Breaking News

ଦୁଷ୍ଟ ବାଳକ

ଭା‌ରତରେ ‘ପଦ୍ମ’ ସମ୍ମାନ ଠାରୁ ଆମେରିକାରେ ‘ଗ୍ରାମି’ ସମ୍ମାନ ପର୍ଯ୍ୟନ୍ତ ଅସଂଖ୍ୟ ସମ୍ମାନରେ ପୋତି ହୋଇପଡ଼ିଥିଲେ ବି ଶେଷ ପର୍ଯ୍ୟନ୍ତ ଜାକିର୍ ତାଙ୍କର ଶିଶୁସୁଲଭ ସରଳତା ହରାଇ ନ ଥିଲେ। ଜାକିର୍‌ଙ୍କ ହାତ ଆଉ ତାବଲାରେ ତାଳ ସୃଷ୍ଟି କରିବ ନାହିଁ‌...

ଭା‌ରତରେ ‘ପଦ୍ମ’ ସମ୍ମାନ ଠାରୁ ଆମେରିକାରେ ‘ଗ୍ରାମି’ ସମ୍ମାନ ପର୍ଯ୍ୟନ୍ତ ଅସଂଖ୍ୟ ସମ୍ମାନରେ ପୋତି ହୋଇପଡ଼ିଥିଲେ ବି ଶେଷ ପର୍ଯ୍ୟନ୍ତ ଜାକିର୍ ତାଙ୍କର ଶିଶୁସୁଲଭ ସରଳତା ହରାଇ ନ ଥିଲେ। ଜାକିର୍‌ଙ୍କ ହାତ ଆଉ ତାବଲାରେ ତାଳ ସୃଷ୍ଟି କରିବ ନାହିଁ‌; ଜାକିର୍‌ଙ୍କ ସଙ୍ଗୀତର ଅସୁମାରି ଭକ୍ତମାନେ କିନ୍ତୁ ଏହି ନିରବତାକୁ ତାବଲାର ଦୁଇଟି ବିଟ୍ ମଧ୍ୟରେ ଜାକିର୍ ସୃଷ୍ଟି କରୁଥିବା ଦୁଷ୍ଟାମିଭରା ନିରବତାର ଏକ ସଂପ୍ରସାରିତ ସଂସ୍କରଣ ମନେ କରି ତାଙ୍କର ପରବର୍ତ୍ତୀ ବିଟ୍‌କୁ ଅପେକ୍ଷା କରିଚାଲିବେ।

‘‘ସଙ୍ଗୀତ, ଏଭଳି ସଙ୍ଗୀତ, ହେଉଛି ଈଶ୍ବରଙ୍କ ଯଥେଷ୍ଟ ଦାନ। ଆଉ କାହିଁକି ସୁଖ ପାଇଁ ପ୍ରାର୍ଥନା କରିବ; କାହିଁକି ଦୁଃଖରୁ ମୁକ୍ତି ପାଇଁ ଆଶା କରିବ? ଏହା ହିଁ ଯଥେଷ୍ଟ, ଯଥେଷ୍ଟ ସୌଭାଗ୍ୟ ଯେ ଦିନ ପରେ ଦିନ ଏଭଳି ସଙ୍ଗୀତ ଶୁଣିବାକୁ ମିଳୁଛି।’’ ସଙ୍ଗୀତ ରସଗ୍ରାହୀ ପ୍ରଖ୍ୟାତ ଔପନ୍ୟାସିକ ବିକ୍ରମ ସେଠଙ୍କର ପ୍ରସିଦ୍ଧ ସଙ୍ଗୀତ-ଭିତ୍ତିକ ଉପନ୍ୟାସ ‘ଆନ୍ ଇକ୍ବାଲ୍ ମ୍ୟୁଜିକ୍’ରୁ ଉଦ୍ଧୃତ ଏହି ଅଭିବ୍ୟକ୍ତିର ପ୍ରାସଙ୍ଗିକତା କେବଳ ସେଇ ଉପନ୍ୟାସର ପୃଷ୍ଠାମାନଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ। ଅାଉ ଏହା ଯଦି କେଉଁ ଜଣେ ସଙ୍ଗୀତଜ୍ଞଙ୍କର ସୃଷ୍ଟି ପ୍ରତି ସଂପୂର୍ଣ୍ଣ ରୂପେ ପ୍ରଯୁଜ୍ୟ ହୋଇଥାଏ, ସେ ହେଉଛନ୍ତି ତାଙ୍କର ତାବଲା ବାଦନ ଦ୍ବାରା ଈଶ୍ବରଙ୍କୁ ମୁଗ୍‌ଧ କରିବା ପାଇଁ ଆମ ଠାରୁ ବିଦାୟ ନେଇ ଚାଲିଯାଇଥିବା ତାବଲା ଯାଦୁକର ଉସ୍ତାଦ ଜାକିର୍ ହୁସେନ୍।
ଜାକିର୍‌ଙ୍କ ବାଦନ ଈଶ୍ବରଙ୍କୁ ମୁଗ୍‌ଧ କରିବ, କାରଣ ଈଶ୍ବର ହେଉଛନ୍ତି କାଳ, ଏବଂ ତାବଲା ଉପରେ ଯେ‌େ‌ତବେଳେ ଜାକିର୍‌ଙ୍କର ଆଙ୍ଗୁଳିମାନ ନୃତ୍ୟ କରୁଥାନ୍ତି, ସେମାନେ ଯାହା ସହିତ ତାଳ ଦେଇ ନୃତ୍ୟ କଲାଭଳି ମନେ ହୋଇଥାଏ, ତାହା ହେଉଛି କାଳର ହୃତ୍‌ସ୍ପନ୍ଦନ। ଜାକିର୍ ହୁସେନ୍ ଆମକୁ ଛାଡ଼ି ଚାଲିଯାଇଛନ୍ତି ସତ, କିନ୍ତୁ ତାଙ୍କ ସଙ୍ଗୀତର ପ୍ରତିଧ୍ବନି ଏକ ଚିରନ୍ତନ ତାଳ ଭଳି ସସୀମ ଓ ଅସୀମ ମଧ୍ୟରେ ଝୁଲି ରହିଥିବ।
କୁହାଯାଇପାରେ ଜାକିର୍ ଜନ୍ମ ହୋଇଥିଲେ ସଙ୍ଗୀତ କୋଳରେ। ଏହା ଆକ୍ଷରିକ ଭାବେ ସତ ବୋଲି କହିଲେ ଭୁଲ୍ ହେବ ନାହିଁ। ଜାକିର୍ ଭୂମିଷ୍ଠ ହେବା ପରେ ତାଙ୍କର ପିତା ପ୍ରସିଦ୍ଧ ତାବଲା କଳାକାର ଉସ୍ତାଦ ଆଲ୍ଲା ରଖା କୁରେସି ଶିଶୁପୁତ୍ରକୁ ଯେତେବେଳେ ପ୍ରଥମଥର ପାଇଁ କୋଳରେ ଧରିଲେ, ସେତେବେଳେ ସେ ପୁତ୍ରର କାନରେ ଓଠ ଲଗାଇ ତା’ପାଇଁ ଆଲ୍ଲାଙ୍କ ଆଶୀର୍ବାଦ ଭିକ୍ଷା କରିବା ପରିବର୍ତ୍ତେ ତାବଲାର ବୋଲ୍ ସବୁ ଜପ କରିବାରେ ଲାଗିଲେ। ଜାକିର୍‌ଙ୍କ ମା’ ଯେତେବେଳେ ଏହାର ପ୍ରତିବାଦ କରି ସ୍ବାମୀଙ୍କୁ ଚେତାଇଦେଲେ ଯେ ସେ ଶିଶୁର କାନରେ ତାବଲାର ତାଳ ନୁହେଁ, ଈଶ୍ବରଙ୍କ ପ୍ରାର୍ଥନା ଶୁଣାଇବା କଥା, ଆଲ୍ଲା ରଖା ପତ୍ନୀଙ୍କୁ ଜବାବ ଦେଇଥିଲେ ଯେ ଏହା ହିଁ ହେଉଛି ତାଙ୍କର ପ୍ରାର୍ଥନା, ସେ ଏଇଭଳି ହିଁ ପ୍ରାର୍ଥନା କରନ୍ତି।
ଜାକିର୍‌ଙ୍କ ପିତା ହିଁ ଥିଲେ ତାଙ୍କର ସଙ୍ଗୀତ ଗୁରୁ। ଏହି ଗୁରୁ ଜାକିର୍‌ଙ୍କ ମସ୍ତିଷ୍କରେ ସେଇ ‌େଶୖଶବାବସ୍ଥାରୁ ତାବଲାର ତାଳର ମଞ୍ଜି ପୋତିଥିଲେ ସତ, କିନ୍ତୁ ଜାକିର୍‌ଙ୍କର ଈଶ୍ବରଦତ୍ତ ଅଲୌକିକ ପ୍ରତିଭା ବଳରେ ତାହା ଏପରି ଏକ ସାବଲୀଳ, ସୂକ୍ଷ୍ମ କଳା ରୂପେ ପ୍ରସ୍ଫୁଟିତ ହେଲା ଯେ ସେ ତାଙ୍କ ତାବଲାର ଧ୍ବନିରେ ଏକ ଝରାପତ୍ରର କ୍ଷୀଣ ମର୍ମରକୁ ମଧ୍ୟ ଧରି ରଖିପାରୁଥିଲେ। ଜାକିର୍ ହୁସେନ୍ ବାସ୍ତବରେ ଥିଲେ ଜଣେ ସଙ୍ଗୀତର ପରିବ୍ରାଜକ। ତାଙ୍କ ତାବଲାରୁ ପ୍ରସାରିତ ହେଉଥିବା ଧ୍ବନି ତରଙ୍ଗର ଆଘାତରେ ସଙ୍ଗୀତର ସୀମା ସବୁ ଉଭାନ ହୋଇଯାଉଥିଲେ। ତାଙ୍କର ଦୁଇ ହାତରେ ଏକତ୍ର ବାସ କରୁଥିଲେ ତାଙ୍କ ଘରାନାର କଠୋର ଶୃଙ୍ଖଳା ସହିତ ଦକ୍ଷିଣ ଭାରତୀୟ କର୍ଣ୍ଣାଟିକ୍ ଶୈଳୀ, ‘ଜାଜ୍’ର ସ୍ବତଃସ୍ଫୂର୍ତ୍ତ ଉଚ୍ଛ୍ବାସ ତଥା ଲୋକସଙ୍ଗୀତର ଲାଳିତ୍ୟ ପର୍ଯ୍ୟନ୍ତ। ସେ ପାରମ୍ପରିକ ତାନପୁରାର ଗୁଞ୍ଜନ ସହିତ ଖାପ ଖାଇ ତାବଲା ବାଦନ କରିବାରେ ଯେଉଁଭଳି ସିଦ୍ଧହସ୍ତ ଥିଲେ, ସେଇଭଳି ନିପୁଣତାର ସହିତ ଗିଟାର୍ କିମ୍ବା ଭାୟୋଲିନ୍ କିମ୍ବା ସାକ୍ସୋଫୋନ୍ ସହିତ ମିଳିତ ହୋଇ ଅନବଦ୍ୟ ସଙ୍ଗୀତ ସୃଷ୍ଟି କରିପାରୁଥିଲେ।
ଆଇନ୍‌ଷ୍ଟାଇନ୍‌ଙ୍କର ଦୁଇ ଆପେକ୍ଷିକ ତତ୍ତ୍ବ ଅନୁସାରେ ସମୟର ଗତି ସ୍ଥିର ନ ହୋଇ ପରିବର୍ତ୍ତନଶୀଳ ହୋଇଥାଏ, ଯାହା ସଂପୃକ୍ତ ବସ୍ତୁର ଗତି ବେଗ କିମ୍ବା ଅନ୍ୟ ଏକ ପିଣ୍ଡ ସହିତ ସାନ୍ନିଧ୍ୟ ଉପରେ ନିର୍ଭର କରିଥାଏ। ଜାକିର୍ ହୁସେନ୍‌ଙ୍କ ଶ୍ରୋତାମାନେ କିନ୍ତୁ ସମୟର ଗତି ଉପରେ ଏକ ତୃତୀୟ ଶକ୍ତିର ପ୍ରଭାବ ଅନୁଭବ କରିଥାନ୍ତି। ସେ ଶକ୍ତି ହେଉଛି ତାବଲା ଉପରେ ଜାକିର୍ ହୁସେନ୍‌ଙ୍କର ହସ୍ତ ଚାଳନା। ଏହା ମାଧ୍ୟମରେ ସୃଷ୍ଟି ହେଉଥିବା ଶବ୍ଦ ଓ ତାଳକୁ ଜାକିର୍ ଏଭଳି ନିୟନ୍ତ୍ରଣ କରିଥାନ୍ତି ଯେ କେତେବେଳେ ଶ୍ରୋତାମାନେ ଅନୁଭବ କରିଥାନ୍ତି ସମୟ ସତେ ଯେମିତି କ୍ରମେ ମନ୍ଥର ହେବାରେ ଲାଗି ଶେଷରେ ସ୍ଥିର ହୋଇଯାଇଛି। ପୁଣି କେତେବେଳେ ଅଶ୍ବାରୋହୀ ‘ସ୍ପର୍’ ସ୍ପର୍ଶ କରି ‌େଘାଡ଼ାକୁ ଦ୍ରୁତ ଗତିରେ ଧାବମାନ କରିଦେବା ଭଳି, ଜାକିର୍ ତାଙ୍କର ତାବଲାରେ ହାତ ଚଳାଇ ଏପରି ଏକ ଶବ୍ଦର ଇନ୍ଦ୍ରଜାଲ ସୃଷ୍ଟି କରିଥାନ୍ତି ଯେ ଶ୍ରୋତାମାନେ ଅନୁଭବ କରନ୍ତି ସତେ ଯେମିତି ସମୟ ତରବର ହୋଇ ତୀବ୍ର ବେଗରେ ଧାଇଁବାରେ ଲାଗିଛି। ବିନା ମେଘେ ବଜ୍ରପାତ ଭଳି ଶ୍ରୋତାମାନେ ଯେତେବେଳେ ତାଙ୍କ ତାବଲାର ଅଳସ ସଙ୍ଗୀତ ଦ୍ବାରା ସୃଷ୍ଟ ଚିନ୍ତାଶୂନ୍ୟ ଶିଥିଳତାର ଆବେଶରେ ଚେତାଶୂନ୍ୟ ହୋଇଯିବା ଭଳି ଲାଗନ୍ତି, ସେତିକିବେଳେ ଜାକିର୍‌ଙ୍କ ତାବଲା ସେଇ ଶାନ୍ତ ପରିବେଶକୁ ବିଦୀର୍ଣ୍ଣ କରି ଘଟାଉଥିବା ବଜ୍ରନିନାଦ ସେମାନଙ୍କୁ ଚମକାଇଦେଇ ସେମାନଙ୍କ ଠାରେ ଯେଉଁ ଶିହରଣ ସୃଷ୍ଟି କରେ ତାହା କେବଳ ଅନୁଭବ କରାଯାଇପାରେ, ବର୍ଣ୍ଣନା କରିବା ସମ୍ଭବ ନୁହେଁ।
ଜାକିର୍ କେବଳ ନିର୍ଜୀବ ତାବଲାକୁ ଆଘାତ ଦେଇ ଶବ୍ଦ ସୃଷ୍ଟି କରୁ ନ ଥିଲେ, ବାସ୍ତବରେ ଏହା ମାଧ୍ୟମରେ ସେ ନିରବତା ସହିତ କଥୋପକଥନ କରୁଥିଲେ। ଏହା ଥି‌ଲା ଜ୍ଞେୟ ଓ ଏକ ସ୍ବତଃସ୍ଫୂର୍ତ୍ତ ଅଜ୍ଞେୟ ମଧ୍ୟରେ ବାର୍ତ୍ତାଳାପ ଭଳି। ଏକ ଦୁଷ୍ଟ ବାଳକ ତା’ର ସାଥୀମାନଙ୍କୁ ପ୍ରଭାବିତ କରି ତା’ର ଦୁଷ୍ଟାମିରେ ସାମିଲ କଲାଭଳି ତାବଲା ବାଦନ ବେଳେ ଜାକିର୍‌ଙ୍କ ଓଠରେ ଉଙ୍କି ମାରୁଥିବା ଦୁଷ୍ଟାମିଭରା ସ୍ମିତହାସ୍ୟର ଇସାରା, ଚାହାଣିରୁ ବିଚ୍ଛୁରିତ ନିରବ ଆହ୍ବାନ ସେଇଭଳି ବିଦଗ୍‌ଧ ଶ୍ରୋତାମାନଙ୍କୁ ସେ ରଚନା କରୁଥିବା ଧ୍ବନି-ସଙ୍ଗୀତର ବିମଳ ଆନନ୍ଦରେ ଅଂଶୀଦାର କରିଦେଇଥାଏ। ଯାହା ତାଙ୍କର ଅଗଣିତ ଅନୁରକ୍ତମାନେ ସର୍ବଦା ଅନୁଭବ କରୁଥିଲେ, ତାଙ୍କର ନଭଶ୍ଚୁମ୍ବୀ ଖ୍ୟାତି କେବେହେଲେ ତାଙ୍କର ଆଚରଣକୁ ପ୍ରଭାବିତ କରି ନ ଥିଲା। ସେ ସଦାବେଳେ ଯେଉଁଭଳି ନମ୍ରତାର ସହିତ ବାଦନ କରୁଥିଲେ, ସେଥିରୁ ସ୍ପଷ୍ଟ ହେଉଥିଲା ଯେ ତାଙ୍କର ପ୍ରତିଭା କେବେହେଲେ ଅହଙ୍କାର ଦ୍ବାରା କଠିନ ହୋଇଯାଇ ନିଜର ନମନୀୟତା ହରାଇ ବସି ନ ଥିଲା। ତାଙ୍କର ବ୍ୟକ୍ତିଗତ ଜୀବନରେ ମଧ୍ୟ ଏହା ସର୍ବଦା ପ୍ରତିଫଳିତ ‌େହାଇଥିଲା। ମଞ୍ଚ ଉପରେ ସାଥୀ କଳାକାରମାନଙ୍କ ସହିତ ତାଙ୍କର ସଂପର୍କ ଯେଉଁଭଳି ଉଷ୍ଣ ଥିଲା, ମଞ୍ଚ ବାହାରେ ମଧ୍ୟ ତାଙ୍କର ଆଚରଣ ସେଇଭଳି ଆଦରଣୀୟ ଥିଲା।
୧୯୭୦ ଠାରୁ ଜାକିର୍ ସାନ୍‌ ଫ୍ରାନ୍‌ସିସ୍କୋର ବେ ଏରିଆରେ ବାସ କରିଆସୁଥିଲେ, ଯେଉଁଠି ସେ ‘ଅଲିଆକ୍‌ବର କଲେଜ ଅଫ୍ ମ୍ୟୁଜିକ୍’ରେ ଶିକ୍ଷାଦାନ କରୁଥିଲେ। ସେ କାଳ ବିଳମ୍ବ ନ କରି ସେ ଅଞ୍ଚଳରେ ସକ୍ରିୟ ଥିବା ଅନ୍ୟ ଅନୁସନ୍ଧିତ୍ସୁ ସଙ୍ଗୀତ ସାଧକମାନଙ୍କ ସହିତ ଉତ୍ତମ ସଂପର୍କ ପ୍ରତିଷ୍ଠା କରିଥିଲେ। ମିଶ୍ରିତ ସଙ୍ଗୀତ ସୃଷ୍ଟି କରିବାରେ ଜାକିର୍‌ଙ୍କର ସେଠାରେ ପ୍ରଥମ ସହଯୋଗୀ ଥିଲେ ସାକ୍ସୋଫୋନ୍ ବାଦକ ଜନ୍ ହ୍ୟାଣ୍ଡି। ତା’ପରେ ଯେଉଁମାନଙ୍କ ସହିତ ମିଳିତ ହୋଇ ସେ ସଙ୍ଗୀତ ରେକର୍ଡିଙ୍ଗ୍ କଲେ ଓ ପ୍ରଦର୍ଶନ ଯାତ୍ରା କଲେ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ‘ଚେଲିଷ୍ଟ୍’ ୟୋ-ୟୋ ମା, ‘ବେସିଷ୍ଟ୍’ ଏଡ୍‌ଗାର୍ ମେୟର୍ ଓ ବ୍ୟାଞ୍ଜୋ ତାରକା ବେଲା ଫ୍ଲେକ୍ ଆଦି। ସଙ୍ଗୀତ ପ୍ରଯୋଜକ ବିଲ୍ ଲାସ୍‌ୱେଲ୍ ପ୍ରତିଷ୍ଠା କରିଥିବା ତାରକା ଖଚିତ ୱର୍ଲଡ ମ୍ୟୁଜିକ୍ ଗୋଷ୍ଠୀ ‘ତାବଲା ବିଟ୍ ସାଇନ୍‌ସ’ର ଜାକିର୍ ହୁସେନ୍ ଥିଲେ ଅନ୍ୟତମ ଉଦ୍ୟୋକ୍ତା।
ଭା‌ରତରେ ‘ପଦ୍ମ’ ସମ୍ମାନ ଠାରୁ ଆମେରିକାରେ ‘ଗ୍ରାମି’ ସମ୍ମାନ ପର୍ଯ୍ୟନ୍ତ ଅସଂଖ୍ୟ ସମ୍ମାନରେ ପୋତି ହୋଇପଡ଼ିଥିଲେ ବି ଶେଷ ପର୍ଯ୍ୟନ୍ତ ଜାକିର୍ ତାଙ୍କର ଶିଶୁସୁଲଭ ସରଳତା ହରାଇ ନ ଥିଲେ। ଜାକିର୍‌ଙ୍କ ହାତ ଆଉ ତାବଲାରେ ତାଳ ସୃଷ୍ଟି କରିବ ନାହିଁ‌; ଜାକିର୍‌ଙ୍କ ସଙ୍ଗୀତର ଅସୁମାରି ଭକ୍ତମାନେ କିନ୍ତୁ ଏହି ନିରବତାକୁ ତାବଲାର ଦୁଇଟି ବିଟ୍ ମଧ୍ୟରେ ଜାକିର୍ ସୃଷ୍ଟି କରୁଥିବା ଦୁଷ୍ଟାମିଭରା ନିରବତାର ଏକ ସଂପ୍ରସାରିତ ସଂସ୍କରଣ ମନେ କରି ତାଙ୍କର ପରବର୍ତ୍ତୀ ବିଟ୍‌କୁ ଅପେକ୍ଷା କରିଚାଲିବେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.