Breaking News

ଦୟାନଦୀରୁ ଦିନରାତି ଉଠୁଛି ବାଲି: ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଶହଶହ ଗାଡ଼ି ଧୂଳି ଉଡ଼ାଇ ଯାଉଛି

ଧଉଳି ଥାନା ଟିକରପଡ଼ା ପଞ୍ଚାୟତ ଅଧୀନ କଲ୍ୟାଣପୁରଶାସନ ଦୟ‌ାନଦୀ ପଠାରୁ ଚୋରାରେ ବ୍ୟାପକ ବାଲି ଚାଲାଣ ଚାଲିଛି। ଦିନରାତି ମାଫିଆମାନେ ବେଧଡ଼କ ବାଲି ଉଠାଇ ନେଉଛନ୍ତି। ମାଫିଆମାନେ ଏମିତି ବାଲି ତାଡ଼ୁଛନ୍ତି, ଯେମିତି ନିଲାମ ଘାଟ। ଶହଶହ ଟ୍ରିପ୍‌ ବାଲି ଉଠାଇ ନିଆଯାଉଛି।

ଧଉଳି: ଧଉଳି ଥାନା ଟିକରପଡ଼ା ପଞ୍ଚାୟତ ଅଧୀନ କଲ୍ୟାଣପୁରଶାସନ ଦୟ‌ାନଦୀ ପଠାରୁ ଚୋରାରେ ବ୍ୟାପକ ବାଲି ଚାଲାଣ ଚାଲିଛି। ଦିନରାତି ମାଫିଆମାନେ ବେଧଡ଼କ ବାଲି ଉଠାଇ ନେଉଛନ୍ତି। ମାଫିଆମାନେ ଏମିତି ବାଲି ତାଡ଼ୁଛନ୍ତି, ଯେମିତି ନିଲାମ ଘାଟ। ଶହଶହ ଟ୍ରିପ୍‌ ବାଲି ଉଠାଇ ନିଆଯାଉଛି। ଜେସିବି, ଟ୍ରକ୍‌, ଟ୍ରାକ୍ଟର ଲଗାଇ ବାଲି ବୁହାଚାଲିଛି। ଅଥଚ ଜିଲ୍ଲା ପ୍ରଶାସନ ନିଦାବିଷ୍ଣୁ। ଭୁବନେଶ୍ବର ତହସିଲ ଅଧୀନରେ ଥିବା ଏହି ଅଞ୍ଚଳର ରାଜସ୍ବ ବିଭାଗ, ଲଘୁ ଖଣିଜ ବିଭାଗ କାହାର ନିଘା ନାହିଁ। ମାଫିଆମାନଙ୍କ ଦୌରାତ୍ମ୍ୟ ସାମ୍ନାରେ ପ୍ରତିବାଦ ବା ପ୍ରତିରୋଧ କରିବାକୁ ସ୍ଥାନୀୟ ଲୋକଙ୍କ ଜୁ ନାହିଁ। ସମସ୍ତେ ନିରବଦ୍ରଷ୍ଟା।

ସ୍ଥାନୀୟ କିଛି ଲୋକ ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ବଡ଼ବଡ଼ ଲୋକ(ରାଜନେତା)ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ବାଲି ଚାଲାଣ ଚାଲିଛି। ତେଣୁ ସରକାରୀ ଅଧିକାରୀଙ୍କ ମୁହଁ ବନ୍ଦ। ସନ୍ଧ୍ୟାରୁ ଭୋର୍‌ ପର୍ଯ୍ୟନ୍ତ ନଦୀପଠାକୁ ଜେସିବିଗୁଡ଼ିକ ବିଦାରି ପକାଉଛନ୍ତି। ଜେସିବି ପଛକୁ ଅପେକ୍ଷା କରି ରହିଥିବା ଶହଶହ ଟ୍ରାକ୍ଟର ଓ ଟ୍ରକ୍‌ ବାଲି ବୋଝେଇ କରି ବୋହି ନେଉଛନ୍ତି। ଦିନରେ ଜେସିବି ବନ୍ଦ ରହୁଥିଲେ ବି ରାତିରେ ତାଡ଼ିଥିବା ବାଲିକୁ ଟ୍ରାକ୍ଟର ବୋହିନେଉଛି। ବଡ଼ ସମସ୍ୟା ହେଉଛି ସେମାନେ ନଦୀପଠାରୁ ନଦୀବନ୍ଧକୁ ଉଠିବା ପାଇଁ ଅବାଟରେ ବାଟ ଫିଟାଇ ଦେଉଛନ୍ତି। ଫଳରେ ନଦୀବନ୍ଧ ଦୁର୍ବଳ ହେଉଛି। ଭବିଷ୍ୟତରେ ବନ୍ୟା ବେଳେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ବିପଦର କାରଣ ହେବ। ଟିକରପଡ଼ା, କଲ୍ୟାଣପୁରଶାସନ, ପଳାଶପୁରଶାସନ ଓ ଗଙ୍ଗେଶ୍ବରପୁରଶାସନ ଅଞ୍ଚଳର କିଛି ସ୍ଥାନୀୟ ବାସିନ୍ଦାଙ୍କ ସୂଚନାନୁସାରେ ଦୟାନଦୀରେ କୌଣସି ବାଲିଘାଟ ନିଲାମ କରାଯାଇନାହିଁ। ଏବେ ଯାହା ଚାଲିଛି ସବୁ ଚୋରା ଘାଟ। ସେମାନେ ମାଫିଆମାନଙ୍କ ଭୟରେ ମୁହଁ ଖୋଲିପାରୁନାହାନ୍ତି। ଏମିତିକି ରାଜସ୍ବ ବିଭାଗର ଅଧିକାରୀମାନେ ବି ସିଧାସଳଖ ଧମକ ପାଇ ଚୁପ୍‌ ବସିବାକୁ ବାଧ୍ୟ ହେଉଛନ୍ତି। ତେଣୁ ସେମାନେ ଏହି ଚୋରା କାରବାରରୁ ହାତ ଚିକ୍କଣ କରିବା ବାଟକୁ ଆପଣେଇ ନେଇଛନ୍ତି। ଆଜି ଅଭିଯୋଗ ପାଇବା ପରେ ଏସଂପର୍କରେ ଇଟିପୁର ରାଜସ୍ବ ନିରୀକ୍ଷକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା। ଖୋର୍ଦ୍ଧା ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

ସୌଜନ୍ୟ-ସମ୍ୱାଦ

Comments are closed.