Breaking News

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ, ଲକ୍ଷେ ୫ ହଜାର ଟଙ୍କାର ଜରିମାନା

ଫୁଲବାଣୀ, ୫/୧୨ : ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲଦଣ୍ଡ। ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ଦୋଷୀକୁ ୧ ଲକ୍ଷ ୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅଭିଯୁକ୍ତକୁ ଅଧିକ ୧୪ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ, ଟିକାବାଲି ଥାନା ଅଞ୍ଚଳର ଧନେଶ୍ବର କହଁର । ଏତଦ୍ ବ୍ୟତୀତ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୭ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଧନେଶ୍ୱର କହଁର ଟିକାବାଲି ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ଥାନାରେ ଏତଲା ହୋଇଥିଲା। ଅଭିଯୋଗ ଆଧାରରେ ପୁଲିସ ୩୮ /୨୦୨୪ ରେ ଏକ ମାମଲା ରୁଜୁ କରିବା ସହ ଧନେଶ୍ୱରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ପୋକ୍ସୋ ଅଦାଲତ ବିଚାରପତି ରାଜେଶ ଦାଶ ପୀଡିତା ଏବଂ ୧୭ ଜଣ ସାକ୍ଷୀଙ୍କ ବୟାନ ତଥା ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ମାମଲାଟିକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ସୌଜନ୍ୟ-ପ୍ରମେୟ

Comments are closed.