Breaking News

ଦେହ ମନକୁ ସୁସ୍ଥ ରଖେ ନୃତ୍ୟ

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରୀରିକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଦିନଯାକର ପରିଶ୍ରମ ସାଙ୍ଗକୁ ମାନସିକ ଚିନ୍ତା ଆମ ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପକାଇଥାଏ।

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରୀରିକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଦିନଯାକର ପରିଶ୍ରମ ସାଙ୍ଗକୁ ମାନସିକ ଚିନ୍ତା ଆମ ଜୀବନଶୈଳୀ ଉପରେ ଅନେକ ପ୍ରଭାବ ପକାଇଥାଏ। ସେଥିରୁ ମୁକ୍ତି ପାଇବାକୁ ଆଉ ନିଜକୁ ଫୁର୍ତ୍ତି ରଖିବାକୁ କିଏ ଯୋଗର ସାହାରା ନିଅନ୍ତି ତ କିଏ ସୁଷମ ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଳ୍ପ କିଛି ମୂହୁର୍ତ୍ତର ଡ୍ୟାନ୍ସ ବି ଆମ ମନ ଓ ମସ୍ତିଷ୍କକୁ ସତେଜ କରିବାର କ୍ଷମତା ରଖିଥାଏ। ନିୟମିତ ରୂପରେ କରାଯାଉଥିବା ଏହି ଡ୍ୟାନ୍ସ ଆମକୁ ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଅନେକ ରୋଗରୁ ମଧ୍ୟ ରକ୍ଷା କରିଥାଏ। ଯେମିତିକି:

 ମନକୁ ଫୂର୍ତ୍ତି ରଖେ: ଆଜିର ବ୍ୟସ୍ତମୟ ଜୀବନ ଭିତରେ ଛୋଟ ଛୋଟ କଥାକୁ ନେଇ ଦୁଶ୍ଚିନ୍ତାରେ ରହିବା କିମ୍ବା କୌଣସି ଘଟଣା ସମ୍ପର୍କରେ ଭାବି ମନ ଭିତରେ ଭୟ ଆସିବା ଯେମିତି ଆମର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ତେଣୁ ଏଭଳି ପରିସ୍ଥିତିରେ ମନକୁ ଶାନ୍ତ ରଖିବା ପାଇଁ ଡ୍ୟାନ୍ସ ଥେରାପି ଏକ ଭଲ ବିକଳ୍ପ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଥାନ୍ତି। କିଛି ସମୟ ନାଚିବା ଦ୍ୱାରା ମନରୁ କେବଳ ଅବସାଦ ଦୂର ହୁଏ ତାହା ନୁହେଁ, ନିଜକୁ ବେଶ୍‌ ଫୂର୍ତ୍ତି ବି ଲାଗିଥାଏ। କାମ କରିବା ପାଇଁ ମଧ୍ୟ ଆତ୍ମବିଶ୍ୱାସ ବଢ଼େ।
 ଶରୀରକୁ ଶକ୍ତି ଦିଏ: ଡ୍ୟାନ୍ସ କରିବା ଦ୍ୱାରା ଆଳସ୍ୟ ଦୂର ହୋଇ ଶରୀର ଫୂର୍ତ୍ତି ଲାଗେ। ସରଳରେ କହିବାକୁ ଗଲେ, ନୃତ୍ୟ ଶରୀରରେ ଊର୍ଜାର ସ୍ତରକୁ ଖୁବ୍‌ ବଢ଼ାଇଦିଏ। ଏପରିକି କେତେକ ସର୍ବେକ୍ଷଣରୁ ପ୍ରମାଣିତ ହୋଇଛି ଯେ, ପ୍ରତିଦିନ କିଛି ସମୟ ନୃତ୍ୟାଭ୍ୟାସ କରୁଥିବା ବ୍ୟକ୍ତିଙ୍କର କାର୍ଯ୍ୟ କରିବାର କ୍ଷମତା ନୃତ୍ୟ କରୁ ନଥିବା ବ୍ୟକ୍ତିଙ୍କ ତୁଳନାରେ ଯଥେଷ୍ଟ ଅଧିକ ହୋଇଥାଏ।
 ଏକାଗ୍ରତା ବଢ଼ାଏ: ଡ୍ୟାନ୍ସ କରିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ; ଯଦ୍ଦ୍ବାରା ବ୍ୟକ୍ତି ନିଜ ଜୀବନରେ ପୂର୍ବାପେକ୍ଷା ଅଧିକ ଅନୁଶାସିତ ହୋଇଯା’ନ୍ତି। କେବଳ ସେତିକି ନୁହେଁ, ପ୍ରତିଦିନ କିଛି କିଛି ସମୟ ନୃତ୍ୟ ଅଭ୍ୟାସ କରିବା ଫଳରେ ଆତ୍ମବିଶ୍ୱାସ ବି ବୃଦ୍ଧିପାଏ।
 ଶରୀରରେ ରକ୍ତ ସଂଚାଳନ ଠିକ୍‌ ରଖେ: ଡ୍ୟାନ୍ସ କରିବା ଦ୍ୱାରା ଶରୀରର ପ୍ରତ୍ୟେକଟି ଅଙ୍ଗ ଚଳଚଞ୍ଚଳ ହୁଏ; ଯାହାଦ୍ବାରା ପୂରା ଶରୀରରେ ରକ୍ତ ସଂଚାଳନ ଠିକ୍‌ ଭାବରେ ହୋଇଥାଏ। ଶରୀରରେ ରକ୍ତ ସଂଚାଳନ ଠିକ୍‌ ହେଲେ ଅନେକ ରୋଗ ହେବାର ଆଶଙ୍କା ବି କମିଯାଏ।
 ହୃଦୟକୁ ସୁସ୍ଥ ରଖେ: ହୃଦ୍‌ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ପାଇଁ ଡ୍ୟାନ୍ସ ଏକ ଉତ୍ତମ ଗତିବିଧି ବୋଲି ଅନେକେ ମତ ଦେଇଥା’ନ୍ତି। କିନ୍ତୁ ସେମାନେ ସ୍ପିଡ୍‌ ଡ୍ୟାନ୍ସ କରିବା ଠିକ୍‌ ନୁହେଁ। ସୁମଧୁର ସଙ୍ଗୀତର ତାଳେ ତାଳେ ହାଲୁକା ଭାବେ କିଛି ସମୟ ନୃତ୍ୟ କରିବା ଦ୍ୱାରା ସେମାନଙ୍କର ହୃଦ୍‌ସ୍ପନ୍ଦନ ଠିକ୍‌ ହେବା ସହିତ ସ୍ବାସ୍ଥ୍ୟରେ ମଧ୍ୟ ଅନେକ ଉନ୍ନତି ଆସିଥାଏ ବୋଲି ସୂଚନା ରହିଛି।
 ଓଜନ କମାଏ: ନିୟମିତ କିଛି ସମୟ ନାଚ କରିବା ଦ୍ୱାରା ଶରୀରରୁ କିଛି କ୍ୟାଲୋରି ଖର୍ଚ୍ଚ ହୁଏ; ଯଦ୍ଦ୍ବାରା ଏହା ଶରୀରର ଓଜନ କମାଇବାରେ ବିଶେଷ ସହାୟକ ହୋଇଥାଏ। ଏଥିପାଇଁ ଫ୍ରିଷ୍ଟାଇଲ୍‌ ଡ୍ୟାନ୍ସ ହେଉଛି ସବୁଠୁ ଭଲ ବିକଳ୍ପ। ଫାଷ୍ଟ ମ୍ୟୁଜିକ୍‌ରେ ଡ୍ୟାନ୍ସ କରିବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଯାଏ। ଫଳରେ ଶରୀରରେ ଜମା ହୋଇ ରହିଥିବା ଚର୍ବି ଅଂଶ ଧୀରେ ଧୀରେ କମିବାକୁ ଲାଗେ। ଯଦ୍ଦ୍ବାରା ଶରୀରର ମୋଟାପଣ କମି ଧୀରେ ଧୀରେ ଶରୀର ସୁଗଠିତ ହୁଏ।
 ଶରୀର ଚଳଚଞ୍ଚଳ ହୁଏ: ଶରୀରର କୌଣସି ସ୍ଥାନ ହଠାତ୍‌ ମୋଡ଼ି କିମ୍ବା ମକଚି ହୋଇଗଲେ ଆମକୁ ଭୀଷଣ କଷ୍ଟ ହୋଇଥାଏ। ବଡି ମୁଭ୍‌ମେଣ୍ଟ ଠିକ୍‌ରେ ନ ହେଲେ ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥା’ନ୍ତି। କିନ୍ତୁ ଯେଉଁମାନେ ନିୟମିତ କିଛି କିଛି ସମୟ ନୃତ୍ୟାଭ୍ୟାସ କରିଥା’ନ୍ତି, ସେମାନଙ୍କର ବଡି ମୁଭ୍‌ମେଣ୍ଟ ବହୁତ ଭଲ ଭାବରେ ହୋଇଥାଏ। ଫଳରେ ସେମାନଙ୍କଠାରେ ଆଣ୍ଠୁଗଣ୍ଠି ଦରଜ ହେବାର ସମସ୍ୟା କମ୍‌ ରହେ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.