ଦୁବାଇ ସମେତ ୪ ଦେଶକୁ ଯିବ ଓଡ଼ିଶାର ସୁବାସିତ ଚାଉଳ, ରାଜ୍ୟର ଚାଷୀ ପାଇବେ କେଜି ପ୍ରତି ୪୦ ଟଙ୍କା ପର୍ଯ୍ୟନ୍ତ ଲାଭ
ଭୁବନେଶ୍ୱର,୦୪/୦୧: ଦୁବାଇ ସମେତ ୪ ଦେଶକୁ ଯିବ ଓଡ଼ିଶାର ସୁବାସିତ ଚାଉଳ । ଓଡ଼ିଶାର କଳା ଜିରା, ଚିନି କାମିନୀ, କେତକୀ ଜୁହା, ପିମ୍ପୁଡି ବାସ, ପାଟଣି, ଗୀତାଞ୍ଜଳି, ବାସୁଆଭୋଗ ଆଦି ସୁଗନ୍ଧ ଚାଉଳର ବିଦେଶରେ ପ୍ରବଳ ଚାହିଦା ରହିଛି । ତେଣୁ ଏହି ସବୁ ଚାଉଳ ଅଧିକରୁ ଅଧିକ ବିଦେଶକୁ ରପ୍ତାନୀ କରାଯିବ । ଓଡ଼ିଶାରେ ଏହି ଚାଉଳ କେଜି ପ୍ରତି ଶହେ ଟଙ୍କାରେ ବିକ୍ରି ହେଉଥିବା ବିଦେଶରେ ଏହା ୧୨୫ରୁ ୧୪୦ ଟଙ୍କାରେ ବିକ୍ରି ହେବ । ଏହି ଚାଉଳ ଚାଷୀଙ୍କ ଘରୁ ବିଦେଶକୁ ନେବାର ଖର୍ଚ୍ଚ ମଧ୍ୟ ବିଦେଶୀ କମ୍ପାନୀ ବହନ କରିବ । ଏହି ସୁବାସିତ ଚାଉଳ ଓଡ଼ିଶାରୁ ଦୁବାଇକୁ ପଠାଇବା ପାଇଁ କୃଷି ଓଡ଼ିଶାର ପ୍ରଥମ ଦିନରେ ୨ଟି କମ୍ପାନୀ ସହିତ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷର ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଦୁବାଇର ଏଗଜିମା ସଲ୍ୟୁସନ୍ ଓ ୟୁନିଫି ସଲ୍ୟୁସନ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଓଡ଼ିଶାର କନକ ବାୟୋ ସାଇନ୍ସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍ । ଏକ୍ସଜିମା ସଲ୍ୟୁସନ୍ ୨୦୦୦ରୁ ୨୫୦୦ ମେଟ୍ରିକ ଟନ୍ ସୁଗନ୍ଧିତ ଚାଉଳ ନେବ । ସେହିପରି ୟୁନିଫି ସଲ୍ୟୁସନ୍ ୩୦୦୦ରୁ ୩୫୦୦ ମେଟ୍ରିକ ଟନ୍ ସୁବାସିତ ଚାଉଳ ନେବ ।
ସେହିପରି ବ୍ରିଟେନ୍, ସାଇପ୍ରସ୍ ଓ ମରିସସ୍କୁ ମଧ୍ୟ ସୁବାସିତ ଚାଉଳ ରପ୍ତାନୀ କରାଯିବ । ବ୍ରିଟେନ୍ ଓ ସାଇପ୍ରସକୁ ୬ ହଜାର ମେଟ୍ରିକ ଟନ୍ ଓ ମରିସସ୍କୁ ୩ ହଜାର ମେଟ୍ରିକ ଟନ୍ ସୁଗନ୍ଧିତ ଚାଉଳ ରପ୍ତାନି କରିବ ଓଡ଼ିଶାର କନକ ବାୟୋ ସାଇନ୍ସ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍ । କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ. ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି ।
ଡ. ସାହୁ କହିଛନ୍ତି, ବ୍ରିଟେନ୍ ଓ ସାଇପ୍ରସ କମ୍ପାନୀ ସହ ଆସନ୍ତାକାଲି ଓ ୭ ତାରିଖରେ ମରିସସ୍ର କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷର ହେବ । ଚଳିତବର୍ଷ ମୋଟ ୨୦ ହଜାର ମେଟ୍ରିକ ଟନ୍ ସୁବାସିତ ଚାଉଳ ବିଦେଶକୁ ରପ୍ତାନୀ କରାଯିବାକୁ ଲକ୍ଷ୍ୟ ରହିଛି । କଫି ଓ ବିଭିନ୍ନ ପ୍ରକାରର ଔଷଧୀୟ ବୃକ୍ଷ ମଧ୍ୟ ରପ୍ତାନି କରାଯିବ । ବିଦେଶରେ କେବଳ ଜୈବିକ ପଦ୍ଧତିରେ ଉତ୍ପାଦିତ ଦ୍ରବ୍ୟର ଚାହିଦା ରହିଛି । ତେଣୁ ସେହି ଚାଉଳ ଚାଷ କଲେ ଭଲ ଦାମ ମିଳିବା ସହିତ ରପ୍ତାନୀ ହେଲେ ଚାଷୀ ଉପକୃତ ହେବେ ବୋଲି ଡ. ସାହୁ କହିଛନ୍ତି ।
ସୌଜନ୍ୟ-ପ୍ରମେୟ
Comments are closed.