Breaking News

ଧଉଳି-କଳିଙ୍ଗ ମହୋତ୍ସବ ଉଦ୍‌ଯାପିତ: ରୋମାଞ୍ଚ ଭରିଲା ଶୁମ୍ଭ-ନିଶୁମ୍ଭ ବଧ

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି।

ଧଉଳି: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଆନୁକୂଲ୍ୟରେ ଶାନ୍ତିସ୍ତୂପ ପାଦଦେଶରେ ୩ଦିନ ଧରି ଚାଲିଥିବା ୨୧ତମ ଧଉଳି-କଳିଙ୍ଗ ମହୋତ୍ସବ ଆଜି ଉଦ୍‌ଯାପିତ ହୋଇଛି। ସଂଧ୍ୟାର ପ୍ରଥମ ପରିବେଷଣରେ ଓଡ଼ିଶୀ, କଥକ, ଭାରତନାଟ୍ୟମ୍‍ ଏବଂ ମୋହିନୀଆଟ୍ଟମର ମିଶ୍ରଣରେ ପ୍ରସ୍ତୁତ ଦଳଗତ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା। ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ଖାନକ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ପରଫର୍ମିଂ ଆର୍ଟସ୍‍, ପବିତ୍ର ଆର୍ଟ ଭିଜୁଆଲ୍‍ ଇନଷ୍ଟିଚ୍ୟୁଟ୍‍ ଏବଂ ଇଣ୍ଟରନ୍ୟାସନାଲ୍‍ ଏକାଡେମୀ ଅଫ୍‍ ମୋହିନୀଆଟ୍ଟମ ନୃତ୍ୟ ଅନୁଷ୍ଠାନର ଶିଳ୍ପୀମାନେ ଏହାକୁ ପରିବେଷଣ କରିଥିଲେ। ଏହାପରେ ଶିଳ୍ପୀମାନେ ଗଣେଶ ବନ୍ଦନା  ଶ୍ରୀକୃଷ୍ଣ ଶରଣମ୍‍ ନମଃ ପରିବେଷଣ କରିଥିଲେ।

ଦ୍ୱିତୀୟ ପ୍ରସ୍ତୁତିରେ ବେଙ୍ଗାଲୁରୁର କର୍ଣ୍ଣୁକୋପିଆ କ୍ରିଏସନ୍ସ ଦ୍ୱାରା ଜନାର୍ଦ୍ଦନ ରାଜ ଉର୍ସଙ୍କ ନିର୍ଦ୍ଦେଶନାରେ ସମସାମୟିକ ନୃତ୍ୟ ପରିବେଷିତ ହୋଇଥିଲା। ଅନ୍ତିମ ପର୍ଯ୍ୟାୟରେ ମୟୂରଭଞ୍ଜ ମୟୂର କଳାକେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଛଉ ନୃତ୍ୟରେ ଶୁମ୍ଭ ନିଶୁମ୍ଭ ବଧ ଦର୍ଶକମାନଙ୍କ କରତାଳି ସାଉଁଟିଥିଲା। ଏହାର ନୃତ୍ୟ ସଂରଚନା କରିଥିଲେ ଗୁରୁ ଅଚିନ୍ତ୍ୟ କୁମାର ବେହେରା। ଉଦ୍‍ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି, ବିଶିଷ୍ଟ କଳା ସମୀକ୍ଷକ ଡ. ଲୀଲା ଭେଙ୍କଟରମଣ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ, ସମାଜସେବୀ ସୁମିତ୍ରା ଜେନା ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ଗୁରୁ ଅରୁଣା ମହାନ୍ତି। ଶ୍ରୀନିବାସ ଘଟୁଆରୀ ଏବଂ ନାଜିଆ ଆଲମ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

 

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.