Breaking News

ନିରାମୟ ଯୋଜନା ବନ୍ଦ କରିଦେବେ! କ୍ୟାପିଟାଲ ହସ୍ପିଟାଲକୁ କମୁଛି ଔଷଧ ଯୋଗାଣ

ଗରିବ କଲ୍ୟାଣକାରୀ ଯୋଜନା ‘ନିରାମୟ’ରେ ଔଷଧ ଯୋଗାଣ କମିବାରେ ଲାଗିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲ ଭୟଙ୍କର ପ୍ରଭାବିତ ହୋଇଛି। ଏଠାରେ ଅନେକ ଜରୁରୀ ଔଷଧ ସରିଗଲାଣି।

ଭୁବନେଶ୍ବର: ଗରିବ କଲ୍ୟାଣକାରୀ ଯୋଜନା ‘ନିରାମୟ’ରେ ଔଷଧ ଯୋଗାଣ କମିବାରେ ଲାଗିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲ ଭୟଙ୍କର ପ୍ରଭାବିତ ହୋଇଛି। ଏଠାରେ ଅନେକ ଜରୁରୀ ଔଷଧ ସରିଗଲାଣି। ଔଷଧ ଆସୁ ନଥିବାରୁ ପ୍ରତ୍ୟେକ ଦିନ ରୋଗୀ ଫେରୁଛନ୍ତି। କେବଳ ଫେରୁ ନାହାନ୍ତି ବରଂ ବାହାରେ କିଣି ଖର୍ଚ୍ଚାନ୍ତ ହେଉଛନ୍ତି। ପ୍ରାୟ ମାସେ ହେବ ଏଭଳି ସ୍ଥିତି ଜାରି ରହିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଉପରେ ଭୁବନେଶ୍ବର ସମେତ ଉପକଣ୍ଠ ଓ ପଡ଼ୋଶୀ ଜିଲ୍ଲାରୁ ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି। କିନ୍ତୁ ଔଷଧ ନଥିବରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏବେ ଋତୁ ପରିବର୍ତ୍ତନ ହେଉଥିବାରୁ ପ୍ରତ୍ୟେକଙ୍କ ଘରେ ଥଣ୍ଡାକାଶ ରୋଗୀଙ୍କ ସଂଖ୍ୟା ବଢ଼ିଛି। ଏଣୁ କଫ୍‌ ସିରପ୍‌ ଅଧିକ ଆବଶ୍ୟକତା ରହିଛି। କିନ୍ତୁ ଦୀର୍ଘ ଦିନ ହେବ ଏଠାରେ କଫ୍‌ ସିରପ ମିଳୁନାହିଁ। କେବଳ କଫ୍ ସିରପ୍‌ ନୁହେଁ ବରଂ ୨୦ ରୁ ୩୦ ପ୍ରତିଶତ ଜରୁରୀ ଔଷଧ ଆଉ ଉପଲବ୍ଧ ହେଉନାହିଁ। ଡାକ୍ତର‌ ‌ଲେଖୁଛନ୍ତି, କିନ୍ତୁ ନିରାମୟରେ ମିଳୁନାହିଁ। କାହିଁକି ଯୋଗାଣ ବନ୍ଦ ହୋଇଛି ‌ସେ ନେଇ କାହା ପାଖରେ ଖବର ନାହିଁ। କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ଔଷଧ ନିଗମକୁ ଚିଠା ଦିଆଯାଉଛି, ହେଲେ ଔଷଧ ଆସୁନାହଁ।

୨୦%ରୁ ଅଧିକ ଜରୁରୀ ଔଷଧ ମିଳୁନି

ଥଣ୍ଡା, ଜ୍ବର ଓ କାଶରେ ଆକ୍ରାନ୍ତ ହୋଇ ଗତ ୧ ତାରିଖରେ କ୍ୟାପିଟାଲ ହସ୍ପିଟାଲ ଆସିଥିବା ଦେବୀ ପ୍ରସାଦ ବାହାଲିଆ କହିଛନ୍ତି, ଡାକ୍ତର କଫ୍‌ ସିରପ୍‌ ପ୍ରେସ୍‌କ୍ରାଇବ୍‌ କରିଥିଲେ। କିନ୍ତୁ ନିର‌ାମ‌ୟରେ ଔଷଧ ମିଳି ନଥିଲା। ଏଣୁ ସେ ବାହାର ଦୋକାନରୁ ସିରପ୍‌ କିଣିଥିଲେ। କେବଳ ଦେବୀ ନୁହନ୍ତି ପ୍ରତ୍ୟେକ ଦିନ ଶହଶହ ରୋଗୀ ଏଭଳି ହତାଶ ହେବା ସହ ଖର୍ଚ୍ଚାନ୍ତ ହେଉଛନ୍ତି। ଏନେଇ ଅଧିକ ଖୋଳତାଡ଼ କରିବାରୁ ଜଣା ପଡ଼ିଥିଲା ଯେ କ୍ୟାପିଟାଲ ହସ୍ପିଟାଲକୁ ଏବେ ୨୦ରୁ ୩୦ ପ୍ରତିଶତ ଔଷଧ ଯୋଗାଣ ବନ୍ଦ ହୋଇଗଲାଣି। ଯୋଗାଣ ବନ୍ଦ ହୋଇଥିବା ଔଷଧ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ତଥା ବହୁଳ ବ୍ୟବହୃତ ଔଷଧ ରହିଛି। ଫଳରେ ଗରିବ ଶ୍ରେଣୀର ଲୋକମାନେ ହତାଶ ହେଉଛନ୍ତି। ଅନେକ ଗରିବ ରୋଗୀଙ୍କ ମଧ୍ୟ‌ରେ ଅସନ୍ତୋଷ ପ୍ରକାଶ ପାଇଛି। ଔଷଧ ଆସିବ ଭାବି ଅନେକ ରୋଗୀ ଅପେକ୍ଷା କରୁଛନ୍ତି ଓ ବାରମ୍ବାର ପୁରୁଣା ପ୍ରେସ୍‌କ୍ରିପ୍‌ସନ୍‌ ଧରି ନିରାମୟ ମୁହାଁ ହେଉଛନ୍ତି। ଫଳରେ ଅଯଥାରେ ଭିଡ଼ ଜମୁଛି। ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ‌ଯେ ଯେଉଁ ଔଷଧର ଷ୍ଟକ ସରିଯାଉଛି। ତାହା ଆମେ ଔଷଧ ନିଗମକୁ ଚିଠା ଦେଇଛୁ। କାହିଁକି ଆସୁନାହିଁ ଆମେ ଜାଣିନୁ।

ସୌଜନ୍ୟ-ସମ୍ୱାଦ

Comments are closed.