Breaking News

ନିର୍ମଳ ଓ ଅବିରଳ ଗଙ୍ଗା ଯାତ୍ରାରେ ଦୀପ୍ତିମୟୀ: ଗଙ୍ଗାରେ ୨୫୦୦ କିମି ଦୁଃସାହସିକ ରାପ୍ଟିଂ

ଗଙ୍ଗା ସଫେଇ ଅଭିଯାନରେ ପୁରୀର ଝିଅ ଦିପ୍ତିମୟୀ ତରେଇ। ରାଫ୍ଟିଂରେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀରୁ ପଶ୍ଚିମବଙ୍ଗର ଗଙ୍ଗାସାଗର ପର୍ଯ୍ୟନ୍ତ ପ୍ରାୟ ୨୫ଶହ କିଲୋମିଟର ଦୁଃସାହସିକ ଜଳକ୍ରୀଡ଼ା କରି ୫ ରାଜ୍ୟର ଲୋକଙ୍କୁ କରିଛନ୍ତି ସଚେତନ।

ପୁରୀ: ଗଙ୍ଗା ସଫେଇ ଅଭିଯାନରେ ପୁରୀର ଝିଅ ଦିପ୍ତିମୟୀ ତରେଇ। ରାଫ୍ଟିଂରେ ଉତ୍ତରାଖଣ୍ଡର ଗଙ୍ଗୋତ୍ରୀରୁ ପଶ୍ଚିମବଙ୍ଗର ଗଙ୍ଗାସାଗର ପର୍ଯ୍ୟନ୍ତ ପ୍ରାୟ ୨୫ଶହ କିଲୋମିଟର ଦୁଃସାହସିକ ଜଳକ୍ରୀଡ଼ା କରି ୫ ରାଜ୍ୟର ଲୋକଙ୍କୁ କରିଛନ୍ତି ସଚେତନ। ଏଥିସହ ଦେଇଛନ୍ତି ମହିଳା ସଶକ୍ତୀକରଣର ବାର୍ତ୍ତା।  ଦିପ୍ତୀମୟୀଙ୍କ ଏହି ଦୁଃସାହସିକ ଓ ପବିତ୍ର କାର୍ଯ୍ୟ କେବଳ ପୁରୀ ନୁହେଁ, ଓଡ଼ିଶା ମାଟି ପାଇଁ ଗୌରବ ଆଣିଦେଇଛି। ପବିତ୍ର ଗଙ୍ଗାର ପୁନରୁଦ୍ଧାର ପାଇଁ ପୁରୀ ମାଟିର ଜଣେ ଝିଅଙ୍କ ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ବିଏସ୍‌ଏଫ୍‌ରେ ଚାକିରି କରୁଥିବା ଦୀପ୍ତିମୟୀଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍‌ ସିଆଣ୍ଡି ପଞ୍ଚାୟତ ଓରା ଗାଁରେ। ଏବେ ପଶ୍ଚିମବଙ୍ଗରେ ଡ୍ୟୁଟି କରୁଛନ୍ତି। ଦୀପ୍ତିମୟୀ କହିଛନ୍ତି, ନମାମି ଗଙ୍ଗେ ଓ ବିଏସ୍‌ଏଫ୍‌ର ମିଳିତ ଆନୁକୂଲ୍ୟରେ ନଭେମ୍ବର ୨ରୁ ‘ନିର୍ମଳ ଓ ଅବିରଳ ଗଙ୍ଗା’ ନାମରେ ଗଙ୍ଗା ସଫେଇର ଏହି ଅଭିନବ ଜଳଯାତ୍ରା ଆରମ୍ଭ ହୋଇଥିଲା। କେବଳ ଯୁବତୀ ଓ ମହିଳାମାନଙ୍କୁ ଏହି ଅଭିଯାନରେ ସାମିଲ୍‌ କରି ମହିଳା ସଶକ୍ତୀକରଣର ଏକ ନିଆରା ବାର୍ତ୍ତା ବି ଦିଆଯାଇଥିଲା। ୫୩ ଦିନର ଏହି ବିପଦପୂର୍ଣ୍ଣ ଜଳଯାତ୍ରା ଡିସେମ୍ବର ୨୪ରେ ଶେଷ ହୋଇଥିଲା। ଏହି ଅଭିଯାନ ଶେଷ ପରେ ଡିସେମ୍ବର ୨୫ରେ ଭବ୍ୟ ଗଙ୍ଗା ଆଳତିର ଆୟୋଜନ କରାଯାଇଥିଲା। ଦୀପ୍ତିମୟୀ କହିଛନ୍ତି, ଏହି ରାଫ୍ଟି ଜଳଯାତ୍ରା ପୂର୍ବରୁ ବିଏସ୍‌ଏଫ୍‌ରେ ଚାକିରି କରିଥିବା ଯୁବତୀ ଓ ମହିଳାଙ୍କୁ ନେଇ ୬ ସପ୍ତାହର ଏକ ପ୍ରଶିକ୍ଷଣ ଆୟୋଜନ କରାଯାଇଥିଲା। ଏହି ପ୍ରଶିକ୍ଷଣରେ ସଫଳ ହେବା ପରେ ବଛା ବଛା ଯୁବତୀ ଓ ମହିଳା ବିଏସ୍‌ଏଫ୍‌ ଯବାନଙ୍କୁ ନେଇ ୨୦ଜଣିଆ ଏକ ରାଫ୍ଟିଂ ଟିମ ଗଠନ କରାଯାଇଥିଲା। ପରେ ଗଙ୍ଗା ଆଳତି ପୂର୍ବକ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଯାହା ସଫଳତାର ସହ ଶେଷ ହୋଇଛି।

ଗଙ୍ଗାରେ ୨୫୦୦ କିମି ଦୁଃସାହସିକ ରାପ୍ଟିଂ
 ବିଏସ୍‌ଏଫ୍‌ରେ କରିଛନ୍ତି ଚାକିରି

ଦିପ୍ତିମୟୀ କହିଛନ୍ତି ସକାଳ ୯ଟାରୁ ସାଢ଼େ ୯ଟା ଭିତରେ ବିଭିନ୍ନ ସ୍ଥାନରେ ରାଲି କରି ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ଗାଁ ଗହଳି ଲୋକଙ୍କୁ ଗଙ୍ଗାର ପବିତ୍ରତା ଓ ଏହାକୁ ଅକ୍ଷୁର୍ଣ୍ଣ ରଖିବା ସଂପର୍କରେ ସଚେତନ କରାଯାଉଥିଲା। ପରେ ଯେଉଁ ଜାଗାରେ ରହିଥାନ୍ତି, ସେହି ସ୍ଥାନରୁ ରାଫ୍ଟିରେ ଜଳଯାତ୍ରା ଆରମ୍ଭ କରିଥାନ୍ତି। ସଂଧ୍ୟା ହୋଇଗଲେ, ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା, ଆଳତି ପୂର୍ବକ ଯାତ୍ରା ବନ୍ଦ ରଖିଥାନ୍ତି।  ୫୩ ଦିନର ଏହି ଜଳଯାତ୍ରା ବେଳେ ଉତ୍ତରପ୍ରଦେଶ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମଠାରେ ତାଙ୍କ ରାଫ୍ଟ୍‌  ପାଣିରେ ଓଲଟି ପଡ଼ିଥିଲା। ସେ ଓ ତାଙ୍କ ସହ ଥିବା ଅନ୍ୟ ଯୁବତୀ(ବିଏସ୍‌ଏଫ୍‌ ଯବାନ) ପାଣି ଭିତରେ ରାଫ୍ଟିଂ ତଳେ ରହି ଯାଇଥିଲେ। କିନ୍ତୁ ସେମାନଙ୍କୁ ଯେଉଁ ପ୍ରଶିକ୍ଷଣ ଦିଆଯାଇଥିଲା, ତାର କୌଶଳ ବ୍ୟବହାର କରି ନିଜକୁ ସୁରକ୍ଷିତ ବଞ୍ଚାଇବାକୁ ସମସ୍ତେ ସମର୍ଥ ହୋଇଥିଲେ। ଯାତ୍ରା କାଳରେ ଅନେକ ଜାଗାରେ କୁମ୍ଭୀରର ବି ସମ୍ମୁଖୀନ ହୋଇଛନ୍ତି। ଡଲଫିନ୍‌, କଇଁଛ ଆଦି ଜଳଜନ୍ତୁଙ୍କୁ ବି ଦେଖିଛନ୍ତି। ଏହି ଅବସରରେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ରାଜ୍ୟ ଦେଇ ଜଳଯାତ୍ରା କରି ଲୋକଙ୍କୁ ସଚେତନ କରିଥିବା ଦୀପ୍ତିମୟୀ କହିଛନ୍ତି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.