ଭୁବନେଶ୍ବର: ରାଜଧାନୀରେ ପୁଣି ଥରେ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଛନ୍ତି ଅପରାଧୀ। ଶନିବାର ବିଳମ୍ବିତ ରାତିରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନୂଆପଲ୍ଲୀସ୍ଥିତ ଘରେ ଜଣେ ମୁଖା ପିନ୍ଧା ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟ୍‌ କରିନେଇଛି। ୫୦ ଲକ୍ଷ ଟଙ୍କାର ଗହଣା ଓ ଅଢ଼େଇ ଲକ୍ଷ ନଗଦ ଟଙ୍କା ନେଇ ଦୁର୍ବୃତ୍ତଜଣକ ଚମ୍ପଟ ମାରିଛି। ଖବର ପ୍ରଘଟ ପରେ କମିସନରେଟ୍‌ ପୁଲିସ ତନାଘନା ଆରମ୍ଭ କରିଛି। ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂ, ଭୁବନେଶ୍ବର ଡିସିପି ପିନାକ ମିଶ୍ର, କଟକ ଡିସିପି ଜଗ୍‌ମୋହନ ମୀନା ଘଟଣାସ୍ଥଳକୁ ଯାଇ ପ୍ରାଥମିକ ଯାଞ୍ଚ କରିଥିଲେ। ପରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆଗେଇଥିଲା। ଘଟଣାର ଦୁଇ ଦିନ ବିତିଯାଇଥିଲେ ବି ପୁଲିସ୍ ଲୁଟେରାଙ୍କ ଟେର୍‌ ପାଇ ନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣା ସଂପର୍କରେ ନିରଞ୍ଜନ ପଟ୍ଟନାୟକଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି।

ନେଇ ଗଲେ ୫୦ ଲକ୍ଷର ଗହଣା, ନଗଦ ୨.୫ଲକ୍ଷ ଟଙ୍କା
ଘଟଣା ସମ୍ପର୍କରେ ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଜଧାନୀବାସୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ନିରଞ୍ଜନ

ଶନିବାର ନିରଞ୍ଜନଙ୍କ ପୁଅ ଓ ବୋହୂ ପୁରୀ ଯାଇଥିବା ବେଳେ ଦୁଇ ନାତି ବଡ଼ ଭାଇଙ୍କ ଘରକୁ ଯାଇଥିଲେ। ନିରଞ୍ଜନ ପ୍ରଥମ ମହଲାରେ ଶୋଇଥିଲେ। ବିଳମ୍ବିତ ରାତିରେ ଦୁଇ ନାତି ଘରକୁ ଫେରିବା ବେଳକୁ ବେଡ୍‌ରୁମ୍‌ର କବାଟ ବନ୍ଦ ଦେଖି ଡାକିଥିଲେ। କବାଟ ଖୋଲିବା ପରେ ବେଡ୍‌ ଉପରେ ଗହଣା ଖୋଳ ପଡ଼ିଥିବା ଦେଖି ଡକାୟତି ହୋଇଥିବା ଅନୁମାନ କରିଥିଲେ। ତୁରନ୍ତ ସିସିଟିଭି ଯାଞ୍ଚ ପରେ ଦେଖି‌ଥିଲେ ଯେ କେହି ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଟର୍ଚ୍ଚ ଧରି ଅତି ଚତୁରତାର ସହ ଘରେ ପଶିଥିଲା। ବେଡ୍‌ ରୁମ୍‌ରେ ପଶି ଗୋଟିଏ ପରେ ଗୋଟିଏ ଡ୍ରୟର ଖୋଲି ଗହଣା ଓ ଟଙ୍କା ନେଇ ପଛ ପଟ ଝରକା ବାଟେ ଚମ୍ପଟ ମାରିଥିଲା। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଘର ଚାରିପଟେ ସିସିଟିଭି ଲାଗିଛି। ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ଅଛନ୍ତି। କୁକୁର ବି ଜଗିଛି। ଏତେ ସବୁ ସୁରକ୍ଷା ଥାଇ ମଧ୍ୟ କିଭଳି ଜଣେ ଦୁର୍ବୃତ୍ତ ମୁଖା ପିନ୍ଧି ଅତି ସହଜରେ ଦୁଇ ମହଲାକୁ ପଶିଲା ତାହା ସମସ୍ତଙ୍କୁ ଚକିତ କରିଛି। ଡିସିପି ପିନାକ ମିଶ୍ର କହିଛନ୍ତି ଯେ ନିରଞ୍ଜନଙ୍କ ପରିବାର ସଦସ୍ୟଙ୍କ ସହଯୋଗରେ ତଦନ୍ତ ଚାଲିଛି। ତଦନ୍ତ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ ମିଳିଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ।

ଅନ୍ୟପଟେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୋ ପରିବାର ପାଇଁ ନୁହେଁ; ସମସ୍ତ ଭୁବନେଶ୍ୱରବାସୀଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ। ସରକାର ଓ ଆଇନଶୃଙ୍ଖଳାର ଅବହେଳା କାରଣରୁ ଲୋକଙ୍କ ଘର, ସାହି ଓ ସମ୍ପଦ ବିପଦରେ ପଡ଼ିଛି। ଓଡ଼ିଶା ପୁଲିସ୍‌ ଜନତାଙ୍କ ସୁରକ୍ଷା ନିଶ୍ଚିତ କରନ୍ତୁ। ଲୋକଙ୍କ ସୁରକ୍ଷା ବିଜେପି ସରକାରଙ୍କ ସର୍ବପ୍ରଥମ ପ୍ରାଥମିକତା ହେବା ଉଚିତ ବୋଲି  ସେ କହିଛନ୍ତି।ବିଜେଡି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି ଯେ ଡବଲ ଇଂଜିନ ସରକାରରେ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ। ଡବଲ ଇଞ୍ଜିନରେ ପୂର୍ବରୁ ଗୋଟେ ଇଞ୍ଜିନ ଫେଲ୍ ହୋଇଯାଇଥିଲା। ଏବେ ଦୁଇଟା ଯାକ ଇଞ୍ଜିନ ଫେଲ।