Breaking News

ନାସା-ଇସ୍ରୋ ମିଳିତ ମିସନ୍‌: ମହାକାଶ ଆଡ଼କୁ ପାଦେ ବଢ଼ିଲେ ଗଗନଯାତ୍ରୀ

ଭାରତର ବହୁପ୍ରତୀକ୍ଷିତ ‘ଗଗନଯାନ’ ଅନ୍ତରୀକ୍ଷ ଅଭିଯାନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମିଳିତ ପ୍ରୟାସରେ ଦୁଇ ଭାରତୀୟ ମହାକାଶଚାରୀଙ୍କ ପ୍ରଥମ ଦଫା ତାଲିମ ସଫଳତାର ସହ ଶେଷ ହୋଇଛି।

ଭାରତର ବହୁପ୍ରତୀକ୍ଷିତ ‘ଗଗନଯାନ’ ଅନ୍ତରୀକ୍ଷ ଅଭିଯାନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମିଳିତ ପ୍ରୟାସରେ ଦୁଇ ଭାରତୀୟ ମହାକାଶଚାରୀଙ୍କ ପ୍ରଥମ ଦଫା ତାଲିମ ସଫଳତାର ସହ ଶେଷ ହୋଇଛି। ‘ଇସ୍ରୋ’ ପକ୍ଷରୁ କୁହାଯାଇଛି କି, ଅନ୍ତରୀକ୍ଷ ଅଭିଯାନର ପ୍ରାଥମିକ ସଦସ୍ୟ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ଶୁଭାଂଶୁ ଶୁକ୍ଳା ଓ ବ୍ୟାକ୍‌ଅପ୍‌ ସଦସ୍ୟ ଗ୍ରୁପ୍‌ କ୍ୟାପ୍‌ଟେନ୍‌ ପ୍ରଶାନ୍ତ ବାଳକୃଷ୍ଣନ୍‌ ନାୟାର ମିଳିତ ଭାବେ ଆମେରିକାରେ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୬ର ଶେଷ ଆଡ଼କୁ ହେବାକୁ ଥିବା ଏହି ଅଭିଯାନ ଭାରତର ପ୍ରଥମ ମାନବବାହୀ ଅନ୍ତରୀକ୍ଷ ଯାତ୍ରାର ମାନ୍ୟତା ବହନ କରିବ। ସେଥିପାଇଁ ଗତ ଅଗଷ୍ଟ ମାସରେ ଆରମ୍ଭ ହୋଇଥିବା ଏହି ପ୍ରାଥମିକ ତାଲିମ କାର୍ଯ୍ୟକ୍ରମରେ ମହାକାଶଚାରୀଦ୍ବୟଙ୍କୁ ସେମାନଙ୍କର ଭୂମିକା ସମ୍ପର୍କରେ ଅବଗତ କରାଯାଇ ସେମାନଙ୍କୁ ପ୍ରସ୍ତୁତ ମଧ୍ୟ କରାଯାଇଥିଲା।

ଭାରତର ମହତ୍ତ୍ବାକାଂକ୍ଷୀ ‘ଗଗନଯାନ’ ଅଭିଯାନରେ ୨୦୨୬ରେ ପ୍ରଥମ ଥର ପାଇଁ ଚାରିଜଣ ‘ଇସ୍ରୋ’ ଅଭିଯାତ୍ରୀଙ୍କୁ ମହାକାଶକୁ ପଠାଇବାର ଲକ୍ଷ୍ୟ ରଖାଯାଇଛି

ଅଭିଯାନ ସହ ଜଡ଼ିତ ଭୂପୃଷ୍ଠସ୍ଥ ଯାତ୍ରା ସୁବିଧା, ବିଭିନ୍ନ ଉତ୍‌କ୍ଷେପଣ ବ୍ୟବସ୍ଥା, ସ୍ପେସ୍‌-ଏକ୍ସ ଦ୍ବାରା ନିର୍ମିତ ମହାକାଶଚାରୀ ପୋଷାକ ପରିଧାନ ଓ ମହାକାଶରେ ଖାଦ୍ୟ ସୁବିଧା ଆଦି ବାବଦରେ ସେମାନଙ୍କୁ ଅବଗତ କରାଯାଇଥିଲା। ମହାକାଶଯାନ ସ୍ପେସ୍‌ଏକ୍ସ ଡ୍ରାଗନ୍‌ ଓ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍)ର ଜଟିଳ ଜ୍ଞାନକୌଶଳ ସମେତ କ୍ରିୟାନ୍ବୟନ ପ୍ରଣାଳୀ ସହ ମଧ୍ୟ ସେମାନଙ୍କୁ ପରିଚିତ କରାଯାଇଥିଲା। ଏହି ତାଲିମର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲା ମହାକାଶରେ କୌଣସି ପ୍ରକାର ଜରୁରିକାଳୀନ ସ୍ଥିତିର ମୁକାବିଲା। ଏଥି ସହିତ ଦୈନନ୍ଦିନ କାର୍ଯ୍ୟକ୍ରମ ଖସଡ଼ା ଓ ଅଭିଯାନ ପାଇଁ ଉଦ୍ଦିଷ୍ଟ ଯୋଗାଯୋଗ ବିଧି ବାବଦରେ ମଧ୍ୟ ବିଶଦ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାପରେ ମହାକାଶଚାରୀ ଦ୍ବୟଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଜ୍ଞାନକୌଶଳ ତାଲିମ ଦିଆଯିବ। ସେହିପରି ଶୂନ ମାଧ୍ୟାକର୍ଷଣ ବା ଅଣୁ-ମାଧ୍ୟାକର୍ଷଣ ପରିବେଶରେ ବିଭିନ୍ନ ବୈଜ୍ଞାନିକ ଗବେଷଣା ଓ କାର୍ଯ୍ୟଶୈଳୀ ବାବଦରେ ମଧ୍ୟ ସେମାନେ ତାଲିମ ନେବେ। ତେବେ ଉକ୍ତ ଅଭିଯାନର ଲକ୍ଷ୍ୟ ସାଧନ ପାଇଁ ଭାରତୀୟ ମହାକାଶଚାରୀ ଦ୍ବୟଙ୍କୁ ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରସ୍ତୁତି କରିବାକୁ ହେଉଛି ବୋଲି ‘ଇସ୍ରୋ’ ପକ୍ଷରୁ କୁହାଯାଇଛି।
ସୌଜନ୍ୟ-ସମ୍ୱାଦ

Comments are closed.