Breaking News

‘ନିର୍ବାଚନୀ ନିୟମ ପରିବର୍ତ୍ତନ ପଛରେ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର’

ନିର୍ବାଚନୀ ଦସ୍ତାବିଜ ପାଇବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ ନିୟମରେ କେନ୍ଦ୍ର ସରକାର ସଂଶୋଧନ କରିଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାର କଡ଼ା ସମାଲୋଚନା କରିଛନ୍ତି।

ନୂଆଦିଲ୍ଲୀ: ନିର୍ବାଚନୀ ଦସ୍ତାବିଜ ପାଇବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ବାଚନ ନିୟମରେ କେନ୍ଦ୍ର ସରକାର ସଂଶୋଧନ କରିଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏହାର କଡ଼ା ସମାଲୋଚନା କରିଛନ୍ତି। ଏଭଳି ପଦକ୍ଷେପ ନିର୍ବାଚନ ଆୟୋଗର ଅଖଣ୍ଡତାକୁ କ୍ଷୁଣ୍ଣ କରିବା ପାଇଁ ଉଦ୍ଦେଶ୍ୟମୂଳକ ଷଡ୍‌ଯନ୍ତ୍ର ବୋଲି ସେ କହିଛନ୍ତି। କେନ୍ଦ୍ର ସରକାରର ଏଭଳି ପଦକ୍ଷେପ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡ଼ଗେ କହିଛନ୍ତି। କଂଗ୍ରେସ ସଭାପତି ଟ୍ୱିଟ୍ କରି କହିଛନ୍ତି, ନିର୍ବାଚନ ପରିଚାଳନା ନିୟମରେ ମୋଦୀ ସରକାରଙ୍କ ଦୁଃସାହସିକ ସଂଶୋଧନ ଭାରତର ନିର୍ବାଚନ ଆୟୋଗର ସଂସ୍ଥାଗତ ଅଖଣ୍ଡତାକୁ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ଷଡ୍‌ଯନ୍ତ୍ରର ଆଉ ଏକ ନଗ୍ନ ନମୁନା। ସୂଚନାଯୋଗ୍ୟ, ଶୁକ୍ରବାର  ନିର୍ବାଚନ ଆୟୋଗଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିର୍ବାଚନ ଆଚରଣ ନିୟମ, ୧୯୬୧ରେ ସଂଶୋଧନ କରି କିଛି ଇଲେକ୍ଟ୍ରୋନିକ୍ ଦସ୍ତାବିଜ ଯଥା ସିସିଟିଭି କ୍ୟାମେରା ଏବଂ ୱେବକାଷ୍ଟିଂ ଫୁଟେଜ୍ ଏବଂ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ସର୍ବସାଧାରଣରେ ଯାଞ୍ଚ  କରାଯିବା ଉପରେ କଟକଣା ଲଗାଇଛନ୍ତି। ଏହାର ଅପବ୍ୟବହାରକୁ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଛନ୍ତି।

ଏହି ପଦକ୍ଷେପକୁ ସମାଲୋଚନା କରି ଖଡଗେ କହିଛନ୍ତି, ପୂର୍ବରୁ ସେମାନେ ଭାରତର ପ୍ରଧାନ ବିଚାରପତିଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରୁଥିବା ଚୟନ କମିଟିରୁ ହଟାଇ ଦେଇଥିଲେ ଏବଂ ଏବେ  କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ସେମାନେ ନିର୍ବାଚନୀ ନିୟମରେ ସଂଶୋଧନ ଆଣିଛନ୍ତି। କଂଗ୍ରେସ ସଭାପତି ଆହୁରି ମଧ୍ୟ କହିଛନ୍ତି ଯେ ଭୋଟର୍‌ଙ୍କ ନାମ ହଟାଇବା ଏବଂ ଇଭିଏମରେ ସ୍ୱଚ୍ଛତାର ଅଭାବ ସମେତ ନିର୍ଦ୍ଦିଷ୍ଟ ନିର୍ବାଚନ ଅନିୟମିତତାକୁ ନେଇ କଂଗ୍ରେସ  ଦଳର ଅଭିଯୋଗକୁ ଅଣଦେଖା କରାଯାଉଛି। ଲୋକସଭା ସାଂସଦ ତଥା କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ କହିଛନ୍ତି ଯେ ନିର୍ବାଚନ କମିସନ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କାର୍ଯ୍ୟରେ ଅସ୍ପଷ୍ଟତା  ରଖିବା ସହ  ସରକାର ସମର୍ଥକ ମନୋଭାବକୁ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗ  ଅଧିକାରୀମାନେ କହିଛନ୍ତି ଯେ ଆଦର୍ଶ ଆଚରଣ ବିଧି ଅବଧିରେ ସିସିଟିଭି ଫୁଟେଜ, ୱେବକାଷ୍ଟିଂ ଏବଂ ପ୍ରାର୍ଥୀଙ୍କ ଭିଡିଓ ଭଳି ରେକର୍ଡ ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ। ତେବେ ଏହାର ସାର୍ବଜନୀନ ବିତରଣ ଦ୍ୱାରା  ବଡ଼ ଧରଣର ଅପବ୍ୟବହାର ଆଶଙ୍କା ରହିଛି। ଏହି କାରଣରୁ ଏଥିରେ କଟକଣା ଜରୁରୀ ଥିଲା ବୋଲି କୁହାଯାଇଛି।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.