Bangladesh : ମିଥୁନ ସରକାରର ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ?
ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ । ଗତକାଲି ରାଣା ପ୍ରତାପ ବୈରାଗୀ ନାମକ ହିନ୍ଦୁ ଯୁବକଙ୍କ ହତ୍ୟା ପରେ ଆଜି ଆଉ ଜଣେ ହିନ୍ଦୁ ଯୁବକ ମୃତ୍ୟୁବରଣ କରିଛି । ଏହା ସିଧାସଳଖ ହତ୍ୟା ନହେଲେ ବି ପରୋକ୍ଷରେ ଏକ ହତ୍ୟା ବୋଲି କୁହାଯାଇପାରିବ ।

ଢାକା : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ । ଗତକାଲି ରାଣା ପ୍ରତାପ ବୈରାଗୀ ନାମକ ହିନ୍ଦୁ ଯୁବକଙ୍କ ହତ୍ୟା ପରେ ଆଜି ଆଉ ଜଣେ ହିନ୍ଦୁ ଯୁବକ ମୃତ୍ୟୁବରଣ କରିଛି । ଏହା ସିଧାସଳଖ ହତ୍ୟା ନହେଲେ ବି ପରୋକ୍ଷରେ ଏକ ହତ୍ୟା ବୋଲି କୁହାଯାଇପାରିବ ।
ଘଟଣାଟି ବାଂଲାଦେଶର ନୱାଗାଓଁର ମହାଦେବପୁରରେ ଘଟିଛି, ଯେଉଁଠାରେ କିଛି ସ୍ଥାନୀୟ ଲୋକ ମିଥୁନ ସରକାର ନାମକ ୨୫ ବର୍ଷୀୟ ଯୁବକ ବିରୋଧରେ ଚୋରି ଅଭିଯୋଗ ଆଣିବା ପରେ ତାକୁ ମାରିବାକୁ ଗୋଡ଼ାଇଥିଲେ । ପ୍ରାଣ ବିକଳରେ ସେ ଏକ କେନାଲକୁ ଡେଇଁ ପଡ଼ିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସେ ପହଁରା ଜାଣିନଥିଲା, ଫଳରେ ସେ ଗଭୀର ପାଣିରେ ବୁଡ଼ିବାକୁ ଆରମ୍ଭ କଲା । ସାହାଯ୍ୟ ପାଇଁ ସେ କେନାଲ କୂଳରେ ଛିଡ଼ାହୋଇଥିବା ଲୋକମାନଙ୍କୁ ନେହୁରା ହେଲେବି ସେମାନେ କିଛି ଶୁଣିନଥିଲେ ଓ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ । ଶେଷରେ ମିଥୁନ ପାଣିରେ ବୁଡ଼ି ମୃତ୍ୟୁବରଣ କଲା । ସେ ଭଣ୍ଡାରପୁର ଗ୍ରାମର ବାସିନ୍ଦା ପିଙ୍କୁ ସରକାରଙ୍କ ପୁଅ ଥିଲା।
ଗତକାଲି ଜେଶୋର ଜିଲ୍ଲାର ମୋନିରାମପୁର ଅଞ୍ଚଳରେ ରାଣା ପ୍ରତାପ ବୈରାଗୀ ନାମକ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ମିଶାଇ ବାଂଲାଦେଶରେ ଗତ ଦୁଇ ସପ୍ତାହ ମଧ୍ୟରେ ୫ ଜଣ ହିନ୍ଦୁଙ୍କ ହତ୍ୟା କରାଯାଇଛି । କିନ୍ତୁ ଯଦି ମିଥୁନର ମୃତ୍ୟୁକୁ ହତ୍ୟା ବୋଲି ଗ୍ରହଣ କରାଯାଏ ତେବେ ଏହି ସଂଖ୍ୟା ୬ରେ ପହଞ୍ଚିବ । ଗତ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା । ତାପରେ ୨୪ ତାରିଖରେ ଅମୃତ ମଣ୍ଡଳ ଓ ୩୦ ତାରିଖରେ ବଜେନ୍ଦ୍ର ବିଶ୍ବାସଙ୍କୁ ହତ୍ୟା କରାଯାଇଥିଲା ।
ସୌଜନ୍ୟ ସମ୍ବାଦ




