Breaking News

ନର୍ଦ୍ଦମା ପାଣି ପାଇଁ ବ୍ରାହ୍ମଣୀ ପ୍ରଦୂଷିତ

ଜହର ପାଲଟିଗଲାଣି ବ୍ରାହ୍ମଣୀ ପାଣି। ନାଳ ନର୍ଦ୍ଦମାର ଦୂଷିତ ଜଳ ସହ କଳକାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ଖରାପ କରିବାରେ ଲାଗିଛି। ନଦୀର ଜଳ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି।

ଅନୁଗୁଳ: ଜହର ପାଲଟିଗଲାଣି ବ୍ରାହ୍ମଣୀ ପାଣି। ନାଳ ନର୍ଦ୍ଦମାର ଦୂଷିତ ଜଳ ସହ କଳକାରଖାନାର ବର୍ଜ୍ୟବସ୍ତୁ ନଦୀ ଜଳକୁ ଖରାପ କରିବାରେ ଲାଗିଛି। ନଦୀର ଜଳ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା, ଖଣି କିମ୍ବା କଳକାରଖାନା ପାଇଁ ଏହି ନଦୀ ପ୍ରଦୂଷିତ ହେଉନି ବୋଲି ସରକାର କହିଛନ୍ତି। ବରଂ, ସହରାଞ୍ଚଳର ନର୍ଦ୍ଦମା ପାଣି ମିଶି ବ୍ରାହ୍ମଣୀ ପ୍ରଦୂଷିତ ହେଉଛି। ତାଳଚେର ଅବବାହିକାରେ ବ୍ରାହ୍ମଣୀ ନଦୀର ଜଳ ପରୀକ୍ଷଣରୁ ଏହା ଜଣାପଡ଼ିଥିବା ସରକାର ସଫେଇ ଦେଇଛନ୍ତି।

ଅନୁଗୁଳ ଜିଲ୍ଲା ଦେଇ ବ୍ରାହ୍ମଣୀ ‌ନଦୀ ବହି ଯାଇଛି। ଏହାର ପାଣିର ମାନକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ତାଳଚେର କୋଇଲା ଖଣି ପାଖରେ ଏହି ନଦୀ ପ୍ରବାହିତ ହୋଇଥିବା ବେଳେ ତାଳଚେର-ଢେଙ୍କାନାଳ ଶିଳ୍ପାଞ୍ଚଳ ସୀମା ଭିତରେ ଯାଇଛି। ଖଣି ଖଦାନ ଓ କଳକାରଖାନାର ବର୍ଜ୍ୟ ପାଣି ଏଠାରେ ମିଶୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଥିବା ଅଭିଯୋଗ ‌ହୋଇ ଆସୁଛି। ଖଣିରୁ ବାହାରୁଥିବା ପାଣି ବିଭିନ୍ନ ବାଟ ଦେଇ ବ୍ରାହ୍ମଣୀରେ ପଶୁଛି। ଏପଟେ କଳକାରଖାନାରୁ ବାହାରୁଥିବା ଦୂଷିତ ଜଳକୁ ବିଭିନ୍ନ ନାଳ ଓ କେନାଲ ଦେଇ ବ୍ରାହ୍ମଣୀକୁ ଛଡ଼ାଯାଉଛି। ପାଣିରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇ ରହୁନି। ମଣିଷ ଓ ଜୀବଜନ୍ତୁଙ୍କ ପାଇଁ ଏହି ବ୍ରାହ୍ମଣୀ ଜଳ ବିପଦ ସୃଷ୍ଟି କରୁଛି। କିନ୍ତୁ ଏହାକୁ ସ୍ବୀକାର କରୁ ନାହାନ୍ତି ସରକାର। ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, କୋଇଲା ଖଣି ଓ କଳ କାରଖାନା ପାଇଁ ବ୍ରାହ୍ମଣୀ ଜଳ ପ୍ରଦୂଷିତ ହେଉନି। ଯଦିଓ ବ୍ରାହ୍ମଣୀର ଜଳ ପ୍ରଦୂଷିତ ବୋଲି ପରୀକ୍ଷାରୁ ଜଣାପଡ଼ିଛି ତେବେ ଏଥିପାଇଁ ଖଣି ଖଦାନକୁ ଦାୟୀ କରାଯାଇପାରିବ ନାହିଁ। କଳକାରଖାନାର ବି ବିଶେଷ ଭୁଲ ନାହିଁ।

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ବ୍ରାହ୍ମଣୀ ନଦୀର ଜଳକୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସିକ ଭିତ୍ତିରେ ପରୀକ୍ଷା କରାଯାଏ। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ପରୀକ୍ଷା ନିୟମିତ କରାଯାଉଥିଲା ବେଳେ ଉପରମୁଣ୍ଡରେ ସହରାଞ୍ଚଳର ଦୂଷିତ ପାଣି ଓ ନର୍ଦ୍ଦମା ଜଳ ମିଶୁଥିବାରୁ ବ୍ରାହ୍ମଣୀ ଜଳ ପ୍ରଦୂଷିତ ହେଉଛି। ବ୍ରାହ୍ମଣୀ ଜଳରେ ବିଓଡି ଓ ଟିସିର ମାତ୍ରା ନିର୍ଦ୍ଧାରିତ ମାନଠାରୁ ଅଧିକ ରହୁଛି। ନର୍ଦ୍ଦମା ଜଳ ପାଇଁ ଏହି ମାତ୍ରା ବଢ଼ୁଛି। ଏପଟେ ତାଳଚେରରେ ଥିବା କୋଇଲା ଖଣିରୁ ବାହାରୁଥିବା ଜଳକୁ ବିଶୋଧନ କରାଯାଇ ବାହାରକୁ ଛଡ଼ା ଯାଉଛି। ଏହି ଜଳର ଗୁଣବତ୍ତା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଧାରିତ ମାନ ମଧ୍ୟରେ ସୀମିତ ରହୁଛି। ଏଣୁ ଖଣି ପାଇଁ ବ୍ରାହ୍ମଣୀ ଜଳ ପ୍ରଦୂଷଣ ହେଉନି ବୋଲି ମନ୍ତ୍ରୀ କହିଛନ୍ତି। ଏପଟେ ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ସରକାର କଠୋର ପଦକ୍ଷେପ ନେଉଥିବା ସେ କହିଛନ୍ତି। ନଦୀକୁ ପାଣି ଛାଡ଼ିବା ପୂର୍ବରୁ ସମସ୍ତ ଶିଳ୍ପ ଓ ପୌରସଂସ୍ଥା ବର୍ଜ୍ୟଜଳ ବିଶୋଧନ ନିମନ୍ତେ ଇଟିପି ଓ ଏସ୍‌ଟିପି ସ୍ଥାପନ କରିବାକୁ ସର୍ତ୍ତ ରଖାଯାଇଛି। ସର୍ତ୍ତରେ ଖିଲାପ କଲେ ସଂପୃକ୍ତ ସଂସ୍ଥା ବି‌ରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.