର୍‌ ମ୍ୟାକ୍‌ଗର୍କ, ଷ୍ଟିଭ୍ ସ୍ମିଥ୍, ମାର୍ନସ ଲବୁସାନ୍‌, ଜୋସ୍ ଇଙ୍ଗଲିସ୍‌, ଆଲେକ୍ସ କ୍ୟାରି, ଗ୍ଲେନ୍ ମ୍ୟାକ୍ସୱେଲ୍‌, ବେନ୍ ଡ୍ବାରସୁଇସ୍‌, ନାଥନ୍ ଏଲିସ୍‌, ଆଦାମ ଜାମ୍ପା, ସ୍ପେନ୍‌ସର୍ ଜନ୍‌ସନ୍‌।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.