Breaking News

ନିର୍ଯାତିତା ଛେଉଣ୍ଡ ଶିଶୁକନ୍ୟା ଉଦ୍ଧାର: ଜେଜେ ଦେଉଥିଲା ଚେଙ୍କ

ମାତ୍ର ୭ ବର୍ଷ ବୟସ। ବାପାମାଙ୍କୁ ହରାଇବା ପ‌ରେ ଶିଶୁକନ୍ୟାଟି ଜେଜେଙ୍କ ପାଖରେ ରହୁଥିଲା। କିନ୍ତୁ ନିର୍ଦୟ ଜେଜେ କୋମଳମତି ନାତୁଣୀ ଉପରେ କରୁଥିଲା ଅକଥନୀୟ ଅତ୍ୟାଚାର। ଘର ଓଳାଇବା ଓ ବାସନ ମଜାଇବା ଭଳି କାମରେ ସାମାନ୍ୟ ତ୍ରୁଟି ହେଲେ...

ଭୁବନେଶ୍ବର: ମାତ୍ର ୭ ବର୍ଷ ବୟସ। ବାପାମାଙ୍କୁ ହରାଇବା ପ‌ରେ ଶିଶୁକନ୍ୟାଟି ଜେଜେଙ୍କ ପାଖରେ ରହୁଥିଲା। କିନ୍ତୁ ନିର୍ଦୟ ଜେଜେ କୋମଳମତି ନାତୁଣୀ ଉପରେ କରୁଥିଲା ଅକଥନୀୟ ଅତ୍ୟାଚାର। ଘର ଓଳାଇବା ଓ ବାସନ ମଜାଇବା ଭଳି କାମରେ ସାମାନ୍ୟ ତ୍ରୁଟି ହେଲେ, ତା’ ଦେହରେ ଚେଙ୍କ ଦେଉଥିଲା ନରପିଶାଚ। ଏମିତିକି ଛୁରିରେ ଆଘାତ ଦେବାକୁ ବି ପଛାଉ ନଥିଲା ନୃଶଂସ ମଣିଷଟା। ଆଜି ଏମିତି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଖୋଦ ରାଜଧାନୀରେ। ସହିଦନଗରରୁ ଆସିଥିବା ଏହି ହୃଦୟବିଦାରକ ଚିତ୍ର ଆଜି ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଦେଇଛି। ବାପାମା ଛେଉଣ୍ଡ କୁନି ନାତୁଣୀ ପ୍ରତି ଜଣେ ଜେଜେବାପା ଏଭଳି ନିର୍ଦୟ ହୋଇପାରେ! ଶୁଣିଲେ କେହି ବି ସହଜରେ ବିଶ୍ବାସ କରିପାରୁନାହାନ୍ତି। କିନ୍ତୁ ଘଟଣା ସହିଦନଗର ଥାନାରେ ପହଞ୍ଚିବା ପରେ ଏହି ବୀଭତ୍ସକାଣ୍ଡକୁ ନେଇ ହଇଚଇ ସୃଷ୍ଟି ହୋଇଛି। ରୁଚିକା ସମାଜ ମଙ୍ଗଳ ସଂଗଠନ ଶିଶୁଟିକୁ ଆଶ୍ରୟ କେନ୍ଦ୍ରରେ ରଖିଛି ଏବଂ ରୁଚିକା ଅଭିଯୋଗ ଆଧାରରେ ପୁଲିସ ଜେଜେକୁ ଥାନାକୁ ଉଠାଇ ଆଣିଛି।

ଗତକାଲି ଜାଗର ପାଇଁ ସବୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥିଲା। ସହିଦନଗର ପୁରୁଣା ଶିବ ମନ୍ଦିରରେ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ ମନ୍ଦିରରୁ ଘରକୁ ଫେରୁଥିଲେ। ଏତିକିବେଳେ କୁମାର ସ୍ବାଇଁ ମନ୍ଦିର ପରିସରରେ ଏହି କୁନିପିଲାଟିକୁ କାନ୍ଦୁଥିବା ଦେଖିଥିଲେ। ପିଲାଟିକୁ ବାପାମା’ ଭିଡ଼ ଭିତରେ ପାଇ ନଥିବା ସନ୍ଦେହ କରି କୁମାର ତା’ ପାଖକୁ ଯାଇ ପଚାରିଥିଲେ। କିନ୍ତୁ ପିଲାଟି ତାଙ୍କୁ ଯାହା କହିଥିଲା, କୁମାର ପ୍ରଥମେ ନିଜ କାନକୁ ବିଶ୍ବାସ କରିପାରି ନଥିଲେ। ଜେଜେବାପାର ନୃଶଂସ ନିର୍ଯାତନା ଶୁଣିବା ମାତ୍ରେ କୁମାର ତୁରନ୍ତ ସହିଦନଗର ଥାନାକୁ ଜଣାଇବା ସହ ରୁଚିକା ସମାଜ ମଙ୍ଗଳ ସଂଗଠନକୁ ଫୋନ୍‌ କରିଥିଲେ। ଥାନାରେ ପିଲାଟି ବଖାଣିଥିଲା ତା’ର କରୁଣ କାହାଣୀ। ବାପାମା’ଙ୍କୁ ଦେଖି ନଥିବା ଶିଶୁଟି ତା’ ଜେଜେ ପାଖରେ ରହୁଥିଲା। ଜେଜେଙ୍କ ପାଖରେ ଜଣେ ଅପା ରହୁଥିଲେ। ସେମାନେ ତାକୁ ଘର ଓଳାଇବା ଓ ବାସନ ମାଜିବାକୁ ବାଧ୍ୟ କରୁଥିଲେ। କାମରେ ତ୍ରୁଟି ହେଲେ ମାଡ଼ ମାରୁଥିଲେ। ଜେଜେ ନିଆଁ ଚେଙ୍କ ଦେବା ସହ ବ୍ଲେଡ୍‌ ବା ଛୁରିରେ ତା’ ଦେହକୁ କାଟି ଦେଉଥିଲେ। ଏସବୁ ଶୁଣିବା ପରେ ରୁଚିକା ସଦସ୍ୟାମାନେ ପିଲାଟିର ସାର୍ଟ ବାହାର କରି ଦେଖିଥିଲେ। ସତକୁ ସତ ଦେହରେ ଥିଲା ପୋଡ଼ା ଘା’ ଓ କଟା ଦାଗ। ଏଭଳି ଦୃଶ୍ୟ ଦେଖିବା ପରେ ଉପସ୍ଥିତ ପୁଲିସ କର୍ମଚାରୀ ଓ ରୁଚିକା ସଂଗଠନର ସଦସ୍ୟମାନଙ୍କ ଆଖିରେ ଲୁହ ଜକେଇ ଆସିଥିଲା। କୁମାର ଓ ତାଙ୍କ ସାଙ୍ଗମାନେ ବି କୋହ ସମ୍ଭାଳି ପାରିନଥିଲେ। ଶିଶୁଟିକୁ ଅତିରିକ୍ତ ଶିଶୁ କଲ୍ୟାଣ ସମିତିରେ ହାଜର କରାଯାଇଥିଲା ଏବଂ ସେଠାରୁ ନିର୍ଦ୍ଦେଶ ମିଳିବା ପରେ ପିଲାଟିକୁ ଆଶ୍ରୟ କେନ୍ଦ୍ରରେ ରଖାଯାଇଛି। ପୁଲିସ ମଧ୍ୟ ମାମଲା ରୁଜୁ କରି ଜେଜେକୁ ଉଠାଇ ପଚରାଉଚରା କରିଛି। ପ୍ରକୃତରେ ଅଭିଯୁକ୍ତ ଶିଶୁଟିର ଜେଜେ କି ନା, ଅପା ବୋଲି କୁହାଯାଉଥିବା ମହିଳା କିଏ, ଏସବୁ ଉପରେ ପୁଲିସ ଖୋଳତାଡ଼ କରୁଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.