Breaking News

ନିଖୁଣ ନୁହେଁ, କିନ୍ତୁ ଉପଭୋଗ୍ୟ ‘ଛାବା’

ଏହା ଏକ ଐତିହାସିକ ସତ୍ୟ ଯେ ଇତିହାସ ବିଜେତାମାନଙ୍କ ଦ୍ବାରା ଲେଖାଯାଇଥାଏ। ସେହି ଇତିହାସରେ, ସ୍ବାଭାବିକ ଭାବେ, ପରାଜିତ ପକ୍ଷର ବିବରଣୀ, ଐତିହ୍ୟ ବା ଭାବାବେଗ ପାଇଁ କୌଣସି ସ୍ଥାନ ନଥାଏ।

ଏହା ଏକ ଐତିହାସିକ ସତ୍ୟ ଯେ ଇତିହାସ ବିଜେତାମାନଙ୍କ ଦ୍ବାରା ଲେଖାଯାଇଥାଏ। ସେହି ଇତିହାସରେ, ସ୍ବାଭାବିକ ଭାବେ, ପରାଜିତ ପକ୍ଷର ବିବରଣୀ, ଐତିହ୍ୟ ବା ଭାବାବେଗ ପାଇଁ କୌଣସି ସ୍ଥାନ ନଥାଏ। ତେବେ ଭାରତର ଇତିହାସ ଏଭଳି କିଛି ପରାଜିତମାନଙ୍କ ଦ୍ବାରା ଆଚ୍ଛନ୍ନ ଯେଉଁମାନେ ନିଜ ପରାଜୟରେ ସୁଦ୍ଧା ନିଜ ପରାକ୍ରମଶାଳୀ ଲଢ଼େଇର ଇତିହାସକୁ ଜନମାନସରେ ଉଜ୍ଜୀବିତ ରଖିପାରିଛନ୍ତି। ସେଭଳି ଜଣେ ଶାସକ ଥିଲେ ଛତ୍ରପତି ଶମ୍ଭାଜୀ ମହାରାଜ। ମାତ୍ର ନଅ ବର୍ଷର ଶାସନ କାଳରେ ସେ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ବିରୋଧରେ ଏକ ଶକ୍ତିଶାଳୀ ସାମରିକ ଆହ୍ବାନ ଛିଡ଼ା କରାଇଥିଲେ। ସପ୍ତଦଶ ଶତାବ୍ଦୀର ଜଟିଳ ପାରିବାରିକ ଓ ରାଜନୈତିକ ପରିସ୍ଥିତିରେ ଜଣେ ମରାଠା ଶାସକଙ୍କ ଅବତାରଣାରେ ଲକ୍ଷ୍ମଣଙ୍କ ନିର୍ଦେଶନା ଓ ଭିକିଙ୍କ ଉତ୍ସର୍ଗୀକୃତ ପ୍ରଦର୍ଶନ ‘ଛାବା’କୁ ଏକ ଅତ୍ୟନ୍ତ ଉପଭୋଗ୍ୟ ସିନେମା ଭାବେ ଉପସ୍ଥାପିତ କରିଛି।

ଭାରତରେ ନିର୍ମିତ ଐତିହାସିକ ସିନେମାମାନଙ୍କୁ ନେଇ ରହିଆସିଥିବା ଅଭିଯୋଗ ପଛର ମୁଖ୍ୟ କାରଣଗୁଡ଼ିକ ହେଲା ବିଶାଳ ପୃଷ୍ଠଭୂମି, ଐତିହାସିକ ସଠିକତା ଓ ବଜେଟ୍‌ର ଅଭାବ ତଥା ଦୁଇ ଶତ୍ରୁ ପକ୍ଷର ଚିତ୍ରଣରେ ଏକପାଖିଆ ପୂର୍ବାଗ୍ରହର ଉପସ୍ଥିତି। ‘ଛାବା’ରେ ଏସବୁ ଅଭିଯୋଗ ପାଇଁ ବିଶେଷ ଅବକାଶ ନାହିଁ। ଏହାର ବଡ଼ କାରଣ ବୋଧହୁଏ ଏହି ଯେ ଏ ସିନେମାର ପରିକଳ୍ପନା ପଛରେ ରହିଛି ଶିବାଜୀ ସାଵନ୍ତଙ୍କ ଦ୍ବାରା ରଚିତ ମରାଠୀ ଉପନ୍ୟାସର ଶକ୍ତିଶାଳୀ ତଥ୍ୟ ଓ କାହାଣୀ। ଚଳଚ୍ଚିତ୍ରର ପରବର୍ତ୍ତୀ ଦୃଢ଼ ଭିତ୍ତି ହେଉଛି ସାବଲୀଳ ଚିତ୍ରନାଟ୍ୟ ଓ ସଂଳାପ। ମରାଠୀ ଭାଷାରେ ‘ଛାବା’ର ଅର୍ଥ ହେଉଛି ସିଂହ ଶାବକ। ଛତ୍ରପତି ଶିବାଜୀ ମହାରାଜଙ୍କ ପୁତ୍ର ଶମ୍ଭାଜୀ ଏହି ନାମରେ ପରିଚିତ ହେବାର ରୋଚକ ପୃଷ୍ଠଭୂମିରୁ ଏହି ଚଳଚ୍ଚିତ୍ର ଆରମ୍ଭ ହୁଏ। ଭିକି ପ୍ରଥମ ଥର ପାଇଁ ଜଣେ କିଂବଦନ୍ତୀୟ ଶାସକଙ୍କ ଭୂମିକାରେ ଅବତୀର୍ଣ୍ଣ ହେଉଥିବାରୁ ସେହି ବ୍ୟକ୍ତିତ୍ବର ବିଶାଳତାକୁ ସେ ଆୟତ୍ତ କରିପାରିବେ କି ନାହିଁ ସେ ସଂଶୟ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ରୁ ଜାତ ହୋଇଥିଲା।

ମାତ୍ର ସିନେମାଟି ଦେଖିବା ପରେ ଭିକିଙ୍କ ଅବିଶ୍ବସନୀୟ ଦକ୍ଷତାକୁ ପ୍ରଶଂସା ନ କରି ରହିହୁଏ ନାହିଁ। କେତେକ ଅତିରଞ୍ଜନପୂର୍ଣ୍ଣ ଆକ୍ସନ୍‌ ଦୃଶ୍ୟ ଛଡ଼ା ଅନ୍ୟ ସବୁ ଦୃଶ୍ୟରେ ଭିକି ଜଣେ ନିର୍ଭୀକ ତଥା ବୁଦ୍ଧିସଂପନ୍ନ ଶାସକଙ୍କ ଅଙ୍ଗଭଙ୍ଗୀ, ଭାଷା ଓ ସମ୍ଭ୍ରାନ୍ତିକୁ ସ୍ବଭାବସୁଲଭ ଢଙ୍ଗରେ ଉପସ୍ଥାପନ କରିପାରିଛନ୍ତି। ସିନେମାଟି ମରାଠା ମହାରାଜାଙ୍କ ଜୀବନୀ ଉପରେ କେନ୍ଦ୍ରିତ ହୋଇଥିଲେ ହେଁ ଏଥିରେ ଅନ୍ୟ ଚରିତ୍ର ଓ ଅଭିନେତାମାନଙ୍କୁ ନିଜ ଉତ୍କର୍ଷ ପ୍ରଦର୍ଶନର ପର୍ଯ୍ୟାପ୍ତ ସୁଯୋଗ ମିଳିଛି। ଶମ୍ଭାଜୀଙ୍କ ପ୍ରେମରେ ଓତପ୍ରୋତ ପତ୍ନୀ ମହାରାଣୀ ୟେସୁବାଈଙ୍କ ଭୂମିକାରେ ରଶ୍ମିକା ମନ୍ଦାନାଙ୍କୁ ଦେଖିବା ଉପଭୋଗ୍ୟ ହୋଇଥିଲେ ହେଁ ତାଙ୍କ ଉଚ୍ଚାରଣ ବେଳେବେଳେ ଖାପଛଡ଼ା ଲାଗିଥାଏ। ଅପରପକ୍ଷେ ଛତ୍ରପତୀଙ୍କ ପ୍ରତି ଉତ୍ସର୍ଗୀକୃତ କବି କଳଶ ଭୂମିକାରେ ବିନୀତ କୁମାର ସିଂହ ମନରେ ସବୁଠାରୁ ଗଭୀର ରେଖାପାତ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ପାର୍ଶ୍ବ ଖଳନାୟିକା ସୋୟରାବାଈ ଚରିତ୍ରରେ ଦିବ୍ୟା ଦତ୍ତ ଅଳ୍ପ ଦୃଶ୍ୟରେ ଦେଖାଦେଇଥିଲେ ବି ସବୁଥିରେ ତାଙ୍କ ଚୁମ୍ବକୀୟ ପ୍ରଭାବ ଅନୁଭୂତ ହୋଇଥାଏ। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ଛାଞ୍ଚରେ ଅକ୍ଷୟ ଖାନ୍ନା ନିଜକୁ ଏପରି ଢାଳିଦେଇଛନ୍ତି ଯେ ବାସ୍ତବରେ ସେ ଅଭିନୟ କରୁଛନ୍ତି ବୋଲି ଅନୁମାନ କରିବା ପ୍ରାୟ ଅସମ୍ଭବ!

ଏ. ଆର୍‌. ରେହମାନଙ୍କ ସଂଗୀତ ତାଙ୍କଠାରୁ ଆଶା କରାଯାଉଥିବା ଭଳି ଚମତ୍କାର ସ୍ତରର ହୋଇନାହିଁ। ସତ କହିଲେ, ଅଧିକାଂଶ  ଭାଗରେ ତାଙ୍କର ସଂଗୀତ ଦୃଶ୍ୟର ଆବେଦନକୁ ବଳ ଦେଇଛି, କିନ୍ତୁ କିଛି ଦୃଶ୍ୟରେ ପ୍ରଚ୍ଛଦ ସଂଗୀତ ସ୍ପଷ୍ଟ ରୂପେ ଖାପଛଡ଼ା ଲାଗିଥାଏ। ବିଭିନ୍ନ ଚଳଚ୍ଚିତ୍ର ଭଳି ଏଥିରେ ମଧ୍ୟ ଏକ ସାଧାରଣ ବୈଷୟିକ ଅପରିପକ୍ବତା ରହିଛି ଯାହାକୁ ସହଜରେ କାଟି ଦିଆଯାଇପାରନ୍ତା- ବିଭିନ୍ନ ସମୟରେ ମରାଠା ଦୁର୍ଗର ବିସ୍ତୃତ କ୍ୟାନ୍‌ଭାସ୍‌, ଯେଉଁଗୁଡ଼ିକୁ କଂପ୍ୟୁଟର୍‌ ଦ୍ବାରା ଗଢ଼ାଯାଇଥିବା ସ୍ପଷ୍ଟ ବାରିହୁଏ। ତେବେ ମରାଠା ଓ ମୋଗଲ ରାଜଦରବାର ସେଟ୍‌ ତଥା ଚରିତ୍ରଙ୍କୁ ସଜାଇଥିବା ଡିଜାଇନର୍‌ ଓ ମେକ୍‌ଅପ୍‌ ଆର୍ଟିଷ୍ଟମାନଙ୍କ ନିଖୁଣ କାର୍ଯ୍ୟକୁ ପ୍ରଶଂସା ନ କରି ରହି ହୁଏ ନାହିଁ। ‘ଦି ଗଡଫାଦର’ ଚଳଚ୍ଚିତ୍ରର ନିର୍ଦେଶକ ଫ୍ରାନ୍‌ସିସ୍‌ ଫୋର୍ଡ କପ୍ପୋଲାଙ୍କ ଉକ୍ତି ‘ସିନେମା ଓ ଯାଦୁବିଦ୍ୟା ସର୍ବଦା ଘନିଷ୍ଠ ଭାବେ ସଂପୃକ୍ତ’ ଯଦି ୨୦୨୫ର କେଉଁ ବଲିଉଡ୍‌ ସିନେମା ପାଇଁ ସର୍ବାଧିକ ପ୍ରଯୁଜ୍ୟ, ତାହା ହେଉଛି ‘ଛାବା’। ଏଭଳି ଯାଦୁକରୀ ଅଭିଜ୍ଞତା ପାଇଁ ତ ଆମେ ପ୍ରେକ୍ଷାଳୟକୁ ଯାଉ!

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.