Breaking News

ନିୟୋଜିତ ହେବେ ୧୨୦୦ ସ୍ବତନ୍ତ୍ର କ୍ରୀଡ଼ା ସ୍ବେଚ୍ଛାସେବୀ

ଉତ୍ତରାଖଣ୍ଡର ଡେରାଡ଼ୁନଠାରେ ଖେଳାଯିବାକୁ ଥିବା ୩୮ତମ ଜାତୀୟ କ୍ରୀଡ଼ା ଅବସରରେ ୧୨୦୦ ସ୍ବତନ୍ତ୍ର କ୍ରୀଡ଼ା‌ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଉତ୍ତରାଖଣ୍ଡ ସରକାରଙ୍କୁ ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏଫ୍‌ଏସ୍‌ଆଇ) ଏହି ସ୍ବେଚ୍ଛାସେବୀମାନଙ୍କୁ ଯୋଗାଇ ଦେବେ।

ଭୁବନେଶ୍ବର: ଉତ୍ତରାଖଣ୍ଡର ଡେରାଡ଼ୁନଠାରେ ଖେଳାଯିବାକୁ ଥିବା ୩୮ତମ ଜାତୀୟ କ୍ରୀଡ଼ା ଅବସରରେ ୧୨୦୦ ସ୍ବତନ୍ତ୍ର କ୍ରୀଡ଼ା‌ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ଉତ୍ତରାଖଣ୍ଡ ସରକାରଙ୍କୁ ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏଫ୍‌ଏସ୍‌ଆଇ) ଏହି ସ୍ବେଚ୍ଛାସେବୀମାନଙ୍କୁ ଯୋଗାଇ ଦେବେ। ଏହା ଛଡ଼ା ଉତ୍ତରାଖଣ୍ଡ ସରକାର ମଧ୍ୟ ନିଜସ୍ବ ଉଦ୍ୟମରେ ଅତିରିକ୍ତ ୨୩୦୦ ସାଧାରଣ ସ୍ବେଚ୍ଛାସେବୀ ନିୟୋଜନ କରିବେ। ସ୍ବତନ୍ତ୍ର କ୍ରୀଡ଼ା ସ୍ବେଚ୍ଛାସେବୀଙ୍କ କାର୍ଯ୍ୟ ଓ ଦାୟିତ୍ବ ସାଧାରଣ ସ୍ବେଚ୍ଛାସେବୀଙ୍କଠାରୁ ଭିନ୍ନ ରହିବ। ହେଲେ ସାଧାରଣ ସ୍ବେଚ୍ଛାସେବୀଙ୍କ ସହ ଏମାନେ ମଧ୍ୟ ଉତ୍ତମ ବ୍ୟବହାର ଓ ଶିଷ୍ଟାଚାରର ପ୍ରଶିକ୍ଷଣ ନେବେ।
୩୮ତମ ଜାତୀୟ କ୍ରୀଡ଼ା ଚଳିତ ଜାନୁଆରି ୨୮ରୁ ଫେବ୍ରୁଆରି ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହାର ସୁପରିଚାଳନା ଲାଗି ଉପରୋକ୍ତ ଦୁଇ ପ୍ରକାର ସ୍ବେଚ୍ଛାସେବୀ ସେମାନଙ୍କ ସେବା ପ୍ରଦାନ କରିବେ। ସଂପ୍ରତି ସାଧାରଣ ସ୍ବେଚ୍ଛାସେବୀ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ଏଥିଲାଗି ୩୦,୦୦୦ ଆଶାୟୀ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି। ସମସ୍ତ ପଞ୍ଜୀକୃତ ପ୍ରାର୍ଥୀଙ୍କୁ ଅନ୍‌ଲାଇନ୍‌ରେ ପ୍ରଶିକ୍ଷଣ ଦିଆଯିବା ସହ ଅନ୍‌ଲାଇନ୍‌ରେ ସେମାନଙ୍କର ପରୀକ୍ଷା ଅନୁଷ୍ଠିତ ହୋଇଛି। ପରୀକ୍ଷାଫଳ ଅନୁସାରେ ହିଁ ସେମାନଙ୍କ ମଧ୍ୟରୁ ଯୋଗ୍ୟ ସ୍ବେଚ୍ଛାସେବୀ ବଛାଯିବେ।

ଜାତୀୟ କ୍ରୀଡ଼ା ସଚିବାଳୟର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ ଆର୍ଯ୍ୟାଙ୍କ ଅନୁସାରେ, ପ୍ରତିଯୋଗିତାର ସୁପରିଚାଳନା ଲାଗି ସ୍ବତନ୍ତ୍ର କ୍ରୀଡ଼ା ସ୍ବେଚ୍ଛାସେବୀଙ୍କ ସହ ବହୁ ସଂଖ୍ୟାରେ ସାଧାରଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ସ୍ବତନ୍ତ୍ର କ୍ରୀଡ଼ା ସ୍ବେଚ୍ଛାସେବୀମାନେ ମୁଖ୍ୟତଃ ବିଭିନ୍ନ ପ୍ରତିଯୋଗିତା ସ୍ଥଳରେ କାର୍ଯ୍ୟ କରିବେ। ଏହି ସ୍ବତନ୍ତ୍ର କ୍ରୀଡ଼ା ସ୍ବେଚ୍ଛାସେବୀଙ୍କୁ ସେମାନଙ୍କ କ୍ରୀଡ଼ା ପୃଷ୍ଠଭୂମି ତଥା ଜାତୀୟ ଓ ଅନ୍ତର୍ଜାତୀୟ ପରିଚାଳନା ଅଭିଜ୍ଞତା ଆଧାରରେ ଏନ୍‌ଏଫ୍‌ଏସ୍‌ଆଇ ବାଛିବେ। ସେମାନେ ସିଧାସଳଖ କ୍ରୀଡ଼ା ପରିଚାଳନା ଦାୟିତ୍ବରେ ରହିବେ। ଅନ୍ୟପକ୍ଷରେ ସାଧାରଣ ସ୍ବେଚ୍ଛାସେବୀମାନେ ପାର୍କିଂ, ପରିବହନ ଏବଂ ଅନ୍ୟାନ୍ୟ କାର୍ଯ୍ୟର ପରିଚାଳନା ଦାୟିତ୍ବ ନିର୍ବାହ କରିବେ। ସ୍ବେଚ୍ଛାସେବୀ ମାମଲାର ତଦାରଖ କରୁଥିବା‌ ସରକାରୀ ଅଧିକାରୀ ପ୍ରତୀକ ଯୋଗୀଙ୍କ କହିବା ଅନୁସାରେ ସ୍ବତନ୍ତ୍ର ସ୍ବେଚ୍ଛାସେବୀମାନେ ଦୈନିକ ୧,୦୦୦ ଏବଂ ସାଧାରଣ ସ୍ବେଚ୍ଛାସେବୀମାନେ ଦୈନିକ ୫୦୦ ଟଙ୍କାର ଭତ୍ତା ପାଇବେ। ଜାତୀୟ କ୍ରୀଡ଼ାର ସଫଳ ଆୟୋଜନ ଉତ୍ତରାଖଣ୍ଡ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ସମାଜର ସବୁ ବର୍ଗର ଲୋକ ଏଥିଲାଗି ନିଜ ନିଜର ବହୁମୂଲ୍ୟ ଯୋଗଦାନ ଲାଗି ପ୍ରସ୍ତୁତ ଅଛନ୍ତି। ଏହି କ୍ରୀଡ଼ା ମହୋତ୍ସବ ରାଜ୍ୟରେ କ୍ରୀଡ଼ା ବିକାଶକୁ ଆହୁରି ତ୍ବରାନ୍ବିତ କରିବ  ବୋଲି ଉତ୍ତରାଖଣ୍ଡ ସରକାର ସୋମବାର ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.