Breaking News

ନାହିଁ ଜନ୍ମ ପ୍ରମାଣପତ୍ର, ହୋଇପାରୁନି ଆଧାରକାର୍ଡ: ବିଦ୍ୟାଳୟ ମାଟି ମାଡ଼ିବା ସାତ ସପନ

ରାଜଧାନୀର ଏକ ବସ୍ତିରେ ରହୁଛି ନାବାଳିକା କମଳା ଟୁଡୁ(ଛଦ୍ମନାମ)। ବୟସ ୮ ବର୍ଷ। ଏବେ ସେ ତୃତୀୟ ଶ୍ରେଣୀରେ ପଢ଼ନ୍ତାଣି। ପଢ଼ିବାକୁ ବେଶ୍ ଆଗ୍ରହୀ। କିନ୍ତୁ ବିଦ୍ୟାଳୟ ମାଟି ମାଡ଼ିପାରୁନି କମଳା। ପୂର୍ବରୁ ଅଙ୍ଗନବାଡ଼ି ଦିଦି ମନା କରିଥିଲେ।

ଭୁବନେଶ୍ୱର: ରାଜଧାନୀର ଏକ ବସ୍ତିରେ ରହୁଛି ନାବାଳିକା କମଳା ଟୁଡୁ(ଛଦ୍ମନାମ)। ବୟସ ୮ ବର୍ଷ। ଏବେ ସେ ତୃତୀୟ ଶ୍ରେଣୀରେ ପଢ଼ନ୍ତାଣି। ପଢ଼ିବାକୁ ବେଶ୍ ଆଗ୍ରହୀ। କିନ୍ତୁ ବିଦ୍ୟାଳୟ ମାଟି ମାଡ଼ିପାରୁନି କମଳା। ପୂର୍ବରୁ ଅଙ୍ଗନବାଡ଼ି ଦିଦି ମନା କରିଥିଲେ। ପରେ ବିଦ୍ୟାଳୟ ଶିକ୍ଷକ ବି ନାମ ଲେଖାଇବାକୁ ମନା କରିଦେଲେ। ତେଣୁ କମଳା ପାଇଁ ବିଦ୍ୟାଳୟ ମାଟି ମାଡ଼ିବା ସାତ ସପନ ପାଲଟିଛି। ଦୋଷ ବାପାମା’ଙ୍କର। ଅପ୍ରାପ୍ତ ବୟସ‌ରେ ସେମାନେ ଭଲ ପାଇ ଘରୁ ଲୁଚି ପଳାଇ ଆସିଥିଲେ। ମାଆ, ନାବାଳିକା ଅବସ୍ଥାରେ କମଳାକୁ ଜନ୍ମ ଦେଇଥିଲେ। ସେତେବେଳେ ଲୁଚିଛପି ରହୁଥିବାରୁ ଡାକ୍ତରଖାନା ଗଲେ ନାହିଁ କି କଥା ଆଶାକର୍ମୀଙ୍କ ନଜରକୁ ଆଣିଲେ ନାହିଁ। ତେଣୁ ଜନ୍ମ ପ୍ରମାଣପତ୍ର ହୋଇପାରିଲା ନାହିଁ। ପରେ ଆଧାର କାର୍ଡ ବି ହୋଇପାରୁନି। ବାପାମା’ଙ୍କ ଦୋଷରୁ ବା ଅଜ୍ଞତାରୁ କମଳାର ନା ଅଛି ଜନ୍ମ ପ୍ରମାଣପତ୍ର ନା ଅଛି ଆଧାର କାର୍ଡ। ଫଳ‌ରେ ତା’ର ପାଠପଢ଼ା ସ୍ବପ୍ନ ଅଧୁରା ରହିଯାଇଛି। କେବଳ କମଳା ନୁହେଁ, ଅନୁରୂପ କାରଣରୁ ପାଠ ପଢ଼ିପାରୁନି ୭ ବର୍ଷ ବୟସର ମୁନି ହେମ୍ବ୍ରମ। ମୁନି ମା’ ଗର୍ଭରେ ଥିବା ବେଳେ ବାପା ସେମାନଙ୍କୁ ଛାଡ଼ି କୁଆଡ଼େ ପଳାଇଲା। ମୁନି ଭୂମିଷ୍ଠ ହେବା ପରେ ମା’ ନା ଯୋଗାଡ଼ କରିପାରିଲା ଜନ୍ମ ପ୍ରମାଣପତ୍ର ନା କରିପାରୁଛି ଆଧାର କାର୍ଡ। ତେଣୁ ପାଠ ପଢ଼ିବାକୁ ମନ ଥିଲେ ବି ତା’ ପାଇଁ ବିଦ୍ୟାଳୟ ଦୁଆର ବନ୍ଦ। ଏମିତି ଆଧାର କାର୍ଡ ହୋଇପାରୁ ନଥିବାରୁ କମଳା ଓ ମୁନି ଭଳି ବହୁ କୋମଳମତି ଶିଶୁଙ୍କ ଭବିଷ୍ୟତ ଅନ୍ଧାରରେ।

ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର କିଛି ବସ୍ତିରୁ ଦେଖିବାକୁ ମିଳିଛି ଏଭଳି ଉଦାହରଣ। ପାଣିଟାଙ୍କି ବସ୍ତି, ନୀଳମାଧବ ବସ୍ତି, ରାଧାକୃଷ୍ଣ ଲେନ୍‌ ବସ୍ତି, ନୀଳପଡ଼ିଆ ବସ୍ତିରେ ଏମିତି ବହୁ କମଳା ଓ ମୁନି ଅଛନ୍ତି। ବିଶେଷକରି ଏଭଳି ଘଟଣା ବେଶି ଦେଖିବାକୁ ମିଳିଛି ଆଦିବାସୀ ସମ୍ପ୍ରଦାୟରେ। କିଛି ଆଦିବାସୀ ସମ୍ପ୍ରଦାୟରେ କମ୍‌ ବୟସ ବିବାହ ପ୍ରଥା ରହିଛି। ବିବାହ ପରେ କେଉଁଠି ସ୍ତ୍ରୀ ଓ ଛୁଆକୁ ଛାଡ଼ି ସ୍ବାମୀ ପଳାଇଲାଣି ତ କେଉଁଠି ସ୍ବାମୀକୁ ଛାଡ଼ି ସ୍ତ୍ରୀ ଅନ୍ୟତ୍ର ରହିଲାଣି। ଫଳରେ ସେମାନଙ୍କ ଔରସରୁ ଜନ୍ମ ନେଇଥିବା ପିଲାମାନେ ଏଭଳି ଦୁଃସ୍ଥିତିର ଶିକାର ହେଉଛନ୍ତି। ନିୟମାନୁସାରେ ଏମିତି କ୍ଷେତ୍ରରେ ବି ଉଭୟ ଜନ୍ମ ପ୍ରମାଣପତ୍ର ଓ ଆଧାର କାର୍ଡ ହୋଇପାରିବ। ମା’ କିମ୍ବା ବାପାଙ୍କ ଠିକଣାରେ ଆଧାର କାର୍ଡ ହୋଇପାରିବ। ଏଥିପାଇଁ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡ଼ା।

ଏଡିଏମ୍‌ କିମ୍ବା ଉପଜିଲ୍ଲାପାଳଙ୍କୁ ଆବେଦନ କଲେ, ଏହି ସମସ୍ୟାର ସମାଧାନ ହୋଇପାରିବ। କିନ୍ତୁ ଏଥିପାଇଁ ମାଆ କିମ୍ବା ବାପା ଛୁଆକୁ ନେଇ ଧାଁ ଧପଡ଼ କରିବାକୁ ପଡ଼ିବ। କିନ୍ତୁ ଶିକ୍ଷା ଓ ସଚେତନତାର ଅଭାବରୁ ସେମାନେ ଧାଁ ଧପଡ଼ କରିପାରୁନାହାନ୍ତି। ଦ୍ବିତୀୟତଃ ଦିନ ମଜୁରିରେ ଗୁଜୁରାଣ ମେଣ୍ଟାଉଥିବା ମାଆ ବାପା ଏହି ଜଞ୍ଜାଳ ପାଇଁ ମଜୁରି ବନ୍ଦ କରି ଦିନଟିଏ ବି ଦେଇପାରୁନାହାନ୍ତି। ଅନ୍ୟ ପକ୍ଷରେ ‘ସମସ୍ତେ ପଢ଼ିବେ, ସମସ୍ତେ ବଢ଼ିବେ’,  ‘ବେଟି ବଚାଓ, ବେଟି ପଢ଼ାଓ’ ଭଳି ବଡ଼ ସୁନ୍ଦର ସୁନ୍ଦର ସରକାରୀ ନାରା ରହିଛି। ଡ୍ରପ୍‌ ଆଉଟ୍‌ ପିଲାଙ୍କ ପାଠପଢ଼ା ପାଇଁ ସରକାର ଘରକୁ ଘର ସର୍ଭେ କରାଉଛନ୍ତି। ଅଧାରୁ ପଢ଼ା ଛାଡ଼ୁଥିବା ପିଲାଙ୍କୁ ମନାଇ ସ୍କୁଲ୍‌ ଆଣିବାକୁ ବିଭିନ୍ନ ଯୋଜନା କରାଯାଉଛି। କିନ୍ତୁ ଏଠାରେ କମଳା ଓ ମୁନି ଭଳି କୋମଳମତି ଶିଶୁମାନେ ବିଦ୍ୟାଳୟ ଦୁଆର ମାଟି ମାଡ଼ିପାରୁନାହାନ୍ତି। ଏଭଳି ସମସ୍ୟା ସମ୍ପର୍କରେ ପାଣିଟାଙ୍କି ବସ୍ତିରେ ପିଲାଙ୍କୁ ନିଜ ତରଫରୁ ମାଗଣାରେ ପାଠ ପଢ଼ାଉଥିବା ବବିତା ସ୍ୱାଇଁଙ୍କ କହିବା କଥା ସେ ମଧ୍ୟ ବିଭିନ୍ନ ଫୋରମ୍‌ରେ ଚେଷ୍ଟା କରି ଏଭଳି ପିଲାଙ୍କ ଆଧାର କାର୍ଡ କରିବାରେ ବିଫଳ ହୋଇଛନ୍ତି। ତେଣୁ ସେ ଏହି ପିଲାଙ୍କୁ ନେଇ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.