Breaking News

ନାଗପୁର ହିଂସା: ମାଷ୍ଟରମାଇଣ୍ଡ୍‌ ଘରେ ବୁଲିଲା ବୁଲଡୋଜର୍‌

ନାଗପୁରର ପୌର କର୍ତ୍ତୃପକ୍ଷ ସହରରେ ଔରଙ୍ଗଜେବ କବର ବିବାଦକୁ ନେଇ ଦଙ୍ଗାର ମାଷ୍ଟରମାଇଣ୍ଡ୍‌ ଫହିମ ଖାନ୍‌ଙ୍କ ଦୁଇ ମହଲା ଘର ଭାଙ୍ଗି ଦେଇଛନ୍ତି। ନାଗପୁର ମହାନଗର ନିଗମ(ଏନ୍ଏମ୍‌ସି) ପକ୍ଷରୁ ଏହି ଅନଧିକୃତ ନିର୍ମାଣକୁ ହଟାଇବା....

ନାଗପୁର: ନାଗପୁରର ପୌର କର୍ତ୍ତୃପକ୍ଷ ସହରରେ ଔରଙ୍ଗଜେବ କବର ବିବାଦକୁ ନେଇ ଦଙ୍ଗାର ମାଷ୍ଟରମାଇଣ୍ଡ୍‌ ଫହିମ ଖାନ୍‌ଙ୍କ ଦୁଇ ମହଲା ଘର ଭାଙ୍ଗି ଦେଇଛନ୍ତି। ନାଗପୁର ମହାନଗର ନିଗମ(ଏନ୍ଏମ୍‌ସି) ପକ୍ଷରୁ ଏହି ଅନଧିକୃତ ନିର୍ମାଣକୁ ହଟାଇବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା। ବର୍ତ୍ତମାନ ଜେଲ୍‌ ହାଜତରେ ଥିବା ଖାନ୍‌ ଏହି ସମୟସୀମା ଭିତରେ ନିର୍ମାଣ ହଟାଇବାରେ ବିଫଳ ହେବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଦଙ୍ଗା ସନ୍ଦିଗ୍ଧଙ୍କ ସହ ଜଡ଼ିତ ସମ୍ପତ୍ତି ବିରୋଧରେ ପୌର ସଂସ୍ଥା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଏହା ପ୍ରଥମ ଘଟଣା। ଅଧିକାରୀମାନେ କହିଛନ୍ତି ଯେ ଫହିମ୍‌ଙ୍କ ପରିବାର ମହାନଗର ନିଗମ ମାଲିକାନାରେ ଥିବା ଜମିକୁ ଜବରଦଖଲ କରିଥିଲେ। ସୋମବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ନାଗପୁର ମହାନଗର ନିଗମର ୩ଟି ଜେସିବି ମେସିନ୍ ଦ୍ବାରା ଯଶୋଧରା ନଗର ଅଞ୍ଚଳର ସଞ୍ଜୟ ବାଗ କଲୋନିରେ ଥିବା ଏହି ଘରକୁ ଭଙ୍ଗାଯାଇଥିଲା। ନାଗପୁର କର୍ତ୍ତୃପକ୍ଷ ଅନ୍ୟ ଜଣେ ହିଂସା ଅଭିଯୁକ୍ତ ୟୁସୁଫ ଶେଖ୍‌ଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ନାଗପୁର ମହାନଗର ନିଗମର ଜବରଦଖଲନିରୋଧୀ ସ୍କ୍ୱାଡ୍ ସହରର ଜୋହରିପୁରା ଅଞ୍ଚଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ତାଙ୍କ ଘରକୁ ଧ୍ୱଂସ କରିଛି। ମାର୍ଚ୍ଚ ୨୦ରେ ଏନ୍‌ଏମ୍‌ସିର ଅଧିକାରୀମାନେ ଏହି ଢାଞ୍ଚାକୁ ଯାଞ୍ଚ କରିଥିଲେ ଏବଂ ଏହା ମହାରାଷ୍ଟ୍ର ଆଞ୍ଚଳିକ ଓ ଟାଉନ ପ୍ଲାନିଂ ଆକ୍ଟ, ୧୯୬୬ର ଉଲ୍ଲଂଘନ ବୋଲି ନିର୍ଣ୍ଣୟ କରିଥିଲେ। ଏହାପରେ ପୌର ସଂସ୍ଥା ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲା।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ନିକଟରେ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଆବଶ୍ୟକ ସ୍ଥଳେ ଦଙ୍ଗାକାରୀଙ୍କ ସମ୍ପତ୍ତି ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରାଯିବ। ଦଙ୍ଗାକାରୀଙ୍କଠାରୁ ଯାହା କିଛି କ୍ଷୟକ୍ଷତି ହୋଇଛି ତାହା ଆଦାୟ କରାଯିବ। ଯଦି ସେମାନେ ଟଙ୍କା ନ ଦିଅନ୍ତି, ତେବେ ସେମାନଙ୍କ ସମ୍ପତ୍ତିକୁ ବିକ୍ରି କରାଯିବ। ଫହିମ ଖାନ୍‌ଙ୍କ ସମ୍ପତ୍ତି ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ମହାରାଷ୍ଟ୍ର ମନ୍ତ୍ରୀ ପ୍ରତାପ ସରନାୟକ କହିଛନ୍ତି, ଯଦି କେହି ଏଭଳି ହିଂସା କରନ୍ତି ତେବେ ତାଙ୍କ ଘର ନୁହେଁ, ତାଙ୍କ ଉପରେ ବୁଲଡୋଜର ଚଳାଇବା ଉଚିତ। ସୂଚନାଯୋଗ୍ୟ, ଔରଙ୍ଗଜେବ କବର ବିବାଦକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ମାର୍ଚ୍ଚ ୧୭ ତାରିଖରେ ନାଗପୁର ଦଙ୍ଗା ଆରମ୍ଭ ହୋଇଥିଲା। ଏଥିରେ ଅତି କମ୍‌ରେ ୪୦ ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରୁ ଜଣେ ଶନିବାର ମୃତ୍ୟୁବରଣ କରିଛନ୍ତି।

ରୋକ୍‌ ଲଗାଇଲେ ବମ୍ବେ ହାଇକୋର୍ଟ
ନାଗପୁର: ନାଗପୁର ହିଂସାରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଘର ଭଙ୍ଗାରୁଜା କାର୍ଯ୍ୟ ଅଟକାଇ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଆବେଦନକାରୀ ଦର୍ଶାଇଛନ୍ତି ଯେ ଘର ଭଙ୍ଗାରୁଜା କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ସ୍ବେଚ୍ଛାଚାରୀ ଏବଂ ଏହା ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳିର ଉଲ୍ଲଂଘନ କରୁଛି। ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫହିମ ଖାନ୍‌ର ମା’ ମେହରୁନିଆ ଏବଂ ଅବଦୁଲ ହାଫିଜ୍‌ ଦ୍ବାରା ଏନେଇ କୋର୍ଟରେ ଆବେଦନ ହୋଇଥିଲା। ତେବେ କୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ଫହିମ ଖାନ୍‌ର ଘର ସମ୍ପୂର୍ଣ୍ଣ ଭାବେ ଭଙ୍ଗା ସରିଥିଲା। କିନ୍ତୁ ହାଫିଜ୍‌ର ଘର ଭଙ୍ଗା ଚାଲିଥିବାବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହା ବନ୍ଦ ହୋଇଥିଲା। ଏହି ମାମଲାର ଶୁଣାଣି ହେବା ପର୍ଯ୍ୟନ୍ତ କୌଣସି ପ୍ରକାର ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବନି ବୋଲି କୋର୍ଟ କହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.