Breaking News

ନାରୀବିଦ୍ବେଷର ନୂଆ ଚରାଭୂଇଁ ଟେଲିଗ୍ରାମ୍‌ ଓ ରେଡିଟ୍‌

ଭାରତରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଡିଜିଟାଲ୍‌ ଦୁନିଆ ଅଧିକରୁ ଅଧିକ ଆପତ୍ତିଜନକ ସାମଗ୍ରୀ ଓ ବେଆଇନ କାର୍ଯ୍ୟକଳାପର ମଞ୍ଚ ପାଲଟୁଛି। ‘ଟେଲିଗ୍ରାମ୍‌’ ଓ ‘ରେଡିଟ୍‌’ ପରି ସାମାଜିକ ଗଣମାଧ୍ୟମ ନାରୀ ବିଦ୍ବେଷ ପ୍ରସାରର ଚରାଭୂଇଁ ପାଲଟିଥିବା ବିଭିନ୍ନ ରିପୋର୍ଟରୁ ପ୍ରକାଶ ପାଇଛି।

ଭାରତରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ିବା ସହିତ ଡିଜିଟାଲ୍‌ ଦୁନିଆ ଅଧିକରୁ ଅଧିକ ଆପତ୍ତିଜନକ ସାମଗ୍ରୀ ଓ ବେଆଇନ କାର୍ଯ୍ୟକଳାପର ମଞ୍ଚ ପାଲଟୁଛି। ‘ଟେଲିଗ୍ରାମ୍‌’ ଓ ‘ରେଡିଟ୍‌’ ପରି ସାମାଜିକ ଗଣମାଧ୍ୟମ ନାରୀ ବିଦ୍ବେଷ ପ୍ରସାରର ଚରାଭୂଇଁ ପାଲଟିଥିବା ବିଭିନ୍ନ ରିପୋର୍ଟରୁ ପ୍ରକାଶ ପାଇଛି। ମୁଖ୍ୟତଃ ଏ ଦୁଇଟି ସାମାଜିକ ଗଣମାଧ୍ୟମରେ ବ୍ୟବହାରକାରୀଙ୍କ ପରିଚୟ ଗୋପନୀୟ ରଖିବାର ସୁବିଧା ଥିବାରୁ ପୁରୁଷମାନେ ଗ୍ରୁପ୍‌ ଖୋଲି ବେଧଡ଼କ ନାରୀଙ୍କ ଉତ୍ପୀଡ଼ନ, ନାରୀବିରୋଧୀ ଘୃଣା ପ୍ରସାର, ସେମାନଙ୍କୁ ଭୋଗ୍ୟବସ୍ତୁ ଭଳି ଦେଖାଇବା, ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ପ୍ରସାରଣ, ସେମାନଙ୍କ ଫଟୋ ଅନୁମତି ବିନା ପ୍ରସାର କରିବା ଓ ଅଶ୍ଳୀଳ ଟିପ୍ପଣୀ ଦେବା ଆଦି କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ପରିଚୟର ଗୋପନୀୟତା ଯୋଗୁଁ ସେମାନେ ଏଭଳି ପାଶବିକ ଆଚରଣ ପ୍ରକାଶ କରନ୍ତି, ଯାହା ସେମାନେ ବ୍ୟକ୍ତିଗତ ଜୀବନରେ ପ୍ରକାଶ କରିବାକୁ ଭୟ କରିଥାନ୍ତି। ଏଭଳି ଆଚରଣ ମହିଳାଙ୍କୁ ସିଧାସଳଖ ଯୌନ ଉତ୍ପୀଡ଼ନା ଦେବାରୁ ଆରମ୍ଭ କରି ସମଗ୍ର ଭାବେ ପୁରୁଷମାନଙ୍କ ମନରେ ନାରୀବିଦ୍ବେଷର ମାନସିକତାକୁ ଅଧିକ ସୁଦୃଢ଼ କରୁଛି, ଯାହା ସେମାନଙ୍କୁ ନାରୀବିରୋଧୀ ଅପରାଧ ଭିଆଇବା ଲାଗି ମଧ୍ୟ ପ୍ରବର୍ତ୍ତାଉଛି।

ଅଣଲାଭକାରୀ ସଂସ୍ଥା ‘କମନ୍‌ ସେନ୍‌ସ ମିଡିଆ’ ଦ୍ବାରା ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଅର୍ଦ୍ଧେକ ନାବାଳକ/ନାବାଳିକା ୧୩ ବର୍ଷ ଛୁଇଁବା ପୂର୍ବରୁ ‘ପର୍ନ’ ବା ଅଶ୍ଳୀଳ ଭିଡିଓର ସଂସ୍ପର୍ଶରେ ଆସୁଛନ୍ତି। ଉକ୍ତ ସର୍ବେକ୍ଷଣରେ ଭାଗ ନେଇଥିବା ୧୩ରୁ ୧୭ ବର୍ଷର ନାବାଳକ/ନାବାଳିକାଙ୍କ ମଧ୍ୟରୁ ଅଧିକାଂଶ ସ୍ବୀକାର କରିଥିଲେ ଯେ ସେମାନେ ଦେଖିଥିବା ‘ପର୍ନ’ରେ ବଳାତ୍କାର, ମହିଳାଙ୍କ ଗଳା ଚିପିବା ଭଳି  ହିଂସାତ୍ମକ ଆଚରଣ ଅନ୍ତର୍ଭୁକ୍ତ ଥିଲା। ଏଭଳି ଦୃଶ୍ୟ ପିଲାଙ୍କ ମନରେ ହିଂସାତ୍ମକ ଆଚରଣ ପ୍ରତି ସହନଶୀଳତା ସୃଷ୍ଟି କରିଥାଏ, ଯାହା ସାମାଜିକ ରୀତିନୀତିକୁ ମଧ୍ୟ ସମୟକ୍ରମେ ବଦଳାଇଦିଏ।
ଏକ୍‌ସ (ଟ୍ବିଟର୍‌) ଓ ୟୁଟ୍ୟୁବ୍‌ ପରି ସାମାଜିକ ଗଣମାଧ୍ୟମରେ ନାରୀବିଦ୍ବେଷ ପ୍ରସାରକାରୀ କ୍ଷତିକାରକ କଣ୍ଟେଣ୍ଟଗୁଡ଼ିକୁ ହଟାଇବାର ପ୍ରାବଧାନ ଥିବା ବେଳେ ଟେଲିଗ୍ରାମ୍‌ ଓ ରେଡିଟ୍‌ରେ ଅନୁରୂପ ଲଗାମ ନାହିଁ, ଯାହା ଜାରି କରିବା ଜରୁରି। ସେହିପରି ମହିଳାମାନେ ଅନ୍‌ଲାଇନ୍‌ ଉତ୍ପୀଡ଼ନର ଶିକାର ହେଲେ ତୁରନ୍ତ ଆଇନର ସହାୟତା ନେବା ଆବଶ୍ୟକ। ଇନ୍‌ଫର୍ମେସନ୍ ଟେକ୍‌ନୋଲୋଜି ଆଇନ ଓ ଡିଜିଟାଲ୍‌ ପର୍ସନାଲ୍‌ ଡେଟା ପ୍ରଟେକ୍‌ସନ୍ ଆଇନ ଏ ଦିଗରେ ମହିଳାଙ୍କୁ ସୁରକ୍ଷା ଦେଇଥାଏ। ତେବେ ଡିପ୍‌ଫେକ୍‌ ଓ ଗେମିଂ ମଞ୍ଚରେ ଉତ୍ପୀଡ଼ନରୁ ସୁରକ୍ଷା ଦେବା ଲାଗି ଆଇନ ନବୀକୃତ ହେବା ଉଚିତ ବୋଲି ବିଶେଷଜ୍ଞମାନେ କହିଥାନ୍ତି। ଇଣ୍ଟର୍‌ନେଟ୍‌ ଦେଶର ସୀମାରେ ଆବଦ୍ଧ ନଥିବାରୁ ଏଥିରେ ପ୍ରସାର ହେଉଥିବା ନାରୀ ବିଦ୍ବେଷକୁ ରୋକିବା ଲାଗି ମିଳିତ ଅନ୍ତର୍ଜାତୀୟ ଉଦ୍ୟମ ମଧ୍ୟ ଅତ୍ୟାବଶ୍ୟକ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.