Breaking News

ନନ୍ଦନକାନନ ବିଶ୍ବସ୍ତରୀୟ ହେବ କେମିତି? ନନ୍ଦନକାନନ ବିଶ୍ବସ୍ତରୀୟ ହେବ କେମିତି?

‘ନନ୍ଦନକାନନ ଓଡ଼ିଶାର ଗର୍ବ ଓ ଗୌରବ। ଏହାକୁ ନିଶ୍ଚିତ ବିଶ୍ୱସ୍ତରୀୟ କରାଯିବ। ଏଦିଗରେ ଡବଲ ଇଞ୍ଜିନ୍‌ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ରହିବ’। ଗତ ସପ୍ତାହରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଇ ଜଙ୍ଗଲ ପରିବେଶ....

ଭୁବନେଶ୍ବର: ‘ନନ୍ଦନକାନନ ଓଡ଼ିଶାର ଗର୍ବ ଓ ଗୌରବ। ଏହାକୁ ନିଶ୍ଚିତ ବିଶ୍ୱସ୍ତରୀୟ କରାଯିବ। ଏଦିଗରେ ଡବଲ ଇଞ୍ଜିନ୍‌ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ରହିବ’। ଗତ ସପ୍ତାହରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୫ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀ ସିଂଖୁଣ୍ଟିଆଙ୍କ ଏହା ପ୍ରଥମ ପ୍ରତିଶ୍ରୁତି ନୁହେଁ। ପୂର୍ବର ବିଜେଡି ସରକାରରେ ଥିବା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଏଭଳି ପ୍ରତିଶ୍ରୁତି ଦେଇଥିଲେ। କ୍ଷମତା ପରିବର୍ତ୍ତନ ପରେ ବର୍ତ୍ତମାନର ବିଜେପି ସରକାରର ମନ୍ତ୍ରୀ ମଧ୍ୟ ରାଜ୍ୟବାସୀଙ୍କୁ ଏଭଳି ସୁନେଲି ସ୍ବପ୍ନ ଦେଖାଇଛନ୍ତି। ବିଶ୍ବସ୍ତରୀୟ କଥା କହି ସମସ୍ତଙ୍କ ମନ ଜିଣିଛନ୍ତି। ହେଲେ ବାସ୍ତବ ସ୍ଥିତି କିନ୍ତୁ ସମ୍ପୂର୍ଣ୍ଣ ଅଲଗା। ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନରେ ଏବେ କର୍ମଚାରୀ ସଙ୍କଟ। ତଳଠାରୁ ଉପର ପର୍ଯ୍ୟନ୍ତ, ‌କେଉଁଠି ବି ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ଏମିତିକି ରାଜ୍ୟ ସରକାର ଯେତିକି ପଦବି ମଞ୍ଜୁର କହିଛନ୍ତି ସେଥିରୁ ଅଧା ଖାଲି ପଡ଼ିଛି।

 ନାହାନ୍ତି ସ୍ଥାୟୀ ମାହୁନ୍ତ, ୧୯ ପଦବି ଖାଲି
ଉଦ୍ଭିଦ ଉଦ୍ୟାନରେ ନାହାନ୍ତି ମାଳି

କେବଳ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ପଦବି ନିୟମିତ ଭାବେ ପୂରଣ ହେଉଛି। ନହେଲେ ଭାରପ୍ରାପ୍ତ, ଅସ୍ଥାୟୀ ଓ ଅମଦାନୀ କର୍ମଚାରୀରେ ଚାଲିଛି ବିଶ୍ବସ୍ତରୀୟ ଚିଡ଼ିଆଖାନା। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସମେତ ଏଠାରେ ଥିବା ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପାଇଁ ମଞ୍ଜୁରିପ୍ରାପ୍ତ ୨୯୨ ପଦବି ମଧ୍ୟରୁ ୧୫୫ଟି ପୂରଣ ହୋଇଛି। ପାଖାପାଖି ଅଧା ପଦବି ଖାଲି ପଡ଼ିଛି। ଫିଟର କମ୍‌ ମେକାନିକ, ଡ୍ରାଇଭର, ପ୍ରୋଜେକ୍ଟ ଅପରେଟର, ଜୁନିଅର ଲାଇବ୍ରେରିଆନ୍‌, ଗାଇଡ୍‌, ବୁକିଂ କ୍ଲର୍କ, ୱେଲ୍‌ଡର କମ୍‌ ବ୍ଲାକସ୍ମିଥ୍‌, ୱିଞ୍ଚ୍‌ ଅପରେଟର, ଗ୍ୟାଙ୍ଗ୍‌ମ୍ୟାନ୍‌, ବୋଟ୍‌ମ୍ୟାନ୍‌, କୁକ୍‌ କମ୍‌ ଆନିମଲ ଫିଡ୍‌ ଡିଷ୍ଟ୍ରିବ୍ୟୁଟର ପଦବିରେ କେହି ନାହାନ୍ତି। ଅଧାରୁ ଅଧିକ ଜନ୍ତୁ ରକ୍ଷକ ପଦବି ଖାଲି ପଡ଼ିଛି। ମୋଟ ୧୦୧ଟି ପଦବି ମଞ୍ଜୁର ହୋଇଥିବା ବେଳେ ‌ଏବେ ମାତ୍ର ୫୬ଜଣ ଅଛନ୍ତି। ଜଣ ଜଣଙ୍କ କାନ୍ଧରେ ଦୁଇରୁ ତିନୋଟି ପ୍ରାଣୀଙ୍କ ଦାୟିତ୍ବ ଲଦାଯାଇଛି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରାଣୀ ଉଦ୍ୟାନରେ ଜଣେ ବି ହେଲେ ସ୍ଥାୟୀ ମାହୁନ୍ତ ନାହାନ୍ତି। ପର୍ଯ୍ୟାୟକ୍ରମେ ୧୧ଟି ମାହୁନ୍ତ ଓ ୮ଟି ସହକାରୀ ମାହୁନ୍ତ ପଦବି ଅନୁମୋଦିତ ହୋଇଥିବା ବେଳେ ଏବେ କେହି ନାହାନ୍ତି। ବର୍ଷ ବର୍ଷ ଧରି ଅସ୍ଥାୟୀ ମ‌ାହୁନ୍ତରେ ଚାଲିଛି ପ୍ରାଣୀ ଉଦ୍ୟାନ। ଅବଶ୍ୟ ହାତୀଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ଗୋଟିଏ ପରେ ଗୋଟିଏ ଭୂତାଣୁରେ ଆକ୍ରାନ୍ତ ହେବା ଦ୍ବାରା ହାତୀଙ୍କ ସଂଖ୍ୟା ଏବେ ୫ରେ ପହଞ୍ଚିଛି। ତେବେ ସେମାନଙ୍କୁ ତାଲିମ ଦେବାକୁ ଜଣେ ବି ହେଲେ ମାହୁନ୍ତ ନ ରହିବା ଚିନ୍ତାର କାରଣ। ପ୍ରାଣୀ ଉଦ୍ୟାନ ପାଇଁ ମଞ୍ଜୁରପ୍ରାପ୍ତ ୫ଟି ମାଳି ପଦବିରେ ମାତ୍ର ଜଣେ କାମ କରୁଛନ୍ତି। ୬ଟି ଅନୁମୋଦିତ ଅଫିସ୍‌ ପିଅନ ମଧ୍ୟରୁ ୪ ଜଣ ରହିଥିବା ୨୦୨୪ ମସିହା ପାଇଁ ଜାରି ହୋଇଥିବା ରିପୋର୍ଟରେ ଏଭଳି ଦର୍ଶାଯାଇଛି।

ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ପ୍ରତିଦିନ ହଜାର ହଜାର ଟଙ୍କା ରୋଜଗାର ହେଉଥିଲେ ମଧ୍ୟ ଏଠାରେ ମଧ୍ୟ କର୍ମଚାରୀଙ୍କ ଘୋର ସଙ୍କଟ ରହିଛି। ମଞ୍ଜୁରପ୍ରାପ୍ତ ୨୩ ପଦବି ମଧ୍ୟରୁ ୧୫ଟି ଖାଲି ପଡ଼ିଛି। ଉଦ୍ୟାନ ପାଇଁ ଅନୁମୋଦିତ ହେଉଥିବା କ୍ୟୁରେଟର, ଜୁନିଅର ଟାଇପିଷ୍ଟ, ପମ୍ପ ଡ୍ରାଇଭର, ପାୱାର ଟିଲର ପରିଚାଳକ, ହର୍ବାରିୟମ୍‌ ଆଟେଣ୍ଡାଣ୍ଟ ପାଇଁ ଗୋଟିଏ ଲେଖାଏ ପଦବି ମଞ୍ଜୁର ହୋଇଛି। ଏବେ ଜଣେ ବି ହେଲେ ନାହାନ୍ତି। ସମ୍ପୂର୍ଣ୍ଣ ଉଦ୍ଭିଦ ଉଦ୍ୟାନ ପାଇଁ ୬ଟି ମାଳି ପଦବି ମଞ୍ଜୁର ହୋଇଥିଲେ ମଧ୍ୟ କେହି ନାହାନ୍ତି। ଜଣେ ୱାଚ୍‌ମ୍ୟାନ୍‌ରେ ଚାଲିଛି ରାଜ୍ୟର ଏହି ପ୍ରମୁଖ ଉଦ୍ୟାନ। ଭୁବନେଶ୍ବର ମୟୂରଭବନରେ ଥିବା ନିର୍ଦ୍ଦେଶକ କର୍ଯ୍ୟାଳୟରେ ମଧ୍ୟ ଅଧା ପଦବି ଫାଙ୍କା ପଡ଼ିଛି। ନିର୍ଦ୍ଦେଶକ, ୪ଜଣ ସିନିଅର ଷ୍ଟେନୋଗ୍ରାଫର, ଜଣେ ଲେଖାଏ ଜୁନିଅର ଆସିଷ୍ଟାଣ୍ଟ, ପିଅନ ଓ ୱାଚ୍‌ମ୍ୟାନ୍‌ରେ କାର୍ଯ୍ୟ ଚାଲିଛି। ଡିସିଏଫ୍‌, ସିନିଅର ଷ୍ଟେନୋଗ୍ରାଫର, ଡ୍ରାଇଭର, ସୁଇପର, ଚୌକିଦାର ପଦବି ମଞ୍ଜୁର ହୋଇଥିଲେ ମଧ୍ୟ ତାହା ଖାଲି ପଡ଼ିଛି। ମଞ୍ଜୁରିପ୍ରାପ୍ତ ୪ଜଣ ଜୁନିଅର ଆସିଷ୍ଟାଣ୍ଟଙ୍କ ମଧ୍ୟରୁ ମାତ୍ର ଜଣେ ଅଛନ୍ତି।
ଜଙ୍ଗଲ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ବିଶ୍ବସ୍ତରୀୟ କରିବା ଦିଗରେ ଏକାଧିକ ପଦକ୍ଷେପ ନିଆଯାଇଛି। ତେବେ ମାନବସମ୍ବଳ ଅଭାବରୁ କିଛିଟା ସମସ୍ୟା ହେଉଛି। ଯେଉଁଭଳି ଭାବେ ବିକାଶ ହେବା କଥା‌ ତାହା ହୋଇପାରୁ ନାହିଁ। ଅସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କୁ ନେଇ କାମ ହେଉଛି। ହାତୀଙ୍କ ସଂଖ୍ୟା କମ୍‌ ଥିବାରୁ ମାହୁନ୍ତଙ୍କର ବିଶେଷ ଆବଶ୍ୟକତା ପଡ଼ୁନାହିଁ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.