Breaking News

ଦ୍ବୈତନଗରୀରେ ବଢ଼ୁଛି ଅପରାଧୀଙ୍କ ଦୌରାତ୍ମ୍ୟ: ବର୍ଷକରେ ଗଡ଼ିଛି ୮୯ ମୁଣ୍ଡ

ଦ୍ବୈତନଗରୀରେ ୨୦୨୪ରେ ୮୯ଟି ହତ୍ୟାକାଣ୍ଡ ଘଟିଛି। ରାଜଧାନୀରେ ୬୬ ଓ କଟକରେ ୨୩ ମୁଣ୍ଡ ଗଡ଼ିଛି। ଅର୍ଥାତ୍‌ ପ୍ରତି ସପ୍ତାହରେ ଗୋଟିଏ ହତ୍ୟାକାଣ୍ଡ ଘଟିଛି। ରାଜଧାନୀବାସୀଙ୍କୁ ସିନ୍ଧିଚୋରି ହରବର କରୁଥିବା ବେଳେ କଟକରେ ଡକାୟତି ବଢ଼ିଛି।

ଭୁବନେଶ୍ବର: ଦ୍ବୈତନଗରୀରେ ୨୦୨୪ରେ ୮୯ଟି ହତ୍ୟାକାଣ୍ଡ ଘଟିଛି। ରାଜଧାନୀରେ ୬୬ ଓ କଟକରେ ୨୩ ମୁଣ୍ଡ ଗଡ଼ିଛି। ଅର୍ଥାତ୍‌ ପ୍ରତି ସପ୍ତାହରେ ଗୋଟିଏ ହତ୍ୟାକାଣ୍ଡ ଘଟିଛି। ରାଜଧାନୀବାସୀଙ୍କୁ ସିନ୍ଧିଚୋରି ହରବର କରୁଥିବା ବେଳେ କଟକରେ ଡକାୟତି ବଢ଼ିଛି। ପୁଲିସ ହଜାରେରୁ ଅଧିକ ଗିରଫ କରିବା ସହ ପ୍ରାୟ ୬୨ଲକ୍ଷ ଟଙ୍କା ଓ ସାଢ଼େ ୫କେଜି ସୁନାଗହଣା ଜବତ କରିଛି। ସେହିଭଳି ବର୍ଷକରେ ସାଇବର ଲୁଟେରା ୮୨କୋଟି ଟଙ୍କା ଲୁଟି ନେଇଛନ୍ତି। ଆଜି କମିସନରେଟ୍‌ ପୁଲିସର ବାର୍ଷିକ ରିପୋର୍ଟରେ ଅପରାଧର ଏମିତି ଚିତ୍ର ନଜରକୁ ଆସିଛି। ୨୦୨୩ରେ ଦ୍ବୈତନଗରୀରେ ରୁଜୁ ହୋଇଥିବା ୧୯,୪୧୦ ମାମଲା ବଢ଼ି ୨୦୨୪ରେ ୨୧,୬୧୩ରେ ପହଞ୍ଚିଛି। ଭୁବନେଶ୍ବରରେ ସର୍ବାଧିକ ମାମଲା ରୁଜୁ ହୋଇଛି। ୨୦୨୩ରେ ଭୁବନେଶ୍ବରରେ ୧୧,୯୭୫ ଓ ୨୦୨୪ରେ ୧୪,୪୧୬ ମାମଲା ରୁଜୁ ହୋଇଛି। ପୂର୍ବ ବର୍ଷ ତୁଳନାରେ ୨୦.୧୮% ମାମଲା ବଢ଼ିଛି। କଟକରେ ମାମଲା ସଂଖ୍ୟା କମିଛି। ୨୦୨୩ରେ କଟକରେ ୭,୪୩୫ ଓ ୨୦୨୪ରେ ୭,୨୨୧ଟି ମାମଲା ରୁଜୁ ହୋଇଛି। ରାଜଧାନୀରେ ୨୦୨୩ରେ ୧୪ଟି ଡକାୟତି, ୫୮୭ଟି ଛିନ୍‌ତାଇ, ୪୬୫ଟି ସିନ୍ଧିଚୋରି, ୧୯୪୩ଟି ଚୋରି, ୧୦୦୫ଟି ଠକେଇ, ୫୬ଟି ଦଙ୍ଗା, ୧୩୫ଟି ଦୁଷ୍କର୍ମ,  ୭୯୨ଟି ଦୁର୍ଘଟଣା ଏବଂ ୬୯୨୬ଟି ଅନ୍ୟାନ୍ୟ ଆପରାଧିକ ମାମଲା ରୁଜୁ କରାଯାଇଥିଲା।

ଉପରମୁହଁା ରାଜଧାନୀରେ ହତ୍ୟା କଟକରେ ଡକାୟତି

୨୦୨୪ରେ ୬ଟି ଡକାୟତି, ୩୯୨ଟି ଛିନ୍‌ତାଇ, ୩୬୯ଟି ସିନ୍ଧିଚୋରି, ୧୮୧୯ଟି ଚୋରି, ୧୩୧୪ଟି ଠକେଇ, ୪୪ଟି ଦଙ୍ଗା, ୧୩୭ଟି ଦୁଷ୍କର୍ମ,  ୮୬୬ଟି ଦୁର୍ଘଟଣା ଏବଂ ୯୩୭୯ଟି ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି। ଭୁବନେଶ୍ବର ୟୁପିଡି ଗତ ୨୦୨୪ରେ ୧୧୨୫ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୬୧,୭୩,୮୯୦ଟଙ୍କା, ୫କେଜି ୫୧୬ ଗ୍ରାମର ସୁନାଗହଣା, ୧୫କେଜି ୭୦୫ଗ୍ରାମର ରୁପା ଜିନିଷ ଓ ୭୭୯ଟି ମୋବାଇଲ୍‌ ଜବତ କରିଛି। କଟକରେ ୨୦୨୪ରେ ୪ଟି ଡକାୟତି, ୯୫ଟି ରାହାଜାନୀ, ୧୭୩ଟି ସିନ୍ଧିଚୋରି, ୭୦୪ଟି ଚୋରି, ୪୬୬ଟି ଠକେଇ, ୧୦ଟି ଦଙ୍ଗା, ୯୭ଟି ଦୁଷ୍କର୍ମ,  ୪୪୮ଟି ଦୁର୍ଘଟଣା ଏବଂ ୫୪୧୨ଟି ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି। ୨୦୨୪ରେ ୫ଟି ଡକାୟତି, ୮୦ଟି ରାହାଜାନୀ, ୧୬୬ଟି ସିନ୍ଧିଚୋରି, ୭୮୬ଟି ଚୋରି, ୪୧୫ଟି ଠକେଇ, ୯ଟି ଦଙ୍ଗା, ୮୬ଟି ଦୁଷ୍କର୍ମ,  ୪୧୩ଟି ଦୁର୍ଘଟଣା ଏବଂ ୫୨୩୮ଟି ଅନ୍ୟାନ୍ୟ ଆପରାଧିକ ମାମଲା ରୁଜୁ କରାଯାଇଛି।

୨୦୨୪ରେ ସର୍ବାଧିକ ୭୨୬୩ ସାଇବର ଠକେଇ ମାମଲା ରୁଜୁ କରାଯାଇଛି। ସାଇବର ଠକମାନେ ୮୨କୋଟି ୫୩ ଲକ୍ଷ ୫୬ହଜାର ଟଙ୍କା ଲୁଟିଛନ୍ତି। ପୁଲିସ ୩୮ସାଇବର ଠକଙ୍କୁ ଗିରଫ କରିଛି ଏବଂ ଅଢ଼େଇ କୋଟି ଟଙ୍କା ଲୋକଙ୍କୁ ଫେରାଇଛି। ପ୍ରାୟ ୨୩.୬ କୋଟି ଟଙ୍କା ଫ୍ରିଜ୍‌ କରିଛି ପୁଲିସ। ୨୦୨୩ରେ ୪୮୩୨ଟି ମାମଲା ରୁଜୁ କରାଯାଇଥିଲା। ସାଇବର ଠକ ୪୨.୬୧କୋଟି ଟଙ୍କା ଲୁଟିଥିଲେ। ପୁଲିସ ଠକଙ୍କ କବ୍‌ଜାରୁ ମାତ୍ର ୯୫.୭୬ଲକ୍ଷ ଟଙ୍କା ଫେରାଇଆଣିଥିଲା ଏବଂ ୧୮.୨୩ କୋଟି ଟଙ୍କା ଫ୍ରିଜ୍‌ କରିଥିଲା। ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପିନାକ ମିଶ୍ର ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.