Breaking News

ନଁାକୁ ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ବନ୍ଦ: ଯିଏ ଲାଞ୍ଚ ଦେଲା ତା’ର ହେଲା

ଜମିକୁ ଭାଗ ଭାଗ କରି ବିକ୍ରି କରିବା ପୂର୍ବରୁ ଲେଆଉଟ୍‌ ପ୍ଲାନ୍ ଅନୁମୋଦନ ଆବଶ୍ୟକ। ଘର କର କି ନକର ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନ ହୋଇନଥିଲେ ଜମି ବିକି ହେବନାହିଁ। ଏଭଳି କଟକଣା ଲାଗିଥିବାରୁ ବାହାଘର କିମ୍ବା ସ୍ବାସ୍ଥ୍ୟସେବା ଖର୍ଚ୍ଚ ପାଇଁ କେହି ନିଜ ଜମିର କିଛି ଅଂଶ(ସବ୍‌ପ୍ଲଟ୍‌) ବିକି ପାରୁ ନଥିଲେ।

ଭୁବନେଶ୍ୱର: ଜମିକୁ ଭାଗ ଭାଗ କରି ବିକ୍ରି କରିବା ପୂର୍ବରୁ ଲେଆଉଟ୍‌ ପ୍ଲାନ୍ ଅନୁମୋଦନ ଆବଶ୍ୟକ। ଘର କର କି ନକର ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନ ହୋଇନଥିଲେ ଜମି ବିକି ହେବନାହିଁ। ଏଭଳି କଟକଣା ଲାଗିଥିବାରୁ ବାହାଘର କିମ୍ବା ସ୍ବାସ୍ଥ୍ୟସେବା ଖର୍ଚ୍ଚ ପାଇଁ କେହି ନିଜ ଜମିର କିଛି ଅଂଶ(ସବ୍‌ପ୍ଲଟ୍‌) ବିକି ପାରୁ ନଥିଲେ। ଏହି କଟକଣା କଲା ବେଳେ କୁହାଯାଇଥିଲା କି ବିକାକିଣା ବେଳେ ପ୍ଲାନ୍‌ ଅନୁମୋଦନ ନ ହେଲେ ଯେବେ ଘର ହେବ ସେବେ ସମସ୍ୟା ହେବ। ଏଣୁ ବେଳହୁଁ ସାବଧାନ ହେବାକୁ ପଡ଼ିଛି। କିନ୍ତୁ ବାସ୍ତବରେ ଯିଏ ଲାଞ୍ଚ ଦେଉଥିଲା ତା’ର ରେଜିଷ୍ଟ୍ରେସନ ହେଉଥିଲା। ଏଭଳି କଟକଣା କରି ଦୁର୍ନୀତିର ବାଟ ଖୋଲିଥିଲେ। ଆଜି ଖଣ୍ଡଗିରି ଡିଏସ୍‌ଆର୍‌ ଅଫିସ୍‌ର ମହିଳା କିରାଣୀ ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେବା ପରେ ଏହା ପଛର ରହସ୍ୟ ପଦାରେ ପଡ଼ିଛି।

ଏବେ ପ୍ରଶ୍ନ ଉଠିଛି କେବଳ ଜଣେ କିରାଣୀ ଲାଞ୍ଚ ନେଉଥିଲେ? ବଡ଼ବାବୁମାନେ କଣ ଜାଣି ପାରୁ ନଥିଲେ? ନା ବଡ଼ବାବୁମାନେ ମଧ୍ୟ ଏହି ରୢାକେଟ୍‌ରେ ସାମିଲ୍‌ ଥି‌ଲେ? ତଦନ୍ତ ହେଲେ ଏହା ପଛରେ ଥିବା ବଡ଼ ରୢାକେଟ୍‌ର ପର୍ଦ୍ଦାଫାସ୍‌ ହେବ ବୋଲି କୁହାଯାଉଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ ବୁଧବାର ଏଭଳି ୮୦ଟି ସବ୍‌ପ୍ଲଟ୍‌ ପଞ୍ଜୀକରଣ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦୦ଟି ପ୍ଲଟ୍‌ ପଞ୍ଜୀକରଣ ହୋଇଛି। ମାସକୁ ଅତି କମ୍‌ରେ ୩୦୦ ପ୍ଲଟ୍‌ ପଞ୍ଜୀକୃତ ହେଉଛି। ଏଥିପାଇଁ ସର୍ବନିମ୍ନ ଲାଞ୍ଚ ୩୦ ହଜାର ଟଙ୍କା ରହିଛି। ପ୍ଲଟ୍‌ର ଆକାର ଅନୁସାରେ ଏହାର ପରିମାଣ ବଢ଼ୁଛି। ଏହି ହିସାବରେ ମାସକୁ ଅତି କମ୍‌ରେ ୯୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହେଉଛି। ୩ ବର୍ଷ ହେଲା ବିଡିଏ ଏହି କଟକଣା କରିଛି। ୩ ବର୍ଷ ବା ୩୬ ମାସରେ ୩୨ କୋଟି ୪୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଛି। ଏହା କେବଳ ଗୋଟିଏ ସବ୍‌ରେଜିଷ୍ଟ୍ରାର ଅଫିସର ହିସାବ। ଏଭଳି ପଞ୍ଜୀକରଣ ଖଣ୍ଡଗିରି ସମେତ ଭୁବନେଶ୍ବର, ବାଲିଅନ୍ତା, ବାଲିପାଟଣା, ଜଟଣୀ ଓ ପିପିଲିରେ ମଧ୍ୟ ହେଉଥିବା ଅଭିଯୋଗ ରହିଛି। ଏହାର ହିସାବ କରାଗଲେ ଲାଞ୍ଚ ପରିମାଣ ୪ ଗୁଣ ବଢ଼ିଯିବ ବୋଲି ଆକଳନ କରାଯାଉଛି।

କଟକଣା ହଟାଇବା ପାଇଁ ଘୋଷଣା କରିଥିଲେ ମନ୍ତ୍ରୀ
୩ ବର୍ଷରେ ୩୨ କୋଟି ଲାଞ୍ଚ କାରବାର
ମାସକୁ ୧୫୦୦ ପ୍ଲଟ୍‌ ବେଆଇନ ପଞ୍ଜୀକରଣ
ଭିଜିଲାନ୍ସ ଧରିବା ପରେ ପ୍ରମାଣିତ ହେଲା
ତଦନ୍ତ ହେଲେ ଧରାପଡ଼ିବେ ବଡ଼ବଡ଼ିଆ

ବିଧିବଦ୍ଧ ତଦନ୍ତ ହେଲେ ଏହା ପଛରେ ଥିବା ବଡ଼ବଡ଼ିଆ ଧରାପଡ଼ିବେ ବୋଲି କୁହାଯାଉଛି। ବଡ଼ ପ୍ଲଟ୍‌ର ଏକ ଅଂଶ ବିକ୍ରି ହୋଇ ଘର ହେବା ପରେ ଦେଖା ଯାଇଥିଲା କି କିଛି ପ୍ଳଟ୍‌କୁ ଯିବାକୁ ରାସ୍ତା ନାହିଁ। କିଛି ପ୍ଲଟ୍‌କୁ ଯିବାକୁ ୧୦ ଫୁଟିଆ ରାସ୍ତା। ଏଭଳି ବାରମ୍ବାର ଅଭିଯୋଗ ପରେ ୨୦୧୫ ଅଗଷ୍ଟ ୨୫ ତାରିଖରୁ ସରକାର ଏଭଳି କଟକଣା ଲଗାଇଥିଲେ। କିନ୍ତୁ ଏହା କଡ଼ାକଡ଼ି ନ ହେବାରୁ ବିଡିଏ ଉପାଧ୍ୟକ୍ଷ ୨୦୨୧ ଜାନୁଆରି ୧୧ରେ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିବା ପରେ କଟକଣା କଡ଼ାକଡ଼ି ହେଲା। ବିନା ଲେଆଉଟ୍‌ ପ୍ଲାନ୍‌ରେ ସବ୍‌ପ୍ଲଟ୍‌ ପଞ୍ଜୀକରଣ ବନ୍ଦ ହେଲା। ବିଡିଏରୁ ଆପତ୍ତି ବିହୀନ ପ୍ରମାଣପତ୍ର(ଏନ୍‌ଓସି) ସହ ଲେଆଉଟ୍‌ ପ୍ଲାନ୍‌ ଅନୁମୋଦନ ବାଧ୍ୟତାମୂଳକ କରାଗଲା। ୩୦ ଫୁଟିଆ ରାସ୍ତା ଓ ଖୋଲାସ୍ଥାନ ରହିଥିଲେ ଯାଇ ଲେଆଉଟ୍‌ପ୍ଲାନ୍‌ ମିଳୁଥିଲା। ଏହି ନିୟମ ଫଳରେ ଅଧିକାଂଶ ଜମିମାଲିକ ବିକ୍ରି କରିପାରୁ ନଥିଲେ। ବିଶେଷକରି ଗରିବ ଜମି ମାଲିକ ଫସି ଯାଇଥିଲେ। କିନ୍ତୁ ବଡ଼ବଡ଼ିଆ ବା ମୋଟା ଅଙ୍କର ହାତଗୁଞ୍ଜା ଦେଇପାରୁଥିବା ମାଲିକଙ୍କ ପାଇଁ କଟକଣା ନଥିଲା।

ଅନ୍ୟପଟେ ଏହି କଟକଣା ଲୋକମାନେ ସମସ୍ୟାର ସମ୍ମୁଖୀନ ହେବାରୁ ଗତ ଅକ୍ଟୋବର ମାସରେ ସମ୍ବଲପୁର ସହକାରୀ ଉପନିବନ୍ଧକ(ଡିଏସ୍‌ଆର୍‌)ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି କଟକଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ରେରା ଆଇନ ଅନ୍ତର୍ଭୁକ୍ତ ନା ନାହିଁ ତାହାର ତର୍ଜମା କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଏହି କଟକଣା ହଟାଇବା ପାଇଁ ‘ରେରା’ ଆଇନରେ ସଂଶୋଧନ କରାଯିବ ବୋଲି ଘୋଷଣା କରିଥିଲେ। ଏ ନେଇ ଭୁବନେଶ୍ବରରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରିଥିଲେ। କିନ୍ତୁ କଣ ହେଲା କେଜାଣି ଏହି ପ୍ରସଙ୍ଗରେ ଆଉ କଥା ଆଗକୁ ବଢ଼ି ନଥିଲା। ଏଣେ ହାତଗୁଞ୍ଜା ନେଇ ଅଧିକାରୀମାନେ ଏହି କାରବାର ଚଳାଇଥିଲେ। ଯାହା ଆଜି ଘଟଣା ପରେ ପ୍ରମାଣିତ ହୋଇଛି।

ସୌଜନ୍ୟ-ସମ୍ୱାଦ

Comments are closed.