Breaking News

ଧୋନିଙ୍କ ଆଇପିଏଲ୍ ଅବସୋସ: ଧନ୍ୟବାଦ ଦେଲେ ଅଶ୍ବିନ

କ୍ୟାପଟେନ୍ କୁଲ୍ ଧୋନି କ୍ବଚିତ ରାଗନ୍ତି। ପଡ଼ିଆ ଭିତରେ ତ ନିଜ ଭାବନାକୁ ସେ ଆଦୌ ବ୍ୟକ୍ତ କରନ୍ତିନି। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ବରଫ ଭଳି ଶାନ୍ତ ରହିଥା’ନ୍ତି।

ଚେନ୍ନାଇ: କ୍ୟାପଟେନ୍ କୁଲ୍ ଧୋନି କ୍ବଚିତ ରାଗନ୍ତି। ପଡ଼ିଆ ଭିତରେ ତ ନିଜ  ଭାବନାକୁ ସେ ଆଦୌ ବ୍ୟକ୍ତ କରନ୍ତିନି। ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ବରଫ ଭଳି ଶାନ୍ତ ରହିଥା’ନ୍ତି। ହେଲେ ଆଇପିଏଲ୍‌ର ଏକ ମ୍ୟାଚ୍ ବେଳେ ଧୋନିଙ୍କ ଉଗ୍ର ରୂପ ସମସ୍ତଙ୍କୁ ବିସ୍ମିତ କରିଥିଲା। ଏପରିକି ସେ ହଠାତ୍ ପଡ଼ିଆ ଭିତରକୁ ପଶି ଅମ୍ପାୟାରଙ୍କ ସହ ଢେର୍‌ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିବାକୁ ପ୍ରଶଂସକଙ୍କ ସହ ସମଗ୍ର କ୍ରିକେଟ୍ ଜଗତ ସହଜରେ ଗ୍ରହଣ କରି ନଥିଲା। ଏବେ ଧୋନି ସେହି ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ନିଜ ଆଇପିଏଲ୍ କ୍ୟାରିୟରର ସବୁଠୁ ବଡ଼ ଅବସୋସ୍‌ ଭାବେ ବର୍ଣ୍ଣନା କରିଛନ୍ତି ସେ। ଏହି ବିତର୍କିତ ଘଟଣା ଆଇପିଏଲ୍‌ର ୨୦୧୯ ଋତୁରେ ଘଟିଥିଲା। ଚେନ୍ନାଇ ସୁପରକିଙ୍ଗ୍ସ-ରାଜସ୍ଥାନ ରୟାଲ୍ସ ଲିଗ୍ ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ମୋଡ଼ରେ ଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୮ ରନ୍‌ ଦରକାର ଥିଲା ବେଳେ ଚେନ୍ନାଇର ତତ୍‌କାଳୀନ ଅଧିନାୟକ ଧୋନିଙ୍କୁ ତୃତୀୟ ବଲ୍‌ରେ ଶିକାର କରି ନେଇଥିଲେ ରାଜସ୍ଥାନର ଇଂଲିସ୍ ବୋଲର୍‌ ବେନ୍ ‌ଷ୍ଟୋକ୍ସ। ପରବର୍ତ୍ତୀ ବଲ୍ ଅଣ୍ଟା ଉଚ୍ଚରେ ଥିଲା ବେଳେ ଫିଲ୍‌ଡ ଅମ୍ପାୟାର ଉଲ୍ଲାସ ଗାନ୍ଧୀ ପ୍ରଥମେ ଏହାକୁ ନୋ’ ବଲ୍ ଡାକିଥିଲେ। ହେଲେ ଲେଗ୍ ଅମ୍ପାୟାର ବ୍ରୁସ୍ ଅକ୍ସେନଫୋର୍ଡ ଏହାକୁ ନାକଚ କରି ଦେଇଥିଲେ। ଏହା ଦେଖି ଧୋନି ଡଗଆଉଟ୍‌ରୁ ବାହାରି ଉଭୟ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ହେଲେ ଅମ୍ପାୟାର ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ଅବଶ୍ୟ ମିଚେଲ ସାଣ୍ଟନରଙ୍କ ଶେଷ ବଲ୍‌ ଛକାରେ ଚେନ୍ନାଇ ଏହି ତୀବ୍ର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌କୁ ଜିତି ନେଇଥିଲା। ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସହ ଆଲୋଚନା କରି ଏହାକୁ ଏକ ମସ୍ତବଡ଼ ଭୁଲ୍ ଭାବେ ବର୍ଣ୍ଣନା କରିଛନ୍ତି ମାହି।

ପୂର୍ବତନ ଭାରତୀୟ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ବିନ ଆଇପିଏଲ୍‌ରେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳିଛନ୍ତି। ପ୍ରାୟ ଗୋଟିଏ ଦଶନ୍ଧି ପରେ ଅଶ୍ବିନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଶିବିରରେ ଦେଖିବାକୁ ମିଳିଛି। ପିଏସ୍‌ ରମଣଙ୍କ ଦ୍ବାରା ଲିଖିତ ବହି ‘ଲିଓ-ଦ ଅନ୍‌ଟୋଲ୍‌ଡ ଷ୍ଟୋରି ଅଫ୍‌ ସିଏସ୍‌କେ’ ଉନ୍ମୋଚନ ଉତ୍ସବରେ ଅଶ୍ବିନଙ୍କୁ କ୍ରିଷ୍ଣମାଚାରୀ ଶ୍ରୀକାନ୍ତ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅଶ୍ବିନ କହିଛନ୍ତି, ମୋତେ ୨୦୧୧ ଭଳି ଲାଗୁଛି। ୨୦୦୯ରେ ସିଏସ୍‌କେରେ ଯୋଗ ଦେଇଥିଲା ବେଳେ ୨୦୧୦ ଓ ୨୦୧୧ ବିଜେତା ଦଳ ସଦସ୍ୟ ଥି‌ଲେ। ଏହାପରେ ସେ ପଞ୍ଜାବ କିଙ୍ଗ୍ସ, ରାଇଜିଂ ପୁଣେ ସୁପରଜାଏଣ୍ଟସ୍‌, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସରୁ ପ୍ରତିନିଧିତ୍ବ କରିଥିଲେ। ୩୮ ବର୍ଷୀୟ ତାମିଲନାଡ଼ୁ କ୍ରିକେଟର୍‌ ୧୬ତମ ଆଇପିଏଲ୍‌ ଋତୁରେ ନିଜ ଘରୋଇ ଦଳକୁ ଫେରିଥିଲେ।

‘‘ସବୁଠି ବୁଲି ଖେଳିବା ଏବଂ ଏହାର ସ୍ବାଦ ପାଇବା ଅଲଗା ଅନୁଭବ ଦେଇଛି। ଏହା ଅନେକ ଶିକ୍ଷା ଦେଇଛି, କିନ୍ତୁ ଗୋଟିଏ କଥା ଯେ ସିଏସ୍‌କେ ଏକ ବିକଶିତ ଦଳ ହୋଇ ରହିଛି। ‌ମୋର ସେହି ସମୟ ଅଭିଲେଖାଗାରରେ ରହିଯାଇଛି। ଆଜି ବିଶ୍ବ କ୍ରିକେଟ୍‌, କର୍ପୋରେଟ୍‌ ହୋଇଯାଇଛି। ‌କୌଣସି ବ୍ୟବସାୟୀ ‌କ୍ଷତି ଚାହାନ୍ତିନି, ମୁଁ ବୁଝିପାରୁଛି। ଦଳଗୁଡ଼ିକରେ ବହୁ ପରିବର୍ତ୍ତନ ହୋଇଛି। କିନ୍ତୁ ୨୦୧୫ରେ ଦଳ ଛାଡ଼ିବାପରେ ଏବେ ଦେଖୁଛି ଦଳରେ କିଛି ପରିବର୍ତ୍ତନ ହୋଇନି। ଏହା ହେଉଛି ପ୍ରକୃତରେ କ୍ରିକେଟ୍‌। କ୍ରିକେଟ୍‌ମୁଖୀ କଲେ ହିଁ ଦଳ ସଫଳତା ପାଇପାରିବ’’। ୧୦୦ତମ ଟେଷ୍ଟ୍‌ ପରେ ଅଶ୍ବିନ କ୍ରିକେଟ୍‌ ଛାଡ଼ିବା ଚିନ୍ତା କରିଥିଲେ। ଗତ ବର୍ଷ ଧର୍ମଶାଳାରେ ସେ ଇଂଲଣ୍ଡ ବିପକ୍ଷରେ ୧୦୦ତମ ଟେଷ୍ଟ୍‌ ଖେଳିଥିଲେ। ‌୧୦୦ତମ ଟେଷ୍ଟ୍‌ ସ୍ମାରକୀ ଦେବା ଲାଗି ଧୋନିଙ୍କୁ ଅଶ୍ବିନ ଡାକିଥିଲେ। ‘‘ମୁଁ ୧୦୦ତମ ଟେଷ୍ଟ୍‌ ସ୍ମାରକୀ ପ୍ରଦାନ କରିବାକୁ ଧୋନିଙ୍କୁ ନିମନ୍ତ୍ରଣ କରିଥିଲି। ଏହାକୁ ମୋର ଶେଷ ଟେଷ୍ଟ୍‌ କରିବାକୁ ଚାହିଥିଲି। ଦୁର୍ଭାଗ୍ୟବଶତଃ ସେ ଆସିପାରି ନଥିଲେ। କିନ୍ତୁ ମୁଁ ଭାବି ନଥିଲି ଯେ ସେ ମୋତେ ସିଏସ୍‌କେକୁ ଫେରାଇଆଣିବାର ଉପହାର ଦେବେ। ଏହା ବହୁତ ଭଲ, ଧନ୍ୟବାଦ ଧୋନି’’ ବୋଲି ଏହି ଅବସରରେ ଅଶ୍ବିନ କହିଛନ୍ତି।

ଆଇପିଏଲ୍‌ ପାଇଁ ହାର୍ଦିକ ପ୍ରସ୍ତୁତ
ଗତବର୍ଷ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବଭାର ନେଇଥିଲେ। ତାଙ୍କର ଏହି ପଦାର୍ପଣ ଋତୁ ଭଲରେ ଯାଇ ନଥିଲା। ହେଲେ ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଓ ଆଇସିସି ଚାମ୍ପିଅନ୍ସ ଟ୍ରଫି ବିଜୟରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ଏହି ସଫଳତା ପରେ ହାର୍ଦିକ ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ୧୮ତମ ଆଇପିଏଲ୍‌ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି। ତାଙ୍କ ଦଳ ରବିବାର ଚେନ୍ନାଇରେ ଘରୋଇ ଦଳ ତଥା ୫ ଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ‌ରେ ଖେଳି ଅଭିଯାନ ଆରମ୍ଭ କରିବ। ଏହା ପୂର୍ବରୁ ହାର୍ଦିକ କହିଛନ୍ତି ଯେ ‘‘ମୁଁ କେବେ ହାର୍‌ ମାନେନି। ମୋ କ୍ୟାରିୟର୍‌ରେ ଏପରି ସମୟ ଆସିଛି, ଯେତେବେଳେ ଜିତିବା ବଦଳରେ ଖେଳ ଉପରେ ଅଧିକ ଧ୍ୟାନ ଦେବାକୁ ଚାହିଛି। ମୁଁ ଅନୁଭବ କରୁଛି ଯେ ମୋ ସହ ଯାହା ଘଟିଲେ ମଧ୍ୟ କ୍ରିକେଟ୍‌ ସର୍ବଦା ମୋ ସହିତ ରହିଛି। ଅସୁବିଧା ବେଳେ ମୁଁ ନିଜକୁ ‌ନିଜେ ପ୍ରେରଣା ଦେଇ କଠିନ ପରିଶ୍ରମ କରିଥାଏ। ଯାହାଫଳରେ ସବୁ ଦୂର ହେବାକୁ ଲାଗେ। ବିଶ୍ବକପ୍‌ ଜିତିଲା ପରେ ଯେଉଁ ଭଲପାଇବା ମିଳିଥିଲା ସେଥିରେ ଖୁସି ହୋଇଯାଇଥିଲୁ। ଏହାପରେ ମୋ ସମୟ ପୂରା ୩୬୦ ଡିଗ୍ରୀ ଘୁରିଯାଇଥିଲା। ମୁଁ ଭାବି ପାରିଲିନି ଏପରି ହେବ। କିନ୍ତୁ ୬ ମାସରେ ସବୁ ବଦଳି ଯାଇଥିଲା’’। ବ୍ୟକ୍ତିଗତ ପ୍ରସ୍ତୁତିକୁ ନେଇ ସେ କହିଛନ୍ତି ଯେ ମୁଁ ଆଇପିଏଲ୍‌ରେ ପ୍ରାୟ ୧୧ ବର୍ଷ ଖେଳିଲିଣି, ପ୍ରତ୍ୟେକ ଋତୁ ନୂଆ ଶକ୍ତି ଓ ସକାରାତ୍ମକ ‌ଭାବନା ନେଇ ଆସେ। ଗତ ଋତୁ ଆମ ପାଇଁ ଆହ୍ବାନପୂର୍ଣ୍ଣ ଥିଲା। ଏଥିରୁ ଆମେ ଅନେକ ଶିକ୍ଷା ପାଇଥିଲୁ। ଏହି ଶିକ୍ଷା ଆମକୁ ୨୦୨୫ରେ ସହଯୋଗ କରିବ। ଆମ ପାଖରେ ଅଭିଜ୍ଞ ଦଳ ରହିଛି। ଆମ ପାଖରେ ଏଭଳି ଖେଳାଳି ରହିଛନ୍ତି, ଯେଉଁମାନେ ଶୀର୍ଷସ୍ତରରେ ଅନେକ ସଫଳତା ପାଇଛନ୍ତି’’।

ମାଗଣା ଷ୍ଟ୍ରିମିଂକୁ ବନ୍ଦ କଲା ଜିଓ
ଆଇପିଏଲ୍‌-୨୦୨୫ର ମ୍ୟାଚ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ମାଗଣାରେ ଦେଖିପାରିବେ ନାହିଁ ଜିଓ ଉପଭୋକ୍ତା। ଅବଶ୍ୟ ଏହାକୁ ସୀମିତ ଯୋଜନା ପାଇଁ ଧାର୍ଯ୍ୟ କରାଯାଇଛି। ଯେଉଁ ଗ୍ରାହକମାନେ ଅନ୍ୟୂନ ୨୯୯ ଟଙ୍କା କିମ୍ବା ତଦୁର୍ଧ୍ବ ମୂଲ୍ୟର ରିଚାର୍ଜ କରୁଥିବେ ସେମାନଙ୍କ ପାଇଁ ଏହାର ଫରକ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ଦେଶର ସର୍ବାଧିକ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ଆଇପିଏଲ୍‌ ଚଳିତ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ଜିଓସିନେମା ମାଧ୍ୟମରେ ୨୦୨୩ ଓ ୨୦୨୪ ମସିହାର ଆଇପିଏଲ୍‌କୁ ସମ୍ପୂର୍ଣ୍ଣ ଭାବେ ମାଗଣାରେ ପ୍ରସାରଣ କରାଯାଇଥିଲା। ସୋମବାର ରଏଟର୍ ଏକ ରିପୋର୍ଟରେ ଉଲ୍ଲେଖ କରିଥିଲା ଯେ, ଜିଓଷ୍ଟାର୍‌ ମିଳିତ ଉଦ୍ୟୋଗ ଆଉ ମାଗଣାରେ ଆଇପିଏଲ୍‌ର ପ୍ରସାରଣ କରିବ ନାହିଁ। ଏହି ଖବର ପରେ ରିଲାଏନ୍ସ ଜିଓ ଉକ୍ତ ସ୍ପଷ୍ଟୀକରଣ ରଖିଛି। କିନ୍ତୁ ଏହି ସଦ୍ୟ ମିଶ୍ରିତ କମ୍ପାନି ପକ୍ଷରୁ ଏକ ନୂଆ ଯୋଜନାକୁ ୫୦ ଦିନିଆ ଟ୍ରାଏଲ୍‌ରେ ନେଇଛି। ଯେଉଁଥିରେ ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ୍‌ ସେବା ସହିତ ଉଚ୍ଚ ଗତିଶୀଳ ସ୍ପୋର୍ଟସ ଷ୍ଟ୍ରିମିଂକୁ ତ୍ବରାନ୍ବିତ କରିହେବ। ସୂଚନାଯୋଗ୍ୟ, ୨୮୦୦ କୋଟିର ଏହି ମିଡିଆ ଆଣ୍ଡ୍ ଏଣ୍ଟର‌୍‌ଟେନ୍‌ମେଣ୍ଟ୍‌ ମାର୍କେଟ୍‌ରେ ମୋଟ ୧୦୦ ଚାନେଲ୍‌ ଜିଓଷ୍ଟାର୍‌ ଦ୍ବାରା ପରିଚାଳିତ ରହିଛି।ଗୁରୁବାର ଅଧିନାୟକଙ୍କ ମିଳନ
ଆଇପିଏଲ୍‌ର ୧୮ତମ ସଂସ୍କରଣ ଚଳିତ ମାସ ୨୨ ତାରିଖରେ କୋଲ୍‌କାତାର ଇଡେନ୍‌ ଗାର୍ଡେନ୍‌ଠାରେ ଆରମ୍ଭ ହେବ। ଏହାର ଠିକ୍‌ ଦୁଇ ଦିନ ପୂର୍ବରୁ ଗୁରୁବାର ଅପରାହ୍‌ଣରେ ଆଇପିଏଲ୍‌ ଅଧିନାୟକମାନେ ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟକାର୍ଯ୍ୟାଳୟଠାରେ ଏକାଠି ହେବେ। ଏଥିଲାଗି ବିସିସିଆଇ/ଆଇପିଏଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ ଇମେଲ୍‌ କରି ଅବଗତ କରିଛି। ଅଧିନାୟକମାନେ କ୍ରିକେଟ୍‌ ସେଣ୍ଟର୍‌ରେ ଗୋଟିଏ ଘଣ୍ଟା ରହିବେ। ଏହି ସମୟରେ ଅଧିନାୟକମାନଙ୍କୁ ଆଗାମୀ ସଂସ୍କରଣରେ ସାମିଲ ହେବାକୁ ଥିବା ନୂଆ ଓ ବଦଳିଥିବା ନିୟମ ବିଷୟରେ ସୂଚନା ଦିଆଯିବ। ଏହାପରେ ତାଜ୍‌ ହୋଟେଲ୍‌ଠାରେ ପ୍ରା‌ୟୋଜକ କାର୍ଯ୍ୟକ୍ରମରେ ଯୋଗଦେବେ। ମୋଟ ୪ ଘଣ୍ଟାର କାର୍ଯ୍ୟକ୍ରମ ମଧ୍ୟରେ ଅଧିନାୟକମାନଙ୍କ ଫଟୋ ସୁଟ୍‌ ମଧ୍ୟ କରାଯିବ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଆଇପିଏଲ୍‌ ଲାଗି ସେମାନଙ୍କ ଅଧିନାୟକଙ୍କ ନାଁ ଘୋଷଣା କରିସାରିଛନ୍ତି। ଅକ୍ଷର ପଟେଲ (ଦିଲ୍ଲୀ କ୍ୟାପିଟାଲ୍ସ), ହାର୍ଦିକ ପାଣ୍ଡ୍ୟା (ମୁମ୍ବାଇ ଇଣ୍ଡିଆନ୍ସ), ପ୍ୟାଟ୍‌ କମିନ୍ସ (ସନ୍‌ରାଇଜର୍ସ ହାଇଦ୍ରାବାଦ), ଋତୁରାଜ ଗାଏକ୍ବାଡ୍‌ (ଚେନ୍ନାଇ ସୁପର କିଙ୍ଗ୍ସ), ରଜତ ପଟିଦାର (ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ), ଋଷଭ ପନ୍ତ (ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌), ଶ୍ରେୟସ ଆୟର (ପଞ୍ଜାବ କିଙ୍ଗ୍ସ), ସଂଜୁ ସାମସନ (ରାଜସ୍ଥାନ ରୟାଲ୍ସ), ଅଜିଙ୍କ୍ୟ ରାହାଣେ (କୋଲ୍‌କାତା ନାଇଟ୍‌ ରାଇଡର୍ସ), ଶୁବମନ ଗିଲ୍‌ (ଗୁଜରାଟ ଟାଇଟାନ୍ସ) ବିଭିନ୍ନ ଫ୍ରାଞ୍ଚାଇଜ୍‌ର ନେତୃତ୍ବଭାର ନେଇଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.