ଭୁବନେଶ୍ୱର: ଯେ ପର୍ଯ୍ୟନ୍ତ ସରକାର ମିସନ୍‌ ଶକ୍ତି ବିଭାଗର କାର୍ଯ୍ୟନିର୍ବାହୀ କମିଟି (ଇସି)ର ରିଷ୍ଟ୍ରକ୍‌ଚରିଙ୍ଗ ପ୍ରତ୍ୟାହାର କରି ନାହାନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ। ଇସି ସଦସ୍ୟମାନେ ଏଭଳି ଜିଦ୍‌ରେ ଅଟଳ ରହି ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆଜି ପୂର୍ବାହ୍ନରେ ଆନ୍ଦୋଳନକାରୀମାନେ ଏକ ଶୋଭାଯାତ୍ରାରେ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିବା ପରେ ନିଖିଳ ଓଡ଼ିଶା ଜୀବିକା ମିସନ୍‌ ଇସି ସଂଘ ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଅପରାହ୍ନରେ ମିସନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଦାବିପତ୍ର ଦିଆଯାଇଥିଲା।

ଦାବିଗୁଡ଼ିକ ସଂକ୍ରାନ୍ତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତଥାପି ରିଷ୍ଟ୍ରକ୍‌ଚରିଙ୍ଗ ଆଦେଶ ପ୍ରତ୍ୟାହୃତ ନହେବା ଯାଏ ଇସି ମହିଳାମାନେ ଦିବାରାତ୍ର ଗଣଧାରଣାରେ ବସି ରହିବାକୁ ନିଷ୍ପତ୍ତି ନେଇଛନ୍ତି। ନିଖିଳ ଓଡ଼ିଶା ଜୀବିକା ମିସନ୍‌ ଇସି ସଂଘର ବରିଷ୍ଠ ନେତ୍ରୀ ବିଷ୍ଣୁପ୍ରିୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ସଂଘର ସଭାପତି ଜୟନ୍ତ ଦାସ, ଶୈଳବାଳା ରଥ, ପ୍ରଭାତୀ ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ରାମଚନ୍ଦ୍ର ଖୁଣ୍ଟିଆ, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର, ମାୟାଧର ନାୟକ, ପୂର୍ବତନ ବିଧାୟକ ଏନ୍‌ ନାରାୟଣ ରେଡ୍ଡୀ, ଅରୁଣ ଜେନା, ପ୍ରତିଭା ପାଲ, ସୁର ଜେନା, ତପନ ସିଟ୍ ପ୍ରମୁଖ ଉପସ୍ଥିତ ଥିଲେ।