Breaking News

ଦୁର୍ବଳ ଓ ଦିଗହରା କାହାଣୀ ଭୁଲ୍‌ ଭୁଲୈୟା ୩

ଏବର୍ଷ ମୁକ୍ତିଲାଭ କରିଥିବା କେତେକ ଅତ୍ୟନ୍ତ ସଫଳ ବଲିଉଡ୍‌ ସିନେମା ହେଉଛି ‘ମୁଞ୍ଜା’, ‘ଶୈତାନ’ ଓ ‘ସ୍ତ୍ରୀ ୨’ ପରି ଭୌତିକ କାହାଣୀ। ଭୟ ସହିତ ହାସ୍ୟରସର ମିଶ୍ରଣ ବର୍ତ୍ତମାନ ସମୟରେ ଏକ ସଫଳ ଫର୍ମୁଲା ଭାବେ ଉଭା ହୋଇଛି।

0

ଏବର୍ଷ ମୁକ୍ତିଲାଭ କରିଥିବା କେତେକ ଅତ୍ୟନ୍ତ ସଫଳ ବଲିଉଡ୍‌ ସିନେମା ହେଉଛି ‘ମୁଞ୍ଜା’, ‘ଶୈତାନ’ ଓ ‘ସ୍ତ୍ରୀ ୨’ ପରି ଭୌତିକ କାହାଣୀ। ଭୟ ସହିତ ହାସ୍ୟରସର ମିଶ୍ରଣ ବର୍ତ୍ତମାନ ସମୟରେ ଏକ ସଫଳ ଫର୍ମୁଲା ଭାବେ ଉଭା ହୋଇଛି। ନିର୍ଦେଶକ ଅନୀସ ବଜ୍‌ମୀ ଏହି ଫର୍ମୁଲା ସାହାଯ୍ୟରେ ଦୁଇ ବର୍ଷ ତଳେ (‘ଭୁଲ୍‌ ଭୁଲୈୟା ୨’ ଜରିଆରେ) ବ୍ୟାବସାୟିକ ସଫଳତା ହାସଲ କରିଥିବା ବେଳେ ପୁଣି ତାହାର ପୁନରାବୃତ୍ତି ପାଇଁ ଉଦ୍ୟମ କରିଛନ୍ତି। ‘ଭୁଲ୍‌ ଭୁଲୈୟା ୩’ ସେଥିରେ ସଫଳ ହୋଇଥିଲେ ହେଁ ଏହାର ହାସ୍ୟରସରେ ନୂଆପଣ ନାହିଁ କି ପ୍ରେମ କାହାଣୀରେ ଗଭୀରତା ନାହିଁ। ଭୌତିକ ଦୃଶ୍ୟଗୁଡ଼ିକ ଭୟର ଭାବନା ଉଦ୍ରେକ କରିବା ପୂର୍ବରୁ ହାସ୍ୟରସ ସଂଳାପ ପ୍ରବେଶ କରି ସେଗୁଡ଼ିକୁ ହାସ୍ୟାସ୍ପଦ କରିଦେଇଛି। ତେବେ ପ୍ରଥମ ‘ଭୁଲ୍‌ ଭୁଲୈୟା’ର ‘ମଞ୍ଜୁଲିକା’ ବିଦ୍ୟା ବାଲନଙ୍କ ପ୍ରତ୍ୟାବର୍ତ୍ତନ କେତେକ ସ୍ମରଣୀୟ ମୁହୂର୍ତ୍ତ ସୃଷ୍ଟି କରିବାରେ ସଫଳ ହୋଇଛି। କାର୍ତ୍ତିକ ଆର୍ଯ୍ୟନଙ୍କ ଚରିତ୍ରକୁ କେନ୍ଦ୍ରରେ ରଖି ନିର୍ମିତ ଏହି ସିନେମା ଏକ ଗୁରୁତ୍ବପୂର୍ଣ୍ଣ ସାମାଜିକ ବାର୍ତ୍ତା ବହନ କରୁଥିବା ସତ୍ତ୍ବେ କାହାଣୀର ଆତ୍ମା ନିରୁଦ୍ଦିଷ୍ଟ ଥିବା ପରି ମନେ ହୋଇଥାଏ।

ଏହି ସିନେମାରେ ଏକ ଦରିଦ୍ର ରାଜକୀୟ ପରିବାର ଗୋଟିଏ ବିରାଟ ପ୍ରାସାଦର ଦାବିଦାର ସାଜି ତାହାକୁ ବିକ୍ରି କରିବାକୁ ଉଦ୍ୟମ କରୁଛନ୍ତି। ତେବେ ବିକ୍ରି ପୂର୍ବରୁ ସେଥିରୁ ଏକ ଦୁଷ୍ଟ ଆତ୍ମା (ମଞ୍ଜୁଲିକା)କୁ ତଡ଼ିବା ଲାଗି ଧୂର୍ତ୍ତ ‘ରୁହ ବାବା’ (କାର୍ତ୍ତିକ)କୁ ଦାୟିତ୍ବ ଦିଆଯାଉଛି। ଶେଷ ପର୍ଯ୍ୟନ୍ତ ଏହି କାହାଣୀ ଯେଉଁ ଏକ ଗୂଢ଼ ପ୍ରଶ୍ନ ମନକୁ ଉତ୍କଣ୍ଠିତ ରଖୁଛି ତାହା ହେଲା ବାସ୍ତବ ‘ମଞ୍ଜୁଲିକା’ କିଏ? ଅସଲ ଭୂତ ସମ୍ପର୍କରେ ଜାଣିବା ପୂର୍ବରୁ କେତେକ ମୋଡ଼ ସ୍ବରୂପ ବିଭିନ୍ନ ଛଦ୍ମବେଶୀ ଚରିତ୍ର ‘ମଞ୍ଜୁଲିକା’ର ଭ୍ରମ ସୃଷ୍ଟି କରୁଥିବା ରହସ୍ୟ ଉନ୍ମୋଚିତ ହୋଇଛି। ତେବେ ସାଧାରଣ ଦର୍ଶକ ପକ୍ଷେ ଅଧିକାଂଶ ମୋଡ଼ ଆଗୁଆ ଅନୁମାନ କରିବା ସହଜ ହୋଇଥିବାରୁ ମନରେ ବିଶେଷ ରୋମାଞ୍ଚ ଜାତ ହୁଏ ନାହିଁ।

‘ରୁହ ବାବା’ ଓ ‘ମୀରା’ (ତୃପ୍ତି ଡିମରୀ) ଚରିତ୍ର ମଧ୍ୟରେ ପ୍ରେମ କାହାଣୀ ସହ ସିନେମାଟି ଗତିଶୀଳ ହୋଇଛି। ତୃପ୍ତିଙ୍କୁ ଅଭିନୟ ଦକ୍ଷତା ପ୍ରଦର୍ଶନର ବିଶେଷ ସୁଯୋଗ ମିଳି ନ ଥିବାରୁ ଏହି ଯୋଡ଼ି ମଧ୍ୟରେ କୃତ୍ରିମତା ହିଁ ପ୍ରାଞ୍ଜଳ ହୋଇଛି। ‘ବୁଲ୍‌ବୁଲ୍‌’ ଓ ‘କଲା’ ଚଳଚ୍ଚିତ୍ର ଅନୁରୂପ ପ୍ରଦର୍ଶନ ଦେଖିବାକୁ ଅପେକ୍ଷା କରିଥିବା ତୃପ୍ତିଙ୍କ ପ୍ରଶଂସକଙ୍କୁ ଏହି ଚଳଚ୍ଚିତ୍ର ନିରାଶ କରିବ। ‘ଆନିମଲ୍‌’ରେ ଅଭିନୟ କରି ରାତାରାତି ‘ନେସ୍‌ନାଲ୍‌ କ୍ରସ୍‌’ ପାଲଟିବା ପରେ ତାଙ୍କୁ ଅନେକ ବ୍ୟୟବହୁଳ ଚଲଚ୍ଚିତ୍ରରେ ସୁଯୋଗ ମିଳିଛି ସତ, କିନ୍ତୁ ଏବେ ତାଙ୍କ ଚରିତ୍ରମାନେ ପୁରୁଷଙ୍କ ଆଖିକୁ ଖୁସି କରିବାରେ ସୀମିତ ରହୁଛି ବୋଲି ହେଉଥିବା ସମାଲୋଚନା ଅମୂଳକ ନୁହେଁ। ଅପରପକ୍ଷେ ୧୭ ବର୍ଷ ପରେ ବିଦ୍ୟା ବାଲନ ‘ମଞ୍ଜୁଲିକା’ ହୋଇ ଫେରିବା ଓ ମାଧୁରିଙ୍କ ସହିତ ‘ଆମୀ ଜେ ତୋମାର’ ଗୀତରେ ନୃତ୍ୟ କରିବା ଏହି ସିନେମାର ସବୁଠାରୁ ମନୋମୁଗ୍ଧକର ବୈଶିଷ୍ଟ୍ୟ କହିଲେ ଭୁଲ୍ ହେବ ନାହିଁ। ତେବେ ଅନ୍ୟ ଗୀତଗୁଡ଼ିକ ମନଛୁଆଁ ହୋଇଛି କହିବା ଅତିରଞ୍ଜନ ହେବ। ଏହି ଚଳଚ୍ଚିତ୍ରର ସବୁଠାରୁ ନୈରାଶ୍ୟଜନକ ଦିଗ ହେଲା ରାଜପାଲ ଯାଦବ, ସଂଜୟ ମିଶ୍ରା ଓ ବିଜୟ ରାଜଙ୍କ ପରି ଦକ୍ଷ ହାସ୍ୟ ଅଭିନେତାଙ୍କୁ ଅତ୍ୟନ୍ତ ଦୁର୍ବଳ ଚରିତ୍ର ଓ ସଂଳାପ ମିଳିବା, ଯାହା ସେମାନଙ୍କ କଳା ପ୍ରତି ଅପମାନ ଭଳି ମନେ ହୁଏ।
ସିନେମାର ଶେଷ ଭାଗରେ ଯାଇ ଅସଲ ଭୂତ ସମ୍ପର୍କରେ ଜଣାପଡ଼େ, ଯାହା ସହିତ ଏକ ପ୍ରଶଂସନୀୟ ଲିଙ୍ଗଭିତ୍ତିକ ସାମାଜିକ ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଛି। ତେବେ ସମଗ୍ର ଭାବେ ‘ଭୁଲ୍‌ ଭୁଲୈୟା ୩’ର କାହାଣୀ ଦୁର୍ବଳ ଓ ଦିଗହରା ମନେ ହୋଇଥାଏ। ଅବଶ୍ୟ ପରିବାର ସହିତ ହାଲୁକା
ମନୋରଂଜନ ପାଇଁ ଏହାକୁ ଦେଖିବାରେ କ୍ଷତି ନାହିଁ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.