Breaking News

ନିଜ ଭିତର ପ୍ରତିଭାକୁ ଚିହ୍ନ: ଗଣଶିକ୍ଷା ମନ୍ତ୍ରୀ

ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଭିତରେ ପ୍ରତିଭା ଭରି ରହିଛି। ସେମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ। ନୂଆ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ। ସର୍ବଦା ନୂତନତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ।

0

ଭୁବନେଶ୍ୱର: ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଭିତରେ ପ୍ରତିଭା ଭରି ରହିଛି। ସେମାନେ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନନ୍ତୁ। ନୂଆ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ। ସର୍ବଦା ନୂତନତାକୁ ଆପଣାଇବାକୁ ଚେଷ୍ଟା କରନ୍ତୁ। ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରନ୍ତୁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’କୁ ଉଦ୍‌ଘାଟନ କରିବା ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହା କହିଛନ୍ତି। ସେ କହିଲେ ବିକଶିତ ଓଡ଼ିଶା, ବିକଶିତ ଭାରତ ପରିକଳ୍ପନାକୁ ସତ କରିବାକୁ ହେଲେ ଶିକ୍ଷାକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ହେବ।

ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରସ୍ଫୁଟିତ କରିବା ଦିଗରେ ‘ସୁରଭି’ ଏକ ବଡ଼ ମାଧ୍ୟମ ବୋଲି କହିଥିଲେ। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ସ୍ବାଗତ ଅଭିଭାଷଣ ରଖିଥିବା ବେଳେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ତିନିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଓଡ଼ିଶା ଲୋକକଳା ଶୀର୍ଷକ ବିଭିନ୍ନ ପ୍ରତିଯୋଗିତାର ଆୟୋଜିତ ହୋଇଥିଲା। ୩୦ଟି ଜିଲ୍ଲାରୁ ଜଣେ ଲେଖାଏ କୃତୀ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ଓଡ଼ିଶାର କଳାକୃତି ଉପରେ ସୁନ୍ଦର ଚିତ୍ର ଓ ହସ୍ତକଳା ପ୍ରସ୍ତୁତ କରିଥିଲେ। ଏଥିସହ ପ୍ରବନ୍ଧ, ଚିତ୍ରାଙ୍କନ, ସୃଜନଶୀଳ ଲିଖନୀ, କୁଇଜ୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଚଳିତ ବର୍ଷ ସୁରଭି ମହୋତ୍ସବରେ ଆକର୍ଷଣ ପାଲଟିଛି ଆକାଂକ୍ଷୀ ଦୁନିଆ। ସ୍ପେସ୍ ଆକୃତିରେ ପ୍ରସ୍ତୁତ ହୋଇଥିବା ଆକାଂକ୍ଷୀ ଦୁନିଆରେ ଆମ ରାଜ୍ୟର ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି ହେବ ତାହା ପ୍ରଦର୍ଶିତ ହୋଇଛି। ବିଦ୍ୟାଳୟରେ ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଯଥା ସାହିତ୍ୟ ସୃଜନୀ, ଜିଜ୍ଞାସା, କ୍ରୀଡ଼ାଙ୍ଗନ ଏବଂ ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ ପ୍ରୋଗ୍ରାମ (କୌଶଳୀ) ପାଠ୍ୟକ୍ରମର ଝଲକ ଏହା ଭିତରେ ଦେଖିବାକୁ ମିଳିଛି। ବିଭିନ୍ନ ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଓ ସଫଳତା ସମ୍ପର୍କରେ ଷ୍ଟଲ ରହିଛି।

ଉତ୍ସବରେ ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଷ୍ଟାରସ୍ ଏବଂ ହାକାଥନ୍, ସାଇବର ନିରାପତ୍ତା, ହଜିଯାଇଥିବା ପୁରାତନ ସାମଗ୍ରୀ, ବୃତ୍ତି ଚୟନ ସଚେତନତା, କାଗଜ ଭଙ୍ଗା ଓ ସଖୀ କଣ୍ଢେଇ ନାଚ, ବର୍ଜ୍ୟବସ୍ତୁରୁ ସୃଜନୀକଳା, ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ, ପିଏମ ପୋଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଇତ୍ୟାଦି କର୍ମଶାଳା ହେଉଛି। ମହୋତ୍ସବରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ଖଣ୍ଡଗିରି, ଧଉଳିଗିରି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଇତ୍ୟାଦି ସ୍ଥାନ ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି।
ସୌଜନ୍ୟ-ସମ୍ୱାଦ

Leave A Reply

Your email address will not be published.