Breaking News

ଦୟା ପଠାରେ ମହିଳାଙ୍କ ଶବ ପାଖରୁ ପର୍ସ ଜବତ ମାମଲା: ହତ୍ୟା ମାମଲାରେ ଫସାଉଥିଲା, ବନ୍ଧାହେଲା

ଗତମାସ ୨୮ ତାରିଖରେ ଧଉଳି ଥାନା ପୁଲିସ ଲିଙ୍ଗିପୁର ନିକଟ ଦୟାନଦୀ ପଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ କରିଥିଲା। ଶ୍ବାସରୁଦ୍ଧ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଛି।

ଧଉଳି: ଗତମାସ ୨୮ ତାରିଖରେ ଧଉଳି ଥାନା ପୁଲିସ ଲିଙ୍ଗିପୁର ନିକଟ ଦୟାନଦୀ ପଠାରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ କରିଥିଲା। ଶ୍ବାସରୁଦ୍ଧ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ତେଣୁ ତାଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରିଛି। କିନ୍ତୁ ମହିଳାଙ୍କ ପରିଚୟ ମିଳିନଥିବାରୁ ସେହି ମାମଲା ଏବେ ବି ଅସମାହିତ ହୋଇ ରହିଛି। ମାତ୍ର ଏହା ଭିତରେ ଘଟିଛି ଏକ ରୋଚକ ଘଟଣା। ମହିଳାଙ୍କ ଶବ ନିକଟରୁ ମିଳିଥିବା ପର୍ସ ପଛରେ ଥିବା ଏକ ସଂଗିନ ଷଡ୍‌ଯନ୍ତ୍ରର ପର୍ଦ୍ଦାଫାସ୍‌ କରିଛି ଧଉଳି ଥାନା ପୁଲିସ। ଜଣଙ୍କୁ ହତ୍ୟାକାରୀ ସଜାଇବାର କାରସାଜି ଧରାପଡ଼ିଯାଇଛି। ହତ୍ୟାକାଣ୍ଡରେ ନିଜ ପ୍ରେମିକାର ସ୍ବାମୀକୁ ଫସାଇବା ଲାଗି ଯୋଜନା କରିଥିବା ଧୂର୍ତ୍ତକୁ ଧଉଳି ଥାନା ପୁଲିସ ବାନ୍ଧିଛି। ଅଭିଯୁକ୍ତ ହେଲା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଟା ଗାଁର ମିଟୁ ପରିଡ଼ା(୩୪)। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଏବଂ ସେଠାରୁ ତାକୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି।

ଘଟଣାଟି ଥିଲା ଏମିତି। ମିଟୁ ଜଣେ ଯୁବତୀଙ୍କୁ ଏକପାଖିଆ ଭଲ ପାଉଥିଲା। ଯୁବତୀ ଓ ମିଟୁ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲେ ହେଁ ପ୍ରେମ ସମ୍ପର୍କ ନଥିଲା। କିନ୍ତୁ ମିଟୁ ମନେମନେ ତାଙ୍କୁ ଭଲ ପାଇ ବସିଥିଲା। ଏହା ଭିତରେ ଯୁବତୀଙ୍କ ବାହାଘର ହୋଇଗଲା ଏବଂ ସେ ସ୍ବାମୀଙ୍କ ସହ ଯାଜପୁର ଜିଲ୍ଲା କାଳିଆପାଣି ଚାଲିଗଲେ। ଏଥିରେ ମିଟୁ ଭାଙ୍ଗିପଡ଼ିଥିଲା। ପ୍ରେମିକାର ସ୍ବାମୀ ଉପ‌ରେ ତା’ର ରାଗ ବଢ଼ିଯାଇଥିଲା। ପ୍ରେମିକାର ସ୍ବାମୀଙ୍କୁ କିଭଳି ବଦନାମ କରିବ ବା କୌଣସି ଅପରାଧରେ ଫସାଇବ, ସେହି ଚିନ୍ତାରେ ସେ ବାଟ ଖୋଜିବାରେ ଲାଗିଲା। ଏହା ଭିତରେ ପ୍ରେମିକାଙ୍କର ଆର୍ଥିକ ଅବସ୍ଥା ବିଗିଡ଼ିବା ଆରମ୍ଭ ହୋଇଯାଇଥିଲା। ତାଙ୍କ ସ୍ବାମୀ ବ୍ୟବସାୟ କରିବା ଲକ୍ଷ୍ୟରେ ବ୍ୟାଙ୍କ୍‌ ଋଣ କରିବାକୁ ଚେଷ୍ଟା କରୁଥିଲେ। ମିଟୁର ଏସବୁ ଲାଇନ୍‌ରେ ଭଲ ଦକ୍ଷତା ଥିବାରୁ ଯୁବତୀଜଣକ ବନ୍ଧୁ ହିସାବରେ ତା’ର ସହଯୋଗ ଲୋଡ଼ିଲେ। ମିଟୁ ଏମିତି ଏକ ସୁଯୋଗ ଅପେକ୍ଷାରେ ଥିଲା। ସେ ବ୍ୟାଙ୍କ ଋଣ କରାଇଦେବ ବୋଲି ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସ୍ବାମୀଙ୍କ ଆଧାରକାର୍ଡ, ଭୋଟର ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍‌ସ, ବ୍ୟାଙ୍କ୍‌ ଆକାଉଣ୍ଟ ଆଦି କାଗଜପତ୍ର ମଗାଇଥିଲା। ବିଶ୍ବାସ କରି ଯୁବତୀଜଣକ ଏସବୁ ମିଟୁ ପାଖକୁ ପଠାଇ ଦେଇଥିଲେ। ପ୍ରେମିକା ସ୍ବାମୀର କାଗଜପତ୍ର ହାତେଇବା ପରେ ମିଟୁ ତାଙ୍କୁ ଫସାଇବାକୁ ନୀଳ-ନକ୍‌ସା ଆଙ୍କିବାରେ ଲାଗି ପଡ଼ିଲା। ଠିକ୍‌ ଏତିକିବେଳେ ଦୟା ନଦୀ ପଠାରୁ ଜଣେ ଅପରିଚିତ ମହିଳାଙ୍କ ଗଳିତ ଶବ ଠାବ ହେଲା। ମିଟୁ ପାଇଁ ମିଳିଗଲା ମଉକା। ପୁଲିସ ଶବ ଜବତ କରିବା ପୂର୍ବରୁ ମିଟୁ ସେଠାରେ ପହଞ୍ଚି ଲୋକଙ୍କ ଗହଳି ଭିତରେ ଗୋଟିଏ ପର୍ସ ପକାଇଦେଲା। ସେହି ପର୍ସରେ ତା ପ୍ରେମିକାଙ୍କ ସ୍ବାମୀର ସମସ୍ତ ରେକର୍ଡପତ୍ର ଥିଲା। ପୁଲିସ ଶବ ଜବତ କଲା ବେଳେ ଉକ୍ତ ପର୍ସ ପାଇଲା ଏବଂ ପର୍ସଟି ନିଶ୍ଚୟ ହତ୍ୟାକାରୀ‌ର ହୋଇଥିବା ଭାବି ପୁଲିସ ଠିକଣା ଅନୁସାରେ ପିଛା କଲା। ଯାଜପୁର କାଳିଆପାଣିରୁ ମିଟୁର ପ୍ରେମିକାଙ୍କ ସ୍ବାମୀକୁ ପୁଲିସ ଉଠାଇଆଣିଲା। ପଚରାଉଚରା ଚାଲିଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଧଉଳି ଥାନାରେ ପହଞ୍ଚି ପର୍ସରେ ଥିବା କାଗଜପତ୍ର ବିଷୟରେ ସୂଚନା ଦେଲେ। ପର୍ସଟି ମିଟୁର ବୋଲି ସେ ଦାବି କଲେ। ଏହା ପରେ ଖୋଲିଥିଲା ମିଟୁର କାରସାଜି। ପୁଲିସ ମିଟୁକୁ ଉଠାଇବା ପରେ ସେ ସବୁ ମାନି ଯାଇଥିଲା।

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.