Breaking News

ଦୃଷ୍ଟିବାଧିତଙ୍କ ପାଇଁ ସାଇବର ଠକେଇ ସଚେତନତା, ପାଠ୍ୟକ୍ରମରେ ସାମିଲ ହେବ ୪ପୁସ୍ତକ

ବ୍ରହ୍ମପୁର,୦୪/୦୧: ଆଧୁନିକ ଯୁଗରେ ସମସ୍ତଙ୍କ ହାତରେ ରହିଛି ସ୍ମାର୍ଟ ଫୋନ୍‌ । ଅନ୍‌ଲାଇନ ପ୍ଲାଟଫର୍ମରେ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ମିଳୁଥିବାର ଏହାର ପ୍ରସାର  ବଢ଼ୁଛି । ଏହାସହ ବଢୁଛି ସାଇବର୍‌ ଠକେଇ । ସ୍ମାର୍ଟ ଫୋନ୍‌, ଲାପ୍‌ଟପ, ଏଟିଏମ୍‌ ବ୍ୟବହାର କରୁଥିବା ଦୃଷ୍ଟିବାଧିତ ମଧ୍ୟ ସାଇବର ଅପରାଧର  ଶିକାର ହେଉଛନ୍ତି । ଏଥିରେ ରୋକ ଲଗାଇବା ସହ ଦୃଷ୍ଟି ବାଧିତଙ୍କୁ ସଚେତନତା କରିବା ପାଇଁ  ପଦକ୍ଷେପ ନେଇଛି ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ  (ଆରବିଆଇ) । ଦୃଷ୍ଟି ବାଧିତଙ୍କ ପାଠ୍ୟକ୍ରମରେ  ସାମିଲ ହେବ ୪ଟି ପୁସ୍ତକ । ଶନିବାର ଭୁବନେଶ୍ୱର ଓଡ଼ିଶା ଆସୋସିଏସନ ଫର୍‌ ଦି  ବ୍ଲାଇଣ୍ଡ୍‌ ପରିସରରେ ଏହାର ଲୋକାର୍ପଣ କାର୍ଯ୍ୟକ୍ରମ  ରହିଛି । ବ୍ରହ୍ମପୁର ବ୍ରେଲି ମୁଦ୍ରଣାଳୟରେ ପ୍ରଥମ  ପର୍ଯ୍ୟାୟରେ ୮ ଶହ ପୁସ୍ତକ ମୁଦ୍ରିତ ହୋଇଥିବା  ମ୍ୟାନେଜର ପ୍ରକାଶ ନାରାୟଣ ରଥ କହିଛନ୍ତି ।

ସଭିଙ୍କୁ ଲାଗିଛି ଆଧୁନିକତାର ଛାପ । ଭିନ୍ନକ୍ଷମଙ୍କ  ଠାରୁ ଆରମ୍ଭ କରି ଦୃଷ୍ଟି ବାଧିତ ସଭିଏଁ ସ୍ମାର୍ଟ ଫୋନ୍‌  ବ୍ୟବହାର କରୁଛନ୍ତି । ସେମାନଙ୍କୁ ସଶକ୍ତ କରିବାକୁ ସରକାର ୨୦୧୬ ପରଠୁ ଯୁକ୍ତ ୩ରେ ପଢ଼ୁଥିବା  ଦୃଷ୍ଟିହୀନ ବିଦ୍ୟାର୍ଥୀଙ୍କୁ ଲାପ୍‌ଟପ ମଧ୍ୟ ଦେଉଛନ୍ତି । ଏପରି ଦିଗରେ ସାଇବର ଅପରାଧ ଦୃଷ୍ଟିବାଧିତଙ୍କ  ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ବହୁ  ଦୃଷ୍ଟିବାଧିତ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।  କେହି ଆଇଏଏସ୍‌ ହେଲେଣି ତ ଅନେକ ସରକାରୀ  ଅଧିକାରୀ ଓ କର୍ମଚାରୀ ଭାବେ କାର୍ଯ୍ୟ କରୁଛନ୍ତି ।  ଅତ୍ୟାଧୁନିକ ଜ୍ଞାନକୌଶଳକୁ ବ୍ୟବହାର କରୁଛନ୍ତି । ଏଟିଏମ୍‌ ବ୍ୟବହାର କରୁଛନ୍ତି । ଏହି ସମୟରେ  ସେମାନେ ଠକେଇର ଶିକାର ହେବା ଆଶଙ୍କା  ଅଧିକ ରହିଛି । ଦୃଷ୍ଟିବାଧିତଙ୍କୁ ସଚେତନ କରିବା  ପାଇଁ ଆର୍‌ବିଆଇ ୪ଟି ପୁସ୍ତକ ବ୍ରେଲି ଅକ୍ଷରରେ  ମୁଦ୍ରଣ କରୁଛି । ଏଥିରେ ଫିସିଙ୍ଗ୍‌ ଲିଙ୍କ୍‌, ଭିସିଂ କଲ, ଏଟିଏମ୍‌ କାର୍ଡ ସିମିଂ, ଲଟେରୀ, ଅନ୍‌ଲାଇନ ଚାକିରି,  ନକଲି ଋଣ ଆପ ଠକେଇ, ସିମ୍‌ ଅଦଳବଦଳ ପରି ୪୦ରୁ ଅଧିକ ଠକେଇ ପ୍ରଣାଳୀରୁ କିପରି ସୁରକ୍ଷିତ ରହିବେ ସେ ନେଇ ପୁସ୍ତକରେ ରହିଛି ।

ବ୍ରହ୍ମପୁର ରେଡକ୍ରସ୍‌ କମ୍ପ୍ୟୁଟରାଇଜ  ବ୍ରେଲି ପ୍ରେସ୍‌ ପରିଚାଳକ ପ୍ରକାଶ ନାରାୟଣ ରଥ  କହିଛନ୍ତି, ଦୃଷ୍ଟିହୀନଙ୍କ ପାଇଁ ମୁଦ୍ରଣ କରୁଥିବା  ୪ଟି ପୁସ୍ତକ ହେଲା ‘ରାଜୁ ଓ ଚାଳିଶି ଚୋର’,  ‘ସତର୍କ ପରିବାର’, ‘ସତର୍କ ରୁହନ୍ତୁ’ ଓ ‘ଆର୍ôଥକ  ସଚେତନତା ବାର୍ତ୍ତା’ । ଏହାସହ ୭୨ ପୃଷ୍ଠା ବିଶିଷ୍ଟ  ଆର୍ôଥକ ସଚେତନତା ବାର୍ତ୍ତାର ୮ଶହ ପୁସ୍ତକ  ଛପା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି  ୱାର୍ଲ୍‌ଡ ବ୍ରେଲି ଡେ’ରେ ଏହାର ଲୋକାର୍ପଣ  ହେବ । ସେହିପରି ଅନ୍ୟ ସମସ୍ତ ପୁସ୍ତକର  ହଜାରେ ଲେଖାଏଁ କପି ମୁଦ୍ରିତ ପ୍ରକ୍ରିୟା ଜାରି  ରହିଛି । ଆଗାମୀ ବର୍ଷର ପାଠ୍ୟକ୍ରମରେ ଅଷ୍ଟମରୁ  ଦ୍ୱାଦଶ ଶ୍ରେଣୀ ବିଦ୍ୟାର୍ଥୀ ଏହା ଅଧ୍ୟୟନ କରିବେ ।  ଦୃଷ୍ଟିବାଧିତ ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି,  ସାଧାରଣ ଲୋକଙ୍କ ଠାରୁ ଆମ ପାଇଁ ମୋବାଇଲ୍‌,  ଲାପ୍‌ଟପ୍‌ ଆଦି ବ୍ୟବହାର କରିବା ଅଧିକ  ଚ୍ୟାଲେଞ୍ଜ ରହୁଛି । ଦୃଷ୍ଟିହୀନ ଶିକ୍ଷିତ ଯୁବକ ଯୁବତୀ  ଅନେକ ସରକାରୀ ଅଫିସ୍‌ରେ କାମ କରୁଛନ୍ତି ।  ସେମାନେ ମୋବାଇଲ୍‌, ଲାପ୍‌ଟପ୍‌, ଅନଲାଇନ୍‌  ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି । ଦିନକୁ ଦିନ  ସାଇବର ଠକେଇର ମାଧ୍ୟମ ବଢ଼ୁଛି । ଏ ଦିଗରେ ଆରବିଆଇ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ ।

 

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.