Breaking News

ନାଗରିକ ସମାଜର ନେତୃତ୍ବ ନିଅନ୍ତୁ ସାହିତ୍ୟିକ: ସୌମ୍ୟର˚ଜନ

ସାହିତ୍ୟିକମାନେ କେବଳ ଗଳ୍ପ ଲେଖିବା, ଆଲୋଚନା କରିବା କିମ୍ବା ପୁରସ୍କାର ଦୌଡ଼ରେ ରହି ସମ୍ବର୍ଦ୍ଧନା ଗୋଟାଇବା ଭିତରେ ନିଜକୁ ସୀମିତ ରଖନ୍ତୁ ନାହିଁ। ସେମାନଙ୍କର ଗୋଟିଏ ବୃହତର ଦାୟିତ୍ବ ରହିଛି।

କେନ୍ଦ୍ରାପଡ଼ା: ସାହିତ୍ୟିକମାନେ କେବଳ ଗଳ୍ପ ଲେଖିବା, ଆଲୋଚନା କରିବା କିମ୍ବା ପୁରସ୍କାର ଦୌଡ଼ରେ ରହି ସମ୍ବର୍ଦ୍ଧନା ଗୋଟାଇବା ଭିତରେ ନିଜକୁ ସୀମିତ ରଖନ୍ତୁ ନାହିଁ। ସେମାନଙ୍କର ଗୋଟିଏ ବୃହତର ଦାୟିତ୍ବ ରହିଛି। ନାଗରିକ ସମାଜର ନେତୃତ୍ବ ସାହିତ୍ୟିକମାନେ ନିଅନ୍ତୁ। ସେମାନେ ନିଜ ଦାୟିତ୍ବ ଠିକ୍‌ ଭାବେ ନିର୍ବାହ କରୁ ନ ଥିବାରୁ ପ୍ରତି ସ୍ତରରେ ନେତୃତ୍ବ ସଙ୍କଟ ଆମକୁ ଘାରୁଛି। ଯୁବ ନେତୃତ୍ବ ତିଆରି ହୋଇପାରୁ ନାହିଁ। ‘ମୁଁ ଓ ତୁମ’ ଭିତରେ ପରିଚୟ ସୀମିତ ରହିଯାଉଥିବାରୁ ନାଗରିକ ସମାଜ ବିସ୍ତାର ହେବା ପରିବର୍ତ୍ତେ ସଙ୍କୁଚିତ ହୋଇଯାଉଛି। ଏଣୁ ସାହିତ୍ୟିକମାନେ ନାଗରିକ ସମାଜର ନେତୃତ୍ବ ନେଇ ଅବକ୍ଷୟମୁଖୀ ଗଣତନ୍ତ୍ର ତଥା ସମ୍ବିଧାନ ପ୍ରତି ହେଉଥିବା ଅବହେଳା ଉପରେ ଅଙ୍କୁଶ ଲଗାନ୍ତୁ। କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ଚତୁର୍ବି˚ଶତିତମ ସାରସ୍ବତ ସମାରୋହକୁ ଉଦ୍‌ଘାଟନ କରି ଏହା କହିଛନ୍ତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧୢକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ।

କେନ୍ଦ୍ରାପଡ଼ା ଜିଲ୍ଲା ସ˚ସ୍କୃତି ଭବନରେ ଅନୁଷ୍ଠାନର ସଭାପତି କବି ଡକ୍ଟର ଅପର୍ଣ୍ଣା ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଲେ ଯେ ବ୍ୟକ୍ତିର ସମ୍ପର୍କ ପରିବାରଠୁ ନାଗରିକ ସମାଜ ଯାଏଁ ପରିବ୍ୟାପ୍ତ ହେବା ଉଚିତ। ମାତ୍ର ସାମ୍ପ୍ରତିକ ସମୟରେ ବ୍ୟକ୍ତି ଓ ସମୂହର ସମ୍ପର୍କ କ୍ରମଶଃ ଛିନ୍ନ ହେବାରେ ଲାଗିଛି। ମଣିଷ ନିଜର ପତିଆରା ତଥା ସ୍ବାର୍ଥ ସାଧନ ପାଇଁ ସମାଜ, ଜନ୍ମମାଟିକୁ ଗୁରୁତ୍ବ ଦେବା ପରିବର୍ତ୍ତେ ନିର୍ଦ୍ଦିଷ୍ଟ ବ୍ୟକ୍ତି, ଦଳ ଉପରେ ଗୁରୁତ୍ବ ଦେଉଛି। ଫଳରେ ପ୍ରତି ସ୍ତରରେ ଆମେ ନେତୃତ୍ବ ସଙ୍କଟର ସାମ୍ନା କରୁଛେ। ମା’ ପେଟରୁ ଭ୍ରୂଣ ହତ୍ୟା ପରି ଗଲା ଛଅବର୍ଷ ହେବ ଛାତ୍ର ସ˚ସଦ ନିର୍ବାଚନକୁ ବନ୍ଦ କରାଯାଇ ଯୁବ ନେତୃତ୍ବ ସୃଷ୍ଟି ପ୍ରକ୍ରିୟାକୁ ମାରି ଦିଆଯାଇଛି। ସାହିତ୍ୟଠୁ ନେଇ କୃଷି, ବାଣିଜ୍ୟ, ଶିଳ୍ପ, ଶିକ୍ଷକ ଯାଏଁ ସବୁ କ୍ଷେତ୍ରରେ ନେତୃତ୍ବର ଘୋର ଅଭାବ ପରିଲକ୍ଷିତ ହେଉଛି। ସାହିତ୍ୟ କ୍ଷେତ୍ରରେ ଯଦି ଜଣେ ଲେଖକ ପୁରସ୍କାର ପାଉଛି, ତେବେ ଅଭିନନ୍ଦନ ପୂର୍ବରୁ ତିରସ୍କାର ବେଶି ଶୁଣିବାକୁ ମିଳୁଛି।

କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ସାରସ୍ବତ ସମାରୋହ

 ପୁରସ୍କାର ପାଇଁ ସାହିତ୍ୟ ସମାଜ ଯେତିକି ବ୍ୟଗ୍ର ହେଉଛି; ସମ୍ବର୍ଦ୍ଧିତ ପ୍ରତିଭାଙ୍କ ପ୍ରତି ସମ୍ମାନ ଜଣାଇବା କ୍ଷେତ୍ରରେ ସେତିକି ଉତ୍ସାହ ଦେଖିବାକୁ ମିଳୁନାହିଁ। ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଓଡ଼ିଆ ସାହିତ୍ୟ ପ୍ରତି ଯେଉଁ ସଙ୍କଟ ଦେଖାଦେଇଛି, ତା’ର ମୁକାବିଲା ପାଇଁ ସାହିତ୍ୟିକମାନଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳର ସଦୁପଯୋଗ କରିବାକୁ ପଡ଼ିବ। ବର୍ତ୍ତମାନର ପିଢ଼ିଙ୍କ ଠାରେ ପଢ଼ିବା କିମ୍ବା ଲେଖିବା ଅଭ୍ୟାସ କମିଗଲାଣି। ଗଳ୍ପ ହେଉ କିମ୍ବା କବିତା ଲୋକଙ୍କ ପାଖେ ପହଞ୍ଚିବାକୁ ହେଲେ ସାହିତ୍ୟିକମାନଙ୍କୁ ଡିଜିଟାଲ୍‌ କୌଶଳ ଆପଣାଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ମତପୋଷଣ କରିଥିଲେ।

ଉତ୍ସବରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବୈଷ୍ଣବଚରଣ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ ସାଧାରଣ ଲୋକଙ୍କ ବୋଧଗମ୍ୟ ହେଲେ ଆହୁରି ପରିବ୍ୟାପ୍ତ ଓ ପ୍ରସାରିତ ହେବ ବୋଲି କହିଥିଲେ। ଏହି ଅବସରରେ କବି ଅଶ୍ବିନୀ ମିଶ୍ରଙ୍କୁ ‘ଶ୍ରୀବଳଦେବ ସମ୍ମାନ’, ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଅସିତ ମହାନ୍ତିଙ୍କୁ ‘ଆର୍ତ୍ତବଲ୍ଲଭ ଗବେଷଣା ପୁରସ୍କାର’, ଗାଳ୍ପିକା ସ୍ବାଗତିକା ସ୍ବାଇଁଙ୍କୁ ‘ଅଦ୍ବୈତ କଥା ପୁରସ୍କାର’, ଅନୁବାଦକ ତପନ କୁମାର ପଣ୍ଡାଙ୍କୁ ‘ବ୍ରହ୍ମାନନ୍ଦ ଅନୁବାଦ ପୁରସ୍କାର’, କବି କୃଷ୍ଣ ସି˚ହଙ୍କୁ ‘ତୁଳସୀ ସମ୍ମାନ’, କବି ଚିତ୍ତରଞ୍ଜନ ନାୟକଙ୍କୁ ‘ଦୀପକ କବିତା ସମ୍ମାନ’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ସହିତ ଚଳିତବର୍ଷ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ପ୍ରଫେସର ବୈଷ୍ଣବ ସାମଲଙ୍କୁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଥିଲା।

ଉତ୍ସବରେ କବି ପ୍ରମୋଦ ମଲ୍ଲିକଙ୍କ ଦ୍ବିତୀୟ କବିତା ସଙ୍କଳନ ‘ମୁହୂର୍ତ୍ତେ ମୋକ୍ଷ’ ସହିତ କବି ଡକ୍ଟର ଅପର୍ଣ୍ଣା ମହାନ୍ତିଙ୍କ ‘ଶ୍ରେଷ୍ଠ କବିତା’ ଉନ୍ମୋଚିତ ହୋଇଥିଲା। କଥାକାର ତଥା ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ସରୋଜ ମହାନ୍ତି ବିବରଣୀ ପାଠ କରିଥିଲେ। ଯୁବକବି ମାତୃଦତ୍ତ ମହାନ୍ତି ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ, କବି ନବଜ୍ୟୋତି ରାୟ ସଭା ସଞ୍ଚାଳନ ଓ କବି ଅରବିନ୍ଦ ଧଳ ଧନ୍ୟବାଦ ଦେଇଥିଲେ। ବିଶିଷ୍ଟ କଥାକାର ରାମଚନ୍ଦ୍ର ବେହେରା, ପ୍ରଫେସର ନନ୍ଦକିଶୋର ବଳ, ବିଧାୟକ ଧ୍ରୁବଚରଣ ସାହୁ, ପୂର୍ବତନ ସା˚ସଦ ଅର୍ଚ୍ଚନା ନାୟକ, ସାହିତ୍ୟିକ ଅଲେଖ ପଢ଼ିଆରୀ, କବି ଶତ୍ରୁଘ୍ନ ପାଣ୍ଡବ, ଗାଳ୍ପିକ ଗିରୀଶ ସାହୁ, ସେନାପତି ପ୍ରଦ୍ୟୁମ୍ନ କେଶରୀ, ପଦ୍ମକାନ୍ତ ଧଳ, ପ୍ରମୋଦ ଧଳ, ଜ୍ଞାନରଞ୍ଜନ ନାୟକ, ନିରାକାର ଦାସ, ପ୍ରଫେସର ଲକ୍ଷ୍ମୀନାରାୟଣ ଅଧିକାରୀ, ତପନ ପତି, ଭୁବନମୋହନ ଜେନା, ଗଣେଶ ସାମଲ, ଇଞ୍ଜିନିୟର ନୀଳାଦ୍ରି ମହାପାତ୍ରଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.