Breaking News

ନିଶା ମୁକ୍ତି!

ଆମେରିକୀୟ ସମାଜବିଜ୍ଞାନୀ ସ୍କଟ୍‌ ଜେ. ମୁଲିଗନ୍‌ଙ୍କ ଏକ ସ୍ବଅନୁଭୂତି ସଂବଳିତ କଥାଟିଏ ସ୍ମରଣକୁ ଆସିଥାଏ, ଯାହା ସେ ଏକ ‘ପଡ୍‌କାଷ୍ଟ’ରେ କହିଥିଲେ। କଥାଟି ଏହିପରି: ଦିନକୁ ପ୍ରାୟ ନଅ ଘଣ୍ଟା ସ୍ମାର୍ଟଫୋନ୍‌ରେ ବିତାଉଥିବା ଜଣେ ବାର ବର୍ଷର...

ଆମେରିକୀୟ ସମାଜବିଜ୍ଞାନୀ ସ୍କଟ୍‌ ଜେ. ମୁଲିଗନ୍‌ଙ୍କ ଏକ ସ୍ବଅନୁଭୂତି ସଂବଳିତ କଥାଟିଏ ସ୍ମରଣକୁ ଆସିଥାଏ, ଯାହା ସେ ଏକ ‘ପଡ୍‌କାଷ୍ଟ’ରେ କହିଥିଲେ। କଥାଟି ଏହିପରି: ଦିନକୁ ପ୍ରାୟ ନଅ ଘଣ୍ଟା ସ୍ମାର୍ଟଫୋନ୍‌ରେ ବିତାଉଥିବା ଜଣେ ବାର ବର୍ଷର ବାଳକକୁ ସେ ଯେତେବେଳେ ପ୍ରଶ୍ନ କରିଥିଲେ ଯେ ତା’ ବାପାମା’ ତାକୁ ଏଥିରୁ ନିବୃତ୍ତ କରନ୍ତି ନାହିଁ କି? ବାଳକଟିର ଉତ୍ତର ଥିଲା, ‘କରିବେ କେମିତି? ସେମାନେ ବି ତ ସେଥିରେ ବୁଡ଼ି ରହିଥାଆନ୍ତି!’

ଗଲା ଗୁରୁବାର ଦିନ ଅଷ୍ଟ୍ରେଲିଆରେ ଏକ ନୂତନ ଆଇନ ବଳରେ ଷୋହଳ ବର୍ଷ ବୟସରୁ କମ୍‌ ବୟସ୍କଙ୍କ ଲାଗି ସାମାଜିକ ଗଣମାଧ୍ୟମର ବ୍ୟବହାରକୁ ନିଷେଧ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏଭଳି ପଦକ୍ଷେପ ନେବାରେ ଅଷ୍ଟ୍ରେଲିଆ ହେଉଛି ପୃଥିବୀରେ ପ୍ରଥମ, ଯାହା ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକର ପ୍ରତିଷ୍ଠାତା-ପରିଚାଳକମାନଙ୍କ ମଧ୍ୟରେ ଭ୍ରୂକୁଂଚନ ଓ ଏହାର ସଫଳତା ନେଇ ସନ୍ଦେହ ସୃଷ୍ଟି କରିଛି। ଯଦିଓ, ଅଧିକାଂଶ ପ୍ରାପ୍ତବୟସ୍କ ଅଷ୍ଟ୍ରେଲୀୟ ଏଭଳି ପଦକ୍ଷେପର ସମର୍ଥନ କରନ୍ତି, ସେମାନେ ମଧ୍ୟ ଏହି ନିଷେଧାଦେଶର ରୂପାୟନ ଓ ଫଳପ୍ରଦତା ନେଇ ସନ୍ଦିହାନ। ଏଥିରେ ଦ୍ବିରୁକ୍ତି ନାହିଁ ଯେ କୈଶୋରରୁ ପିଲାମାନେ ସାମାଜିକ ଗଣମାଧ୍ୟମର ସର୍ବଭୁକ୍‌ ବୁଭୁକ୍ଷା ମଧ୍ୟକୁ ଶୋଷି ହୋଇଯାଇ ତା’ ଭିତରେ ଜୀର୍ଣ୍ଣ ହୋଇ ଚାଲିଥିବାରୁ ପୃଥିବୀର ସର୍ବତ୍ର ପିତାମାତାମାନେ ଅତ୍ୟନ୍ତ ବିବ୍ରତ। ଏଣେ, ନୂତନ ରୋମାଂଚର ଆବିଷ୍କାର ଓ ଆହରଣରେ ତୀବ୍ର ଆଗ୍ରହ, ନିଷିଦ୍ଧାଞ୍ଚଳରେ ଅନୁପ୍ରବେଶ କରିବାର ଦୁର୍ବାର କାମନା ଓ ପ୍ରଚଳିତ ସାମାଜିକ ନିୟମଗୁଡ଼ିକୁ ପ୍ରଶ୍ନ ଓ ଅବଜ୍ଞା କରିବାର ଇଚ୍ଛା ଭଳି କାରଣରୁ କିଶୋର-କି‌ଶୋରୀମାନେ ଅତି ସ୍ବାଭାବିକ ଭାବେ ସାମାଜିକ ଗଣମାଧ୍ୟମର ଦିଗନ୍ତ ବିସ୍ତାରୀ କ୍ଷେତ୍ରରେ ଭବଘୂରା ଭଳି ଘୂରିବୁଲି ଦିଗହରା ଓ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି। ସୁତରାଂ, ଏଭଳି ଏକ ସଙ୍ଗିନ ପରିସ୍ଥିତିରେ ଏହି ନିଷେଧାଦେଶ ବା ସେଭଳି କୌଣସି ପଦକ୍ଷେପର ଯଥାର୍ଥତା ଓ ଫଳପ୍ରଦତା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ।
କହିବା ବାହୁଲ୍ୟ, ସାମାଜିକ ଗଣମାଧ୍ୟମର ରସରେ ପରିପୃକ୍ତ ଅସଂଖ୍ୟ କିଶୋର-କିଶୋରୀ ଅଶ୍ଳୀଳତାର ଅସରନ୍ତି ବଜାର ଓ ଜୁଆ ଆଡ୍‌ଡାମାନରେ ଦେଖିବାକୁ ମିଳୁଛନ୍ତି; ବିକୃତ ଚିନ୍ତା ଓ କଦର୍ଯ୍ୟ ରୁଚିବୋଧର ଅଧିକାରୀ ହେଉଛନ୍ତି; ପାଠପଢ଼ା ବା ଭବିଷ୍ୟତ୍‌ ନିର୍ମାଣର ଆଧାରଗୁଡ଼ିକ ସେମାନଙ୍କ ଠାରେ ଭୁଶୁଡ଼ି ପଡୁଛି। କେବଳ ସେତିକି ନୁହେଁ, ମନୋବିଜ୍ଞାନୀମାନେ କହିଥାଆନ୍ତି ଯେ ସାମାଜିକ ଗଣମାଧ୍ୟମରେ ନିବିଷ୍ଟ ଅଳ୍ପ ବୟସର ପିଲାମାନେ ଘୋର ଉଦ୍‌ବେଗ ଓ ବିଷାଦର ଶିକାର ମଧ୍ୟ ହୁଅନ୍ତି, ଯାହା ପରବର୍ତ୍ତୀ କାଳରେ ସେମାନଙ୍କ ବ୍ୟକ୍ତିତ୍ବରେ ଦୃଶ୍ୟମାନ ହୋଇଥାଏ। ଜଣାପଡ଼ିଛି ଯେ ସାମାଜିକ ଗଣମାଧ୍ୟମର ପ୍ରାଦୁର୍ଭାବରୁ ସ୍କୁଲ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଚଞ୍ଚଳମନା ହୋଇ ଉଠି ମାତ୍ର ନଅ ସେକେଣ୍ଡ (ହାରାହାରି)ରୁ ଅଧିକ ସମୟ ଏକାଗ୍ର ଚିତ୍ତ ହୋଇ ରହିପାରୁ ନାହାନ୍ତି। ବନ୍ଧୁତା ସୃଷ୍ଟି ଲାଗି ଉଦ୍ଦିଷ୍ଟ ‘ଫେସ୍‌ବୁକ୍‌’ ଭଳି ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ କିଭଳି ନିଃସଙ୍ଗତା ଓ ବିଷଣ୍ଣବୋଧ ସୃଷ୍ଟି କରନ୍ତି, ତାହାକୁ ପ୍ରାଂଜଳ କରି ମନୋବିଜ୍ଞାନୀମାନେ କହନ୍ତି ଯେ ସାମାଜିକ ଗଣମାଧ୍ୟମରେ ପ୍ରତ୍ୟହ ଆବିର୍ଭୂତ ହେଉଥିବା କୋଟି କୋଟି ସଂଖ୍ୟାର ଫଟୋଗୁଡ଼ିକ ଏକ ଧାରଣା ସୃଷ୍ଟି କରନ୍ତି ଯେ ସତେ ଯେମିତି ସେଥିରେ ଦୃଶ୍ୟମାନ ହେଉଥିବା ଚରିତ୍ର ଓ ପରିବାରଗୁଡ଼ିକ ଅତ୍ୟନ୍ତ ସୁଖୀ ତଥା ପରିପୂର୍ଣ୍ଣ ଏବଂ ସେମାନଙ୍କ ସକାଶେ ଜୀବନ ଏକ ଅନ୍ତହୀନ ଉତ୍ସବ। ଏହାକୁ ଦେଖି ଅସଂଖ୍ୟ ସାଧାରଣ ଲୋକ ନିଜ ଜୀବନର କର୍କଶ ବାସ୍ତବତା ପରି‌ପ୍ରେକ୍ଷୀରେ ଗଭୀର ମୁହ୍ୟମାନ ହୋଇପଡ଼ନ୍ତି, ଯାହା ଅନେକ ସମୟରେ ଅତ୍ୟନ୍ତ ତୀବ୍ର ହୋଇ ଆତ୍ମଘାତ ବା ଆତ୍ମହତ୍ୟାର କାରଣ ମଧ୍ୟ ହୋଇଥାଏ। କିନ୍ତୁ ସେମାନେ ପାସୋରି ଯାଆନ୍ତି ଯେ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ଊଣାଅଧିକେ ସେହି ଏକା ଭଳି ନର୍କ ଭୋଗ କରନ୍ତି, ଅଥଚ କେତେକ ସୁନିର୍ବାଚିତ କ୍ଷଣର ସ୍ଥିରଚିତ୍ରମାନ ସାମାଜିକ ଗଣମାଧ୍ୟମରେ ପ୍ରଦର୍ଶିତ କରିଥାଆନ୍ତି ଯାହା! ଡାକ୍ତରମାନେ କହନ୍ତି ଯେ ସାମାଜିକ ଗଣମାଧ୍ୟମରେ ପ୍ରବେଶ କରିବା ମାତ୍ରେ ତତ୍‌କ୍ଷଣାତ୍‌ ମିଳୁଥିବା ସୁଖବୋଧର କାରଣ ହେଉଛି ମସ୍ତିଷ୍କରେ ‘ଡୋପାମିନ୍‌’ର କ୍ଷରଣ, ଯାହା କୌଣସି ନିଶାସକ୍ତ ବ୍ୟକ୍ତି ଠାରେ ଘଟିଥାଏ, ଯେତେବେଳେ ସେ ଲୋଡୁଥିବା ନିଶା ଦ୍ରବ୍ୟଟି ତା’ ହାତକୁ ଚାଲିଆସେ। ସୁତରାଂ, ସାମାଜିକ ଗଣମାଧ୍ୟମରେ ପ୍ରବେଶ କରିବାର ଇଚ୍ଛା କେବଳ ଏକ ନିରୀହ ଆଗ୍ରହ ମାତ୍ର ନୁହେଁ। ଏହା ଏକ ଦୁର୍ବାର ନିଶା, ଯାହାର ଲକ୍ଷଣ ହେଲା ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରିବା ମାତ୍ରକେ ସର୍ବ ପ୍ରଥମେ ସ୍ମାର୍ଟଫୋନ୍‌କୁ ଲୋଡ଼ା ଯିବା!
ଏଭଳି ଏକ ଦୃଶ୍ୟପଟ‌େର କିଶୋରାବସ୍ଥାରେ ଥିବା ପିଲାମାନଙ୍କ ଭବିଷ୍ୟତ୍‌ ନେଇ ଅତ୍ୟନ୍ତ ବିବ୍ରତ କେତେକ ମା’ ଯୁକ୍ତରାଷ୍ଟ୍ର ଆମେରିକାରେ କରିଥିବା ଲିଖିତ ଅଭିଯୋଗମାନ ପରିପ୍ରେକ୍ଷୀରେ ‘ଫେସ୍‌ବୁକ୍‌’ର ପ୍ରତିଷ୍ଠାତା-ସ୍ବତ୍ବାଧିକାରୀ ମାର୍କ ଜୁକର୍‌ବର୍ଗଙ୍କୁ ଏକ ଗମ୍ଭୀର ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ପଡ଼ିଥିଲା। କହିବା ବାହୁଲ୍ୟ, ଅଧିକାଂଶ ଉଦ୍‌ବିଗ୍ନ ପିତାମାତା ଚାହାନ୍ତି ଯେ ‘ଡିଜିଟାଲ ପୃଥିବୀ’କୁ ପ୍ରଦୂଷଣମୁକ୍ତ କରିବାର ଦାୟିତ୍ବ ମାର୍କ ଜୁକର୍‌ବର୍ଗଙ୍କ ଭଳି ପ୍ରତୀୟମାନ ବିଶ୍ବ (ଭର୍ଚୁଆଲ୍‌ ୱର୍ଲଡ୍‌)ର ପ୍ରତିଷ୍ଠାତା ଈଶ୍ବରମାନେ ନିଅନ୍ତୁ, ଯେଉଁମାନେ ବ୍ୟବହାରକାରୀଙ୍କ ‘ଡେଟା’ ବିକ୍ରୟ କରି ଅପରିମେୟ ଅର୍ଥ ଉପାର୍ଜନ କରି ଚାଲିଥିବା ସତ୍ତ୍ବେ ସାମାଜିକ ଦାୟିତ୍ବବୋଧ ପ୍ରଦର୍ଶନ ସଂଦର୍ଭରେ ଅନାଗ୍ରହୀ ରହନ୍ତି। କିନ୍ତୁ ଏକ ବାସ୍ତବତା ହେଲା, ସାମାଜିକ ଗଣମାଧ୍ୟମ ମଞ୍ଚର ନିୟନ୍ତ୍ରଣ ଆଉ ସେହି ସ୍ରଷ୍ଟାମାନଙ୍କ କ୍ଷମତାଧୀନ ହୋଇ ରହିନାହିଁ। କେବଳ ସେତିକି ନୁହେଁ, ଏହା ମଧ୍ୟ ସମସ୍ତେ ହୃଦ୍‌ବୋଧ କରନ୍ତି ଯେ ସରକାରୀ କଟକଣା ବା ନିଷେଧାଦେଶ ଏକ ଯଥାର୍ଥ ଉତ୍ତର ନୁହେଁ, କାରଣ ସାମାଜିକ ଗଣମାଧ୍ୟମର ବରଦାନ ମଧ୍ୟ ପୃଥିବୀ ଓ ଜନସମାଜକୁ ବିଭିନ୍ନ ସୂତ୍ରରୁ ସମୃଦ୍ଧ କରିଛି। ସୁତରାଂ, ଅନେକଙ୍କ ମତରେ ଏହାକୁ ନିଷେଧ କରିବା ଭଳି ପଦକ୍ଷେପ କେବଳ ଅବାସ୍ତବ ନୁହେଁ, ଅପରିପକ୍ବ ମଧ୍ୟ! ଉଲ୍ଲେଖଯୋଗ୍ୟ ଯେ ଅଠର ବର୍ଷ ବୟସରୁ କମ୍‌ ବୟସ୍କଙ୍କ ଲାଗି ଇଣ୍ଟର୍‌ନେଟ୍‌ ବାରଣ ଭଳି ଏକ ବ୍ୟବସ୍ଥା ୨୦୧୧ ମସିହାରେ ଦକ୍ଷିଣ କୋରିଆରେ ପ୍ରବର୍ତ୍ତିତ ହୋଇଥିଲେ ମଧ୍ୟ ସୂଚନା ପାଇବାର ମୌଳିକ ଅଧିକାର ହରାଇଥିବା କାରଣରୁ କ୍ରମେ ପ୍ରତିବାଦ ମୁଖର ହୋଇଥିଲା ଏବଂ ସେ ବ୍ୟବସ୍ଥା ଅଗତ୍ୟା ହଟି ଯାଇଥିଲା। ଅନେକ ଗଣତନ୍ତ୍ରରେ ଏହି କାରଣରୁ ସାମାଜିକ ଗଣମାଧ୍ୟମ ଉପରେ କଟକଣା ଲଗାଇବା ମଧ୍ୟ ସମ୍ଭବ ହୋଇପାରୁନାହିଁ। ତେଣୁ ବାଲ୍ୟକାଳ ଓ କୈ‌େଶାର କିଭଳି ସାମାଜିକ ଗଣମାଧ୍ୟମର ପ୍ରଦୂଷଣରୁ ଦୂରେଇ ରହିବ, ସେ ନେଇ ମାନସ ମନ୍ଥନ ଓ ଚିନ୍ତନର ଆବଶ୍ୟକତା ରହିଛି। ଏଭଳି ସ୍ଥଳେ ଚୀନରେ ଗୃହୀତ ଏକ ପନ୍ଥାକୁ ଅଭିନବ ବୋଲି କୁହାଯାଇପାରେ, ଯହିଁରେ ‘ଇଣ୍ଟରନେଟ୍‌ ନିଶା ନିବାରଣ କେନ୍ଦ୍ର’ମାନ ଗଢ଼ି ଉଠିଲାଣି। ସେଠାରେ ଜୀବନଶୈଳୀରେ ପରିବର୍ତ୍ତନ ଘଟାଇ, ବ୍ୟାୟାମ, ପୋଷା ଜନ୍ତୁ ଓ ଆତ୍ମୀୟମାନଙ୍କ ସହିତ ମନୋଜ୍ଞ ସଂପର୍କର ସୂତ୍ର ସୃଷ୍ଟି କରି ଏବଂ ସଜର୍ନଶୀଳ କାର୍ଯ୍ୟରେ ମନୋନିବେଶ କରାଇ ଏହି ନିଶାରୁ ନିବୃତ୍ତି ସକାଶେ ଉଦ୍ୟମ କରାଯାଉଛି। ଅନେକଙ୍କ ମତରେ ନିଷେଧାଦେଶ ପରିବର୍ତ୍ତେ ଏଭଳି ଉଦ୍ୟମ ଅଧିକ ଫଳପ୍ରସୂ ହୋଇପାରେ। ସୁତରାଂ, ବିକଳ୍ପ ଚିନ୍ତନର ଆବଶ୍ୟକତା ମଧ୍ୟ ମହତ୍ତ୍ବପୂର୍ଣ୍ଣ।
ଅଷ୍ଟ୍ରେଲିଆର ନୂତନ ପ୍ରାବଧାନ ଅନୁସାରେ ବର୍ଷକ ପରେ ଯାଇ ହିଁ ଏହି ନିଷେଧାଦେଶ କାର୍ଯ୍ୟକାରୀ ହେବ। ଏହା ହେଲେ ସ୍ମାର୍ଟଫୋନ୍ ବିବର୍ଜିତ କିଶୋର-କିଶୋରୀମାନେ ସହସା ଅବଲମ୍ବନଶୂନ୍ୟ ହୋଇ ଏକ ଅତ୍ୟନ୍ତ ଅସ୍ଥିର ସ୍ଥିତିରେ ନିଜକୁ ଆବିଷ୍କାର କରିପାରନ୍ତି। ଏତିକିବେଳେ ସେମାନଙ୍କ ପିତାମାତା, ପରିବାରବର୍ଗ ତଥା ସେମାନଙ୍କ ପରିବେଷ୍ଟନୀ ଓ ପରିବେଶ ସେମାନଙ୍କୁ ସହାୟତା ପ୍ରଦାନ କରିବା ଲାଗି ସଦା ଉପସ୍ଥିତ ରହିବା ଜରୁରି। ଏହି କଥା ଲେଖିଲାବେଳେ ଆମେରିକୀୟ ସମାଜବିଜ୍ଞାନୀ ସ୍କଟ୍‌ ଜେ. ମୁଲିଗନ୍‌ଙ୍କ ଏକ ସ୍ବଅନୁଭୂତି ସଂବଳିତ କଥାଟିଏ ସ୍ମରଣକୁ ଆସିଥାଏ, ଯାହା ସେ ଏକ ‘ପଡ୍‌କାଷ୍ଟ’ରେ କହିଥିଲେ। କଥାଟି ଏହିପରି: ଦିନକୁ ପ୍ରାୟ ନଅ ଘଣ୍ଟା ସ୍ମାର୍ଟଫୋନ୍‌ରେ ବିତାଉଥିବା ଜଣେ ବାର ବର୍ଷର ବାଳକକୁ ସେ ଯେତେବେଳେ ପ୍ରଶ୍ନ କରିଥିଲେ ଯେ ତା’ ବାପାମା’ ତାକୁ ଏଥିରୁ ନିବୃତ୍ତ କରନ୍ତି ନାହିଁ କି? ବାଳକଟିର ଉତ୍ତର ଥିଲା, ‘କରିବେ କେମିତି? ସେମାନେ ବି ତ ସେଥିରେ ବୁଡ଼ି ରହିଥାଆନ୍ତି!’ ସୁତରାଂ, ଅଷ୍ଟ୍ରେଲୀୟ ନିଷେଧାଦେଶ ପରିପ୍ରେକ୍ଷୀରେ ଆଶା କରିବା ଯେ ପିଲାମାନେ ସାମାଜିିକ ଗଣମାଧ୍ୟମର ବାହୁଫାଶରୁ ମୁକ୍ତ ହୋଇଗଲେ ବୋଲି ସ୍ବସ୍ତିର ନିଃଶ୍ବା‌ସ ମାରି ସେମାନଙ୍କ ପିତାମାତାମାନେ ଅନ୍ତତଃ ନିଜ ନିଜ ସ୍ମାର୍ଟଫୋନ୍‌ରେ ବୁଡ଼ି ଯିବେ ନାହିଁ!
ସୌଜନ୍ୟ-ସମ୍ୱାଦ

Comments are closed.