Breaking News

ନିବୁଜତା

ପୃଥିବୀର ସର୍ବାଧିକ ଶକ୍ତିଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ର ହୋଇଥିବା ହେତୁ ସାରା ପୃଥିବୀ ନେତୃତ୍ବ ସଂଦର୍ଭରେ ଆମେରିକା ଆଡ଼କୁ ହିଁ ଚାହିଁଥାଏ। ଏଣୁ, ପୃଥିବୀର ଜନସ୍ବାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ...

ପୃଥିବୀର ସର୍ବାଧିକ ଶକ୍ତିଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ର ହୋଇଥିବା ହେତୁ ସାରା ପୃଥିବୀ ନେତୃତ୍ବ ସଂଦର୍ଭରେ ଆମେରିକା ଆଡ଼କୁ ହିଁ ଚାହିଁଥାଏ। ଏଣୁ, ପୃଥିବୀର ଜନସ୍ବାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ‘ଡବ୍ଲ୍ୟୁ.ଏଚ.ଓ.’ ଏବଂ ଏହାର ୮୦୦୦ ସରିକି କର୍ମଚାରୀଙ୍କ ସକାଶେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବ ହିଁ ସର୍ବାଧିକ ବାଂଛନୀୟ ହେବା ସ୍ବାଭାବିକ! କିନ୍ତୁ ଅସଂଗତିଟି ହେଲା ଡୋନାଲଡ୍‌ ଟ୍ରମ୍ପ ତାଙ୍କ ଆମେରିକାକୁ ନିବୁଜ କରି ପକାଇବାରେ ବ୍ୟାପୃତ।

ଜାନୁଆରି ୨୩ ତାରିଖ ଦିନ, ଆଜିକୁ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଯେଉଁ ଏକ ଇଂରେଜୀ ଅଭିବ୍ୟକ୍ତି ଅଭିଧାନର ସାନ୍ଦ୍ର ଶବ୍ଦ ଅରଣ୍ୟରୁ ବାହାରି ଆସି କ୍ରମେ ସାରା ପୃଥିବୀର ସାଧାରଣ କଥୋପକଥନ ଓ ଲେଖାପଢ଼ାର ଅଂଶ ହେବା ସହିତ ସାର୍ବଜନୀନ ହୋଇଗଲା, ତାହା ଥିଲା ‘ଲକ୍‌ଡାଉନ୍‌।’ ୨୦୨୦ ମସିହାର ଏହି ତାରିଖରେ ‘କୋଭିଡ୍‌-୧୯’ ଭୂତାଣୁର ସଂକ୍ରମଣକୁ ରୋକିବା ଲାଗି ଚୀନର ଉହାନ ନଗରୀ, ତାହାର ୧୧ ନିୟୁତ ନାଗରିକଙ୍କ ସହିତ, ସର୍ବପ୍ରଥମେ ‘ଲକ୍‌ଡାଉନ୍‌’ ଅଧୀନକୁ ଚାଲି ଆସିଥିଲା। ସେହି ସମୟରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ଉହାନର ଆମିଷ ବଜାରରେ ହିଁ ଏହି ଭୂତାଣୁ ସଂକ୍ରମଣ ସୃଷ୍ଟି ହୋଇଛି, ଯାହାର ମାରକ କ୍ଷମତାର ପ୍ରାଦୁର୍ଭାବ ଦୃଷ୍ଟିରୁ ଉତ୍ପତ୍ତି ସ୍ଥଳରେ ହିଁ ମନୁଷ୍ୟ ସମାଗମକୁ ଅବରୋଧ କରାଯିବା ଅନିବାର୍ଯ୍ୟ; ସୁତରାଂ, ‘ଲକ୍‌ଡାଉନ୍‌’। ଅବଶ୍ୟ, ଏହା ସତ ଯେ ଉହାନ ‘ଲକ୍‌ଡାଉନ୍‌’ ସତ୍ତ୍ବେ ଭୂତାଣୁଟି ଅତି ଶୀଘ୍ର ସମଗ୍ର ପୃଥିବୀକୁ ଚରିଯାଇଥିଲା; ‘ଲକ୍‌ଡାଉନ୍‌’ ଦ୍ବାରା ସୃଷ୍ଟ ନିଃସଙ୍ଗ ଗୃହବନ୍ଦୀ ଜୀବନର ଯନ୍ତ୍ରଣା, ହତାଶା ଓ ଅବସାଦ ମଧ୍ୟରେ ଅସୁମାରି ଜୀବନ ଓ ଜୀବିକା କ୍ଷୟ ଘଟାଇ ଦୁର୍ବିଷହ ଅସହାୟତାର ବାତାବରଣ ସୃଷ୍ଟି କରିଥିଲା। ‘ଲକ୍‌ଡାଉନ୍‌’ର ଓଡ଼ିଆ ଭାଷାନ୍ତର ହେବ ‘ତାଲା ବନ୍ଦ’, ଯାହାର ଅର୍ଥ ସଂପୂର୍ଣ୍ଣ ନିବୁଜତା। ଏଥିରେ ଦ୍ବିରୁକ୍ତି ନାହିଁ ଯେ କୋଭିଡ୍‌ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ମାନବ ଜାତି ଏହାକୁ ଏକାନ୍ତ ଭାବେ ଲୋଡ଼ିଥିଲା। କିନ୍ତୁ ଅନ୍ୟ ପ୍ରକାର ‘ନିବୁଜତା’ ଯେ ଏହି ସଂକ୍ରମଣକୁ ଲାଘବ କରିବା ପରିବର୍ତ୍ତେ ବିପଜ୍ଜନକ ଭାବେ ଭୟାବହ କରିଥିଲା, ତାହା ମଧ୍ୟ ପ୍ରଣିଧାନଯୋଗ୍ୟ।
ପ୍ରକାଶ ଥାଉ କି ଉହାନରେ ‘କୋଭିଡ୍‌-୧୯’ ଦ୍ବାରା ସୃଷ୍ଟି ହେବାକୁ ଯାଉଥିବା ବିପର୍ଯ୍ୟୟ ନେଇ ପ୍ରଥମ ସତର୍କ ସୂଚନା ମିଳିଥିଲା ଚକ୍ଷୁ ବିଶେଷଜ୍ଞ ଡାକ୍ତର ଲି ୱେନଜିଆଙ୍ଗଙ୍କ ଠାରୁ, ୨୦୧୯ ମସିହା ଡିସେମ୍ବର ୩୦ ତାରିଖରେ। କିନ୍ତୁ ନିଜକୁ ‘ନିବୁଜ’ କରି ରଖିବାର ମତାଦର୍ଶ ଦ୍ବାରା ପରିଚାଳିତ ଚୀନା ଶାସନ ବ୍ୟବସ୍ଥା ଏହାକୁ ପ୍ରଘଟ ହେବାକୁ ନ ଦେଇ ସନ୍ତର୍ପଣରେ ସଂକ୍ରମଣକୁ ପ୍ରଶ୍ରୟ ଦେଇଥିଲା। ପ୍ରକାଶ ଥାଉ କି ଏହାର ଦୁଇ ଦିନ ପରେ ଅର୍ଥାତ୍‌ ଜାନୁଆରି ୧ ତାରିଖରେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଯୁବ ଡାକ୍ତର ଲି ୱେନଜିଆଙ୍ଗଙ୍କ ମୃତ୍ୟୁ ଘଟିଥିଲା ଏବଂ ଡାକ୍ତରଙ୍କ ଚେତାବନୀ ଓ ଉହାନ ‘ଲକ୍‌ଡାଉନ୍‌’ ମଧ୍ୟରେ ଥିଲା ପ୍ରାୟ ଏକ ମାସର ଘାତକ ଅନ୍ତରାଳ; ସୁତରାଂ କୋଭିଡ୍ ସଂକ୍ରମଣ ଭୟାବହ ହେବାର ମୂଳଦୁଆ ପଡ଼ି ସାରିଥିଲା ଅଥଚ ନିବୁଜ ଚୀନରୁ କୌଣସି ସତର୍କତାମୂଳକ ବାର୍ତ୍ତା ଅବଶିଷ୍ଟ ପୃଥିବୀକୁ ଆସିଲା ନାହିଁ; ଏପରିକି ଏ ସଂପର୍କରେ ଖବର ପାଇ ଚୀନ ଗସ୍ତ କରିଥିବା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ଡବ୍ଲ୍ୟୁ.ଏଚ.ଓ.’ର ବିଶେଷଜ୍ଞ ଦଳ ଚୀନର ‘ନିବୁଜତା’ କାରଣରୁ ‘କୋଭିଡ୍‌ ୧୯’ ସଂକ୍ରାନ୍ତରେ ଏକ ନିରୀହ ଧାରଣା ନେଇ ଫେରିଲେ ଯେ ଏହା ‘ଫ୍ଲୁ’ ଭଳି ଏକ ସାଧାରଣ ଭାଇରସ, ଯହିଁରେ ପ୍ରାଣହାନିର ଆଶଙ୍କା ନାହିଁ। ସୁତରାଂ, ‘ଡବ୍ଲ୍ୟୁ.ଏଚ.ଓ.’ ପକ୍ଷରୁ ପୃଥିବୀ ସକାଶେ ଏକ ବିଭ୍ରାନ୍ତିକର ସନ୍ଦେଶ ଗଲା, ଯାହା ଏହି ପାନଡେମିକ ସଂଦର୍ଭରେ ‘ଡବ୍ଲ୍ୟୁ.ଏଚ.ଓ.’ର ଭୂମିକାକୁ କଳଙ୍କିତ କଲା। କହିବା ବାହୁଲ୍ୟ ଯେ ଏହି ‘ନିବୁଜତା’ ନ ଥିଲେ କରୋନା ପାନଡେମିକର ମୁକାବିଲା ଅଧିକ ଫଳପ୍ରଦ ହୋଇଥାଆନ୍ତା।
କୋଭିଡ୍‌-୧୯ର ଉତ୍ପତ୍ତି ନେଇ ଯେଉଁ ସମ୍ଭାବ୍ୟ କାରଣମାନର ଅବତାରଣା ଗବେଷକମାନେ କରନ୍ତି, ତନ୍ମଧ୍ୟରୁ ଗୋଟିଏ ହେଲା ଏହା ଯେ, ଏହି ଭୂତାଣୁ କୌଣସି ପ୍ରାଣୀ ଠାରୁ ଆହୃତ ହୋଇନାହିଁ, ବରଂ ଏହା ଗବେଷଣାଗାରରେ ପ୍ରସ୍ତୁତ, ଏବଂ ଦୈବାତ୍‌ ସେହି ଗବେଷଣାଗାରରୁ ଲିକ୍‌ ହୋଇଯାଇ ସଂକ୍ରମଣ ଘଟାଇଛି। ପ୍ରକାଶ ଥାଉ କି ଯୁକ୍ତରାଷ୍ଟ୍ର ଆମେରିକାର ‘ହାଉସ ଅଫ ରିପ୍ରେଜେଣ୍ଟେଟିଭ୍‌ସ’ ଦ୍ବାରା ଏହି ତତ୍ତ୍ବ ସ୍ବୀକୃତି ପାଇଛି। ଏହି ଧାରଣାକୁ ଦୃଢ଼ କରିଥାଏ ଉହାନରେ ଅବସ୍ଥିତ ‘ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି’, ଯେଉଁଠାରେ ବିଭିନ୍ନ ପ୍ରକାର କରୋନା ଭାଇରସକୁ ନେଇ ଉଚ୍ଚାଙ୍ଗ ଗବେଷଣାମାନ ଚାଲିଥାଏ। ଉଲ୍ଲେଖଯୋଗ୍ୟ ଯେ ଗବେଷଣାଗାରରେ କୃତ୍ରିମ ଉୟାୟରେ ଅଧିକ ଶକ୍ତିଶାଳୀ ଭାଇରସ ସୃଷ୍ଟି କରାଯାଏ, ଯାହାର ଉଦ୍ଦେଶ୍ୟ ମହତ, ଯେମିତି କି ଶକ୍ତିଶାଳୀ ପ୍ରତିଷେଧକ ପ୍ରସ୍ତୁତି ବା ଚିକିତ୍ସା ବିଧି ନିର୍ଣ୍ଣୟ ଇତ୍ୟାଦି। ତେଣୁ ଯଦିବା ଗବେଷଣାଗାରରୁ ଭାଇରସ ଲିକ୍‌ ହୋଇଥାଏ, ତେବେ ତାହାକୁ ସଂଗୋପନ କରି ରଖାଯିବା ଉଚିତ ନ ଥିଲା। ବରଂ ଗବେଷକମାନଙ୍କ ସହଯୋଗରେ ସଂକ୍ରମଣର ମୁକାବିଲା ସକାଶେ ମାର୍ଗଦର୍ଶିକା ପ୍ରସ୍ତୁତିର ଉଦ୍ୟମ କରାଯିବା ଅଧିକ ଯଥାର୍ଥ ହୋଇ ଥାଆନ୍ତା। କିନ୍ତୁ ଉହାନ ଗବେଷଣାଗାର ଏ ନେଇ ନିଜକୁ ସଂପୂର୍ଣ୍ଣ ନିବୁଜ କରି ରଖିଥିଲା। କୌତୂହଳର ବିଷୟ ହେଲା, କୋଭିଡ୍‌ ସଂକ୍ରମଣକୁ କେନ୍ଦ୍ର କରି ଚୀନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିବାଦ ଘନୀଭୂତ ହେଉଥିଲା ବେଳେ ଜଣା ପଡ଼ିଥିଲା ଯେ ଉହାନ ଗବେଷଣାଗୁଡ଼ିକରେ ଆମେରିକୀୟ ଅର୍ଥ ପ୍ରମୁଖ ପୁଞ୍ଜି ଭାବେ ବ୍ୟବହୃତ ହୋଇଥାଏ; ଏପରିକି କୋଭିଡ୍‌ ମହାମାରୀ ସମୟରେ ଡୋନାଲ୍‌ଡ ଟ୍ରଂପ୍‌ ସରକାରଙ୍କ ମୁଖ୍ୟ ଜନ ସ୍ବାସ୍ଥ୍ୟ ପରାମର୍ଶଦାତା ରୂପେ କାର୍ଯ୍ୟରତ ପ୍ରସିଦ୍ଧ ଗବେଷକ ଓ ‌େବୖଜ୍ଞାନିକ ଆନ୍ଥୋନୀ ଫଉଚିଙ୍କ ଆଶୀର୍ବାଦ ଲାଭ କରିଥିବା ଅନୁଷ୍ଠାନ ‘ଇକୋ ହେଲ୍‌ଥ ଆଲାୟନ୍‌ସ’ ପକ୍ଷରୁ ମଧ୍ୟ ଉହାନ ଗବେଷଣାଗାରକୁ ପୃଷ୍ଠପୋଷକତା ପ୍ରଦାନ କରାଯାଉଥିଲା। ପ୍ରକାଶ ଥାଉ କି ୨୦୨୩ ମସିହା ପର୍ଯ୍ୟନ୍ତ ଅର୍ଥାତ୍‌ କରୋନା ସଂକ୍ରମଣର ଭୟାବହତାର ତୀବ୍ରତା କାଳରେ ମଧ୍ୟ ଆମେରିକୀୟ ଅର୍ଥ ଚୀନ ଗବେଷଣାଗାରକୁ ପ୍ରବାହିତ ହୋଇ ଚାଲିଥିଲା। କହିବାର ତାତ୍ପର୍ଯ୍ୟ ହେଲା କୋଭିଡ୍‌ ସଂକ୍ରମଣକୁ ନେଇ ଦୋଷ ଘୋଡ଼ାଇବାର ଉଦ୍ୟମ ଅତ୍ୟନ୍ତ ଅପରିଣାମଦର୍ଶୀ ‘ନିବୁଜତା’କୁ ଜନ୍ମ ଦେଇଥିଲା, ଯାହା ପାନ‌େଡମିକର ପ୍ରାଦୁର୍ଭାବକୁ ଅଧିକ ତୀବ୍ର କରିଥିଲା।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ପାରଂପରିକ ଭାବେ ଚୀନ ‘ନିବୁଜତା’ର ପ୍ରତୀକ ହୋଇ ରହି ଆସିଛି ଏବଂ ତାହାର ସଂପୂର୍ଣ୍ଣ ବିପରୀତରେ ଯୁକ୍ତରାଷ୍ଟ୍ର ଆମେରିକା ହୋଇଥାଏ ମୁକ୍ତ ବିଚାର ଚଳାଚଳର ସ୍ଥାନ। କିନ୍ତୁ ବିଡ଼ମ୍ବନା ହେଲା, ଡୋନାଲ୍‌ଡ ଟ୍ରମ୍ପଙ୍କ ଆମେରିକା ଏଭଳି ଆଦର୍ଶକୁ ଗ୍ରହଣ କରିଥାଏ। ଏହାର ପ୍ରମାଣ ହେଲା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ରୁ ଆମେରିକା ନିଜକୁ ବିଚ୍ଛିନ୍ନ କରିବା। ଅବଶ୍ୟ ଏହା ଏକ ବାସ୍ତବତା ଯେ କୋଭିଡ୍‌ ସଂକ୍ରମଣ କାଳରେ ଆମେରିକାର ରାଷ୍ଟ୍ରପତି ଥିବା ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ବାରା ‘ଡବ୍ଲ୍ୟୁ.ଏଚ.ଓ.’ ଚୀନର ଏକ ବଚସ୍କର ଅନୁଷ୍ଠାନ ରୂପେ ଭର୍ତ୍ସିତ ହୋଇଥିଲା। ଏହା ମଧ୍ୟ ସତ ଯେ କୋଭିଡ୍‌ ମୁକାବିଲା କ୍ଷେତ୍ରରେ ପ୍ରାରମ୍ଭିକ ବିଫଳତାକୁ ଛାଡ଼ି ଦେଲେ ଏହି ଅନୁଷ୍ଠାନ ପରବର୍ତ୍ତୀ କାଳରେ ତା’ର ଦାୟିତ୍ବ ସନ୍ତୋଷଜନକ ଭାବେ ନିର୍ବାହ କରିଥିଲା; ସଚେତନତା ସୃଷ୍ଟିରୁ ଆରମ୍ଭ କରି ଚିକିତ୍ସା ପଦ୍ଧତି ନିର୍ଣ୍ଣୟ ଏବଂ ପ୍ରତିଷେଧକ ଉଦ୍ଭାବନ ଆଦି ପର୍ଯ୍ୟନ୍ତ ‌େକ୍ଷତ୍ରରେ ‘ଡବ୍ଲ୍ୟୁ.ଏଚ.ଓ.’ର କାର୍ଯ୍ୟ ପ୍ରଶଂସନୀୟ ଥିଲା। ‘ଡବ୍ଲ୍ୟୁ.ଏଚ.ଓ.’ରୁ ନିଜକୁ ଦୂରେଇ ରଖିବା ନେଇ ଟ୍ରମ୍ପ ମହୋଦୟ ଦର୍ଶାଇଥିବା କାରଣଟି ହେଲା ଏହା ଯେ ‘ଡବ୍ଲ୍ୟୁ.ଏଚ.ଓ.’କୁ ଆମେରିକା ପ୍ରଦାନ କରୁଥିବା ଅର୍ଥ ରାଶି ସର୍ବାଧିକ ଏବଂ ଅତ୍ୟନ୍ତ ବିପୁଳ, ଯାହା ଅକାରଣ! ତାଙ୍କ ମତରେ ଚୀନର ଆୟତନ ଆମେରିକା ଠାରୁ ଅଧିକ ‌େହାଇଥିବା ଦୃଷ୍ଟିରୁ ଚୀନ ଅଧିକ ଅର୍ଥ ଦେବା ଯୁକ୍ତିଯୁକ୍ତ। କିନ୍ତୁ ପ୍ରକୃତରେ ‘ଡବ୍ଲ୍ୟୁ.ଏଚ.ଓ.’ରୁ ଟ୍ରମ୍ପ ଓହରିଯିବାର କାରଣ ହେଲା ସେହି ଧାରଣା ଯେ ଏହି ସଂସ୍ଥା ସଂପ୍ରତି ଚୀନ ଦ୍ବାରା ଅଧିକ ପ୍ରଭାବିତ। ତେବେ, ସେ ଯାହା ହେଉ, ପୃଥିବୀର ସର୍ବାଧିକ ଶକ୍ତିଶାଳୀ ଓ ବିତ୍ତଶାଳୀ ରାଷ୍ଟ୍ର ହୋଇଥିବା ହେତୁ ସାରା ପୃଥିବୀ ନେତୃତ୍ବ ସଂଦର୍ଭରେ ଆମେରିକା ଆଡ଼କୁ ହିଁ ଚାହିଁଥାଏ। ଏଣୁ, ପୃଥିବୀର ଜନସ୍ବାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ‘ଡବ୍ଲ୍ୟୁ.ଏଚ.ଓ.’ ଏବଂ ଏହାର ୮୦୦୦ ସରିକି କର୍ମଚାରୀଙ୍କ ସକାଶେ ଯୁକ୍ତରାଷ୍ଟ୍ର ଆମେରିକାର ନେତୃତ୍ବ ହିଁ ସର୍ବାଧିକ ବାଂଛନୀୟ ହେବା ସ୍ବାଭାବିକ! କିନ୍ତୁ ଅସଂଗତିଟି ହେଲା ଡୋନାଲଡ୍‌ ଟ୍ରମ୍ପ ତାଙ୍କ ଆମେରିକାକୁ ନିବୁଜ କରି ପକାଇବାରେ ବ୍ୟାପୃତ। କହିବା ଅନାବଶ୍ୟକ ଯେ କୋଭିଡ୍‌ ପାନଡେମିକରୁ ଲବ୍‌ଧ ଶିକ୍ଷାଟି ହେଲା ତଥ୍ୟ, ସୂଚନା ଓ ବିଚାରର ମୁକ୍ତ ଚଳପ୍ରଚଳ ହିଁ ଏହି ସଂକଟ ପ୍ରଶମନରେ ଅଧିକ ସାହାଯ୍ୟ କରିଥାଆନ୍ତା। ବିଭିନ୍ନ ପ୍ରକାର ‘ନିବୁଜତା’ କାରଣରୁ ନିର୍ଦ୍ଦୟ ‘ଲକ୍‌ଡାଉନ୍‌’ ସତ୍ତ୍ବେ ସଂକ୍ରମଣ ଅତ୍ୟନ୍ତ ଭୟାବହ ହେଲା!

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.