Breaking News

ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି ମାମଲା: ଜେଲ୍‌ ଗଲା ସ୍ପାଇଡର୍‌ ସତୀଶ

ଦୁଇ ସପ୍ତାହର କସରତ ପରେ କମିସନରେଟ୍‌ ପୁଲିସ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ରହସ୍ୟର ଉନ୍ମୋଚନ କରିଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସି ଭୁବନେଶ୍ବରର...

ଭୁବନେଶ୍ବର: ଦୁଇ ସପ୍ତାହର କସରତ ପରେ କମିସନରେଟ୍‌ ପୁଲିସ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ରହସ୍ୟର ଉନ୍ମୋଚନ କରିଛି। ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସି ଭୁବନେଶ୍ବରର ଭିଭିଆଇପି ଅଞ୍ଚଳରୁ ଚୋରି କରିଥିବା ୱାନ୍‌ମ୍ୟାନ୍‌ ଆର୍ମି ତଥା ସ୍ପାଇଡର୍‌ ମ୍ୟାନ୍‌ ଭାବେ ଜଣାଶୁଣା ଲୁଟେରା ସତୀଶ ରେଡ୍ଡୀ(୩୮)କୁ ଗିରଫ କରିଛି। ତା’ ନିକଟରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ହୀରା ଓ ସୁନା ଗହଣା, ନଗଦ ୭ ଲକ୍ଷ ଟଙ୍କା ଓ  ଗୋଟିଏ କାର୍‌ ଜବତ କରାଯାଇଛି। ଚୋରି କରିବା ପରଠୁ ସେ ପାଖାପାଖି ୧୫୦ ଗ୍ରାମ୍‌ ଓଜନର ସୁନା ଗହଣା ବିକି ଦେଇଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ କମିସନରେଟ୍‌ ପୁଲିସ ଆନ୍ଧ୍ରପ୍ରଦେଶ ପୁଲିସ ସହାୟତାରେ ତାକୁ ଭିମିଲ୍‌ପଟଣମ୍‌ରୁ ଗିରଫ କରିଥିଲା ଏବଂ ବୁଧବାର ‌ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା। ଆଜି ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ୪୦୦ ସିସିଟିଭି ଫୁଟେଜ୍‌, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡ଼ୁ ଓ କେରଳ ପୁଲିସର ସୂଚନା ତଥା ସହଯୋଗ ବଳରେ ଏହି ଅନ୍ତଃରାଜ୍ୟ ସିନ୍ଧିଚୋରକୁ ଗିରଫ କରାଯାଇଛି।

ଆଜି ପୁଲିସ ସେବାଭବନରେ ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ ଓ ଡିସିପି ପିନାକ ମିଶ୍ର ଉପସ୍ଥିତ ରହି ଏହି ଅପରେସନ୍‌ ବାବଦରେ ସୂଚନା ଦେଇଥିଲେ। ବିଶାଖାପାଟଣା ଭିମିଲ୍‌ପଟଣମ୍‌ର ବାସିନ୍ଦା ସତୀଶ ରେଡ୍ଡୀ ଓରଫ ସ୍ପାଇଡର୍‌ ସତୀଶ ଓରଫ ବୁଜି ଷ୍ଟେଫେନ୍ ଏକ ବିସ୍ମୟକର ଚୋର। ସେ ହିଁ ଥିଲା ତା’ ଗ୍ୟାଙ୍ଗ୍‌। କୌଣସି ଘରର ପଛ ପଟ ଦେଇ ଦୁଇ ତିନି ମହଲା ଉପରକୁ ଚଢ଼ି ପାରୁଥିବା ସତୀଶ ସ୍ପାଇଡର୍‌ ମ୍ୟାନ୍‌ଠାରୁ କୌଣସି ଗୁଣରେ କମ୍‌ ନଥିଲା। ସେ କେବଳ ଭିଭିଆଇପି ଓ ଭିଆଇପି ଲୋକଙ୍କ ଘରକୁ ଟାର୍ଗେଟ୍‌ କରୁଥିଲା। ସେ କେବେ ବି ତଳ ମହଲାରୁ ଚୋରି କରେ ନାହିଁ। ସାଧାରଣତଃ ଉପରମହଲା ଘରଗୁଡ଼ିକର ଝରକାରେ ଗ୍ରିଲ୍‌ ନଥାଏ। କେବଳ ସ୍ଲାଇଡର୍‌ କାଚ ଝରକା ଥାଏ। ସେହି ଝରକା ଦେଇ ସେ ଘରକୁ ପ୍ରବେଶ କରି କଳାକନା ବୁଲାଇ ଚମ୍ପଟ ମାରିଥାଏ। ବିଚକ୍ଷଣ ସତୀଶ କାଚ ଝରକା ବାଟେ ଉଣ୍ଡି କେହି ନଥିବା ଘରେ ପଶିଯାଏ। ପୁଣି ସେହି ପଛ ଝରକା ଦେଇ ତଳକୁ ଓହ୍ଲାଇ ଫେରାର ହୋଇଯାଏ। ସିସିଟିଭିରୁ ନିଜକୁ ବଞ୍ଚାଇବାକୁ ସେ ମୁହଁରେ ମାସ୍କ ଓ କପଡ଼ା ଗୁଡ଼ାଇ ଦେଇଥାଏ। ଅସ୍ତ୍ର କହିଲେ ତା’ ନିକଟରେ ଥାଏ ଟର୍ଚ୍ଚ ଓ ତାଲା ଭାଙ୍ଗିବାକୁ କିଛି ଉପକରଣ। ସେତିକି ଅସ୍ତ୍ରରେ ସେ ତା’ ଅପରେସନ୍‌ ସାରିଦିଏ।

ଚିହ୍ନେଇଲା କେରଳ ପୁଲିସ, ଧରାଇଲା ଆନ୍ଧ୍ର 
୫୦ଲକ୍ଷର ଗହଣା ଓ ୭ଲକ୍ଷ ଟଙ୍କା ଜବତ
୫ ରାଜ୍ୟରୁ ଲୁଟିଛି ୨୦୦ କୋଟିର ସମ୍ପତ୍ତି
ରିମାଣ୍ଡ୍‌ରେ ଆସିବ

ପୁଲିସ ପ୍ରଥମରୁ ହିଁ ବୁଝିପାରିଥିଲା ଯେ ଏହି ଲୁଟ୍‌ ପଛରେ କୌଣସି ଓଡ଼ିଆ ଗ୍ୟାଙ୍ଗ୍‌ର ହାତ ନାହିଁ। ଏଥିରେ ସେମିତି କିଛି ବଡ଼ ଗ୍ୟାଙ୍ଗ୍‌ର ହାତ ରହିଛି। ତେଣୁ ସ୍ପେସାଲ୍‌ ସ୍କ୍ବାଡ୍‌, ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌ ଓ ନୂଆପଲ୍ଲୀ ଥାନା ପୁଲିସକୁ ନେଇ ୨ଟି ଟିମ୍‌ ଗଠନ କରାଯାଇଥିଲା। ଭୁବନେଶ୍ବର ଡିସିପି ପିନାକ ମିଶ୍ର ଓ କଟକ ଡିସିପି ଜଗମୋହନ ମିନା ସମସ୍ତ ଟିମ୍‌କୁ ପରିଚାଳନା କରୁଥିଲେ। ପାଖାପାଖି ୪୦୦ ସିସିଟିଭିରୁ ଫୁଟେଜ୍‌ ସଂଗ୍ରହ କରାଯାଇଥିଲା। ବିଭିନ୍ନ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଥିଲା ଯେ ସେ ରାତି ପାଖାପାଖି ୩ଟା ୩୫ ମିନିଟ୍‌ ସମୟରେ ଏକ ଗଛତଳକୁ ଯାଇ ଛପି ରହିଥିଲା। ଭୋର୍‌ ପ୍ରାୟ ୪ଟା ୫୫ ମିନିଟ୍‌ରେ ଏକ ଅଟୋ ଆସିଲା ଏବଂ ସେଥିରେ ବସି ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯାଇଥିଲା। ସକାଳ ୫ଟା ୩୨ ମିନିଟ୍‌ରେ ଏକ ବାଲେନୋ କାର୍‌ରେ ସେ ବ୍ରହ୍ମପୁର ଆଡ଼କୁ ଯାଇଥିଲା। କାର୍‌ରେ ବସିବା ପୂର୍ବରୁ ସେ ରାତିର ପୋଷାକ ବଦଳାଇ ସାରିଥିଲା। ଉକ୍ତ କାର୍‌କୁ ପିଛା କରିକରି (ବିଭିନ୍ନ ଟୋଲ୍‌ ଗେଟ୍‌ର ସିସିଟିଭି ଯାଞ୍ଚ କରି) ପୁଲିସ ଆନ୍ଧ୍ରପ୍ରଦେଶ ସୋମ୍‌ପେଟାରେ ପହଞ୍ଚିଥିଲା। ସେଠାରୁ ଧୂର୍ତ୍ତ ସତୀଶ ଅନ୍ୟ ଏକ ଗାଡ଼ିରେ ପଳାଇଥିଲା। ଆନ୍ଧ୍ରପ୍ରଦେଶରେ ପୁଲିସ ଆରମ୍ଭ କରିଥିଲା ଟାୱାର ଡମ୍ପ୍‌। ସେଥିରେ ୧୨ ହଜାର ମୋବାଇଲ ନମ୍ବର ଆସିଥିଲା। ତେଣୁ ମୋବାଇଲ୍‌ ନମ୍ବରରୁ ସତୀଶକୁ ଠାବ କରିବା ସମ୍ଭବ ନଥିଲା। ଏହା ଭିତରେ ବାଲେନୋ ଗାଡ଼ିକୁ ଠାବ କରିବାକୁ ଉଦ୍ୟମ କରୁଥିବା ପୁଲିସ ଟିମ୍‌କୁ ମିଳିଥିଲା ସଫଳତା। କିନ୍ତୁ ତା’ଠାରୁ ଧୂର୍ତ୍ତ ସତୀଶ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନଥିଲା। ମାତ୍ର ସେ କେବଳ ୮ ହଜାର ଟଙ୍କାର ଭଡ଼ା ପାଇଁ ସତୀଶକୁ ନେଇ ଭୁବନେଶ୍ବର ଯାଇଥିବା କହିଥିଲା। ଏହାପରେ ପୁଲିସ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ତାମିଲନାଡ଼ୁ ପୁଲିସ ସହ ଯୋଗାଯୋଗ କରି ସତୀଶ ଭଳି ୫୦ ହାଇପ୍ରୋଫାଇଲ୍‌ ଲୁଟେରାଙ୍କ ଫଟୋ ସଂଗ୍ରହ କରିଥିଲା। ସମ୍ପୃକ୍ତ ବାଲେନୋ ଚାଳକଙ୍କୁ ସେହି ୫୦ ଫଟୋ ଦେଖାଇବା ପରେ ସେ ସତୀଶକୁ ଚିହ୍ନଟ କରିଥିଲା। ପରେ କେରଳ ପୁଲିସଠାରୁ ଜଣାପଡ଼ିଲା ଯେ ସତୀଶ ତ୍ରିଭେନ୍ଦ୍ରମ ‌ସେଣ୍ଟ୍ରାଲ୍‌ ଜେଲ୍‌ରେ ଥିଲା ଏବଂ ଗତବର୍ଷ ସେପ୍ଟେମ୍ବର ୪ରେ ଜାମିନରେ ମୁକୁଳିଥିଲା। କେରଳ ପୁଲିସଠାରୁ ସତୀଶର ଠିକଣା ମିଳିବା ପରେ ପୁଲିସ ଟିମ୍‌  ଭିମ୍‌ଲିପଟଣମ୍‌ରେ ଡେରା ପକାଇଥିଲା।

 ନିଶାଣରେ ଥିଲେ କୋଟିପତି
ଭୁବନେଶ୍ବର, ୧୩/୨(ଇମିସ): ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ସତୀଶ ରେଡ୍ଡୀକୁ ଧରିବା ଥିଲା କମିସନରେଟ୍‌ ପୁଲିସ ପାଇଁ ଏକ ବଡ଼ ଆହ୍ବାନ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ତାମିଲନାଡ଼ୁ ଓ ଓଡ଼ିଶା ଭଳି ପାଞ୍ଚ ପାଞ୍ଚଟି ରାଜ୍ୟରୁ କେବଳ ବାଛିବାଛି କୋଟିପତିଙ୍କ ଘରୁ ଲୁଟୁଥିବା ଏହି ବିସ୍ମୟକର ଚୋରକୁ ଠାବ କରିବା ଥିଲା ପୁଲିସ ପାଇଁ ବଡ଼ ସଫଳତା। ୨ ବର୍ଷ ପୂର୍ବରୁ ସେହି ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜ୍‌ରୁ ଜଣେ କୋଟିପତିଙ୍କ ଘରେ କଳାକନା ବୁଲାଇ ସେ ପୁଲିସ ପାଇଁ ମୋଷ୍ଟ ୱ‌ାଣ୍ଟେଡ୍‌ ଥିଲା। କିନ୍ତୁ ସେତେବେଳଠୁ ପୁଲିସ ତା’ ବାବଦରେ ସାମାନ୍ୟତମ ସୁରାକ ପାଇ ନଥିବାରୁ ମାମଲା ଅସମାହିତ ଥିଲା। ଏଥର କିନ୍ତୁ ସେ ଓଡ଼ିଶା ପୁଲିସ ହାତରୁ ବର୍ତ୍ତି ପାରିନାହିଁ। ଚୋରି କରିବାର ୧୪ ଦିନ ଭିତରେ ସେ ପୁଲିସ ଜାଲରେ ପଡ଼ିଯାଇଛି। ଦୁଇ ସପ୍ତାହର ଅପରେସନ୍‌ ପରେ ଓଡ଼ିଶା ପୁଲିସ ଗୋଡ଼ାଇ ଗୋଡ଼ାଇ ତାକୁ ଆନ୍ଧ୍ରପ୍ରଦେଶରୁ ଉଠାଇଛି। କେରଳ ପୁଲିସ ଚିହ୍ନେଇବା ପରେ ଆନ୍ଧ୍ରପ୍ରଦେଶ ପୁଲିସ ସହାୟତାରେ ସତୀଶକୁ ଗିରଫ କରାଯାଇଛି। ପାଞ୍ଚଟି ରାଜ୍ୟରେ ଖେଳ କରିଥିବା ସତୀଶ ବାଛିବାଛି କେବଳ କୋଟିପତିଙ୍କ ଘରୁ ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଲୁଟିଛି ବୋଲି ପୁଲିସ ସୂଚନା ଦେଇଛି।

 ତିରୁପତି ବିଧାୟକଙ୍କ ଘରୁ ବି ଲୁଟିଥିଲା
ଗୁଗଲ୍‌ ଓ ୟୁଟ୍ୟୁବ୍‌ରୁ ସତୀଶ କୋଟିପତି ଲୋକଙ୍କ ଠିକଣା ଠାବ କରୁଥିଲା। ବିଭିନ୍ନ ରାଜ୍ୟର ଭିଭିଆଇପି ଅଞ୍ଚଳରେ ରହୁଥିବା ପ୍ରତିଷ୍ଠିତ ବ୍ୟବସାୟୀ ଓ ରାଜନେତାଙ୍କୁ ବାଛିବାଛି ନିଶାଣ ବନାଉଥିଲା। ଏକଦା ତିରୁପତି ବିଧାୟକଙ୍କ ଘରେ କଳାକନା ବୁଲାଇ ସେ ପ୍ରାୟ ୩କୋଟି ଟଙ୍କାର ସୁନା ଗହଣା ଲୁଟି ନେଇଥିଲା। ସେହିଭଳି ମଙ୍ଗଳପୁରମ୍‌ର ଜଣେ ସୁନା ବ୍ୟବସାୟୀଙ୍କ ଘରୁ ୫କେଜି ସୁନା ଲୁଟିଥିଲା। ୨୦୦୯ରୁ ୨୦୨୫ ମସିହା ମଧ୍ୟରେ ସେ ତାମିଲନାଡ଼ୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା  ଓ ଓଡ଼ିଶା ଆଦି ୫ ରାଜ୍ୟରୁ ୧୦୦ରୁ ଊର୍ଧ୍ବ ଲୁଟ୍‌ କରିଥିବା ରେକର୍ଡ ରହିଛି। ଅଧିକାଂଶ ମାମଲାରେ ସେ ଧରାପଡ଼ିଛି ଏବଂ ୧୧ଟି ମାମଲାରେ ତାକୁ ଦଣ୍ଡାଦେଶ ମଧ୍ୟ ହୋଇଛି।

 ଏଆର୍‌ଏସ୍‌ଏସ୍‌ ମାଲିକଙ୍କ ଘରେ ପଶିଥିଲା
ସ୍ପାଇଡର୍‌ ମ୍ୟାନ୍‌ ତଥା ଲୁଟେରା ସତୀଶ ପୂର୍ବରୁ ମଧ୍ୟ ଭୁବନେଶ୍ବରରେ ଖେଳ କରିଛି। ୨୦୨୩ ମସିହାରେ ନୂଆପଲ୍ଲୀ ଥାନା ଭିଭିଆଇପି ଅଞ୍ଚଳରେ ଥିବା ଏଆର୍‌ଏସ୍‌ଏସ୍‌ ମାଲିକଙ୍କ ଘରେ ପଶି ସେ କଳାକନା ବୁଲାଇଥିଲା। ନଗଦ ୪ଲକ୍ଷ ଟଙ୍କା ଓ ବିପୁଳ ସୁନା ଗହଣା ଲୁଟିଥିଲା। ଏ ସମ୍ପର୍କରେ ସେ ପୁଲିସ ସାମ୍ନାରେ ମାନିଛି। ଦୁଇ ବର୍ଷ ପରେ ସେ ପୁଣି ଓଡ଼ିଶାକୁ ଟାର୍ଗେଟ୍‌ କରିଥିଲା। ଏଆର୍‌ଏସ୍‌ଏସ୍‌ ମାଲିକଙ୍କ ଘରୁ ଲୁଟ୍‌ ମାମଲାରେ ପୁଲିସ କିଛିଟା ଜିନିଷ ଜବତ କରିଛି। ଖୁବ୍‌ଶୀଘ୍ର ତାଙ୍କୁ ଜିନିଷ ଫେରାଯିବ ବୋଲି ଜଣାପଡ଼ିଛି। ତେଣୁ ସତୀଶଠାରୁ ଅଧିକ ତଥ୍ୟ ହାତେଇବା ପାଇଁ ତାକୁ ରିମାଣ୍ଡ୍‌ରେ ଆଣିବାକୁ ପୁଲିସ ଯୋଜନା କରୁଛି।

 ୱେଲ୍‌ଡର୍‌ରୁ ସିନ୍ଧିଚୋର
ମାତ୍ର ମାଟ୍ରିକ୍‌ ପାସ୍‌ କରିଥିବା ସତୀଶ ୨୦୦୭ ମସିହାରେ ସିଙ୍ଗାପୁର ଯାଇ ସେଠାରେ ୱେଲ୍‌ଡର୍‌ ଭାବେ କାମ କରିଥିଲା। ୨୦୦୯ ମସିହାରେ ସେ ଘରକୁ ଫେରିଥିଲା ଏବଂ ତା’ ବାଇକ୍‌ ଦୁର୍ଘଟଣାରେ ଜଣକର ମୃତ୍ୟୁ ହେବାରୁ ତାକୁ ଜେଲ୍‌ ହୋଇଯାଇଥିଲା। ସେ ବିଶାଖାପାଟଣା ସେଣ୍ଟ୍ରାଲ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ଥିବା ସମୟରେ ଚୋରଙ୍କ ସହ ମିଶିଥିଲା ଏବଂ ଚୋରି ପ୍ରତି ତା’ର ଆଗ୍ରହ ବଢ଼ିଥିଲା। ଜେଲ୍‌ରୁ ଫେରିବା ପରେ ୨୦୦୯ ମସିହାରେ ପ୍ରଥମେ ସେ ଏକ କାର୍‌ କାଚ ଭାଙ୍ଗି ସୁନା ବ୍ରେସ୍‌ଲେଟ୍‌ ଓ ଟଙ୍କା ଆଦି ଲୁଟିଥିଲା। ସେହି ମାମଲାରେ ସେ ମଧ୍ୟ ଗିରଫ ହୋଇଥିଲା। ୨୦୧୩ ମସିହାରେ ବିଶାଖାପାଟଣାର ଜଣେ ଆଇଆଇସି ତାକୁ ବୁଝାସୁଝା କରି ଗାଡ଼ିଚାଳକ ଭାବେ ନିଯୁକ୍ତି ଦେଇଥିଲେ। କିନ୍ତୁ ତାକୁ ଚୋରରୁ ଭଲ ମଣିଷ କରିବାକୁ ପୁଲିସ ଅଧିକାରୀଙ୍କ ଚେଷ୍ଟା ପାଣିରେ ପଡ଼ିଥିଲା। ଦିନେ ସେହି ଆଇଆଇସିଙ୍କ ଗାଡ଼ି ବ୍ୟବହାର କରି ସେ ଲୁଟ୍‌ପାଟ୍‌ କରି ଧରାପଡ଼ିଥିଲା।

 ତିନିଥର ବାହା ହୋଇଥିଲା
ସେ ତିନି ତିନି ଥର ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ସେ କେରଳର ଜଣେ ଯୁବତୀଙ୍କୁ ବିବାହ କରିଥିଲା। ପରେ ତାଙ୍କୁ ଛାଡ଼ପତ୍ର ଦେଇ ବେଙ୍ଗାଲୁରୁର ଜଣେ ଯୁବତୀଙ୍କୁ ବାହା ହୋଇଥିଲା। ବେଶ୍‌ ରଙ୍ଗିନ ମିଜାଜର ସତୀଶ  କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆଲିସାନ୍‌ ବଙ୍ଗଳା ନିର୍ମାଣ କରିଛି। ସେଥିରେ ଏକ ଅତ୍ୟାଧୁନିକ ଜିମ୍‌ ରହିଛି। ପୋଷା କୁକୁର ରଖିବାକୁ ଭଲ ପାଉଥିବା ସତୀଶ ୪ଟି ବିଦେଶୀ କୁକୁର ରଖିଛି। ସେଥିରେ ରହିଛି ୨ଲକ୍ଷ ଟଙ୍କା ମୂଲ୍ୟର ଏକ ଇଣ୍ଡୋନେସିଆ କୁକୁର। କୁକୁରଙ୍କ ଖେଳାଖେଳି ପାଇଁ ସେ ଏକ ଲକ୍ଷ ଟଙ୍କାର ଏକ ବଲ୍‌ କିଣିଥିଲା।

 ବଦଳାଉଥିଲା ଠିକଣା
କୌଣସି କୋଟିପତିଙ୍କ ଘରେ କଳାକନା ବୁଲାଇବା ପରେ କିଛି ଦିନ ପାଇଁ ସେ ନିଜ ଘରକୁ ଆସୁନଥିଲା। ପୁଲିସ୍‌କୁ ଚକ୍‌ମା‌ ଦେବା ପାଇଁ ନିଜର ଠିକଣା ବଦଳାଉଥିଲା। ସହରର ଭିଭିଆଇପି ଅଞ୍ଚଳରେ ଥିବା ଆଲିସାନ୍‌ ଆପାର୍ଟମେଣ୍ଟ, ଡ୍ୟୁପ୍ଲେକ୍ସରେ ଭଡ଼ାଘର ନେଇ ରହୁଥିଲା। ଅନେକ ସମୟରେ ତାରକା ହୋଟେଲ୍‌ରେ ରହୁଥିଲା। କିନ୍ତୁ ବିଳମ୍ବିତ ରାତିରେ ବେଶ୍ ସତର୍କତାର ସହ ନିଜ ଘରକୁ ଆସି ବୁଲି ପଳାଉଥିଲା। ଏଥର ମଧ୍ୟ ସେ ଭିମ୍‌ଲିପଟ୍ଟନସ୍ଥିତ ବଙ୍ଗଳାରେ ରହୁ ନଥିଲା। କିନ୍ତୁ ବିଳମ୍ବିତ ରାତିରେ ଘରକୁ ଆସି ପୁଣି ପଳାଉଥିଲା। ତେଣୁ ଏସିପି ହିମାଂଶୁ ସ୍ବାଇଁଙ୍କ ନେତୃତ୍ବାଧୀନ ସ୍କ୍ବାଡ୍‌ ତିନି ଦିନ କାଳ ତା’ ବଙ୍ଗଳା ନିକଟରେ ଛଦ୍ମବେଶରେ ଛକି ରହି ଜାଲ ବିଛାଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ସତୀଶ ପୁଲିସ ଜାଲ‌ରେ ପଡ଼ିଯାଇଥିଲା।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.