Breaking News

ନରପିଶାଚର ଜଘନ୍ୟ କାଣ୍ଡ: ୫ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁରେ ନିଖୋଜ ଥିବା ୫ ବର୍ଷର ଏକ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ପୁଲିସ ତାଙ୍କ ଘର ପାଖ ମହୁଲ ବଣରୁ ଉଦ୍ଧାର କରିଛି। ଶିଶୁକନ୍ୟା ସହ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଛେଣ୍ଡିପଦା: ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ପୀଢ଼ଖମଣ ଗାଁରେ ନିଖୋଜ ଥିବା ୫ ବର୍ଷର ଏକ ଶିଶୁକନ୍ୟାର କ୍ଷତାକ୍ତ ମୃତଦେହ ପୁଲିସ ତାଙ୍କ ଘର ପାଖ ମହୁଲ ବଣରୁ ଉଦ୍ଧାର କରିଛି। ଶିଶୁକନ୍ୟା ସହ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି। ପୁଲିସ ସୂତ୍ରରୁ ପ୍ରକାଶ, ପାଳଲହଡ଼ା ବ୍ଲକ୍‌ ପଟାଟାଙ୍ଗର ଗ୍ରାମର ରଞ୍ଜନ ସାୟ (୨୫) ୮ ବର୍ଷ ହେଲା ପରିବାର ସହିତ ପୀଢ଼ଖମଣ ଗ୍ରାମରେ ରହି ମୂଲ ଲାଗି ଚଳୁଛନ୍ତି। ଗତ ୧୩ ତାରିଖ ଦିନ ପ୍ରାୟ ୨ଟାରେ ରଞ୍ଜନଙ୍କ ଏକମାତ୍ର ଝିଅ ରଞ୍ଜିତା(୫) ଘର ଅଗଣାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇ ଯାଇଥିଲା। ରଞ୍ଜନଙ୍କ ପତ୍ନୀ ଝିଅକୁ ଖୋଜିଥିଲେ ମଧ୍ୟ ପାଇ ନଥିଲେ।

କ୍ଷତାକ୍ତ ମୃତଦେହ ଉଦ୍ଧାର
ସାରା ରାଜ୍ୟରେ ହଇଚଇ

ଶନିବାର ସକାଳ ୬ଟାବେଳେ ସ୍ଥାନୀୟ ଲୋକମାନେ ରଞ୍ଜିତାର ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରଠାରୁ ଅଳ୍ପ ଦୂର ମହୁଲ ବଣରେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରିବା ସହ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍‌କୁ ନେଇ ତଦନ୍ତ କରିଥିଲା। ଏହି ଘଟଣାରେ ପୁଲିସ ବାବୁଲା ଜେନା (୪୦)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ରଞ୍ଜିତାର ମୃତଦେହ ଯେଉଁଠି ପଡ଼ିଥିଲା, ସେଠାରୁ ମାତ୍ର ୫୦ ଫୁଟ ଦୂରରେ ବାବୁଲା ଘରଭଡ଼ା ନେଇ ରହୁଛନ୍ତି। ବାବୁଲା ଘରେ ପୁଲିସ କିଛି ରକ୍ତଭିଜା କନା ଠାବ କରିଛି। ବାବୁଲା ରଞ୍ଜିତାକୁ ଡାକିନେଇ ଦୁଷ୍କର୍ମ ପରେ ହତ୍ୟା କରି ଘର ସମ୍ମୁଖ ମହୁଲ ବଣରେ ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ, ଆଜି କଟକ ବଡ଼ ଡାକ୍ତରଖାନାର ଏଫ୍‌ଏମ୍‌ଟି ଦଳ ଆସି ବାବୁଲା ଘରେ ପଡ଼ିଥିବା ରକ୍ତଭିଜା କନା, ଆସବାବପତ୍ର, ପାରିପାର୍ଶ୍ବିକ ପରିସ୍ଥିତି ଇତ୍ୟାଦି ସଂପର୍କରେ ଅନୁଧ୍ୟାନ କରିଛି।

ବାବୁଲାଙ୍କ ଘର ଜେରେଙ୍ଗ ଦେହୁରୀସାହି ଗାଁରେ ହୋଇଥିବା ବେଳେ ଅନେକ ଦିନ ହେଲା ପୀଢ଼ଖମଣ ଗାଁରେ ରଞ୍ଜନଙ୍କ ଘରଠାରୁ ଅଳ୍ପ ଦୂରରେ ଘର ଭଡ଼ା ନେଇ ରହୁଛନ୍ତି। ବାବୁଲାଙ୍କୁ ଛାଡ଼ି ତାଙ୍କ ପତ୍ନୀ ପଳାଇଯିବା ପରେ ସେ ଗାଁରୁ ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କୁ ଆଣି ପୀଢ଼ଖମଣରେ ରହୁଥିଲେ। ବାବୁଲା ଅଞ୍ଚଳରେ ମିସ୍ତ୍ରି କାମ କରି ଚଳୁଥିଲେ। ୧୧ ଦିନ ପୂର୍ବରୁ ବାବୁଲା ତାଙ୍କ ସଂପର୍କୀୟ ଭାଉଜଙ୍କୁ ମାଡ଼ପିଟ କରିବାରୁ ସେ ପଳାଇ ଯାଇଛନ୍ତି। ଘରେ କେହି ନ ଥିବା ସୁଯୋଗରେ ସେ ନାବାଳିକାଙ୍କ ସହ ଦୁଷ୍କର୍ମ କରି ହତ୍ୟା କରିଥିବା ଅନୁମାନ କରାଯାଉଛି। ଏ ନେଇ ଏସ୍‌ଡିପିଓ ରମାକାନ୍ତ ମହାଳିକ କହିଛନ୍ତି, ନାବାଳିକା ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ରିପୋର୍ଟ ଆସିବା ପରେ ଏ ସଂପର୍କରେ ଅଧିକ ସୂଚନା ମିଳିପାରିବ। ଏବେ ସବୁ ଦିଗକୁ ଦୃଷ୍ଟି ରଖି ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.